ବିଶ୍ୱର ପ୍ରଥମ ଟୀକାକରଣ ଅଭିଯାନରେ ମହୀଶୂରର ତିନି ରାଣୀ

ଏହା ପୂର୍ବରୁ ମଧ୍ୟ ୱାଡିୟାର୍-୩ୟ ବିବାହ କରିସାରିଥା’ନ୍ତି ଥରେ । ପ୍ରଥମ ପତ୍ନୀ ଦେବଯାମ୍ମାନୀ ତାଙ୍କଠୁ ବୟସରେ ଅନେକ ବଡ଼ ଥାଆନ୍ତି । ଏ କାରସାଦିଟିର ଆୟୋଜକ ରାଜାଙ୍କ ଜେଜେମା ଓ ରାଜା କ୍ରିଷ୍ଣରାଜ ୱାଡିୟାର୍-୨ୟଙ୍କ ପତ୍ନୀ ରାଣୀ ଲକ୍ଷ୍ମୀ ଅମ୍ମାନୀ । ନିଜ ସ୍ୱାମୀଙ୍କୁ ବସନ୍ତ ରୋଗରେ ହରେଇବା ପରେ ରାଣୀ ଲକ୍ଷ୍ମୀ ଅମ୍ମାନୀ ନାତିକୁ ମଧ୍ୟ ସେଇ ରୋଗରେ ହରେଇବାକୁ ଚାହୁଁନଥିଲେ । ତେଣୁ ବୟସରେ ଅଧିକ ହୋଇଥିଲେ ବି ଜଣେ ବସନ୍ତ ସରଭାଇବର୍ କୁ ୱାଡିୟାର୍ ବାଳକ ଥିବା ବେଳେ ତାଙ୍କର ପ୍ରଥମ ପତ୍ନୀ ଭାବେ ଆଣିଥିଲେ । ଉଦ୍ଦେଶ୍ୟ ଥାଏ ରାଜାଙ୍କ ସ୍ୱାସ୍ଥ୍ୟ । ଏତଦ୍ ସହିତ ରାଣୀଙ୍କଠୁ ରାଜାଙ୍କୁ ଓ ରାଜାଙ୍କଠୁ ରାଜ ଦରବାରର ଅନ୍ୟ କାହାକୁ ସଂକ୍ରମଣ ହେବାର ଡର ମଧ୍ୟ ନଥାଏ । ଦ୍ୱିତୀୟ ରାଣୀ ଥିଲେ ୧୨ ବର୍ଷୀୟା ଦେବଯାମ୍ମାନୀ । ଉଭୟଙ୍କ ବୟସ ସମାନ ହୋଇଥିବାରୁ ଓ ସେମାନଙ୍କର ବିବାହ ସେସମୟରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବାରୁ, ବ୍ରିଟିଶ ସରକାର ରାଣୀଙ୍କୁ ହିଁ ବାଛିଲେ ବସନ୍ତ ଟୀକାର ପ୍ରଚାର ପ୍ରସାର ପାଇଁ । ରାଜାଙ୍କ ପକ୍ଷରୁ ଅମତ ହେବାର ଅବକାଶ ମଧ୍ୟ ନଥିଲା । କାରଣ, ଟିପୁ ସୁଲତାନ୍ ଙ୍କୁ ହଟେଇ ୱାଡିୟାର୍ ଙ୍କୁ ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଶାସନକୁ ଫେରେଇଥିଲେ ବ୍ରିଟିଶ୍ ମାନେ । ତେଣୁ ଟୀକାକରଣ ସପକ୍ଷରେ ସଚେତନତା ସୃଷ୍ଟି କରିବା ପାଇଁ ସବୁମତେ ସାହାଯ୍ୟ ମିଳିଥିଲା ରାଜାଙ୍କ ତରଫରୁ ।

ଆଈଶାଶୁ ଓ ଦୁଇ ନାତୁଣୀବୋହୁ ହେଇ ମହୀଶୂରର ତିନି ରାଣୀ ଲୋକମାନଙ୍କ ମଧ୍ୟରେ ଟୀକା ସମ୍ପର୍କରେ ସକାରାତ୍ମକ ଧାରଣା ତିଆରି କରିବା ପାଇଁ ଏକରକମ୍ ସ୍ଥିର ହୋଇଗଲା । ଇଷ୍ଟ୍ ଇଣ୍ଡିଆ କମ୍ପାନୀର ବରାଦରେ ଗୋଟେ ତୈଳଚିତ୍ର ଅଙ୍କା ହେଲା । ରାଣୀମାନଙ୍କର ଏହି ଚିତ୍ରଟି ଅଙ୍କାଯିବା ପଛରେ ଥିବା ନିଆରା କାରଣ ପାଇଁ ହିଁ ଉଭୟ ଚିତ୍ର ଓ ରାଣୀମାନେ ଇତିହାସର ପୃଷ୍ଠାରେ ରହିଗଲେ । ଚିତ୍ର ମାଧ୍ୟମରେ ଜଣେ ହିନ୍ଦୁ ରାଣୀ ମଧ୍ୟ ଟୀକା ନେଇଛନ୍ତି ଦର୍ଶାଇ ସାଧାରଣ ଜନତାଙ୍କର ଟୀକା ନେବା ଲାଗି ଯେଉଁ ଅନିଚ୍ଛା, ଅନାଗ୍ରହ ଓ ଡର ଥାଏ ତାକୁ ଦୂରେଇ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଥାଏ କମ୍ପାନୀ ବାହାଦୂରଙ୍କ ଲକ୍ଷ୍ୟ ।

ସେହି ଐତିହାସିକ ତୈଳଚିତ୍ରଟିକୁ ଆଙ୍କିଥିଲେ ଆଇରିସ୍ ଚିତ୍ରକାର ଥୋମାସ୍ ହିକି । ସେ ସମୟରେ ବିଭିନ୍ନ ରାଜଦରବାରରେ ରାଜାରାଜୁଡ଼ା ମାନଙ୍କର ଚିତ୍ର ଆଙ୍କିବା ପାଇଁ ସେ ବିଖ୍ୟାତ ଥିଲେ । ମହୀଶୂର ରାଣୀଙ୍କର ସେଇ ପ୍ରସିଦ୍ଧ ତୈଳଚିତ୍ରଟି ୨୦୦୭ରେ ସୁଥବି ଅକ୍ସନ୍ ହାଉସ୍ ଶେଷଥର ପାଇଁ ବିକ୍ରୀ ପାଇଁ ଦେଇଥିଲା ।

ତୈଳଚିତ୍ରଟି ଇଂରେଜଙ୍କ ସହ ଇଂଲଣ୍ଡ ଚାଲିଯାଇ ଦୃଶ୍ୟପଟରୁ ହଜି ଯାଇଥିଲା କହିଲେ ଚଳେ । ୧୯୯୧ର ଗୋଟିଏ ପ୍ରଦର୍ଶନୀରେ ପ୍ରସିଦ୍ଧ ଐତିହାସିକ ଡଃ. ଚାନସେଲର୍ ତିନି ରାଣୀଙ୍କର ଏହି ତୈଳଚିତ୍ରକୁ ଦେଖି ଉଦ୍ଧାର କରିଥିଲେ । ସେତେବେଳକୁ ଅନ୍ୟମାନେ ଚିତ୍ରରେ ଥିବା ଅଳଙ୍କାରମୟୀ ନାରୀମାନେ କିଏ ତାହା ଭୁଲି ସାରିଥିଲେ । ଭୁଲି ସାରିଥିଲେ ବି ଚିତ୍ରରେ ଲେଖା ସରିଥିବା ବିଶ୍ୱର ପ୍ରଥମ ଟୀକାକରଣ ଅଭିଯାନରେ ସାମିଲ୍ ହୋଇଥିବା ମହୀଶୂର୍ ରାଣୀମାନଙ୍କ ଭୂମିକା । କେହି କେହି ସେମାନେ ନର୍ତ୍ତକୀ ବା ବେଶ୍ୟା ହୋଇଥିବେ ବୋଲି ଭାବୁଥିଲେ ମଧ୍ୟ । କିନ୍ତୁ ମହୀଶୂର ଇତିହାସର ବିଶେଷଜ୍ଞ ଡଃ. ଚାନସେଲର୍ ଚିତ୍ରଟିକୁ ଦେଖୁ ଦେଖୁ ଏହି ଧାରଣାଟିକୁ ସଙ୍ଗେ ସଙ୍ଗେ ଅସ୍ୱୀକାର କରିଥିଲେ ଓ ଡାହାଣ ପାଖରେ ଠିଆ ହୋଇଥିବା ମହିଳାଙ୍କୁ ରାଣୀ ଦେବଯାମ୍ମାନୀ ଭାବେ ଚିହ୍ନିତ କରିଥିଲେ । ହାତରେ ଭାରୀ ଓଜନର ସୁନା ଚୁଡ଼ି ଓ ମଥାରେ ଚମତ୍କାର ମଥାମଣି ୱାଡିୟାର୍ ରାଣୀମାନଙ୍କର ବିଶେଷତା ଥିଲା । ଚିତ୍ରଟିରେ ଦେବଯାମ୍ମାନୀ ଶାଢ଼ୀକୁ ପାରମ୍ପରିକ ଭାବେ ଘୋଡେ଼ଇ ପିନ୍ଧିଥିଲେ ବି ବାଆଁ ହାତର ଟୀକା ନେଇଥିବା ସ୍ଥାନକୁ ଦର୍ଶାଇବା ପାଇଁ ଡାହାଣ ହାତରେ ବାଆଁ କାନ୍ଧ ପାଖରେ ଶାଢୀଟିକୁ ଟେକି ଧରିଥିବାର ଦେଖିପାରିବେ । ଚିତ୍ରକର ଜଣଙ୍କୁ ରାଣୀଙ୍କର ମର୍ଯ୍ୟାଦା କ୍ଷୁର୍ଣ୍ଣ ନକରି ରାଣୀ ଟୀକା ନେଇଛନ୍ତି ବୋଲି କେମିତି ଜନତାଙ୍କୁ ଜଣେଇ ହେବ ସେ ସମ୍ପର୍କରେ ସଚେତନ ରହି ଚିତ୍ର କରିବାକୁ କୁହାଯାଇଥିଲା ।

ଚିତ୍ରର ବାଆଁ ପାଖରେ ଠିଆ ହୋଇଥିବା ମହିଳାଙ୍କର ନାଆଁ ମଧ୍ୟ ଦେବଯାମ୍ମାନୀ ଓ ସେ ରାଜାଙ୍କର ପ୍ରଥମ ପତ୍ନୀ ବୋଲି ଡଃ. ଚାନସେଲର୍ ଚିହ୍ନିତ କରିଥିଲେ । ତାଙ୍କ ମୁହଁର କିଛି ସ୍ଥାନରେ ଓ ନାକ ତଳେ ଠାଏ ଠାଏ ଚର୍ମର ରଙ୍ଗ ଛାଡିଥିବାର ଦେଖାଯାଏ । ଏହି ଚିହ୍ନ ବସନ୍ତ ହୋଇ ଛାଡ଼ିଥିବା ଲୋକଙ୍କ ଠାରେ ଦେଖାଯାଏ । ଏବଂ ମଝିରେ ଥିବା ମହିଳା ଜଣଙ୍କ ଥିଲେ ରାଜାଙ୍କର ଜେଜେମା ଲକ୍ଷ୍ମୀ ଅମ୍ମାନୀ, ଯିଏ ନିଜ ପତିଙ୍କୁ ବସନ୍ତ ରୋଗରେ ହରାଇବା ପରେ ରାଣୀମାନଙ୍କୁ ଟୀକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ଚାହୁଁଥିଲେ ।

ଭାରତରେ ବସନ୍ତର ସଂକ୍ରମଣ ବହୁତ ଅଧିକା ଥିଲା ସେତେବେଳେ । ଲକ୍ଷଣ ଥିଲା ଜ୍ୱର, ବିନ୍ଧାବିନ୍ଧି ସହ ଦେହ ଓ ମୁହଁ ସାରା ଫୋଟକା ପରି ଫଳିଯିବା ଓ ସେ ସବୁ ଫାଟିଯାଇ ଅସହ୍ୟ ଯନ୍ତଣା ହେବା । ମୃତ୍ୟୁ ତ ଲାଗି ରହିଥିଲା ତା’ ସହ ଆଖିରେ ଘାଆ ହୋଇ ଆଖି ବି ହରେଇ କଣା ଓ ଅନ୍ଧ ହେଉଥିଲେ ଅନେକ । ଯେଉଁମାନେ ବଞ୍ଚି ଯାଉଥିଲେ ସେମାନଙ୍କ ଦେହ ଆଉ ମୁହଁରେ ଜୀବନ ସାରା ଚିହ୍ନ ସବୁ ରହୁଥିଲା । ସେମାନଙ୍କୁ ବସନ୍ତ ମୁହାଁ ବୋଲି କୁହାଯାଉଥିଲା । ବ୍ରିଟିଶ୍ ସରକାର କିନ୍ତୁ ବସନ୍ତ ଦାଉରୁ ନିଜ ଅଫିସର୍ ମାନଙ୍କ ସହ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ସୁସ୍ଥ ରଖିବାକୁ ଚାହୁଁଥିଲେ । ଏପଟେ ମହୀଶୂର୍ ରାଜପ୍ରାସାଦରେ ୧୨ ବର୍ଷୀୟା ଦେବଯାମ୍ମାନୀ ପହଞ୍ଚିବା ପରେ ଜଣା ପଡ଼ିଲା ଯେ ତାଙ୍କୁ ଆଗରୁ କେବେ ବସନ୍ତ ହୋଇ ନାହିଁ, ତେଣୁ ସେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଥିଲା । ସଂକ୍ରମଣ ହେଲେ ମୃତ୍ୟୁର ସମ୍ଭାବନା ଅଧିକ । ଏପଟେ ପୁରୁଣା ଟୀକା ବ୍ୟବସ୍ଥାରେ ୫୦ରେ ଜଣେ ମରୁଥିଲେ ତ, ତା ସାଙ୍ଗରେ ପୁଣି ଚର୍ମର ରଙ୍ଗ ମଧ୍ୟ ଛାଡ଼ି ଯାଉଥିଲା । ସଂକ୍ରମଣ ଭୟରେ ନୂଆ ରାଣୀଙ୍କୁ ଜେଜିମା ଲକ୍ଷ୍ମୀ ଅମ୍ମାନୀ ଟୀକା ଦେବା ପାଇଁ ବି ଚାହୁଁଥିଲେ ।

୧୮୦୨ ବେଳକୁ ବସନ୍ତ ରୋଗର ଟୀକା ଆସି ସାରିଥାଏ ଭାରତକୁ । ପ୍ରଥମେ ୧୮୦୦ମସିହାରେ ବ୍ରିଟେନ୍ ରୁ ଗୋଟିଏ ଜାହାଜରେ ଭାରତକୁ ଟୀକା ଆସିବାର ବ୍ୟବସ୍ଥା କରାଯାଇଥାଏ । ଜାହାଜରେ ବସନ୍ତ ରୋଗୀଙ୍କ ଠାରୁ ସଂଗୃହୀତ ହୋଇଥିବା ଚର୍ମ ଓ ତରଳ ଜିନିଷର ଶୁଖିଲା ସାମ୍ପଲ୍ ସହ କିଛି ଲୋକ ମଧ୍ୟ ଆସୁଥିଲେ, ଯାହାଙ୍କୁ ହ୍ୟୁମାନ୍ କୋରିୟର୍ କୁହାଯାଉଥିଲା । ସମୁଦ୍ର ଯାତ୍ରା ସମୟରେ ଜଣଙ୍କ ପରେ ଜଣଙ୍କୁ ଟୀକା ଦେଇ ଟୀକାର ହ୍ୟୁମାନ୍ ଚେନ୍ କୁ ବଞ୍ଚେଇ ରଖିବାର ଉପାୟ ଥିଲା ଏଇଟା । ଭାରତରେ ଜାହାଜ ପହଞ୍ଚିବା ବେଳକୁ କିନ୍ତୁ କୌଣସି ଟୀକା ପ୍ରକ୍ରିୟାକୁ ବଞ୍ଚେଇ ରଖାଯାଇପାରି ନଥିଲା । ଅନେକ ଥରର ଅସଫଳ ପ୍ରୟାସ ପରେ ଚିକିତ୍ସକମାନେ ଶୁଖିଲା ସାମ୍ପଲ୍ କୁ କାଚ ଭିତରେ ରଖି ସିଲ୍ କରି ଭିଏନାରୁ ଆଣି ବାଗଦାଦ୍ ରେ ମାର୍ଚ୍ଚ ୧୮୦୨ରେ ପହଞ୍ଚେଇଲେ । ସେଠାରେ ଜଣେ ଆମେରୀକିୟ ପିଲାକୁ ଆଗ ଟୀକା ଦିଆଗଲା ଏବଂ ତା’ ହାତରୁ ଚର୍ମ ଓ ତରଳ ଜିନିଷ ସଂଗ୍ରହ କରି ଇରାକ୍ ର ବାସ୍ରାରେ ଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ସର୍ଜନଙ୍କ ପାଖରେ ପହଞ୍ଚାଗଲା । ସେ ହାତରୁ ହାତ ଚେନ୍ ପ୍ରକ୍ରିୟାରେ ଟୀକା ବମ୍ବେକୁ ପଠେଇଲେ । ଭାରତରେ ପ୍ରଥମ ଥର ପାଇଁ ୧୪ ଜୁନ୍ ୧୮୦୨ରେ ଆନ୍ନା ଡଚସେଲ୍ ବୋଲି ଜଣେ ବ୍ରିଟିଶ ସେବାଚାରୀଙ୍କ ୫ ବର୍ଷର ପିଲାକୁ ସଫଳତାପୂର୍ବକ ଟୀକା ଦିଆଗଲା । ତା’ ପର ସପ୍ତାହରେ ଆନ୍ନା ଡଚସେଲ୍ ଠାରୁ ସାମ୍ପଲ୍ ନେଇ ବମ୍ବେର ଆଉ ପାଞ୍ଚ ଜଣ ପିଲାଙ୍କୁ ଟୀକା ଦିଆଗଲା । ସେଇଠୁ ପୁଣି ଭାରତର ବିଭିନ୍ନ ବ୍ରିଟିଶ୍ ବେସ୍ ଯଥା ହାଇଦ୍ରାବାଦ, କୋଚିନ୍, ମାଡ୍ରାସ୍ ହୋଇ ମହୀଶୁର ଦରବାରରେ ଯାଇ ଟୀକା ପହଞ୍ଚିଲା ସେଇ ହାତରୁ ହାତ ପ୍ରକ୍ରିୟାରେ ।

କିନ୍ତୁ ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ସୁଦ୍ଧା ଖୁବ୍ କମ୍ ଟୀକା ଦିଆଯାଇପାରିଥାଏ ଭାରତରେ । ମାତ୍ର ଛଅ ବର୍ଷ ପୂର୍ବରୁ ତିଆରି ହୋଇଥାଏ ଏ ଦୁରାରୋଗ୍ୟ ରୋଗର ମହୌଷଧି । ଖୋଜି ବାହାର କରିଥାଆନ୍ତି ବ୍ରିଟିଶ ଡାକ୍ତର ଏଡୱାର୍ଡ ଜେନର୍ । କିନ୍ତୁ ଭାରତୀୟମାନେ ଏହି ମହୌଷଧିକୁ ଗ୍ରହଣ କରିବାକୁ ରାଜି ନଥିଲେ । ଦେଖିବାକୁ ଗଲେ ସେମାନେ ଏହାକୁ ସନେ୍ଦହଜନକ ଦୃଷ୍ଟିରେ ଦେଖୁଥିଲେ । ତେଣୁ ପ୍ରତିରୋଧ ବଢ଼ି ବଢ଼ି ଚାଲିଥାଏ । ସମ୍ଭବତଃ ଯେଉଁ ବି୍ରଟିଶ୍ ମାନେ ଗୋଟେ ପଟେ ଭାରତର ଜନତାଙ୍କୁ ଶାସନ କରୁଥିଲେ, ଜୁଲମ୍ କରୁଥିଲେ ଓ ଆରପଟେ ଟୀକା ନେବା ପାଇଁ ବୁଝଉଥିଲେ; ସେଇମାନେ ଯେ ଜନତାର ଭଲ ଚାହୁଁଛନ୍ତି ସେଥିରେ ବିଶ୍ୱାସ କାହାରି ନଥାଏ । ସେତେବେଳକୁ କିନ୍ତୁ ଉଭୟ ଭାରତୀୟ ଓ ବ୍ରିଟିଶ୍ ଅଧିକାରୀମାନେ ଯଥାଶୀଘ୍ର ଟୀକାକରଣ କରେଇବାକୁ ଚାହୁଁଥାଆନ୍ତି । କିନ୍ତୁ ଅନେକ କାରଣରୁ ସାଧାରଣ ଜନତାଙ୍କ ଅନିଚ୍ଛା ବିରୁଦ୍ଧରେ ତାଙ୍କୁ ରୀତିମତ୍ ଲଢ଼ିବାକୁ ପଡ଼ୁଥାଏ ।

ପ୍ରଥମତଃ, ସେ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବଢେ଼ଇବା ପାଇଁ ସେତେବେଳକୁ ଭାରତରେ ଏକ ଭିନ୍ନ ଉପାୟ ଅବଲମ୍ବନ କରାଯାଉଥାଏ, ଯାହାକୁ ଭେରିଓଲେସନ୍ କୁହାଯାଉଥାଏ । ଅନ୍ୟ ଅନେକ ଦେଶ ମଧ୍ୟ ଏହି ଉପାୟରେ ପ୍ରତିଷେଧକର ଚିକିତ୍ସା କରାଉଥାଆନ୍ତି । ଏହା ପ୍ରଥମେ ଚୀନ୍, ଭାରତ, ଆଫ୍ରିକାର କେତେକ ଅଞ୍ଚଳ ଓ ମଧ୍ୟ ପ୍ରାଚ୍ୟରେ ଆରମ୍ଭ ହୋଇଥିଲା ଓ ପରେ ପରେ ୧୭୨୦ ବେଳକୁ ପ୍ରତିରୋଧ ସତ୍ତ୍ୱେ ଇଂଲଣ୍ଡ ଓ ଉତ୍ତର ଆମେରିକାକୁ ମଧ୍ୟ ଯାଇଥିଲା । କାମଟିକୁ କରୁଥାଆନ୍ତି ଟୀକାଦାରମାନେ (ଭେରିଓଲେଟର) । ସେମାନେ ରୋଗୀର ସଂକ୍ରମଣ ହୋଇଥିବା ସ୍ଥାନରୁ ଚର୍ମ,ନସି ସଂଗ୍ରହ କରି, ତାକୁ ଶୁଖେଇ ରୋଗ ହୋଇନଥିବା ଲୋକମାନଙ୍କ ନାକ ପାଖରେ ଉଡେ଼ଇ ଦିଅନ୍ତି । ଯଦ୍ୱାରା ସଂକ୍ରମଣ ଅଳ୍ପ ହୋଇ ଇମ୍ୟୁନିଟି ବଢେଇବାରେ ଏହା ସାହାଯ୍ୟ କରିବ । ଏହାକୁ ଭେରିଓଲୋଜି କୁହାଯାଏ । ଭାରତରେ ଗଙ୍ଗା ନଦୀରେ ଶୁଦ୍ଧ କରି ଟୀକାକରଣର ପ୍ରସ୍ତୁତିର ପ୍ରକ୍ରିୟାଟିକୁ ଆରମ୍ଭ କରାଯାଉଥିଲା । ତେଣୁ ଧର୍ମୀୟ ଭାବନା ଯୋଡ଼ି ହୋଇ ରହିଥିଲା । ଏହା ଛଡ଼ା ଅନେକ ଏହା ମା ଶୀତଳାଙ୍କ କ୍ରୋଧ ବୋଲି ଭାବୁଥିଲେ । ତେଣୁ ପୂଜାପାଠ କରି ମାଆଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଥିଲେ । ଓଡ଼ିଶାରେ ବସନ୍ତକୁ ଠାକୁରାଣୀ କୁହାଯାଉଥିଲା ଓ ସେଥିପାଇଁ ବେଶ୍ ଧୂପ ଦୀପ ଓ ପଣାର ବ୍ୟବସ୍ଥା କରାଯାଉଥିଲା । ତାପରେ ଅନେକ ଟୀକାଦାର ମଧ୍ୟ ନିଜ ବେଉଷା ବୁଡ଼ିଯିବା ଡରରେ ଏହି ନୂଆ ଟୀକାକରଣ ଉପାୟକୁ ବିରୋଧ କରୁଥିଲେ । ଏହି ଟୀକାଦାରମାନଙ୍କ ପ୍ରଭାବ କମାଇବା ପାଇଁ ଓ ପୁରୁଣା ଟୀକାଦାନ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଯେଉଁମାନେ ଏ ପ୍ରଥାକୁ ଛାଡ଼ିବେ ସେମାନଙ୍କୁ ୧୮୦୫ରେ ପେନସନ୍ ଦିଆଯିବାର ବ୍ୟବସ୍ଥା କଲେ ବ୍ରିଟିଶ୍ ସରକାର ।

ଦ୍ୱିତୀୟତଃ ଯେଉଁ ଡାକ୍ତର, ଚିକିତ୍ସକମାନେ ନୂଆ ଟୀକା ଦେଉଥିଲେ ସେମାନେ ବଡ଼ ବଡ଼ ଯନ୍ତ୍ରପାତୀ ସବୁ ଧରୁଥିବାରୁ ଓ ଟୀକା ନେବାର ପ୍ରକ୍ରିୟା ଯନ୍ତ୍ରଣାଦାୟକ ହୋଇଥିବାରୁ ଲୋକମାନେ ସେମାନଙ୍କୁ ଭୀଷଣ ଡରୁଥିଲେ । ଆଜିପରିକା ଆମେ ଯେଉଁ ସାଙ୍ଗେସାଙ୍ଗେ ଟୀକା ନେଇ ଯାଉଛନ୍ତି ସଟାକ୍ କରି, ଛୁଞ୍ଚି ଫୋଡ଼ାର କଷ୍ଟ ବି ଜଣା ପଡ଼ୁନି ସେତେବେଳର ପ୍ରକ୍ରିୟା କିନ୍ତୁ ସେତେ ସହଜ ନଥିଲା । ଟୀକା ଦେବାର ପ୍ରଭାବଶାଳୀ ଉପାୟ ଥଲା ହାତରୁ ହାତକୁ ଦେବା । ପ୍ରଥମେ ଜଣଙ୍କ ହାତରେ ଛୁଞ୍ଚି ବା ଲେନ୍ସଟ୍ ଦ୍ୱାରା ଟୀକା ଲଗାଯାଏ । ଗୋଟେ ସପ୍ତାହ ପରେ ଯେତେବେଳେ ସେହି ସ୍ଥାନରେ ଗୋଟେ ଫୋଟକା ହୁଏ, ସେତେବେଳେ ଡାକ୍ତର ସେଇଟିକୁ ଅପରେସନ୍ କରି ତାହାର ପୂଜ ଚର୍ମକୁ ଆଉ ଜଣଙ୍କୁ ଦେବା ପାଇଁ ପ୍ରସ୍ତୁତି କରନ୍ତି । ଅନେକ ସମୟରେ ସଂଗୃହିତ ନମୁନାକୁ ଶୁଖାଯାଇ ଦୁଇଟି କାଚ ପ୍ଲେଟ୍ ମଧ୍ୟରେ ସିଲ୍ କରି ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରାଯାଏ । କିନ୍ତୁ ଭାରତର ଗରମ ଜଳବାୟୁ ପାଇଁ ଏହା ପ୍ରାୟତଃ ନଷ୍ଟ ହୋଇଯାଏ । କିନ୍ତୁ ଯେଉଁ ଉପାୟରେ ହେଲେ ବି ଟୀକା ଜାତି, ଗୋତ୍ର ଲିଙ୍ଗ, ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଖରୁ ସମସ୍ତଙ୍କୁ ଯାଉଥାଏ ।

ତୃତୀୟରେ ଟୀକାରେ କାଓପକ୍ସ ଭାଇରସ୍ ବ୍ୟବହୃତ ହୋଇଥିବାରୁ ଏହା ସୁସ୍ଥ ଲୋକଙ୍କ ଭିତରେ ପଶୁ ରୋଗ ସୃଷ୍ଟି କରିବ ବୋଲି ଧାରଣା ଥିଲା । ତା’ ସହ ଏହାଦ୍ୱାରା ହିନ୍ଦୁ ମାନଙ୍କର ପବିତ୍ରତା ବାଧାପ୍ରପ୍ତ ହେଉଛି ବୋଲି ଲୋକମାନଙ୍କର ଧାରଣା ଥିଲା । ତେଣୁ ହିନ୍ଦୁ ରାଜାଘରମାନଙ୍କୁ ଏହି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଇବା ଏକମାତ୍ର ବାଟ ଓ ଅମୋଘ ଅସ୍ତ୍ର ବୋଲି ବ୍ରିଟିଶର୍ ମାନେ ଭାବିଲେ । ତାଙ୍କର ଅନୁମାନ ସତ ହୋଇଥିଲା । ମହିଶୂର ରାଣୀ ଦେବଯାମ୍ମାନୀଙ୍କ ଟୀକା ନେବା ଘଟଣା ଲୋକଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା । ଲୋକ ଜାଣିବାର ମାଧ୍ୟମ ହୋଇଥିଲା ତୈଳଚିତ୍ରଟି । ନୂଆ ବାହା ହେବାକୁ ଆସିଥିବା ଜଣେ ଯୁବତୀଙ୍କ କଥା ହିଁ ଲୋକଙ୍କୁ ବେଶୀ ଛୁଇଁ ଥିଲା । ତେଣୁ କେବଳ ଭାରତ ଇତିହାସରେ ନୁହେଁ, ସମଗ୍ର ବିଶ୍ୱର ଟୀକାକରଣ ଅଭିଯାନ ଇତିହାସରେ ମହୀଶୂରର ତିନି ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ଅଶୀ ପରେ ଜନ୍ମ ନେଇଥିବା ମୋ ବୟସର ପିଲାଏ ବିଭିନ୍ନ ସମୟରେ ବିଭିନ୍ନ ଟୀକା ନେଇଛୁ । ହାତରେ ଥିବା ଟୀକା ଚିହ୍ନରୁ ମଣିଷଟି କେଉଁ ସମୟର ଜଣାପଡିଯାଏ । ମୋ ଠାରୁ ବଡ ଲୋକଙ୍କ ହାତରେ ଟିକା ଚିହ୍ନ ଦେଖିଛି । ଟୀକାକୁ ନେଇ କାହିଁରେ କେତେ ସରକାରୀ ଯୋଜନା ଆରମ୍ଭ ହେଇଛି । ତାପରେ ଗଲା କିଛି ବର୍ଷ ହେଲାଣି, ବହୁଦେଶୀୟ ଔଷଧ କମ୍ପାନୀମାନଙ୍କ ହାତରେ ଆମମାନଙ୍କ ସ୍ୱସ୍ଥ୍ୟ ରକ୍ଷାର ଦାୟିତ୍ୱ ପଡିଲା ପରେ ଟୀକା ରାଜନୀତିକୁ ବେଶୀ ବୁଝି ହେଉଛି । ଏବେ ତ ଟୀକା ଏକ ବେଶ୍ ବଡ଼ ଓ ବେଶ୍ ଲାଭଜନକ ବ୍ୟବସାୟ । ଏବେ କରୋନା ମହାମରୀର ଆତଙ୍କ କାଳରେ ଟୀକା ପୁଣିଥରେ ଆମମାନଙ୍କ ଜୀବନ ଚକ୍ର ଭିତରକୁ ପଶି ଆସିଛି । ଟୀକାକୁ ନେଇ ତେଣୁ ଏବେ ଆହୁରି ଅଧିକ ରାଜନୀତି ଆହୁରି ଅଧିକା ଚର୍ଚ୍ଚା ।

ଆମ ତୋଷାଳୀ ମେଳା, ମିଙ୍ଗେଇ ଓ ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ

ସବୁକିଛି କଳାର ପର୍ଯ୍ୟାୟଭୁକ୍ତ ଥିଲା । ସବୁକିଛିର ବ୍ୟାବହାରିକ ଦିଗ ମଧ୍ୟ ରହିଥିଲା । ଇଂରେଜ ଉପନିବେଶିକ ଦୃଷ୍ଟିକୋଣରୁ ପରେ ଚାରୁ କଳା ଓ କାରୁ କଳା ଭାବରେ ଦୁହିଁଙ୍କୁ ଅଲଗା କରାଗଲା । ବିଶ୍ୱ ପ୍ରେକ୍ଷାପଟରେ କିନ୍ତୁ ଏନେଇ ବିଧିବଦ୍ଧ ଆନ୍ଦୋଳନ ହୋଇଛି ।

୧୮୮୦ ବେଳକୁ ବ୍ରିଟେନ୍ ରେ ନିଜ ଜାଗା ତିଆରି କରିନେଇଥିବା ଆର୍ଟ ଓ କ୍ରାଫ୍ଟ ଆନ୍ଦୋଳନ ଧୀରେ ଧୀରେ ୟୁରୋପ, ଉତ୍ତର ଆମେରିକା ହୋଇ ୧୯୨୦ ବେଳକୁ ଜାପାନ୍ ରେ “ମିଙ୍ଗେଇ” ମୁଭମେଣ୍ଟନାମରେ କେନ୍ଦ୍ରୀତ ହୋଇଥିଲା ।

ଦେଖିବାକୁ ଗଲେ, ଆର୍ଟ ଓ କ୍ରାଫ୍ଟ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲା ଉନବିଂଶ ଶତାବ୍ଦୀରେ ଖୁବ୍ ଲୋକପ୍ରିୟ ହୋଇଥିବା “ୱାଲଡ୍ ଫେଆର୍” ସିରିଜ୍ ର ପ୍ରଥମ ପ୍ରଦର୍ଶନୀ “ଗ୍ରେଟ୍ ଏଗଜିବିସନ୍” । ୧୮୫୧ରେ ହାଇଡ୍ ପାର୍କ, ଲଣ୍ଡନରେ ହୋଇଥିବା ଏହି ଏଗଜିବିସନ୍ ରେ ଯନ୍ତ୍ର ଓ କଳକାରଖାନା ଉତ୍ପାଦର ମାନରେ ଯେଉଁ ଅବନତି ହୋଇଥିଲା ତାହା ଜଳଜଳ ହୋଇ ଦିଶିଥିଲା । ଶିଳ୍ପକାରିଗରୀ, ଗୁଣବତ୍ତା, ସରଳତା ହଜିଯାଇ ଯେମିତି କାମଗୁଡ଼ିକ ଖୁବ୍ କୃତ୍ରିମ ଓ ଜଟିଳ ଦିଶୁଥିଲେ । ମାନରେ ମଧ୍ୟ ଖୁବ୍ ଅବନତି ଘଟିଥିଲା । ଏଥିପାଇଁ ଆୟୋଜକମାନଙ୍କୁ ସମାଲୋଚକ ଓ ସର୍ବସାଧାରଣ କଡ଼ା ନିନ୍ଦା ମଧ୍ୟ କରିଥିଲେ । ଫଳାଫଳ ସ୍ୱରୁପ ଆମର ଏଠି ଯାହା କେବେ ଘଟେ ନାହିଁ, ଯାହା କେବେ ଦେଖିବାକୁ ମିଳେ ନାହିଁ, ଯାହା କେହି କେବେ କରନ୍ତି ନାହିଁ, କିନ୍ତୁ କେହି ଜଣେ କରୁ ବୋଲି ଅନେଇ ବସିରହନ୍ତି ତାହା ଘଟିଥିଲା । ଆୟୋଜକମାନେ ସମାଲୋଚନାକୁ ଗ୍ରହଣ କରିଥିଲେ, ନିଜ ତ୍ରୁଟିକୁ ସ୍ୱୀକାର କରିଥିଲେ ଓ ସେଥିରେ ସୁଧାର ଆଣିବା ମଧ୍ୟ ଆରମ୍ଭ କରିଥିଲେ ।

୧୮୬୧ରେ ଆର୍ଟ ଓ କ୍ରାଫ୍ଟ ଆନ୍ଦୋଳନର ମୂଖ୍ୟ ପୁରୋଧା ଉଇଲିୟମ୍ ମୋରିସ୍ ଆରମ୍ଭ କରିଥିଲେ “ମୋରିସ୍, ମାରଶାଲ୍, ଫୋକନେର୍ ଏଣ୍ଡ କୋ” କମ୍ପାନୀ । ମୋରିସ୍ ଥିଲେ ଜଣେ ଟେକ୍ସଟାଇଲ୍ ଡିଜାଇନର୍, ଚିତ୍ରଶିଳ୍ପୀ, କବି, ଔପନ୍ୟାସିକ ଏବଂ ସାମାଜିକ କର୍ମୀ । ମୋରିସ୍ ଙ୍କର ଡିଜାଇନନିଂ ଶୈଳୀରେ ପରିବର୍ତ୍ତନ ଖୁବ୍ ଲୋକପ୍ରିୟ ଥିଲା । ୧୮୮୭ର ଆର୍ଟ ଏଣ୍ଡ କ୍ରାଫ୍ଟ ଏଗଜିବିସନ୍ ସୋସାଇଟି ଗଠନ ହେବା ସହ ଏହାର ଏକ ବୈଠକରେ “ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ” ଶବ୍ଦଟି ତିଆରି ହେଲା । ବିଗତ କୋଡିଏ ବର୍ଷ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ଆନ୍ଦୋଳନର ମୂଳଦୂଆଟି ସତକୁ ସତ କିନ୍ତୁ ଏଇଠି ହିଁ ପଡ଼ିଲା । ୧୮୮୭ରୁ ୧୮୯୦ ଯାଏ ଏହାର ପ୍ରଦର୍ଶନୀ ପ୍ରତି ବର୍ଷ ଆୟୋଜିତ ହୋଇଆସୁଥିଲା । କିନ୍ତୁ ବାରମ୍ବାରତା ଦ୍ୱାରା ଜିନିଷର ବିବିଧତା, ଉପଲବ୍ଧତା, ସ୍ୱତନ୍ତତା ଓ ବହୁଳତାରେ ଆଞ୍ଚ ଆସିବା କାରଣରୁ ତୃତୀୟ ବର୍ଷ ଏହା ଆର୍ଥିକ କ୍ଷତି ସହିଥିଲା । ତେଣୁ ଆୟୋଜକମାନେ ଉତ୍କର୍ଷତା ବଜାୟ ରଖିବାକୁ ପ୍ରତି ତିନି ବର୍ଷରେ ପ୍ରଦର୍ଶନୀର ଆୟୋଜନ କରିଥିଲେ । ଏହି କଥାଟି ବୁଝିବାକୁ ଆମର ଏଠି ସମୟ ଲାଗେ ବୋଧେ।

ପ୍ରକୃତରେ ‘ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ’ ଏକ ସମାଜବାଦୀ ଆନ୍ଦୋଳନ ଥିଲା । ଆଧୁନିକ କଳକାରଖାନା, ଯନ୍ତ୍ର ଦୁନିଆ, ଲୋକବଳକୁ ଛାଡ଼ି ମେସିନ୍ ର ବ୍ୟବହାର, ଶ୍ରମ ବିଭାଜନ ଓ ପୁଞ୍ଜିବାଦ ବିରୁଦ୍ଧରେ ଏହା ଏକ ସିଧାସଳଖ ଆକ୍ରମଣ ଥିଲା । ଏଥିସହିତ ହଜିଯାଇଥିବା ପାରମ୍ପରିକ ଶିଳ୍ପ କୌଶଳକୁ ଫେରାଇ ଆଣିବାର ପ୍ରୟାସ ମଧ୍ୟ କରୁଥିଲା ଏହି ଆନ୍ଦୋଳନ ।

ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ‘ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ’ ଖୁବ୍ ପ୍ରଭାବଶାଳୀ ହୋଇ ଇଣ୍ଟରନ୍ୟାସନାଲ୍ ଟ୍ରେଣ୍ଡ୍ ରେ ପରିଣତ ହୋଇସାରିଥିଲା । ପାରମ୍ପରିକ ଶିଳ୍ପକଳା, ସହଜ-ସରଳ ଲୋକକଳା, ରୋମାଣ୍ଟିକ୍ ଓ ମଧ୍ୟଯୁଗୀୟ ଶୈଳୀର ପ୍ରଭାବରେ ଆଳଙ୍କାରିକ ଡିଜାଇନ୍ ସବୁ ପ୍ରସ୍ତୁତ ହେଉଥିଲା । କେବଳ ଚାରୁକଳା କି କାରୁକଳା ନୁହେଁ; ଚିତ୍ର, ଭାସ୍କର୍ଯ୍ୟ, ସେରାମିକସ୍, ଟାଇଲିଙ୍ଗ୍, ଫର୍ଣ୍ଣିଚର୍, ମେଟାଲ୍ ୱାର୍କ, ବୁକ୍ ମେକିଙ୍ଗ୍, ଫଟୋଗ୍ରାଫି, ଏମିତିକି ଆର୍କିଟେକଚର୍ ରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଓ ସୁଦୃଶ୍ୟ ଥିଲା । ୧୯୧୦ ବେଳକୁ ଘରେ ଘରେ ହାତ ତିଆରି ଲୁଗାପଟା, ଗହଣାଗାଣ୍ଠି, ଘରକରଣା ଜିନିଷ ଠୁଁ ଆରମ୍ଭ କରି ବିଛଣା ସଜ, ଗାଲିଚା ଆଦି ରଖିବାର ଟ୍ରେଣ୍ଡ୍ ଜୋରସୋର୍ ରେ ଚାଲିଥିଲା ।

୧୮୦୨ ବେଳକୁ ବସନ୍ତ ରୋଗର ଟୀକା ଆସି ସାରିଥାଏ ଭାରତକୁ । ପ୍ରଥମେ ୧୮୦୦ମସିହାରେ ବ୍ରିଟେନ୍ ରୁ ଗୋଟିଏ ଜାହାଜରେ ଭାରତକୁ ଟୀକା ଆସିବାର ବ୍ୟବସ୍ଥା କରାଯାଇଥାଏ । ଜାହାଜରେ ବସନ୍ତ ରୋଗୀଙ୍କ ଠାରୁ ସଂଗୃହୀତ ହୋଇଥିବା ଚର୍ମ ଓ ତରଳ ଜିନିଷର ଶୁଖିଲା ସାମ୍ପଲ୍ ସହ କିଛି ଲୋକ ମଧ୍ୟ ଆସୁଥିଲେ, ଯାହାଙ୍କୁ ହ୍ୟୁମାନ୍ କୋରିୟର୍ କୁହାଯାଉଥିଲା । ସମୁଦ୍ର ଯାତ୍ରା ସମୟରେ ଜଣଙ୍କ ପରେ ଜଣଙ୍କୁ ଟୀକା ଦେଇ ଟୀକାର ହ୍ୟୁମାନ୍ ଚେନ୍ କୁ ବଞ୍ଚେଇ ରଖିବାର ଉପାୟ ଥିଲା ଏଇଟା । ଭାରତରେ ଜାହାଜ ପହଞ୍ଚିବା ବେଳକୁ କିନ୍ତୁ କୌଣସି ଟୀକା ପ୍ରକ୍ରିୟାକୁ ବଞ୍ଚେଇ ରଖାଯାଇପାରି ନଥିଲା । ଅନେକ ଥରର ଅସଫଳ ପ୍ରୟାସ ପରେ ଚିକିତ୍ସକମାନେ ଶୁଖିଲା ସାମ୍ପଲ୍ କୁ କାଚ ଭିତରେ ରଖି ସିଲ୍ କରି ଭିଏନାରୁ ଆଣି ବାଗଦାଦ୍ ରେ ମାର୍ଚ୍ଚ ୧୮୦୨ରେ ପହଞ୍ଚେଇଲେ । ସେଠାରେ ଜଣେ ଆମେରୀକିୟ ପିଲାକୁ ଆଗ ଟୀକା ଦିଆଗଲା ଏବଂ ତା’ ହାତରୁ ଚର୍ମ ଓ ତରଳ ଜିନିଷ ସଂଗ୍ରହ କରି ଇରାକ୍ ର ବାସ୍ରାରେ ଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ସର୍ଜନଙ୍କ ପାଖରେ ପହଞ୍ଚାଗଲା । ସେ ହାତରୁ ହାତ ଚେନ୍ ପ୍ରକ୍ରିୟାରେ ଟୀକା ବମ୍ବେକୁ ପଠେଇଲେ । ଭାରତରେ ପ୍ରଥମ ଥର ପାଇଁ ୧୪ ଜୁନ୍ ୧୮୦୨ରେ ଆନ୍ନା ଡଚସେଲ୍ ବୋଲି ଜଣେ ବ୍ରିଟିଶ ସେବାଚାରୀଙ୍କ ୫ ବର୍ଷର ପିଲାକୁ ସଫଳତାପୂର୍ବକ ଟୀକା ଦିଆଗଲା । ତା’ ପର ସପ୍ତାହରେ ଆନ୍ନା ଡଚସେଲ୍ ଠାରୁ ସାମ୍ପଲ୍ ନେଇ ବମ୍ବେର ଆଉ ପାଞ୍ଚ ଜଣ ପିଲାଙ୍କୁ ଟୀକା ଦିଆଗଲା । ସେଇଠୁ ପୁଣି ଭାରତର ବିଭିନ୍ନ ବ୍ରିଟିଶ୍ ବେସ୍ ଯଥା ହାଇଦ୍ରାବାଦ, କୋଚିନ୍, ମାଡ୍ରାସ୍ ହୋଇ ମହୀଶୁର ଦରବାରରେ ଯାଇ ଟୀକା ପହଞ୍ଚିଲା ସେଇ ହାତରୁ ହାତ ପ୍ରକ୍ରିୟାରେ ।

ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ସୁଦ୍ଧା ଖୁବ୍ କମ୍ ଟୀକା ଦିଆଯାଇପାରିଥାଏ ଭାରତରେ । ମାତ୍ର ଛଅ ବର୍ଷ ପୂର୍ବରୁ ତିଆରି ହୋଇଥାଏ ଏ ଦୁରାରୋଗ୍ୟ ରୋଗର ମହୌଷଧି । ଖୋଜି ବାହାର କରିଥାଆନ୍ତି ବ୍ରିଟିଶ ଡାକ୍ତର ଏଡୱାର୍ଡ ଜେନର୍ । କିନ୍ତୁ ଭାରତୀୟମାନେ ଏହି ମହୌଷଧିକୁ ଗ୍ରହଣ କରିବାକୁ ରାଜି ନଥିଲେ । ଦେଖିବାକୁ ଗଲେ ସେମାନେ ଏହାକୁ ସନେ୍ଦହଜନକ ଦୃଷ୍ଟିରେ ଦେଖୁଥିଲେ । ତେଣୁ ପ୍ରତିରୋଧ ବଢ଼ି ବଢ଼ି ଚାଲିଥାଏ । ସମ୍ଭବତଃ ଯେଉଁ ବି୍ରଟିଶ୍ ମାନେ ଗୋଟେ ପଟେ ଭାରତର ଜନତାଙ୍କୁ ଶାସନ କରୁଥିଲେ, ଜୁଲମ୍ କରୁଥିଲେ ଓ ଆରପଟେ ଟୀକା ନେବା ପାଇଁ ବୁଝଉଥିଲେ; ସେଇମାନେ ଯେ ଜନତାର ଭଲ ଚାହୁଁଛନ୍ତି ସେଥିରେ ବିଶ୍ୱାସ କାହାରି ନଥାଏ । ସେତେବେଳକୁ କିନ୍ତୁ ଉଭୟ ଭାରତୀୟ ଓ ବ୍ରିଟିଶ୍ ଅଧିକାରୀମାନେ ଯଥାଶୀଘ୍ର ଟୀକାକରଣ କରେଇବାକୁ ଚାହୁଁଥାଆନ୍ତି । କିନ୍ତୁ ଅନେକ କାରଣରୁ ସାଧାରଣ ଜନତାଙ୍କ ଅନିଚ୍ଛା ବିରୁଦ୍ଧରେ ତାଙ୍କୁ ରୀତିମତ୍ ଲଢ଼ିବାକୁ ପଡ଼ୁଥାଏ ।

୧୮୮୮ ରୁ ୧୯୧୬ ଭିତରେ “ଆର୍ଟ ଏଣ୍ଡ କ୍ରାଫ୍ଟ ଏଗଜିବିସନ ସୋସାଇଟି” ଏଗାରଟି ପ୍ରଦର୍ଶନୀର ଆୟୋଜନ କରିସାରିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବା ପରେ ଉଭୟ ପ୍ରଦର୍ଶନୀ ଓ କାରିଗରମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ହୋଇଥିଲା । ଛୋଟ- ବଡ଼ ସବୁ କମ୍ପାନୀମାନେ ଯୁଦ୍ଧ ସମ୍ପର୍କିତ ଜିନିଷପତ୍ର ଉତ୍ପାଦନ କରିବାରେ ଲାଗିପଡ଼ିବାରୁ ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟରେ ଭଟ୍ଟା ପଡ଼ିଗଲା ୧୯୨୦ ବେଳକୁ । ସେତେବେଳକୁ କିନ୍ତୁ ଜାପାନରେ “ମିଙ୍ଗେଇ ମୁଭମେଣ୍ଟ”ଆରମ୍ଭ ହୋଇସାରିଥାଏ । ‘ମିଙ୍ଗେଇ’ ର ଅର୍ଥ ଲୋକକଳା । ଦ୍ରୁତ ଶିଳ୍ପାୟନ ଓ ୟୁରୋପୀୟକରଣର ପ୍ରତିବାଦରେ ଏହା ଆରମ୍ଭ ହୋଇଥାଏ, ଯେଉଁଥିରେ ଜାପାନର ଲୋକକଳାକୁ ଗୁରୁତ୍ୱ ଦିଆଯାଉଥାଏ । ୧୯୬୦ ରୁ ୧୯୭୦ ମସିହା ଏହି ଆନ୍ଦୋଳନର ସୁବର୍ଣ୍ଣ ଯୁଗ ଥିଲା କହିଲେ ଚଳେ । ୧୯୬୦ ବେଳକୁ ଏହା ଘରେ ଘରେ ପରିଚିତ ହୋଇସାରିଥିବା ବେଳେ ୧୯୬୫ରେ ଆସିଥିଲା “ମିଙ୍ଗେଇ ବୁମ୍” । ବୁମ୍ ରୁ ସର୍ବାଧିକ ଲାଭବାନ୍ ହୋଇଥିଲେ ସେଠାକାର କୁମ୍ଭାରମାନେ । ଧୀରେ ଧୀରେ କାରିଗରୀ କୌଶଳର ଗୁରୁତ୍ୱ କମି ଲୋକେ ଯେତେବେଳେ ଅର୍ଥ ରୋଜଗାର ପନ୍ଥା ଭାବରେ ଏହି କ୍ଷେତ୍ରକୁ ବାଛିଲେ ସେତେବେଳେ ଏହି ଆନ୍ଦୋଳନ ଆଉ ଆନ୍ଦୋଳନ ହୋଇ ରହିଲା ନାହିଁ । ବିଚାରଗତ ଅବନତିର ପ୍ରଭାବ ଆର୍ଥିକ କ୍ଷେତ୍ରରେ ମଧ୍ୟ ପଡ଼ିଲା । ୨୦୦୦ ବେଳକୁ ଏହା ଜାପାନରେ କ୍ରମେ କ୍ରମେ ନିଷ୍ପ୍ରଭ ହୋଇ ଆସିଲା ।

ଜାପାନରେ ମିଙ୍ଗେଇ ମୁଭମେଣ୍ଟ ସରିବା ଆଗରୁ ୧୯୬୬ରେ ଜନ୍ କସବି ଫ୍ରିମ୍ୟାନ୍ ଙ୍କ ବହି “ଦ ଫରଗଟନ୍ ରିବେଲ୍: ଗୁଷ୍ଟଭ୍ ଷ୍ଟିକଲେ ଏଣ୍ଡ ହିଜ୍ କ୍ରାଫ୍ଟସମ୍ୟାନ୍ ମିଶନ୍ ଫର୍ଣ୍ଣିଚର୍”ର ପ୍ରକାଶନ ପୃଥିବୀର ଅନେକଆଡେ଼ ଆନ୍ଦୋଳନକୁ ପୁନରୁତ୍ଥାନ କରିବାରେ ମୂଖ୍ୟ ଭୂମିକା ନେଲା । ବହିଟି ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ ର ପ୍ରଥମ ବିଧିବଦ୍ଧ ଐତିହାସିକ ଗବେଷଣା । ପୁସ୍ତକ ପ୍ରକାଶନ ପରେ ପରେ ଆନ୍ଦୋଳନ ସମୟର କାମଗୁଡ଼ିକୁ ନେଇ ଯେତେବେଳେ “ଆମେରିକାନ୍ ଆର୍ଟସ୍ ଏଣ୍ଡ କ୍ରାଫ୍ଟସ୍ ୧୮୭୬-୧୯୧୬” ନାମରେ ପ୍ରଥମ ପ୍ରଦର୍ଶନୀ ପ୍ରିନ୍ସଟନ୍ ୟୁନିଭର୍ସିଟିରେ ୧୯୭୨ରେ ଆୟୋଜିତ ହେଲା, ସେତେବେଳେ ବିଭିନ୍ନ ସଂଗ୍ରାହକମାନେ ଆରମ୍ଭ ସମୟର କାମଗୁଡ଼ିକୁ ସଂଗ୍ରହ କରିବା ଆରମ୍ଭ କଲେ । ସେଇଥିପାଇଁ ସେ ସମୟର ଅନେକ କାମ ଏବେ ବିଭିନ୍ନ ମ୍ୟୁଜିଅମ୍, ଧନୀ ବ୍ୟବସାୟୀ ଓ ହଲିଉଡ୍ ଷ୍ଟାର୍ ମାନଙ୍କ ପାଖରେ ସଂଗୃହୀତ ହୋଇ ରହିପାରିଲା । ଏହା ପରେ ପରେ ପୁରୁଣା କାମ ସବୁର ଲୋକପ୍ରିୟତା ଏତେ ବଢିଗଲା ଯେ ସେହି ସବୁ ଡିଜାଇନ୍ ର ରିପ୍ରଡକକ୍ସନ୍ ହେବା ଆରମ୍ଭ ହେଲା ।

‘ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ’ ପ୍ରଥମ ଥର ଇଣ୍ଡଷ୍ଟ୍ରିଆଲ୍ ରିଭଲ୍ୟୁସନ୍ ପ୍ରତିବାଦରେ ଆରମ୍ଭ ହୋଇଥିବା ବେଳେ ଏଥର ଟେକ୍ନୋଲୋଜିକାଲ୍ ରିଭଲ୍ୟୁସନ୍ ପ୍ରତିବାଦରେ ଏହା ଲୋକପ୍ରିୟ ହେଉଛି ବୋଲି ସମୀକ୍ଷକମାନେ ଅନୁମାନ କରୁଛନ୍ତି । ଏଥରର ଭିନ୍ନତା ଏତିକି ଯେ, ପାରମ୍ପରିକ କଳା କୌଶଳକୁ ଲୋକପ୍ରିୟ କରିବା ପାଇଁ ସୋସିଆଲ୍ ମିଡିଆ ଓ ଅନଲାଇନ୍ ବଜାର ପରି ଆଧୁନିକ ସାଧନର ବ୍ୟବହାର କରାଯାଉଛି । କିନ୍ତୁ ଏଥିରୁ ସତକୁ ସତ ଶିଳ୍ପୀଟିଏ କେତେ ଲାଭବାନ୍ ହେଉଛି ତାହା ଭାବିବାର କଥା । ପ୍ରତିଷ୍ଠିତ ଅନଲାଇନ୍ ବ୍ୟବସାୟୀମାନେ କାରିଗରର ଉତ୍ଥାନରେ କିପରି ଭାବେ ଓ କେତେ ମାତ୍ରାରେ ସହାୟକ ହେଉଛନ୍ତି ବା ହେଉନାହାନ୍ତି ତାହା ମଧ୍ୟ ଭାବିବାର କଥା ।

ପାଶ୍ଚାତ୍ୟ ଦେଶ ମାନଙ୍କରେ କିନ୍ତୁ ଶିଳ୍ପୀମାନଙ୍କର ଚାହିଦା ଖୁବ୍ ବେଶୀ ବଢିଛି ଏହି ଗଲା ଦୁଇ ଦଶନ୍ଧି ଭିତରେ । ଏଟସି, ଇନଷ୍ଟାଗ୍ରାମ୍ ପରି ସାଇଟ୍ ମାନେ ବ୍ୟକ୍ତିଗତ ଭାବେ ହାତ ତିଆରି ଜିନିଷକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ଯୋଗାଇ ଦେଇଛନ୍ତି ଶିଳ୍ପୀକୁ । ଲୋକେ ଏବେ ପୁଣିଥରେ ହାତ ତିଆରି ଉତ୍ପାଦକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି । କାରିଗରମାନେ ନିଜର ଶ୍ରମ, ସମୟ, ଭଲପାଇବା, ସୃଜନଶୀଳତା, କଳା କୌଶଳ ଦେଇ ଯେଉଁ ହାତତିଆରି ଜିନିଷ ପ୍ରସ୍ତୁତ କରୁଛନ୍ତି ତାହାର ସୌନ୍ଦର୍ଯ୍ୟ, କାରୁକାର୍ଯ୍ୟ, ସରଳତା ଓ ବ୍ୟାବହାରିକତା ସମସ୍ତଙ୍କୁ ଆକର୍ଷିତ କରୁଛି । ତେଣୁ ଏସବୁ ଜିନିଷର ବିଶେଷତ୍ୱ ବି ବଢିଯାଇଛି । ଏହା ସହିତ ପରିବେଶ ସଚେତନତା ଆନ୍ଦୋଳନ, ସାମାଜିକ ଓ ଆର୍ଥିକ ଆନ୍ଦୋଳନ ଦୃଷ୍ଟିରୁ ବି ଲୋକେ ମେସିନ୍ ତିଆରି ଉତ୍ପାଦ ଠାରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି । ଯେତେ ସମ୍ଭବ ସେତେ ବାୟୋଡିଗ୍ରେଡିବଲ୍ ଜିନିଷ ବ୍ୟବହାର କରୁଛନ୍ତି । ଯଦିଓ ଆମର ଏହି ପ୍ରାନ୍ତଟିରେ ଏଯାଏଁ ହାତ ତିଆରି ଜିନିଷ କେବଳ ଘର ସଜେଇବା ଲାଗି ହିଁ ଉଦ୍ଧିଷ୍ଟ ହୋଇ ଏବେବି ରହିଛି ।

ତୋଷାଳୀ ମେଳାର କିନ୍ତୁ କେତେକ ଷ୍ଟଲ୍ ପାଖରେ ମଲ୍ ମାନଙ୍କରୁ ଫିକ୍ସ ପ୍ରାଇସ୍ ରେ ଜିନିଷ କିଣୁଥିବା ଲୋକେ ୧୦୦ ଟଙ୍କାର ଜିନିଷକୁ ଫୁଟପାଥ୍ ରେ ମିଳୁଥିବା ପ୍ଲାଷ୍ଟିକ୍ ଜିନିଷ କିଣିବା ପରି ୫୦ ଟଙ୍କାରେ ଦେବା ପାଇଁ କାରିଗର ସହ ମୁଲଚାଲ୍ କରୁଥିବାର ଦେଖିଲି । ଗୋଟିଏ ଗୋଟିଏ କାମ ପାଇଁ କେମିତି ପୁରା ଗୋଟେ ଦିନ ଲାଗିଯାଉଛି ବୋଲି ଶିଳ୍ପୀଟି କହିଲେ ବି କେହି ଯେମିତି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଯେଉଁ ସ୍ୱତନ୍ତ୍ରତା, ସୁକ୍ଷ୍ମତା, ବ୍ୟକ୍ତିଗତ କାରିଗରୀ ପାଇଁ ଆର୍ଟ ଓ କ୍ରାଫ୍ଟ ମୁଭମେଣ୍ଟ ଆରମ୍ଭ ହୋଇଥିଲା ତାହା ବୁଝିବାକୁ ସମସ୍ତେ ଏଠି ଅକ୍ଷମ ଯେମିତି । ଯଦିଓ ଆମର ଏଠି ମେଳା ମାନଙ୍କରେ କାରିଗର ଅପେକ୍ଷା ମଧ୍ୟସ୍ଥ ବେପାରୀ ମାନଙ୍କର ଉପସ୍ଥିତି ବେଶୀ ଓ ପ୍ରତି ବର୍ଷ ଏକା ପ୍ରକାରର ଓ ଏକା ଡିଜାଇନ୍ ର ଜିନିଷ ଦେଖି ଦେଖି ଲୋକେ ଚିଟା ଧରିଗଲେଣି । ତାପରେ କ୍ରାଫ୍ଟ ମେଳାର ସାଜ-ସଜାରେ ଯେତିକି ଫ୍ଲେକ୍ସ ଲଗାଯାଇଛି ତାହା ଯେମିତି ସବୁ ଉଦ୍ଦେଶ୍ୟକୁ ଭଣ୍ଡୁର କରିପକାଉଛି ।

ଗୋଟିଏ ଆନ୍ଦୋଳନକୁ ଆଗେଇ ନେବାରେ ଅନେକ ଗୋଷ୍ଠୀ, ଗୁଡ଼ାଏ ବିଚାର, ବିଭିନ୍ନ ଯୋଜନା, କେତେକେତେ ପ୍ରଦର୍ଶନୀ ଓ କେତେ ନା କେତେ ଲୋକଙ୍କର ଭୂମିକା ରହିଥାଏ । ଏବଂ ପ୍ରତି ଆନ୍ଦୋଳନର ଏକ ନିଜସ୍ୱ ଦର୍ଶନ ଓ ନିଜସ୍ୱ ଶୈଳୀ ଥାଏ । ଆଉ ସେହି ସ୍ୱତନ୍ତତା ହିଁ ଗୋଟିଏ ଛୋଟିଆ କଥାକୁ ମୂଖ୍ୟ ସ୍ରୋତକୁ ନେଇ ଆସିବାରେ ସହାୟକ ହୁଏ । ଅନେକ ବ୍ୟକ୍ତି, ଗୋଷ୍ଠୀ, ଜାତି ବା ସମୂହ ଯେତେବେଳେ ସେହି ଏକା କଥାକୁ ଅନୁସରଣ କରନ୍ତି, ସେଇ ଏକା ଉଦ୍ଦେଶ୍ୟ ନେଇ ଏକାପ୍ରକାର କାମ କରିବାରେ ବ୍ରତୀ ହୁଅନ୍ତି, ସେତେବେଳେ ତାହା ଆନ୍ଦୋଳନର ରୂପ ଦିଏ । ଆଲୋଚିତ ଆନ୍ଦୋଳନ ପରିପ୍ରେକ୍ଷୀରେ ଦେଖିଲେ ମୋତେ ଲାଗେ ଆମେ ଏଠି ଏବେବି ଏକ ଆର୍ଟ ଓ କ୍ରାଫ୍ଟ ଆନ୍ଦୋଳନ ଅପେକ୍ଷାରେ ଅଛେ .... ।

ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣ ନନ୍ଦ

କିଏ ଏଇ ଧିରେନ୍ଦ୍ର? ପ୍ରଧାନ ଶିକ୍ଷକଙ୍କ ଠୁଁ ଆରମ୍ଭ କରି ଶ୍ରେଣୀ ଶିକ୍ଷକ ଓ ସାଙ୍ଗସାଥିମାନେ ଖୋଜି ହେଲେ । ମନେ ପଡ଼ିଲା ପଛ ଧାଡ଼ିରେ ଚୁପଚାପ୍ ଧୀରସ୍ଥିର ହୋଇ ବସୁଥିବା ଶାନ୍ତସୁଧାର ପିଲାଟି । ସେ ହିଁ ହୋଇଥିବ ଧୀରେନ୍ଦ୍ର । ସେତେବେଳର ବିଦ୍ୟାଳୟର ପରମ୍ପରା ଅନୁସାରେ ଶ୍ରେଣୀର ପ୍ରଥମ ଧାଡ଼ିରେ କେବଳ ଭଲ ପାଠ ପଢ଼ୁଥିବା ଚାଟ ମାନେ ହିଁ ବସୁଥିଲେ । ଗାଁ’ରୁ ନୂଆ କରି ଆସିଥିବା ଓ ସହରରେ କେହି ସାଙ୍ଗସାଥି ନଥିବା ଧୀରେନ୍ଦ୍ର ତେଣୁ ବାଛି ନେଇଥିଲେ ପଛ ଧାଡ଼ି । ଏଥର କିନ୍ତୁ ଧୀରେନ୍ଦ୍ରଙ୍କୁ ସମସ୍ତେ ଚିହ୍ନିଗଲେ । ପ୍ରଧାନ ଶିକ୍ଷକ ଉପେନ୍ଦ୍ର ମହାନ୍ତି ଡାକିଲେ ହଷ୍ଟେଲରେ ରହିବାକୁ । ଧୀରେନ୍ଦ୍ର ମନା କଲେ । ରହିଲେ ଭାଇଙ୍କ ପାଖରେ ।

କେବଳ ସ୍କୁଲର ସବୁ ପରୀକ୍ଷାରେ ପ୍ରଥମ ନୁହେଁ, ମ୍ୟାଟ୍ରିକ୍ ପରୀକ୍ଷାରେ ବି ପୁରା ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ହେଲେ ସେ ଓ ଭଦ୍ରକ କଲେଜରେ ନାଁ ଲେଖାଇଲେ ଆଇ.ଏସ୍.ସି ରେ । ସାଙ୍ଗମାନଙ୍କ ସହ ସବୁଦିନିଆ ଖଟି ଚରମ୍ପା ସିନେମା ହଲ୍ ପାଖରେ । ସିନେମା ଦେଖିବାକୁ ଖୁବ୍ ଭଲ ପାଉଥିଲେ ଧୀରେନ୍ଦ୍ର । ଖଟିରେ ଦୁଇ ଚାରି କପ୍ ଚାହା’ର ଆସର । ସାଙ୍ଗମାନେ ବୁଝି ପାରନ୍ତିନି ଧୀରେନ୍ଦ୍ର ପଢ଼ୁଛି କେତେବେଳେ । ପରୀକ୍ଷାରେ ଏତେ ଭଲ ନମ୍ବର ରଖୁଛି ଯେ! ଆଇ.ଏସ୍.ସି ସରିଲା ପରେ ବନ୍ଧୁ କାମପାଳ ଓ ଦୁର୍ଗାଚରଣଙ୍କ ସାଙ୍ଗରେ ଧୀରେନ୍ଦ୍ର ନାରାୟଣ ବୁର୍ଲା ଚାଲିଲେ । ଦୁଇ ବନ୍ଧୁ ଇଞ୍ଜିନିୟରିଂ ପଢ଼ିଲେ ଓ ଧୀରେନ୍ଦ୍ର ପଢ଼ିଲେ ଡାକ୍ତରୀ । ହେଲେ ବୁର୍ଲା କି ଡାକ୍ତରୀ ପାଠ କେଉଁଥିରେ ବି ମନ ଲାଗିଲାନି ତାଙ୍କର । ଦୁଇ ସାଙ୍ଗଙ୍କୁ ବୁଝାଇ ସୁଝାଇ ସାଙ୍ଗରେ ଧରି ଭଦ୍ରକ କଲେଜକୁ ଫେରିଆସିଲେ ସେ । ରସାୟନ ବିଜ୍ଞାନରେ ସ୍ନାତକ କଲେ ସେଇଠି ।

ଭଦ୍ରକ ଜିଲ୍ଲାର ବୈତରଣୀ ନଈ କୂଳର ଛୋଟିଆ ଗୋଟେ ଗାଁ । ନଈ କୂଳର ଆମ୍ବ, ନଡ଼ିଆ ଓ ଗୁଆ ଗଛ ଘେରା ସେଇ ଛୋଟିଆ ଗାଁ ଟିର ନାଁ ଖଡ଼ିପଦା । ସେଇ ଗାଁ ର ବ୍ରାହ୍ମଣ ସାହିରେ ୧୯୪୨ ମସିହା ଫେବୃଆରୀ ୧୯ ତାରିଖରେ ଧୀରେନ୍ଦ୍ର ନାରାୟଣଙ୍କ ଜନ୍ମ । ତାଙ୍କ ପିଲାଦିନର ନାଁ ପ୍ରଫୁଲ୍ଲ । ସାଙ୍ଗସାଥି ପରିଜନ ସମସ୍ତଙ୍କ ପାଖରେ ସେ ପ୍ରଫୁଲ୍ଲ ନାଁ ରେ ପରିଚିତ ।

ଭଦ୍ରକ କଲେଜରେ ରସାୟନ ବିଜ୍ଞାନ ସମ୍ମାନରେ ବି.ଏସ୍.ସି ପରେ ଧୀରେନ୍ଦ୍ର ଚାଲିଆସିଥିଲେ ଓଡ଼ିଶାର ସେତବେଳର ଶ୍ରେଷ୍ଠବାଣୀକ୍ଷେତ୍ର ରେଭେନସା କଲେଜକୁ । ସେଠି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ ପରେ ସେ ପି.ଏଚ୍.ଡି କରିବାକୁ ଆଇ.ଆଇ.ଟି, କାନପୁର ଚାଲିଯାଇଥିଲେ । କାନପୁର ଯିବା ପୂର୍ବରୁ ସାମୟିକ ଭାବରେ ସେ ଭଦ୍ରକ କଲେଜରେ ରସାୟନ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । କାନପୁର ରହଣୀ ସମୟରେ ତାଙ୍କୁ ମିଳିଥିଲା ଆମେରିକୀୟ କେମିକାଲ୍ ସୋସାଇଟି ତରଫରୁ ବେଷ୍ଟ ରିସର୍ଚ୍ଚର ଆୱାର୍ଡ । ଏଇ ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଉଚ୍ଚଶିକ୍ଷାର ଝୁଙ୍କ୍ ଓ ନିଜର ମେଧାବୀ ପ୍ରତିଭା ଯୋଗୁଁ ସେ ସବୁବେଳେ ସହପାଠୀ ଓ ଅଧ୍ୟାପକମାନଙ୍କର ପ୍ରିୟ ଥିଲେ । ୧୯୬୯ରୁ ୧୯୭୧ ପର୍ଯ୍ୟନ୍ତ ସିନିୟର ରିସର୍ଚ୍ଚ ଫେଲୋ ଓ ୧୯୭୧-୭୪ ଯାଏଁ ସିନିୟର ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବରେ କାମ କଲା ପରେ ୧୯୭୫ ମସିହା ଜୁନ୍ ମାସରେ ଆଇ.ଆଇ.ଟି, ଖଡ଼ଗପୁରରେ ପୋଷ୍ଟ ଡକ୍ଟରାଲ୍ ଫେଲୋ ଭାବରେ ଯୋଗ ଦେଲେ । ୧୯୭୫ରେ ଆଇ.ଆଇ.ଟି ରେ ଉନ୍ନତତର ଗବେଷଣା କରି ବିଜ୍ଞାନରେ ସର୍ବୋଚ୍ଚ ଡି.ଏସ୍.ସି ଡିଗ୍ରୀ ପ୍ରାପ୍ତ ହେଲାବେଳକୁ କେଇଜଣ ହାତଗଣତି ଓଡ଼ିଆ ଏ ଡିଗ୍ରୀ ପାଇଥିଲେ ମାତ୍ର ।

ଜୀବନର ସବୁପ୍ରକାର ସାମୟିକ ସୁଖ ଓ ପ୍ରାଚୁର୍ଯ୍ୟକୁ ଏଡ଼ାଇ ଦେଇ ସେ ଏକନିଷ୍ଠସାଧକ ଭାବରେ ରସାୟନ ବିଜ୍ଞାନର ଉଚ୍ଚତର ଗବେଷଣାରେ ବ୍ରତୀ ଥିଲେ । ସେଇଥିପାଇଁ ୧୯୭୭ରେ ତାଙ୍କୁ ବମ୍ବେ ଆଇ.ଆଇ.ଟି ରେ ପ୍ରଫେସର ଭାବରେ ନିଯୁକ୍ତି ମିଳିଥିଲା । ସେଠି ମାତ୍ର ଛଅ ମାସର ଅଧ୍ୟାପକତା ପରେ ଉଚ୍ଚତର ଗବେଷଣା ପାଇଁ ସେ ପଶ୍ଚିମ ଜର୍ମାନୀର ହାନୋଭର ୟୁନିଭର୍ସିଟି ଚାଲିଯାଇଥିଲେ ।

୧୯୭୭ମସିହା ଜାନୁୟାରୀରେ ଧୀରେନ୍ଦ୍ର ନାରାୟଣ ପଶ୍ଚିମ ଜର୍ମାନୀର ହାନୋଭର ବିଶ୍ୱବିଦ୍ୟାଳୟରେ ଗବେଷଣା ସହଯୋଗୀ ଭାବରେ ଯୋଗ ଦେଇଥିଲେ । ରସାୟନ ବିଜ୍ଞାନର ଅତି ଜଟିଳ ତତ୍ତ୍ୱ ସମ୍ବଳିତ କ୍ୱାଣ୍ଟମ୍ ଥିଓରୀ ଉପରେ ତାଙ୍କର ଗବେଷଣା ଚାଲିଥିଲା । ଜର୍ମାନର ବିଖ୍ୟାତ ବୈଜ୍ଞାନିକ କେ.ଜଙ୍ଗ୍ ଙ୍କ ସହ ମିଶି ଧୀରେନ୍ଦ୍ର ନାରାୟଣ SINDO1 ଉପରେ ଯେଉଁ ଗବେଷଣା କରିଥିଲେ ତା’ର ବିବରଣୀକୁ ଜର୍ମାନର ଇନସବ୍ରୁକ୍ ଠାରେ ଅନୁଷ୍ଠିତ ଚତୁର୍ଦ୍ଧଶ ସିମ୍ପୋସିୟମ୍ ଫର୍ ଥିଓରିଟିକାଲ୍ କେମେଷ୍ଟ୍ରି ଅଧିବେଶନରେ ଉପସ୍ଥାପନ କରିଥିଲେ, ଯାହା ତାଙ୍କୁ ଆର୍ନ୍ତଜାତୀକ ସ୍ୱୀକୃତି ଆଣିଦେଇଥିଲା । କ୍ୱାଣ୍ଟମ୍ କେମିଷ୍ଟ୍ରିର ଏହି SINDO1 ଥିଓରୀ ସହଯୋଗରେ ଆବ୍ ଇନିସିଓର ସ୍ରଷ୍ଟା ବ୍ରିଟିଶ୍ ବୈଜ୍ଞାନିକ ଜେ.ଏ.ପୋପଲ୍ ୧୯୯୮ ମସିହାରେ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଥିଲେ । ଦେଶକୁ ଫେରିନଆସି ସେଇ ଜର୍ମାନରେ ରହି ଗବେଷଣା କରିଥିଲେ ଆଜି ନିଶ୍ଚୟ ସେ ଏକାକି ଭାବରେ କିମ୍ବା ମିଳିତ ଭାବରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥା’ନ୍ତେ ।

ରସାୟନ ବିଜ୍ଞାନର କଷ୍ଟସାଧ୍ୟ ବିଷୟ କ୍ୱାଣ୍ଟମ୍ ଓ ଥିଓରିଟିକାଲ୍ କେମିଷ୍ଟ୍ରିରେ ତାଙ୍କ ଗବେଷଣାର ପ୍ରଭାବ ଥିଲା ସୁଦୂରପ୍ରସାରୀ । ଆର୍ନ୍ତଜାତୀୟ ପତ୍ରପତ୍ରିକାରେ ଏ ସମ୍ପର୍କରେ ତାଙ୍କର ଗବେଷଣାତ୍ମକ ସିଦ୍ଧାନ୍ତ ସମ୍ପର୍କିତ ନିବନ୍ଧମାନ ତାଙ୍କୁ ଜଣେ ପ୍ରତିଭାସମ୍ପନ୍ନ ଯୁବ ବୈଜ୍ଞାନିକର ପରିଚୟ ଦେଇଥିଲା ।

ଜର୍ମାନରୁ ଫେରି ନ୍ୟାସନାଲ୍ କେମିକାଲ୍ ଲାବୋରେଟୋରୀ, ପୁନା ଓ ସି.ଏସ୍.ଆଇ.ଆର୍, ନୂଆଦିଲ୍ଲୀରେ ପୁଲ୍ ଅଫିସର୍ ଭାବରେ ଯୋଗ ଦେଇଥିଲେ । ୧୯୮୫ରେ ମାତ୍ର କିଛି ମାସ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରେ ରସାୟନ ବିଜ୍ଞାନ ବିଭାଗରେ ପ୍ରାଧ୍ୟାପକ ଭାବରେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧକୁ ବିନମ୍ର ଭାବରେ ଏଡାଇ ଦେଇଥିଲେ ସେ । ବିଶ୍ୱବିଦ୍ୟାଳୟର ପୁରୁଣା ସିଲାବସ, ଗବେଷଣା ବିମୂଖ ପରିବେଶ ଓ ଅନ୍ୟାନ ବିଭିନ୍ନ କାରଣରୁ ସେ ସେଥିରେ ଘାଣ୍ଟି ଚକଟି ହେବାକୁ ମନ କରିନଥିଲେ ।

ଜର୍ମାନରେ ରସାୟନ ବିଜ୍ଞାନର ଉଚ୍ଚତର ଗବେଷଣା ସମୟରେ ଧୀରେନ୍ଦ୍ର ନାରାୟଣ ହୋମିଓପାଥି ପ୍ରେମରେ ପଡ଼ିଯାଇଥିଲେ । ନୋବେଲ୍ ପୁରସ୍କାର ବିଜେତା ଓ ଶତାବ୍ଦୀର ଶ୍ରେଷ୍ଠହୋମିଓପାଥ ଭିଥୌଲକାସ ଓ ଡକ୍ଟର କେଣ୍ଟଙ୍କ ଦର୍ଶନ ଉପରେ ଆସ୍ଥା ରଖି ସେ ଜୀବନର ଆଉ ଏକ ପରୀକ୍ଷାଗାର ଭିତରକୁ ପଶିଯାଇଥିଲେ । ଆରାମ ଦାୟକ ୟୁରୋପୀୟ ଜୀବନ ଶୈଳୀ, ମରସିଡିଜ ଗାଡି, ଗବେଷଣା, ସାଙ୍ଗ ସୁଖକୁ ଛାଡ଼ି ଫେରି ଆସିଥିଲେ ଆପଣା ଗାଁ ମାଟିକୁ । ଝାଟିମାଟିର ଘର ଏଥର ପାଲଟି ଯାଇଥିଲା ଗବେଷଣାଗାର । ଆରମ୍ଭ ହୋଇଥିଲା ରସାୟନ ଶାସ୍ତ୍ରର କ୍ୱାଣ୍ଟମ୍ ମେକାନିଜମ୍ ପଦ୍ଧତିକୁ ନେଇ ଆଧୁନିକ ହୋମିଓପାଥି ଚିକିତ୍ସାର ବ୍ୟବହାର । ଗବେଷଣାର ମଣିଷ ମାନବ ଜୀବନରେ ଆଶାର ସଞ୍ଚାର କରିବା ପାଇଁ ଆରମ୍ଭ କରିଥିଲେ ଗବେଷଣା । ନୂଆ ନୂଆ ଔଷଧର ନୂଆ ପ୍ରୟୋଗ । ନିଜର ଶରୀରକୁ ସେ ପରୀକ୍ଷାର କ୍ଷେତ୍ର ଭାବରେ ବାଛି ନେଇଥିଲେ । ଆଧୁନିକ ଚିକିତ୍ସାରୁ ବିଫଳ ହୋଇ ଫେରି ଆସିଥିବା ରକ୍ତ ଓ ଜରାୟୁ କ୍ୟାନ୍ସର୍, ବ୍ରେନ୍ ଟ୍ୟୁମର୍, ରିଉମାଟିଜିମ୍, ଗଲ୍ ଷ୍ଟୋନ୍, କିଡନି ଷ୍ଟୋନ୍, ସ୍ପଣ୍ଡିଲାଇଟିସ୍, ଆସ୍ଥମା, ଏପିଲେପସି ଭଳି ଦୁରାରୋଗ୍ୟ ମାରାତ୍ମକ ରୋଗୀଙ୍କୁ ସେ ଚିକିତ୍ସା କରିଥିଲେ ଓ ସଫଳତା ପାଇଥିଲେ ।

ଧୀରେନ୍ଦ୍ର ନାରାୟଣଙ୍କର ହୋମିଓପାଥି ଚିକିତ୍ସା ପ୍ରତି ଥିବା ଆକର୍ଷଣ ପ୍ରକୃତରେ ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ଧୀରେନ୍ଦ୍ରଙ୍କ ବାପା ସ୍ୱାଧୀନତା ସଂଗ୍ରାମୀ ଧନେଶ୍ୱର ନନ୍ଦ ୧୯୪୨ରେ ମାନବମିତ ସେବା ନିକେତନ ନାମରେ ଏକ ଦାତବ୍ୟ ହୋମିଓ ଚିକିତ୍ସାଳୟ ଆପଣା ଗାଁ ଖଡ଼ିପଦାରେ ଖୋଲି ଆଖପାଖର ରୋଗୀମାନଙ୍କର ମାଗଣାରେ ଚିକିତ୍ସା କରୁଥିଲେ । ସେଇ ସେବା ନିକେତନରେ ଗାନ୍ଧୀଜୀଙ୍କର ନିର୍ଦ୍ଦେଶରେ ଇଶ୍ୱରଲାଲ୍ ବ୍ୟାସ ଦୁସ୍ଥ ଜନତାଙ୍କର ସେବା ପାଇଁ କିଛି ବର୍ଷ ରହିଥିଲେ ।

ଧୀରେନ୍ଦ୍ର ନାରାୟଣ ଥିଲେ ଯେତିକି ସିଧା, ସରଳ, ସଳଖ, ସେତିକି ସ୍ୱାଭିମାନୀ ଓ କଡ଼ା ନିୟମ କାନୁନର ମଣିଷ । ଖଡ଼ିପଦାରେ ରୋଗୀ ଦେଖିବା ବେଳେ ସେ ନିୟମ କରିଥିଲେ ଯିଏ ଆଗରୁ ଟିକେଟ୍ କରିଥିବ ସେ ହିଁ କ୍ରମାନ୍ୱୟରେ ରୋଗୀ ଦେଖାଇପାରିବ । ଏ ନିୟମର ବ୍ୟତିକ୍ରମ ନଥିଲା । ନିଜ-ପର ଭାବର ଉଦ୍ଧ୍ୱର୍ରେ ଥିଲେ ସେ । ଓଡ଼ିଶାର ଦୂରଦୂରାନ୍ତରୁ ରୋଗୀମାନେ ବଡ଼ ଆଶାରେ ଧାଇଁ ଆସୁଥିଲେ ତାଙ୍କ ପାଖକୁ । କେବେ କେବେ ସେମାନଙ୍କର ରହିବା ଖାଇବାର ଦାୟିତ୍ୱ ବି ନେବାକୁ ହେଉଥିଲା ଧୀରେନ୍ଦ୍ରଙ୍କୁ ।

ଜଣେ ସନ୍ୟାସୀ ପରି ବିଷୟ ସମ୍ପତ୍ତି ପ୍ରତି ତାଙ୍କର ଅନୁରାଗ ନଥିଲା । ରୋଗୀମାନଙ୍କୁ ମାଗଣା ଚିକିତ୍ସା କରିବାରେ ବିଶ୍ୱାସ କରୁଥିଲେ ସେ । ତଥାପି କେହି କେହି ଯତକିଞ୍ଚିତ୍ ଦେଉଥିଲେ ତାକୁ ସେ ନା ହାତରେ ଧରୁଥିଲେ ନା ହିସାବ ରଖୁଥିଲେ ।

ନିରାଡ଼ମ୍ବର ଜୀବନଯାପନ ଶୈଳୀ ଓ ଆତ୍ମପ୍ରଚାର ବିମୂଖତା ଧୀରେନ୍ଦ୍ର ନାରାୟଣଙ୍କ ଚରିତ୍ରର ଦୁଇଟି ମୂଖ୍ୟ ଦିଗ ଥିଲା । ବିଦେଶ ମାଟିର ପ୍ରାଚୁର୍ଯ୍ୟ ଭରା ଜୀବନ ହେଉ କି ଦେଶ ଭିତରେ ଉଚ୍ଚ ବେତନର ଗବେଷକର ଚାକିରି ହେଉ, କେହି ତାଙ୍କୁ ଅଟକାଇ ପାରିନଥିଲେ । ଜଣେ ଧୂଳିମାଟିର ସନ୍ଥ ପରି ସେ ସବୁକିଛିକୁ ତୁଚ୍ଛ କରି ହଠାତ୍ ଫେରି ଆସିଥିଲେ ଆପଣା ଗାଁ କୁ । ଅତି ସାଧାରଣ ଗାଉଁଲି ଲୋକର ବେଶଭୂଷାରେ ଏକ ନିପଟ ସରଳ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ ।

ଦିନରେ ରୋଗୀ ଦେଖା ଓସାରା ରାତି ରୋଗ ପ୍ରତିଷେଧକ ଉପରେ ଗବେଷଣା ଚାଲେ । ସହଧର୍ମିଣୀ ସୁନୀତି କପ୍ ପରେ କପ୍ ଚା ଯୋଗାଇ ଚାଲନ୍ତି । ରାତି ତିନିରେ ଧୀରେନ୍ଦ୍ର କରୁଥିଲେ ରାତ୍ରୀ ଭୋଜନ । ସେଥିରେ ନିଜ ଦେହ ଉପରେ ଔଷଧର କ୍ରିୟା ପ୍ରତିକ୍ରିୟାର ପରୀକ୍ଷା । ଅଧିକ କାମ ଓ ବିଶ୍ରାମର ଅଭାବ ଧୀରେ ଧୀରେ ତାଙ୍କ ଶରୀରକୁ ଦୁର୍ବଳ କରିବା ଆରମ୍ଭ କରିଦେଲା । ପୁଅ ବାହାଘର ସ୍ଥିର କରିସାରିଥିଲେ । ମନେ ମନେ ଠିକ୍ କରିଥିଲେ ଦେହ ସୁସ୍ଥ ହେଲେ ଆଉଥରେ ଜର୍ମାନ ଯିବେ । ବାରମ୍ବାର ଜର୍ମାନରୁ ତାଙ୍କ ସାଥି ବୈଜ୍ଞାନିକମାନଙ୍କର ଚିଠି ଆସୁଥିଲା ଗବେଷଣା ପାଇଁ ଫେରି ଯିବାକୁ । ସେମାନେ ଆଶା ଛାଡ଼ି ନଥିଲେ । କେତେଦିନ ଆଉ ଅନୁରୋଧ ଆଡେ଼ଇଥାନ୍ତେ ଧୀରେନ୍ଦ୍ର । ଉଦ୍ଦେଶ୍ୟ ଥିଲା ମହତ୍ତର । ଇଚ୍ଛା ଥିଲା ଗାଁ ରେ ହିଁ ସେ ଗୋଟେ ଗବେଷଣାଗାର ଓ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରିବେ । ସେଥିପାଇଁ ଢେର୍ ସାରା ଅର୍ଥର ଆବଶ୍ୟକତା ଅଛି । ତାଙ୍କର ବିଶ୍ୱାସ ଥିଲା ସେ ଥରେ ଜର୍ମାନ ଗଲେ ସବୁକିଛି ସହଜ ହୋଇଯିବ । ସେମିତି କିଛି ହୋଇପାରିଲାନି । ଆକସ୍ମିକ ଅସୁସ୍ଥତା ଭିତରୁ ସେ ଧୀରେ ଧୀରେ ସୁସ୍ଥ ହୋଇଆସୁଥିଲେ । ହଠାତ୍ ୧୮ ଜୁନ୍ ୧୯୯୯ରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରୁକରୁ ସେ ନୀରବ ହୋଇଗଲେ । ସେ ନୀରବତା ଆଉ ଭାଙ୍ଗି ନଥିଲା ।

ଭାରତ ମାଆ ତା’ର ଜଣେ ସୁଯୋଗ୍ୟ ସନ୍ତାନକୁ ସବୁଦିନ ପାଇଁ ହରାଇ ବସିଲା । ଅନେକ ସ୍ୱପ୍ନ ଅଧା ରହିଗଲା । ବାକି ରହିଗଲା ଅନେକ କାମ । ଧରାଧାମରୁ ବିଦାୟ ନେଇଗଲେ ବୈଜ୍ଞାନିକ, ଗବେଷକ, ଦାର୍ଶନିକ, ଚିକିତ୍ସକ ଧୀରେନ୍ଦ୍ର ନାରାୟଣ । କିନ୍ତୁ ଆଜି ବି ଧୀରେନ୍ଦ୍ରବଞ୍ଚିରହିଛନ୍ତି ତାଙ୍କ ଦ୍ୱାରା ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିବା କୃତଜ୍ଞ ମଣିଷ ମାନଙ୍କ ଭିତରେ, ବଞ୍ଚିରହିଛନ୍ତି ପୃଥିବୀର ବଡ଼ ବଡ଼ ରସାୟନ ବିଜ୍ଞାନୀଙ୍କ ଗବେଷଣାରେ, ବଞ୍ଚିରହିଛନ୍ତି ତାଙ୍କ ସୁପୁତ୍ର ଡାକ୍ତର ବିକାଶ ନାରାୟଣ ନନ୍ଦଙ୍କ ଦ୍ୱାରା ୨୦୦୦ମସିହାରେ ନିଜ ଗାଁ ଖଡ଼ିପଦାରେ ପ୍ରତିଷ୍ଠିତ ଧୀରେନ୍ଦ୍ର ନାରାୟଣ ସ୍ମୃତି ପାଠାଗାର ଓ ଧୀରେନ୍ଦ୍ର ନାରାୟଣ ସେବା ନିକେତନରେ । ପ୍ରଚାର, ପ୍ରସାର, ସ୍ୱୀକୃତିର ଆଢୁଆଳରେ ଥିବା ଏମିତି ଜଣେ ସନ୍ଥ, ଚିକିତ୍ସକ, ବୈଜ୍ଞାନିକ, ସର୍ବୋପରି ଜଣେ ମାନବମିତଙ୍କୁ ଆଜି ତାଙ୍କ ପବିତ୍ର ଜନ୍ମଦିନ ଅବସରରେ ଲୋକଲୋଚନକୁ ଆଣିବାର ୟେ ଏକ ଛୋଟିଆ ପ୍ରୟାସ ମାତ୍ର ।

ଗୋପାଳ ରହସ୍ୟ

ହଷ୍ଟେଲ୍ ରେ ବିତିଛି ଶୈଶବ ଓ କୈଶୋର । ଦୁଇ ବର୍ଷ ବୟସରୁ ହିଁ ବାପା-ମାଆ ରହୁଥିବା ବୋର୍ଡିଙ୍ଗ ସ୍କୁଲ୍ ପରିସରରେ ବିତେଇଛି ଦିନ,ମାସ, ବର୍ଷ । ସେଇଥିପାଇଁ ବୋଧେ ୨-୩ ବର୍ଷରେ ଥରେ ଅଧେ କେବେ ସୁଯୋଗ ମିଳିଲେ ଶୀତ ଅବା ଗ୍ରୀଷ୍ମ ଛୁଟିରେ ୪-୫ ଦିନ ପାଇଁ ହେଉ ପଛେ ମାମୁଁଘରକୁ ଯିବାକୁ ଅନେଇ ବସିଥାଏ ।

ମାମୁଁ ଘର ଗାଁ ଅନ୍ୟମାନଙ୍କ ପରି ମୋର ମଧ୍ୟ ଖୁବ୍ ପ୍ରିୟ । ଖରା ଦିନେ ବାଲିସରା ପଡ଼ିଥିବା ଅଗଣାରେ ମାଟି ଚଉରା ପାଖେ ମସିଣା ଖଣ୍ଡେ ପକେଇ ଦେଇଯାଏ ଆଈ । ରଖିଦେଇଯାଏ ଦିକି ଦିକି ଜଳୁଥିବା ଲଣ୍ଠନ ଗୋଟେ । ଅଜା ହାତରେ ଧରେଇ ଦେଇଯାଏ ନିଜେ ବୁଣିଥିବା ବରଡ଼ା ପତ୍ରର ବିଞ୍ଚଣାଟିଏ । ଅଜା ଏଥର ଡାକ ପକାଏ ମୋତେ ଆଉ ମୋ ସାନ ଭାଇକୁନିକୁ । କହେ “ଏଇଠାକୁ ଆସ ଏବେ । ମୁଁ ଆଜି ତୁମକୁ ଗୋପାଳ ଭାଣ୍ଡଙ୍କ ବିଷୟରେ ଗୋଟିଏ ଗଳ୍ପ ଶୁଣାଇବି । ଆମେ ଗପ ଶୁଣିବା କଥା ଶୁଣୁ ଶୁଣୁ ଦଉଡ଼ି ଯାଇ ସୁଧାର ପିଲା ପରି ମସିଣାରେ ଗଡିପଡୁ । ଦିନ ସାରା ଡିଆଁକୁଦା କରି ଥକି ଯାଇଥାଉ କି ନା! ଅଜା କିନ୍ତୁ ଚକାଚଉକ ମାଡ଼ି ଅଣ୍ଟା ସଳଖ କରି ବସିରହେ ଘଣ୍ଟା ଘଣ୍ଟା । ତା’ ବସିବା କି ଚାଲିବାରେ ବ୍ୟତିକ୍ରମ ନଥିବା ପରି ତା’ ଉଚ୍ଚାରଣରେ ବି ବ୍ୟତିକ୍ରମ ନଥାଏ । ସୁଦ୍ଧ ଆଉ ସ୍ପଷ୍ଟ ଉଚ୍ଚାରଣ ସବୁବେଳେ । ମନେହୁଏ ସଂସ୍କୃତରେ କଥା ହେଉଛି ଯେମିତି । ସେ ଗପ ନକହି ସବୁବେଳେ ‘ଗଳ୍ପ’ ବୋଲି କହେ । ମୁଁ ଆଉ କୁନି‘ଗଳ୍ପ’ ଶବ୍ଦ ଶୁଣୁ ଶୁଣୁ ହସି ହସି ଗଡ଼ିଯାଉ । ‘ଗପ’କୁ କିଏ ‘ଗଳ୍ପ’ କହେ ଯେ?

ସେଇଠୁ ଆରମ୍ଭ ହୁଏ ଗୋପାଳ ଭାଣ୍ଡ ରହସ୍ୟର ପେଡ଼ି । ‘ରାଜାଙ୍କ ହୁକୁମ୍’ ରୁ ‘ଜୋଇଁ ଡାକରା’, ‘ପଣ୍ଡିତଙ୍କ ଚୁଟି’, ‘ପିଉସୀ ମା’, ‘ଗୋପାଳ ପାକ’, ‘ରାଜାଙ୍କ କୋଷ୍ଠ’ ଯାଏଁ ଗୋଟିଏ ପରେ ଗୋଟିଏ କାହାଣୀର ଡୋରି ଲମ୍ବିଯାଏ । ଅଜା ର ଗପ କହିବାର ଅଦ୍ଭୁତ ଶୈଳୀ ଆଉ କାହାଣୀ ସବୁର ଚମତ୍କାରିତାରେ ଆମେ କେବେ ହସି ହସି ଗଡ଼ିଯାଉ ତ କେବେ ନୀରବ ହେଇଯାଉ, ଆଉ କେବେ କେବେ ଆଶ୍ଚର୍ଯ୍ୟ ହେଇଯାଉ । ଧୀରେ ଧୀରେ ଗପ ଶୁଣୁଶୁଣୁ, ଗୋହୀରି ଆଉ ଦାଣ୍ଡରେ ପଡ଼ିଥିବା ଜହ୍ନ ଆଲୁଅ ଆଉ ନଡ଼ିଆ ଗଛର ଛାଇକୁ ଦେଖୁଦେଖୁ, ଅଜା ହାତରେ ଅନବରତ ଚାଲିଥିବା ବିଞ୍ଚଣାର ପବନରେ ମାଡ଼ି ଆସେ ନିଦ । ସ୍ୱପ୍ନରେ ଆସେ ଗୋପାଳ ।

ଛୁଟି ସରିଯାଏ । ଆମେ ଫେରିଆସୁ ଘରକୁ । ଘର ନୁହେଁ ତ ହଷ୍ଟେଲ୍ କୁ । ହଷ୍ଟେଲ୍ ଖୋଲିଲେ ସାଙ୍ଗ ପିଲାଙ୍କୁ କୁହା ଚାଲେ ଗପ । ଅଜାଙ୍କ ପାଖରୁ ଶୁଣିଥିବା ଗୋପାଳର ଗପ । ସେତେବେଳେ ଭାବେ ଏ ଗୋପାଳ ସତସତିକା ମଣିଷଟିଏ ନା କିମ୍ବଦନ୍ତୀର ଚରିତ୍ର?

ଆପଣମାନଙ୍କର ବି ଏମିତି କେତେ ନା କେତେ ସ୍ମୃତି ଥିବ । ମାମୁଁଘର, ଗୋପାଳ ରହସ୍ୟ, ଲୁଚାପୁଚି, ଛୁଟିଦିନ, ଜହ୍ନଆଲୁଅ; ଏମିତି କେତେ ନା କେତେ ସ୍ମୃତି । ବେଳେବେଳେ ସେସବୁ ବିଷୟରେ ଭଲଭାବେ ଜାଣିବାକୁ ଇଚ୍ଛାହୁଏ ବଡ଼ ହେବା ପରେ । ମୋର ବି ଅନେକ ଦିନ ପରେ ସେମତି ଇଚ୍ଛାଟିଏ ହେବାରୁ ମୁଁ ଅନେକ ଖୋଜିଲି ଗୋପାଳ ଭାଣ୍ଡଙ୍କ ବିଷୟରେ ।

ଏବେ ଜାଣୁଛି ଗୋପାଳ ବୋଲି ସତରେ କେହି ଜଣେ କେବେ ଥିଲେ କି ନାହିଁ ସେ ବିଷୟରେ ଏଯାଏଁ ବି କିଛି ନିର୍ଦ୍ଧିଷ୍ଟ ତଥ୍ୟ ମିଳିନାହିଁ । ଅନେକେ କିନ୍ତୁ ବିଶ୍ୱାସ କରନ୍ତି ଗୋପାଳର ଅସ୍ତିତ୍ୱକୁ । ଗୋପାଳ ଥିଲେ ।

ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଗୋପାଳ ଭର ବା ଓଡ଼ିଆରେ ଗୋପାଳ ଭାଣ୍ଡ ଙ୍କର ନାମ ପ୍ରଥମେ ବଙ୍ଗଳା ସାହିତ୍ୟରେ ଉଲ୍ଲେଖ କରାଯାଇଥିଲା । ଏହି ଗୋପାଳ ଭର ବା ଗୋପାଳ ଭାଣ୍ଡ ମଧ୍ୟଯୁଗୀୟ ଆମ ପଡେ଼ାଶୀ ରାଜ୍ୟ ବଙ୍ଗଳାର ଜଣେ ବ୍ୟକ୍ତି । ସେ ଅଷ୍ଟାଦଶ ଶତାବ୍ଦୀରେ ନଦୀୟାର ରାଜା ରାଜା କୃଷ୍ଣଚନ୍ଦ୍ର (ଜନ୍ମ ୧୭୧୦ - ମୃତ୍ୟୁ ୧୭୮୩)ଙ୍କ ରାଜ ଦରବାରରେ ଜଣେ ବିଦୂଷକ ଥିଲେ । ନିଜର ଚାତୁର୍ଯ୍ୟପୂର୍ଣ୍ଣ ହାସ୍ୟରସମୟ ଓ ବ୍ୟଙ୍ଗ କଥା ମାଧ୍ୟମରେ ଗୋପାଳ ସମସ୍ତ ପାରିଷଦଙ୍କୁ ମଜେଇ ରଖିବା ସହ ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ଆଖି ପିଛୁଡ଼ାକରେ କରିଦେଇ ପାରୁଥିଲେ । ରାଜା କୃଷ୍ଟଚନ୍ଦ୍ର ଗୋପାଳଙ୍କୁ ନିଜ ଦରବାରର ନବରତ୍ନ ଭିତରୁ ଜଣେ ଭାବରେ ବିବେଚନା କରୁଥିଲେ । ଏବେ ବି ଗୋପାଳଙ୍କର ପ୍ରତିମୂର୍ତ୍ତି ରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରାସାଦ ଓ ନିଜ ଜନ୍ମ ସହର ଘୂର୍ଣ୍ଣି, କୃଷ୍ଣନଗରରେ ରହିଛି । ବିଶ୍ୱାସ କରାଯାଏ, ଗୋପାଳ ଖୁବ୍ ଚତୁର, ବୁଦ୍ଧିମାନ୍ ଓ ସାହସୀ ଥିଲେ ।

ଗୋପାଳଙ୍କର ପୁରା ନାମ ଗୋପାଳ ଚନ୍ଦ୍ର ପ୍ରମାଣିକ । ଜନ୍ମ ଓ ମୃତ୍ୟୁ ନଦୀୟା ରାଜ୍ ର ଘୂର୍ଣ୍ଣି ରେ; ଯାହା ଏବେର କ୍ରିଷ୍ଣନଗର, ନଦୀୟା, ପଶ୍ଚିମବଙ୍ଗ ଅର୍ନ୍ତଭୁକ୍ତ । ସେ କେଉଁଠି ଜନ୍ମ ହୋଇଥିଲେ ସେ ବିଷୟରେ ତାଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରୁଥିବା ଲୋକମାନଙ୍କ ଭିତରେ ଦ୍ୱିମତ ନଥିଲେ ମଧ୍ୟ ତାଙ୍କ ସାଙ୍ଗିଆକୁ ନେଇ ଅଛି । କେହି କେହି କହନ୍ତି, ପ୍ରଥମେ ତାଙ୍କ ସାଙ୍ଗିଆ ‘ନାଇ’ ଥିଲା ଓ ପରେ ‘ଭଣ୍ଡାରୀ’ ହୋଇଥିଲା ।

ଗୋପାଳ ନାପିତ ଜାତିର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଖୁବ୍ ବୁଦ୍ଧିମାନ ଥିଲେ । ସେ ଖୁବ୍ ଛୋଟ ଥିବା ବେଳେ ତାଙ୍କ ପିତାଙ୍କର କୌଣସି କାରଣ ବଶତଃ ମୃତ୍ୟୁ ହୋଇଯାଥିଲା ଓ ମାଆଙ୍କୁ ସତୀଦାହ ପ୍ରଥା ଅନୁସାରେ ହତ୍ୟା କରାଯାଇଥିଲା । ଏମିତି ଏକ ପରିସ୍ଥିତି ତାଙ୍କ ବଡ଼ ଭାଇଙ୍କୁ ଦାସତ୍ୱ ବରଣ କରିବାକୁ ବାଧ୍ୟ କରିଥିଲା । ଏବଂ ସ୍ୱୟଂ ଗୋପାଳଙ୍କୁ ଗୋଟିଏ ଡକାୟତ ଦଳ ଅପହରଣ କରି ନେଇଯାଇଥିଲେ । ପରିଶେଷରେ ସେଇଠାରେ ହିଁ ଜଣେ ସହୃଦୟ ମହିଳା ତାଙ୍କୁ ପାଳି ପୋଷି ବଡ଼ କରିଥିଲେ ।

ବଡ଼ ହେବା ପରେ ଯାଇଁ ଗୋପାଳ ରାଜା କୃଷ୍ଣଚନ୍ଦ୍ରଙ୍କ ଦରବାରରେ ଯୋଗ ଦେଇଥିଲେ । କାହା କାହା ମତରେ ରାଜା କୃଷ୍ଣଚନ୍ଦ୍ର ଗୋପାଳଙ୍କର ହାସ୍ୟରସ, ବ୍ୟଙ୍ଗ, ସମସ୍ୟା ସମାଧାନର ଚାତୁରୀ ପାଇଁ ଲୋକଙ୍କ ଠାରେ ଥିବା ପ୍ରସିଦ୍ଧି ବିଷୟରେ ଶୁଣି ନିଜ ଦରବାରରେ ଯୋଗ ଦେବା ପାଇଁ ତାଙ୍କୁ ଡକେଇ ପଠେଇଥିଲେ ।

ପିଲାଦିନରୁ ସେ ଭୋଗିଥିବା ଶୋଷଣ ଓ ପ୍ରପୀଡ଼ନର କାହାଣୀ ସବୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ର ଅନେକ କ୍ଷୁଦ୍ର ଗଳ୍ପରେ ବର୍ଣ୍ଣିତ ହୋଇଛି । ତାଙ୍କ ବିଷୟରେ ଯାହା ବି ତଥ୍ୟ ଆଜି ଉପଲବ୍ଧ ଅଛି ସେସବୁ ହାସ୍ୟରସର ମୌଖିକ ସଂସ୍କୃତିରୁ ହିଁ ମିଳିଛି ।

ଗୋପାଳଙ୍କର କାହାଣୀ ଗୁଡ଼ିକ ଖୁବ୍ ଲୋକପ୍ରିୟ । କାହାଣୀ ଗୁଡ଼ିକରେ ଭରି ରହିଥାଏ ହାସ୍ୟ, ବ୍ୟଙ୍ଗ, ବିଦ୍ରୁପ ଓ ଚାତୁରୀ । ଅନେକ ସମୟରେ କାହାଣୀ ଗୁଡ଼ିକରେ ତାଙ୍କୁ ବଡ଼ ବଡ଼ିଆଙ୍କର, ବିଶେଷ କରି ରାଜା/ରାଣୀ ଙ୍କର ଖିଆଲି ଅନୁରୋଧରେ ବିଭିନ୍ନ ସମସ୍ୟାର ଚତୁର, ସହଜ ଓ ନୂଆ ନୂଆ ଉପାୟରେ ସମାଧାନ କରୁଥିବାର ଚରିତ୍ରରେ ଦେଖିବାକୁ ମିଳେ । କେତେକ କାହାଣୀରେ ରାଜା କୃଷ୍ଣଚନ୍ଦ୍ର ତାଙ୍କୁ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ ସମ୍ପନ୍ନ କରିବାକୁ ଦେଇଥା’ନ୍ତି । ଏମିତି କରିବା ପଛରେ କେତେବେଳେ ରାଜାଙ୍କର ଉଦ୍ଦେଶ୍ୟ ଗୋପାଳଙ୍କର ବୁଦ୍ଧି ପରୀକ୍ଷା କରିବା ଥାଏ ତ’ କେତେବେଳେ ଗୋପାଳଙ୍କୁ ସର୍ବସାଧାରଣରେ ଲଜ୍ଜିତ କରିବା ଥାଏ । ଗୋପାଳ କିନ୍ତୁ ସବୁବେଳେ ରାଜାଙ୍କର ଏହିପରି ପ୍ରୟାସ ସବୁକୁ ଖୁବ୍ ଚତୁରତା ଓ ସଫଳତାର ସହ ପ୍ରତ୍ୟାଖ୍ୟାନ କରିଦେଇ ପାରୁଥିଲେ । ସେ କେବେ ବି କାହାକୁ ଅସମ୍ମାନିତ ବା ଅପମାନିତ କରିବାକୁ ହାସ୍ୟରସର ପ୍ରୟୋଗ କରିଥିବାର ଦେଖାଯାଏନି । ତାଙ୍କ କାହାଣୀ ସବୁରେ ହାସ୍ୟରସର ଏକ ନିର୍ଦ୍ଧିଷ୍ଟ ପରିସୀମା ଥିଲା, ଯାହାର ସୀମା ସେ କେବେ ବି ଅତିକ୍ରମ କରିଥିବାର ଦେଖାଯାଏନି । ସେ କାହାକୁ ଆକ୍ଷେପ କରନ୍ତିନି ସତ, କିନ୍ତୁ ତାଙ୍କ ପ୍ରତି ମନ୍ଦ ଉଦ୍ଦେଶ୍ୟ ରଖିଥିବା ପ୍ରତିପକ୍ଷର ଯୁକ୍ତି ବା ବିଶ୍ୱାସରେ ଥିବା ଦୁର୍ବଳତାକୁ ସେ ସର୍ବସମଖ୍ୟରେ ଧରା ପକେଇଦିଅନ୍ତି ।

ଗୋପାଳ ଭାର ଙ୍କର କାହାଣୀ ଗୁଡ଼ିକୁ ବୀରବଲ୍, ତେନାଲି ରମଣ, ଗୋନୁ ଝା, ମୁଲ୍ଲା ନାସରିଦ୍ଧିନ୍ ଆଦିଙ୍କ ସହ ତୁଳନା କରାଯାଏ ।

ଅନେକ ଗବେଷକ, ଭାଷାବିତ୍, ଐତିହାସିକଙ୍କର ବିଶ୍ୱାସ ଯେ ଗୋପାଳ ଜଣେ କିମ୍ବଦନ୍ତୀର ଚରିତ୍ର, ମନଗଢ଼ା ମଣିଷ; ଯାହାର କାହାଣୀ ୩୦୦ ବର୍ଷ ପରେ ବି ବଞ୍ଚିରହିଛି ଲୋକମୂଖରେ । ଭାଷାବିତ୍ ଆଚାର୍ଯ୍ୟ ସୁକୁମାର ସେନ୍ ଙ୍କ ମତରେ, ଗୋପାଳ ଚରିତ୍ରଟି କେବଳ କାଳ୍ପନିକ । କିନ୍ତୁ ଗବେଷଣାରୁ ଜଣାପଡ଼ିଛି ଯେ, ନଦିଆର ରାଜା କୃଷ୍ଣଚନ୍ଦ୍ରଙ୍କର ଜଣେ ସାହସୀ, ବୁଦ୍ଧିମାନ୍ ଓ ଖୁବ୍ ପାରଙ୍ଗମ ଦେହରକ୍ଷୀ ଥିଲେ । ନାମ ତାଙ୍କର ଶଙ୍କର ତରଙ୍ଗ । ରାଜା ତାଙ୍କୁ ତାଙ୍କର ଜ୍ଞାନ, ବୁଦ୍ଧି ଓ ସାହସ ପାଇଁ ବିଶେଷ ମାନ୍ୟତା ଦେଇଥିଲେ । ତେଣୁ ସେ ସମୟରେ ଶଙ୍କର ତରଙ୍ଗ ଖୁବ୍ ସମ୍ମାନାସ୍ପଦ ଥିଲେ, ଲୋକପ୍ରିୟ ମଧ୍ୟ । ବୋଧହୁଏ ଏହି ଶଙ୍କରଙ୍କର ବ୍ୟକ୍ତିତ୍ୱ ରୁ ହିଁ ଗୋପାଳ ଙ୍କ ପରି ଜଣେ କିମ୍ବଦନ୍ତୀ ପୁରୁଷ ଓ ଲୋକପ୍ରିୟ ଚରିତ୍ର ସୃଷ୍ଟି ହୋଇଥାଇପାରନ୍ତି ।

ବଙ୍ଗଳା ସାହିତ୍ୟରେ ଗୋପାଳ ଭର ନିଜର ଚତୁରତା, ହାସ୍ୟରସ ଓ କଠିନ ପରିସ୍ଥିତିରେ ବି ସହଜ, ସରଳ ସମାଧାନ ଖୋଜି ଆଣିବା ପାଇଁ ଥିବା ଅଦ୍ଭୁତ ସାମର୍ଥ୍ୟ ପାଇଁ ଖୁବ୍ ଲୋକପ୍ରିୟ । ଗୋପାଳଙ୍କୁ ନେଇ ବଙ୍ଗଳା, ହିନ୍ଦୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ, ଚଳଚ୍ଚିତ୍ର, ଧାରାବାହିକ, କମିକ୍ସ ତିଆରି ମଧ୍ୟ ହୋଇଛି । ୧୯୮୦ରେ ଅମାଲ୍ ସୁର୍ଙ୍କ ନିର୍ଦ୍ଦେଶିତ ବଙ୍ଗଳା କମେଡି ଚଳଚ୍ଚିତ୍ର ‘ଗୋପାଳ ଭର’ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ସନ୍ତୋଷ ଦତ୍ତ ଗୋପାଳ ଭାର ଚରିତ୍ରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ଖୁବ୍ ଲୋକପ୍ରିୟ ମଧ୍ୟ ହୋଇଥିଲା । ସେଇ ‘ଗୋପାଳ ଭର’ ଶୀର୍ଷକରେ ଏକ ଆନିମେଟେଡ୍ କାର୍ଟୁନ୍ ସିରିଜ୍ ୨୦୦୦ରେ ମୁକ୍ତିଲାଭ କରିଥିଲା । ଯାହା ସୋନି ଆର୍ଥ ରେ ନିୟମିତ ଭାବେ ପ୍ରସାରିତ ହୋଇ ସର୍ବଜନପ୍ରିୟ ହୋଇଥିଲା । ପରେ ପରେ ୨୦୧୭ରୁ ଆରମ୍ଭ ହୋଇ ୨୦୧୮, ୧୯ ଅଗଷ୍ଟ ପର୍ଯ୍ୟନ୍ତ ‘ଗୋପାଳ ଭର’ ନାମରେ ଏକ ଟେଲିଭିଜନ୍ ସିରିଜ୍ ଷ୍ଟାର୍ ଜଲସାରେ ପ୍ରସାରିତ ହେଉଥିଲା । ଗୋପାଳ ଭର ଭୂମିକାରେ ଅଭିନୟ କରୁଥିବା ରକ୍ତିମ ସାମନ୍ତ ସମସ୍ତଙ୍କର ଏତେ ପ୍ରିୟ ହୋଇଯାଇଥିଲେ ଯେ ଅନ୍ୟସବୁ ଶାଶୁ ବୋହୁ ସିରିଏଲ୍ କୁ ଏହା ପଛରେ ପକାଇ ଦେଇଥିଲା । ଟି.ଆର୍.ପି କ୍ଷେତ୍ରରେ ମଧ୍ୟ ଏହି ସିରିଜ୍ ର ପ୍ରଦର୍ଶନ ଖୁବ୍ ଭଲ ଥିଲା । କିନ୍ତୁ ରାତି ୮.୦୦ଟାରେ ପ୍ରସାରିତ ହେଉଥିବା ସମୟକୁ ପରିବର୍ତ୍ତନ କରି ସଂଧ୍ୟା ୫.୦୦ଟା କରିଦେବା ପରେ ଏହାର ଦର୍ଶକୀୟତା କମିଗଲା । ସିରିଜ୍ ଟିକୁ ତେଣୁ ଅଳ୍ପ ଦିନରେ ବନ୍ଦ କରିବାକୁ ପଡ଼ିଥିଲା ।

ଏବେବି ଗୋପାଳ ଭର ଚରିତ୍ରର ଲୋକପ୍ରିୟତା ପଶ୍ଚିମବଙ୍ଗରେ ଏତେ ବେଶୀ ଯେ, ଗତ ଏପ୍ରିଲ୍ ୨୧, ୨୦୧୬ ରେ ହୋଇଥିବା ନଦିଆ ନିର୍ବାଚନ ପାଇଁ ଗୋପାଳ ଭର ଙ୍କୁ ନିର୍ବାଚନ ମାସ୍କଟ୍ ଭାବେ ବଛା ଯାଇଥିଲା । ‘ଏହା ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗର ବାର୍ତ୍ତା ବହନ କରିବ’ ବୋଲି ନଦିଆ ମାଜିଷ୍ଟ୍ରେଟ୍ ଗଣମାଧ୍ୟମକୁ କହିଥିଲେ ।

ଗୋପାଳ ଭର ନାମରେ ବଙ୍ଗଳାରେ ପ୍ରସିଦ୍ଧ ଚରିତ୍ରଟି ଓଡ଼ିଶାର ଗଳିକନ୍ଦିରେ ଗୋପାଳ ଭାଣ୍ଡ ନାମରେ ଖୁବ୍ ଲୋକପ୍ରିୟ । ଓଡ଼ିଶାର ହାସ୍ୟରସର ମୌଖିକ ସଂସ୍କୃତିରେ ଗୋପାଳକୁ ନେଇ ଏତେ କାହାଣୀ ଅଛି ଯେ, ଅନେକ ଓଡ଼ିଆ ଭାବନ୍ତି ଗୋପାଳ ଭାଣ୍ଡ ଚରିତ୍ରଟି ଓଡ଼ିଶାର ।

ନବେ ଦଶକରେ ଡି.ଡି ଓଡ଼ିଆ ରେ ଧୀର ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଗୋପାଳ ରହସ୍ୟ ନାମରେ ଗୋଟିଏ ସିରିଏଲ୍ ମଧ୍ୟ ଚାଲିଥିଲା । ଯାହା ଏବେ ବି ଡି.ଡି ଓଡ଼ିଆ ର ୟୁ ଟ୍ୟୁବ୍ ଚ୍ୟାନେଲ୍ ପେଜ୍ ରେ ଉପଲବ୍ଧ ଓ ତାହାର ଦର୍ଶକୀୟତା ମଧ୍ୟ ଲକ୍ଷାଧିକ । ଏଥିରେ ଗୋପାଳ ଭୂମିକାରେ ଅଭିନୟ କରିଥିଲେ ରବି ମିଶ୍ର, ଯିଏ ଏଇ ଅଳ୍ପ ଦିନ ତଳେ ଇହଧାମ ତ୍ୟାଗ କରିଛନ୍ତି । ଓଡ଼ିଶାରେ ଗୋପାଳ ଭାଣ୍ଡ କହିଲେ ରବି ମିଶ୍ରଙ୍କ ଚେହେରା ହିଁ ଅନେକଙ୍କର ମନକୁ ଆସେ । ଓଡ଼ିଆ ଲୋକଙ୍କ ଜନମାନସରେ ଗୋପାଳ ଭାଣ୍ଡଙ୍କ ରୂପ ରବି ମିଶ୍ରଙ୍କ ଚେହେରା ଭାବରେ ମନେ ରହିଆସିଛି ଓ ମନେ ରହିବ ମଧ୍ୟ ।

ଓଡ଼ିଶାର କବି ଯଦୁମଣି ଙ୍କ ବିଷୟରେ ମଧ୍ୟ ଏମିତି ଅନେକ ହାସ୍ୟ ଓ ବ୍ୟଙ୍ଗ କାହାଣୀ ସବୁ ରହିଛି । ସେ ନୟାଗଡ଼ ରାଜା ବିନାୟକ ସିଂ ମାନ୍ଧାତାଙ୍କର ରାଜକବି ଥିଲେ ଓ ତାଙ୍କୁ ଉତ୍କଳ ଘଣ୍ଟ ଉପାଧି ମିଳିଥିଲା । ସେ ଜଣେ ଚିତ୍ରକର ମଧ୍ୟ ଥିଲେ, ଯାହା ଖୁବ୍ କମ୍ ଲୋକଙ୍କୁ ଜଣା । ତାଙ୍କ ବିଷୟରେ ବିଷଦ ଭାବରେ ଆଉଦିନେ ଲେଖିବି ।

ଏବେ ବି ଶସ୍ତାରେ ବହି ବିକୁଥିବା ଛୋଟ ଛୋଟ ବହି ଦୋକାନରେ ଗୋପାଳ ଭାଣ୍ଡ ରହସ୍ୟ ଲେଖାଥିବା ବହି ଓଡ଼ିଶାରେ ଉପଲବ୍ଧ । ବିଭିନ୍ନ ଲେଖକ ଓ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ଭଳିକି ଭଳି ବହି, ଭଳିକି ଭଳି ଚିତ୍ର ଓ କାହାଣୀ । ଗୋପାଳ ଭାଣ୍ଡ ନାମରେ ଲୋକପ୍ରିୟ ଚରିତ୍ରଟି ଜଣେ ପଡେ଼ାଶୀ ବଙ୍ଗୀୟ ଚରିତ୍ର ହୋଇଥିଲେ ମଧ୍ୟ ଏବେ ବି ଓଡ଼ିଶାର ଉପକୂଳବର୍ତ୍ତୀ ଗାଁ ଗହଳରେ ରସିକିଆ, କଉତୁକିଆ ଓ ଚଟୁଳ ବ୍ୟଙ୍ଗ ତଥା ପ୍ରଖର ଉପସ୍ଥିତ ବୁଦ୍ଧି ସମ୍ପନ୍ନ ଲୋକଙ୍କୁ ଲୋକେ ଭାଣ୍ଡ ବୋଲି କୁହନ୍ତି ।

ଗୋପାଳ କାନୁନ୍‌ଗୋ

“ପ୍ରତ୍ୟେକ ବିଦ୍ୟାଳୟରେ ଏକ ଚିତ୍ରାଙ୍କନ ବା କଳାକକ୍ଷ ରହିବା ଉଚିତ୍ । ରସାୟନ ବିଜ୍ଞାନର ଛାତ୍ରମାନଙ୍କ ପାଇଁ ଯେମିତି ଲାବୋରେଟୋରୀଟିଏ ନିହାତି ଆବଶ୍ୟକ, ଠିକ୍ ସେମତି ଚାରୁକଳାର ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ୟ ଷ୍ଟୁଡିଓଟିଏ ନିହାତି ଆବଶ୍ୟକ ।” ଏହି ଆବଶ୍ୟକତାର କଥାକୁ କେବଳ ଜଣେ ପ୍ରକୃତ ଶିଳ୍ପୀ, ଶିକ୍ଷକ, ଅନିସନ୍ଧିତ୍ସୁ, ଗବେଷକ, ସ୍ରଷ୍ଟା, ଆବିଷ୍କାରକ ଓ ଦୂରଦ୍ରଷ୍ଟା ହିଁ ଭାବିପାରେ ଓ ଜୋର୍ ଦେଇ କହିପାରେ । ତାଙ୍କରି ପରି ମଣିଷଟିଏ ହିଁ ଚାହିଁପାରେ ନିଜ ଜାତିର ଉନ୍ନତି, ଦୁଃଖ କରିପାରେ ସୁଯୋଗ ଅଭାବରେ ନିତି ନିତି ଝରି ପଡ଼ୁଥିବା ପ୍ରତିଭାଙ୍କର ବିୟୋଗରେ । ସେଇଥିପାଇଁ ଓଡ଼ିଶାରେ ସ୍ୱତନ୍ତ୍ର କଳା ବିଦ୍ୟାଳୟ ପ୍ରତିଷ୍ଠା ସହ ସ୍ୱତନ୍ତ୍ର କଳା ବିଭାଗ ଓ ବିଶ୍ୱ ବିଦ୍ୟାଳୟରେ କଳା ଶିକ୍ଷକ ନିଯୁକ୍ତି ପାଇଁ ସବୁବେଳେ ପ୍ରୟାସ କରିଆସିଥିଲେ ଗୋପାଳ କାନୁନଗୋ । ଓଡ଼ିଶାର ପ୍ରତିନିଧି ହିସାବରେ ନିଖିଳ ଭାରତ କଳା ସମ୍ମିଳନୀରେ ଯୋଗ ଦେଇ ଭାରତର ଶିକ୍ଷାମନ୍ତ୍ରୀଙ୍କୁ ଜାତୀୟ କଳାର ସଂରକ୍ଷଣ ନିମନ୍ତେ କଳା ବିଦ୍ୟାଳୟ ସ୍ଥାପନା ପାଇଁ ପ୍ରୋତ୍ସାହିତ କରିବାକୁ ଆବେଦନ ମଧ୍ୟ କରିଥିଲେ କାନୁନଗୋ । କିନ୍ତୁ ଅନେକ ଦିନ ଧରି ତାଙ୍କର କଥା ଅଶୁଣା ହୋଇ ରହିଯାଇଥିଲା ।

କୌଣସି ଭଲ ପ୍ରୟାସ ବୃଥା ଯାଏନି । ଶେଷରେ ତେଣୁ ଗୋପାଳ କାନୁନଗୋଙ୍କ ପ୍ରଚେଷ୍ଟା ଓ ପ୍ରାରମ୍ଭିକ ଦାୟିତ୍ୱର ଫଳ ସ୍ୱରୁପ ୧୯୫୭ରେ ଖଲ୍ଲିକୋଟରେ ଓଡ଼ିଶାର ପ୍ରଥମ କଳା ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗୋପାଳ କାନୁନଗୋ ସେଠାରେ ଚିତ୍ରକଳା ବିଭାଗରେ ଅଧ୍ୟାପକ ଭାବରେ ବି ଯୋଗଦାନ କରିଥିଲେ । ଯଦିଓ ଅନେକ ମତ ଦିଅନ୍ତି ଯେ, ସେ ହିଁ କୁଆଡେ଼ ସବୁଠାରୁ ଯୋଗ୍ୟତମ ବ୍ୟକ୍ତି ଥିଲେ ଓଡ଼ିଶାର ପ୍ରଥମ ସରକାରୀ କଳା ବିଦ୍ୟାଳୟର ଅଧ୍ୟକ୍ଷ ହେବା ପାଇଁ । କିନ୍ତୁ ଘଟଣା କ୍ରମରେ ଅତି କମ୍ ଦିନରେ ସେ ଖଲ୍ଲିକୋଟର କଳା ବିଦ୍ୟାଳୟ ଛାଡି କଟକ ଲେଉଟି ଆସିଲେ । କଳା ବିଦ୍ୟାଳୟର ଶିକ୍ଷାର୍ଥୀମାନେ ଜଣେ ପ୍ରତିଭାବାନ କଳାକାର ଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ କଳା ଶିକ୍ଷକଙ୍କୁ ହରାଇଲେ ।

ଏକଥା କିନ୍ତୁ ଆମକୁ ସ୍ୱୀକାର କରିବାକୁ ହେବ ଯେ, ଓଡିଶା ଚିତ୍ରକଳା ରାଜ୍ୟରେ ଶିଳ୍ପୀ ଗୋପାଳ କାନୁନଗୋ ଜଣେ ବିସ୍ମୟ ।

ଗୋପାଳ କାନୁନଗୋ ଏକାଧାରରେ ଜଣେ ଚିତ୍ରକର, ଲେଖକ, ଅନୁବାଦକ, ବାଗ୍ମୀ, ପ୍ରଚ୍ଛଦ ଶିଳ୍ପୀ ଓଅଳଙ୍କରଣ ଶିଳ୍ପୀ ଥିଲେ । ଯେତେବେଳେ ଆମର ଏଠି ମାସିକ ପତ୍ରପତ୍ରିକା ଓ ବହି ମାନଙ୍କରେ ଚିତ୍ର ଦିଆଯିବାର ପରମ୍ପରା ନଥିଲା ସେଇ ସମୟରେ ସେ ପ୍ରଥମ ଶିଳ୍ପୀ ଭାବେ ଏ ଦେଶର ପତ୍ରପତ୍ରିକାରେ ମୌଳିକ ଚିତ୍ର ପ୍ରକାଶ କରିବା ଆରମ୍ଭ କରିଥିଲେ । ଯେତେବେଳେ ଓଡ଼ିଶାରେ କଳା ସମ୍ପର୍କିତ ପୁସ୍ତକ ପ୍ରକାଶିତ ହେବା ସ୍ୱପ୍ନପ୍ରାୟ ଥିଲା, ସେତେବେଳେ ସେ ‘କଳାର ବିଚାର’ ନାମରେ ପୁସ୍ତକ ରଚନା କରିଥିଲେ । ସେତେବେଳ ଅବଶ୍ୟ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନେ ପ୍ରକାଶନରେ ରୁଚି ରଖୁଥିଲେ । ‘କଳାର ବିଚାର’ ପୁସ୍ତକଟି ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ହୋଇ କଳା ଜିଜ୍ଞାସୁ ଓ କଳା ଛାତ୍ରମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା । ସେ ସମୟରେ ସେ ଅନୁଭବ କରିଥିଲେ ଯେ, ଓଡ଼ିଶାର ଗୋଟେ ପିଲା ପାଇଁ ତା’ ମାତୃଭାଷା ଓଡ଼ିଆରେ କଳା ସମ୍ପର୍କିତ ଲେଖା ଥିବା ପୁସ୍ତକ କେତେ ଜରୁରୀ । ବାହରର ଚିତ୍ର ଦୁନିଆ ସହ ତାଳ ଦେଇ ଚାଲିବାକୁ ହେଲେ ଆମ ପିଲାମାନଙ୍କୁ କଳା ବିଷୟରେ ପଢ଼ିବାକୁ ହେବ, ଜାଣିବାକୁ ହେବ ବୋଲି ସେ ବୁଝିଥିଲେ । କଲେଜ୍ ଥାଉ ନଥାଉ, କଲେଜ୍ ଯେବେ ହେବ ହେଉ, କିନ୍ତୁ ମୋ ଜାତିକୁ ଆଗକୁ ଯିବାକୁ ହେବ, ବିଶ୍ୱ ଦରବାରରେ ଠିଆ ହେବାକୁ ହେବ, ଏ ଥିଲା ତାଙ୍କ ସ୍ୱପ୍ନ । ଏମିତି ସବୁ ସ୍ୱପ୍ନ ମାନଙ୍କୁ ନେଇ ସାଧ୍ୟମତେ ବ୍ୟକ୍ତିଗତ ଭାବରେ ସତତ ପ୍ରଚେଷ୍ଟା କରିଥିଲେ ସେ ।

ଏବେ ଓଡ଼ିଶାରେ ୧୩ ଟି କଳା ମହାବିଦ୍ୟାଳୟ ହେଲାଣି । ପିଲା ସଂଖ୍ୟା ପ୍ରତି ବର୍ଷ ୧୦୦୦ରୁ ଅଧିକ । ସ୍ନାତକୋତ୍ତର ବିଭାଗ ମଧ୍ୟ ଖୋଲିଲାଣି । ତାପରେ ରବିବାରିଆ କଳା ବିଦ୍ୟାଳୟ ଏତେ ଯେ ସେମାନଙ୍କ ସଠିକ୍ ସଂଖ୍ୟା କେତେ କହିହେବନି । ଆଜି ଓଡ଼ିଆ ଭାଷାରେ ଲେଖା ଯାଇଥିବା କଳା ସମ୍ପର୍କିତ ପୁସ୍ତକ ଓ କଳା ସମ୍ପର୍କିତ ଜ୍ଞାନ ପାଠର ଆବଶ୍ୟକତା ୧୯୫୫ ଠାରୁ ଖୁବ୍ ବେଶୀ ବି । ବିଶ୍ୱବିଦ୍ୟାଳୟକୁ ବାଦ୍ ଦେଲେ କଳା ମହାବିଦ୍ୟାଳୟ, କଳା ବିଶ୍ୱବିଦ୍ୟାଳୟ ଓ ଓଡ଼ିଶାରେ କଳାର ଉତଥାନ ପାଇଁ ଅନେକ ସଂସ୍ଥା ମଧ୍ୟ ଖୋଲିଲାଣି । କିନ୍ତୁ ପ୍ରକାଶନ ଆଡ଼କୁ କାହାର ନିଘା ନାହିଁ । ସେମିତି କିଛି ଘଟୁନି । ତେଣୁ ଗୋପାଳ କାନୁନଗୋ ବେଶୀ ବେଶୀ ମନେପଡୁଛନ୍ତି । ସବୁଆଡେ ଆଞ୍ଚଳିକ ଭାଷାରେ କଳାଚର୍ଚ୍ଚା ପ୍ରସଙ୍ଗରେ ଯେତେବେଳେ ପ୍ରାଧାନ୍ୟ ଦେବା ପାଇଁ ଜୋର୍ ଦିଆଯାଉଛି ସେତେବେଳେ ବେଶୀ ପ୍ରାସଙ୍ଗିକ ମନେହେଉଛି ତାଙ୍କ କଥାସବୁ ।

ପୁରୀ ଜିଲ୍ଲା ଗୋପ ଅନ୍ତର୍ଗତ ଧନୁଆ ନଈ କୂଳରେ ଥିବା ନେନ୍ତିଗଡ଼ ଗାଁ ର ଏକ ସ୍ୱଚ୍ଛଳ ପରିବାରରେ ୧୯୦୪ ମସିହାରେ ଜନ୍ମ ହୋଇଥିଲେ ଗୋପାଳ କାନୁନଗୋ । ମାଅ ରମାଦେବୀ ଓ ବାପା ଜଗବନ୍ଧୁ ଉଭୟଙ୍କର ଖୁବ୍ ପ୍ରିୟ ଥିଲେ ସେ । ଉପର ବଡ଼ଭାଇମାନେ ମରିଯିବା ପରେ ଜନ୍ମ ହୋଇଥିବାରୁ ଜନ୍ମ ବେଳେ ତାଙ୍କ ପାଇଁ ଶଙ୍ଖ, ମହୁରୀ ବାଜି ନଥିଲା କି ବଡ଼ ଆଶା ନଥିଲା କାହା ମନରେ । ପରେ ଅବଶ୍ୟ ବାପା ମାଆଙ୍କର ଏକମାତ୍ର ମନଯୋଗୀ ପାଠୁଆ ପିଲା ହୋଇଥିବାରୁ ସେ ଖୁବ୍ ବେଶୀ ସ୍ନେହ, ମମତା, ଆଦର ପାଇଥିଲେ । ତାଙ୍କର ସେଇ ପାଠ ପଢ଼ିବାରେ ଆଗ୍ରହ ପାଇଁ ବି ଗାଁ ଗୋଟାକର ଲୋକେ ଖୁବ୍ ଭଲପାଉଥିଲେ ତାଙ୍କୁ । ସମସ୍ତଙ୍କର ତାଙ୍କ ପ୍ରତି ସେଇ ଭଲପାଇବା ଚିରଦିନ ଅକ୍ଷୁର୍ଣ୍ଣ ରହିଥିଲା । ସେଇ ସ୍ନେହ ଆଦର ତାଙ୍କ ମନକୁ ବଡ଼ ନରମ କରିଦେଇଥିଲା । ସେଇଥିପାଇଁ ସେ ଜଣେ ଖୁବ୍ ଦରଦୀ ମଣିଷ ଥିଲେ ।

ଗୋପାଳ କାନୁନଗୋଙ୍କ ପଣଗୋସେଇଁ ବାପା ଜଣେ ଶିଳ୍ପୀ ଥିଲେ । ସ୍ଥାପତ୍ୟ, ଗୃହ ନିର୍ମାଣ ଓ କାଷ୍ଠଖୋଦନରେ ସେ ଥିଲେ ଧୁରନ୍ଧର । କୌଣସି ଘରର ଗଢ଼ଣ ଶୈଳୀ ଓ ରୂପ ଦେଖି ସେ ଘରଟିର ଆୟୁଷ ନିର୍ଦ୍ଧାରଣ କରିଦେଇ ପାରୁଥିଲେ । ନିଜେ ମାଟି ଚାଖି ଘରର ନିଅଁ ପକେଇବା ସହ ଘରଟି କୋଉ ବନ୍ଧରେ ହେଲେ ତାହା ବହୁକାଳ ସ୍ଥାୟୀ ହେବ ସେକଥା ମଧ୍ୟ ଭଲରେ ଓ ସହଜରେ ଜାଣିଦେଇ ପାରୁଥିଲେ । ଓରା, ଗୁଜ, ପାଣିଆ ପଟାରେ ନିହଣ, ମୁଗୁର ଧରି ଶୁଆ, ପଦ୍ମ, ଗଜ ଓ ମଗର ମୁଣ୍ଡ ଆଦି ଖୋଦେଇ କରିପାରୁଥିଲେ । ସେସବୁ କଳା କାରିଗରୀ ତାଙ୍କ ଘର ଭିତରେ ଥିବା କବାଟ ଓ ଶାକର ପଟାରେ ଅକ୍ଷୁର୍ଣ୍ଣ ରହିଥିବାର ପିଲାଦିନେ ଦେଖିଛନ୍ତି ଗୋପାଳ କାନୁନଗୋ । ସେଇ କାରଣରୁ କି କ’ଣ ତାଙ୍କର ଚିତ୍ର ପ୍ରତି ପିଲାଟି ବେଳୁ ଖୁବ୍ ସରାଗ ।

ପଣଗୋସେଇଁ ବାପାଙ୍କ କାରିଗରୀ ରକ୍ତ ବହୁଥିଲା ତାଙ୍କ ଦେହରେ । ପିଲାଦିନରୁ ଭଲ ଛବିଟିଏ ଦେଖିଲେ, ସୁନ୍ଦର ପଦାର୍ଥଟିଏ ପାଇଲେ, ପ୍ରାଚୀନ ଚିତ୍ର, ଭାସ୍କର୍ଯ୍ୟ କି ଆଧୁନିକ ମୂଳଚିତ୍ରଟିଏ ଦେଖିଲେ ସାଇତି ରଖିବାକୁ ଚାହୁଁଥିଲେ ସେ । ବଡ଼ ହେଲା ପରେ ବି ତାଙ୍କର ସେ ପ୍ରକାର ଇଚ୍ଛାରେ କିଛି ବ୍ୟତିକ୍ରମ ହୋଇନଥିଲା । ସୁନ୍ଦର ପଦାର୍ଥର ରୂପ ବିଭବ ତାଙ୍କୁ ବ୍ୟାକୁଳ କରୁଥିଲା ସବୁବେଳେ । ସେଇ ଆକର୍ଷଣରୁ ସେ ଅନେକ ଚିତ୍ର, ଭାସ୍କର୍ଯ୍ୟର ନମୁନା ଆଦି ସଂଗ୍ରହ କରି ରଖିଥିଲେ । ତାଙ୍କ ଇଚ୍ଛା ଥିଲା ସେସବୁକୁ ଏକାଠି କରି ଗୋଟିଏ ଜାତୀୟ ସଂଗ୍ରହାଳୟରେ ରଖିବାକୁ; ଯାହା ଉଭୟ ପିଲା ଓ ବଡ଼ମାନଙ୍କ ଭିତରେ ସୌନ୍ଦର୍ଯ୍ୟବୋଧ ଜାଗ୍ରତ କରିବାର କେନ୍ଦ୍ର ହୋଇଥାଆନ୍ତା । କିନ୍ତୁ ଇଚ୍ଛା ଇଚ୍ଛା ରେ ରହିଗଲା । ସଂଗ୍ରହାଳୟ ପ୍ରତିଷ୍ଠା ହେଇପାରିଲାନି । ସଂଗ୍ରହାଳୟ ପାଇଁ ଏକଦା ନିଷ୍ଠାରେ ସେ ସଂଗ୍ରହ କରିଥିବା ଦରବ ତକ କୁଆଡେ ଗଲା କିଛି ଜଣା ପଡିଲାନି ।

ଗୋପାଳ କାନୁନଗୋଙ୍କର ବାପା ଜଗବନ୍ଧୁ ବାବୁ କଟକ ଡମପଡ଼ାର ଦେୱାନ୍ ଥିଲେ । ତାଙ୍କର ଇଚ୍ଛା ଥିଲା ପୁଅଟି ତାଙ୍କର ଭଲ ପାଠ ପଢ଼ି ସରକାରୀ ଚାକିରିଟିଏ କରୁ । ଦେୱାନ୍ ଚାକିରିରୁ ଅବସର ନେବା ପରେ ସେ ସାକ୍ଷୀଗୋପାଳ ମନ୍ଦିରର ମ୍ୟାନେଜର୍ ଭାବରେ ଯୋଗ ଦେବାରୁ ଗୋପାଳ କାନୁନଗୋଙ୍କର ପ୍ରାଥମିକ ଶିକ୍ଷା ସେଇଠାରେ ହୋଇଥିଲା । ପଞ୍ଚସଖାଙ୍କ ତିଆରି ସାକ୍ଷୀଗୋପାଳ ସ୍ଥିତ ‘ସତ୍ୟବାଦୀ ବନବିଦ୍ୟାଳୟ’ର ଛାତ୍ର ଥିଲେ ସେ । ସେଠାରେ ତାଙ୍କର ଚିତ୍ର ଶିକ୍ଷକ ଥିଲେ ଧନେଶ୍ୱର ମହାରଣା। ଗୋପାଳ କାନୁନଗୋଙ୍କର ଶିଳ୍ପୀ ହୃଦୟକୁ ପିଲାଦିନେ ଏଇ ଶିକ୍ଷକ ଜଣଙ୍କ ଖୁବ୍ ପ୍ରଭାବିତ କରିଥିଲେ । ଅତି ଆଗ୍ରହର ସହିତ ଗୋପାଳ କାନୁନଗୋ ଶିକ୍ଷକ ଧନେଶ୍ୱରଙ୍କର ମୂର୍ତ୍ତି ତିଆରି, କାଠ ଖୋଦେଇ ଆଦି କାମକୁ ନିରେଖି ଦେଖୁଥିଲେ । କିନ୍ତୁ ପରେ, ୧୯୨୧ରେ ଅସହଯୋଗ ଆନ୍ଦୋଳନ ସମୟରେ ସତ୍ୟବାଦୀ ବନ ବିଦ୍ୟାଳୟ ବନ୍ଦ ହୋଇଯିବାରୁ ସେ ପୁରୀ ଜିଲ୍ଲାସ୍କୁଲ୍ କୁ ଚାଲିଆସିଥିଲେ । ସେ ସମୟରେ ପୁରୀ ଜିଲ୍ଲା ସ୍କୁଲ୍ ରେ କୌଣସି ଛାପା ମାସିକ ପତ୍ରିକା ନଥିବାରୁ ଗୋପାଳ କାନୁନଗୋ ମ୍ୟାଟ୍ରିକ୍ ପଢ଼ିବା ବେଳେ କେତେଜଣ ସାଙ୍ଗଙ୍କ ସହ ମିଶି ଗୋଟିଏ ହାତଲେଖା ପତ୍ରିକା ବାହାର କରୁଥିଲେ । ସେହି ପତ୍ରିକାଟିକୁ ଚିତ୍ରମୟ ଓ ଛବିଳ କରିଥିବାରୁ ସେ ସହପାଠୀମାନଙ୍କର ପ୍ରୀତି ଭାଜନ ମଧ୍ୟ ହୋଇଥିଲେ । ଯଦିଓ ଏହିସବୁ କାମ ପାଇଁ ତାଙ୍କର ପାଠପଢ଼ା ନଷ୍ଟ ହେଉଥିଲା ଓ ବାପାଙ୍କର ବିରକ୍ତିକୁ ସାମ୍ନା କରିବାକୁ ପଡ଼ୁଥିଲା, ସିଆଡ଼ିକି କିନ୍ତୁ ନିଘା ନଥିଲା ଶିଳ୍ପୀଙ୍କର । ବରଂ ସାଙ୍ଗସାଥିଙ୍କର ଉତ୍ସାହ ଓ ପ୍ରଶଂସା ତାଙ୍କୁ ଆହୁରି ଆହୁରି ଚିତ୍ର ଆଙ୍କିବାକୁ ଉତ୍ସାହିତ କରୁଥିଲା । ଗୋପାଳ କାନୁନଗୋ ମନେ ମନେ କିନ୍ତୁ ଠିକ୍ କରିଥା’ନ୍ତି, ସ୍କୁଲ୍ ଶିକ୍ଷା ସରିଲେ ସେ କଳା ବିଦ୍ୟାଳୟରେ ପାଠ ପଢିବାକୁ ନିଶ୍ଚୟ ବାହାରିଯିବେ ।

୧୯୨୩ରେ ପୁରୀ ଜିଲ୍ଲା ସ୍କୁଲ୍ ରୁ ମ୍ୟାଟ୍ରିକ୍ ପାଶ୍ କରି ଗୋପାଳ କାନୁନଗୋ ଯେତେବେଳେ କଳାଶିକ୍ଷା ପାଇଁ କଲିକତା ଯିବା କଥା ବାପାଙ୍କୁ କହିଲେ, ବାପା ତାଙ୍କର ପୁଅକୁ ସିଧାସଳଖ ମନା ନକରି ‘ମୁଁ ତୁମକୁ ଆଗ ଜଣେ ଗ୍ରାଜୁଏଟ୍ ଭାବରେ ଦେଖିବାକୁ ଚାହୁଁଛି’ କହି କଥାଟିକୁ ଆଡେ଼ଇ ଦେଲେ । ବାପାଙ୍କର କଥା ଶୁଣି ମନ ଭାଙ୍ଗିଗଲା ଶିଳ୍ପୀଙ୍କର । ନୀରବ ହୋଇଗଲେ ସେ । ମନ କଥା ମନରେ ମାରି ଉଚ୍ଚଶିକ୍ଷା ପାଇଁ କଟକ ରେଭେନ୍ସା କଲେଜ୍ କୁ ଯିବାକୁ ହେଲା ତାଙ୍କୁ । ସେଠାରେ କିନ୍ତୁ ପଢ଼ା ଅପେକ୍ଷା ଅଧିକ ସମୟ ତାଙ୍କର ବିତୁଥିଲା ଚିତ୍ର ଆଙ୍କିବାରେ । ମାସିକ ପ୍ରାଚୀରପତ୍ର ‘ରେଭେନ୍ସାଭିଆନ୍’ ରେ ସେ ଚିତ୍ର ଦେଉଥିଲେ । ‘କୁମାର ସମ୍ଭବ’, ‘ରଘୁବଂଶ’, ‘ମେଘଦୂତ’ର ବହୁ ବିଷୟବସ୍ତୁର ଅବଲମ୍ବନରେ ଅଙ୍କିତ ତାଙ୍କ ଚିତ୍ର ସବୁ ‘ଉତ୍କଳ ସାହିତ୍ୟ’ରେ ବାହାରିଲା ନିୟମିତ । ‘ଉତ୍କଳ ସାହିତ୍ୟ’ର ପ୍ରବୀଣ ସମ୍ପାଦକ ବିଶ୍ୱନାଥ କର ତାଙ୍କର ପ୍ରତିଭାକୁ ଚିହ୍ନିଥିଲେ ଓ ତାଙ୍କୁ ଚିତ୍ରାଙ୍କନ ଦିଗରେ ଆଗେଇବାକୁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ । ଅର୍ଥ ବ୍ୟୟ କରି କଲିକତାରୁ ବ୍ଳକ୍ ତିଆରିକରାଇ ଆଣି କାନୁନଗୋଙ୍କ ଛବିଗୁଡିକ ତାଙ୍କ ପତ୍ରିକାରେ ଛାପୁଥିଲେ ବି । ଗୋପାଳ କାନୁନଗୋଙ୍କ ଚିତ୍ର ଦେଖି ତାଙ୍କ ଇଂରାଜୀ ଅଧ୍ୟାପକ ଗୋଷ୍ଠବିହାରୀ ବାବୁ ତାଙ୍କୁ ଶ୍ରଦ୍ଧାରେ ‘ୟଙ୍ଗ୍ ଲିଓନାର୍ଡୋ’ ବୋଲି ଡାକୁଥିଲେ । କବିତା ଲେଖିବା ପରି ମନର ଭାବକୁ ବର୍ଣ୍ଣ ଓ ରେଖାରେ ପ୍ରକାଶ କରୁଥିଲେ କାନୁନଗୋ । ସେଇଠି ପଢ଼ୁଥିବା ବେଳେ ଛାତ୍ରସଂଘର ପ୍ରଦର୍ଶନୀରେ ଚିତ୍ର ପାଇଁ ପୁରସ୍କାର ପାଇଥିଲେ ବି । ଏହି ସମୟରେ ହିଁ ସେ ‘ସହକାର’ ପ୍ରଭୃତି ପ୍ରମୁଖ ପତ୍ର ପତ୍ରିକାରେ ଚିତ୍ର ପ୍ରକାଶ କରିବା ଆରମ୍ଭ କରିଥିଲେ ।

୧୯୨୭ରେ ଗ୍ରାଜୁଏସନ୍ ସରିଆସିବା ବେଳକୁ ସେ ପୁଣି ଥରେ କଳା ଶିକ୍ଷା ପାଇଁ ବ୍ୟାକୁଳ ହୋଇପଡିଲେ । ରେଭେନ୍ସାର ତତ୍କାଳୀନ ପ୍ରିନ୍ସପାଲ୍ ଲାମ୍ବର୍ଟ ସାହେବ ସେହି ମାସରେ ଶିକ୍ଷା ବିଭାଗର ଡିରେକ୍ଟର୍ ହୋଇ ପାଟନା ଯାଉଥିବାରୁ କାନୁନଗୋଙ୍କ ପାଇଁ ଶିକ୍ଷା ବୃତ୍ତି ବ୍ୟବସ୍ଥା କରିବା ଲାଗି ପାଟନାର ଶିଳ୍ପ ଡିରେକ୍ଟରଙ୍କୁ ସୁପାରିଶ୍ କରି ଚିଠି ଗୋଟେ ଲେଖିଲେ । କଲେଜରେ ଜଣେ ତରୁଣ ଶିଳ୍ପୀ ଭାବରେ କାନୁନଗୋଙ୍କର ପରିଚିତି ଥିବାରୁ ଲ୍ୟାମ୍ବର୍ଟ ସାହେବ ତାଙ୍କୁ ଆଗରୁ ଭଲରେ ଜାଣିଥିଲେ । ତେଣୁ ପାଟନାରୁ ବୃତ୍ତି ମିଳିବାରେ ବିଳମ୍ବ ହେଲା ନାହିଁ । ଶିଳ୍ପ ଡାଇରେକ୍ଟର କାନୁନଗୋଙ୍କ ଛବି ଦେଖି ଏତେ ମୁଗ୍ଧ ହୋଇଯାଇଥିଲେ ଯେ ତାଙ୍କୁ ବିଲାତ ପଠାଇବେ ବୋଲି ମଧ୍ୟ କଥା ଦେଇଦେଲେ । କଲିକତା ଯିବା କଥା ସ୍ଥିର ହେବା ପରେ ଅପେକ୍ଷାରେ ଅପେକ୍ଷାରେ ସମୟ ବିତିଲା ଶିଳ୍ପୀଙ୍କର । ଓଡ଼ିଶାରେ ସେତେବେଳେ ଚାରୁକଳା ଶିକ୍ଷା ପାଇଁ କିଛି ବ୍ୟବସ୍ଥା ନଥାଏ । କହିରଖେ, ସେତେବେଳକୁ ବ୍ରିଟିଶ୍ ସରକାର ଚାରୁକଳା ଶିକ୍ଷା ପାଇଁ କଲିକତା, ବମ୍ବେ ଓ ମାଡ୍ରାସ ଆଦି ବିଭିନ୍ନ ସହରରେ ଶିକ୍ଷାନୁଷ୍ଠାନମାନ ଖୋଲିଥାଆନ୍ତି ।

କଲିକତା ଯିବାର ଅପେକ୍ଷା ଭିତରେ କୌଣସି ଉପାୟ ନପାଇ ପୁରୀର ଏମାରମଠ ମହନ୍ତଙ୍କର ଗୋଟିଏ ପେନସିଲ୍ ଆଲେଖ୍ୟ ଆଙ୍କି ତାଙ୍କୁ ଭେଟି ଦେଇ କିଛି ଅର୍ଥ ଯୋଗାଡ଼ ସନ୍ଧାନରେ ଥାଆନ୍ତି ଗୋପାଳ କାନୁନଗୋ । ମହନ୍ତଙ୍କୁ ଆଲେଖ୍ୟଟି କିନ୍ତୁ ଶେଷ ପର୍ଯ୍ୟନ୍ତ ସେ ଦେଇ ପାରିନଥିଲେ । ଚିତ୍ରଟି ତାଙ୍କ ପାଖରେ ଅନେକ ବର୍ଷ ପର୍ଯ୍ୟନ୍ତ ଥିଲା । ସେଇ ଚମତ୍କାର ଚିତ୍ରଟିକୁ ଦେଖି ସେ ସମୟର ନିଜ ସାମର୍ଥ୍ୟ ଉପରେ ବିସ୍ମିତ ହେଉଥିଲେ ଶିଳ୍ପୀ । ନିଜ ଉପରେ ଆସ୍ଥା ଦୃଢ ହେଉଥିଲା ।

ଅପକ୍ଷୋର ସମୟ ତଥାପି ସରୁନଥିଲା । ତେଣୁ ଆଡମିଶନ୍ କୁ ଅପେକ୍ଷା କରିବା ଭିତରେ ଗୋପାଳ କାନୁନଗୋ ପୁରୀ ଜିଲ୍ଲା ସ୍କୁଲରେ ଇତିହାସ ଓ ଇଂରାଜୀ ଶିକ୍ଷକ ହିସାବରେ କେତେ ମାସ କାମ କରିଥିଲେ ଓ ୧୫ଦିନ ପାଇଁ ଟ୍ରେନିଂ କଲେଜରେ ନାମ ବି ଲେଖାଇଥିଲେ । କିନ୍ତୁ ବୃତ୍ତି ପାଇବାର ଖବର ମିଳିବା ମାତ୍ରକେ ସବୁ ଛାଡିଛୁଡି ଯାଇ ହାଜର ହୋଇଗଲେ କଲିକତାରେ । ବୃତ୍ତି ବାବଦର ଅର୍ଥ ମିଳୁମିଳୁ କିନ୍ତୁ ଅନେକ ଦିନ ଲାଗିଲା । ପୁରୀ ଜିଲ୍ଲା ସ୍କୁଲ୍ ରେ ଶିକ୍ଷକତା କରି ଯେତେକ ଅର୍ଥ ସେ ସଞ୍ଚୟ କରିଥିଲେ ସେତକ କାମରେ ଲାଗିଲା କଲିକତାରେ । କଲିକତାରେ ରହଣି ସମୟରେ ଜଣେ ପ୍ରକାଶକ ତାଙ୍କୁ ପ୍ରଚ୍ଛଦ ଆଙ୍କିବାକୁ ବରାଦ ଦେଉଥିଲେ । ସେଥିରୁ ତାଙ୍କର ବେଶ୍ କିଛି ରୋଜଗାର ହୋଇଯାଉଥିଲା । କଲିକତାର ବହୁ ବିଶିଷ୍ଟ ଧନୀ ପରିବାରର ଲୋକେ ମଧ୍ୟ ତାଙ୍କ ପାଖକୁ ତୈଳଚିତ୍ରରେ ଆଲେଖ୍ୟ ଅଙ୍କେଇବାକୁ ଆସୁଥିଲେ ।

କଲେଜ୍ ରେ ତାଙ୍କର ଶିକ୍ଷକ ଥିଲେ ପର୍ସି ବ୍ରାଉନ୍ ଓ ମୁକୁଲ୍ ଦେ । ଗୋପାଳ କାନୁନଗୋ କଲିକତା କଳା ବିଦ୍ୟାଳୟରେ ଚିତ୍ରକଳା ଶିକ୍ଷା କରିବାକୁ ପହଞ୍ଚିଲା ବେଳକୁ ଅବନୀନ୍ଦ୍ର ନାଥ ଠାକୁର ଓ ହାଭେଲ୍ ସାହେବ ସେଠି ପୂର୍ବରୁ ଆରମ୍ଭ କରିଥିବା ଭାରତୀୟ ଧାରାକୁ ବନ୍ଦ କରି ପର୍ସି ବ୍ରାଉନ୍ ପୁଣିଥରେ ୟୁରୋପୀୟ ଧାରାର ପ୍ରଚଳନ ଆରମ୍ଭ କରିସାରିଥିଲେ । କଳା ଶିକ୍ଷା ଆରମ୍ଭ ହେବାର କିଛି ଦିନ ପରେ କଲିକତା କଂଗ୍ରେସ ବସିଲା । ସେତିକିବେଳେ ଠାକୁର ପରିବାରର ଜଣେ ବନ୍ଧୁ ତଥା ବିଶିଷ୍ଟ ଶିଳ୍ପୀ ଶୁଭ ଠାକୁର ଗୋପାଳ କାନୁନଗୋଙ୍କର ଗୋଟିଏ ଚିତ୍ର ଠାକୁର ପରିବାରର ସ୍ୱତନ୍ତ୍ର ପ୍ରଦର୍ଶନୀରେ ଦେବା ପାଇଁ ମାଗିଲେ । କାନୁନଗୋ ଶୁଭ ଠାକୁରଙ୍କର ସସ୍ନେହ ଆବେଦନକୁ ଆଡେଇ ନପାରି ‘କୁମାରସମ୍ଭବ’ର ପଞ୍ଚମ ସର୍ଗରୁ ‘ଉମାଙ୍କର ସ୍ୱପ୍ନ’ ଶୀର୍ଷକ ଚିତ୍ରଟି ଅଙ୍କନ କରି ତାଙ୍କୁ ଦେଲେ । ପ୍ରଦର୍ଶନୀର ତୃତୀୟ ଦିନ ହିଁ ଚିତ୍ରଟି ସାର୍ ଓଙ୍କାରମଲ (ଶୈବ) କିଣିଥିବାର ଖବର ନେଇ ଆସିଲେ ଶୁଭ ଠାକୁର ଓ ସ୍ନେହରେ କୁଣ୍ଢେଇ ପକେଇଲେ କାନୁନଗୋଙ୍କୁ । ଏହି ଘଟଣାଟି ତାଙ୍କୁ ଆହୁରି ପ୍ରେରଣା ଦେଲା ଓ ସେ ନାନା ପ୍ରକାର ଚିତ୍ର ଆଙ୍କିବାରେ ଏଥର ଆହୁରି ମନ ଦେଲେ ।

କଲିକତା ଯିବାର ପ୍ରଥମ ବର୍ଷରେ ହିଁ ତାଙ୍କର ପ୍ରଦର୍ଶନ ଖୁବ୍ ଭଲ ଥିଲା ଓ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେଥିପାଇଁ ତାଙ୍କୁ ବୃତ୍ତି ମିଳିଥିଲା ଓ ବିଦ୍ୟାଳୟରେ ଆଉ କୌଣସି ଦେୟ ଦେବାକୁ ପଡ଼ିନଥିଲା । ତିନି ବର୍ଷ ଧରି ପ୍ରତି ବର୍ଷ ବାର୍ଷିକ ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ଲାଭ କରି ସେ ରେକର୍ଡ ସୃଷ୍ଟି କରିଥିଲେ । ସେଇ ଭିତରେ ୧୯୩୨ରେ ବିଦ୍ୟୁତଲତା ଦେବୀଙ୍କ ସହ ତାଙ୍କ ବିବାହ ମଧ୍ୟ ହୋଇସାରିଥିଲା ।

କଲିକତାରେ ରେ ପଢା ସରିଆସିବା ବେଳକୁ ତାଙ୍କର ତୈଳଚିତ୍ର ‘ମୋ ଗାଁ’ ପୁନର୍ବାର ବାର୍ଷିକ କଳା ପ୍ରଦର୍ଶନୀରେ ପୁରସ୍କୃତ ହୋଇଥିଲା । ଭଲ ପଢୁଥିବାରୁ ଶିକ୍ଷକମାନଙ୍କର ତ ସେ ଖୁବ୍ ପ୍ରିୟ ଥିଲେ, ପୁରସ୍କାର ପାଇବା ପରେ କିନ୍ତୁ ସେ ଖୁବ୍ ପରିଚିତ ହୋଇଗଲେ ପୁରା ଅନୁଷ୍ଠାନରେ । ସେଇ ବର୍ଷ ଇଂଲଣ୍ଡର ପ୍ରସିଦ୍ଧ ଶିଳ୍ପୀ ଓ ସମାଲୋଚକ ପ୍ରଫେସର ଟଙ୍କସ୍ ସାହେବ ତାଙ୍କର ‘ଗୁଣ୍ଡୁଚିମୂଷା’ ଚିତ୍ରକୁ ପ୍ରଶଂସା କରି ଚିଠି ଲେଖିଥିଲେ । ଏହା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା ଓ ସେ ଆହୁରି ମନ ପ୍ରାଣ ଦେଇ ଚିତ୍ର ଆଙ୍କିବାରେ ଲାଗି ପଡିଥିଲେ ।

କଳା ବିଦ୍ୟାଳୟରେ ପଢ଼ା ସରିଆସିବା ବେଳକୁ ନିଜ ଗାଁ ର ମେଳନ ଓ ଦୋଳର ବିରାଟ ଚିତ୍ର ଟେମ୍ପରା ଶୈଳୀରେ ଆଙ୍କି କାନୁନଗୋ ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ । ସେ ସମୟରେ ୪୦ଟି ଫିଗର ବା ପାତ୍ର ସମାବେଶର ଏହି ଚିତ୍ରଟି ଖୁବ୍ ଆଦୃତ ହୋଇଥିଲା । ଚିତ୍ରଟିରେ ଥିଲା ଗାଁ ର ଦୋକାନ, କୀର୍ତ୍ତନ, ଗାଡ଼ି, ବଳଦ, ନଦୀ, ବରଗଛ, ଲୋକ ମାନଙ୍କ ସମାଗମ ଆଦି ରୂପର ବିରାଟ ସଜ୍ଜା । ସମସାମୟିକ ଘଟଣା ଓ ଉତ୍ସବକୁ ଏପରି ଏକ ରୂପରେ ରୂପାୟିତ କରିବା ଦ୍ୱାରା ସିଏ ସେ ସମୟର ଜଣେ ପ୍ରତିନିଧି ଭାବରେ ଭବିଷ୍ୟତର ଇତିହାସ ପାଇଁ ସହାୟତା କରିଥିଲେ ।

ଶେଷରେ ୧୯୩୪ରେ କଲିକତା କଳା ବିଦ୍ୟାଳୟରୁ ତାଙ୍କର ପାଠ ପଢାର ଶେଷ ପରୀକ୍ଷାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଫେରିଲେ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ । ସେ ଜାଣିଥିଲେ ଓଡ଼ିଶାରେ ଚିତ୍ରକଳା ପାଇଁ କଲିକତା ପରି କିଛି ସୁବିଧା ସୁଯୋଗ ନାହିଁ । ସେ ଚାହିଁଥିଲେ ପାଠ ପଢା ସାରି କଲିକତାରେ ରହିଯାଇ ପାରିଥା’ନ୍ତେ । ସେ ସୁଯୋଗ ବି ତାଙ୍କ ପାଇଁ ଖୋଲା ଥିଲା । କିନ୍ତୁ ଓଡ଼ିଶା ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଆପଣା ଦେଶକୁ ଫେରାଇ ଆଣିବାକୁ ବାଧ୍ୟ କରିଥିଲା ।

କଲିକତା କଳା ବିଦ୍ୟାଳୟରୁ କଳା ଶିକ୍ଷା ସମାପ୍ତ କରି ବିଦେଶ ଯାଇ ଉଚ୍ଚଶିକ୍ଷା ପାଇବା ପାଇଁ ଖୁବ୍ ଇଚ୍ଛା ଥିଲା ଗୋପାଳ କାନୁନଗୋଙ୍କର । ତେଣୁ କଲିକତା ଛାଡିବା ଆଗରୁ କାନୁନଗୋ ପାଟନା ଯାଇ ଶିଳ୍ପ ଡାଇରେକ୍ଟର୍ ଙ୍କୁ ଦେଖା କରି ବିଲାତ ଯିବା ବୃତ୍ତି ମିଳିବାର ପ୍ରତିଶୃତି ନେଇ ଖୁସି ମନରେ କଲିକତା ଫେରି ଆସିଥିଲେ । ଏ ଥିଲା ତାଙ୍କ କଲିକତା କଳା ବିଦ୍ୟାଳୟର ଶେଷ ବର୍ଷର କଥା । ସେଇ ବର୍ଷ ପୁଣି ସବୁ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ସେ ପାଟନା ବି ଯାଇଥିଲେ । ସେତେବେଳକୁ କିନ୍ତୁ ବିହାର ଭୂମିକମ୍ପ ଯୋଗୁଁ ବିଲାତ ବୃତ୍ତି ବନ୍ଦ କରିଦିଆଯାଇଥାଏ । ଶିଳ୍ପ ବିଭାଗ ମାତ୍ର ୨୦୦୦ ଟଙ୍କା ନେଇ ବିଲାତ ଯିବାକୁ କହିଲେ କାନୁନଗୋଙ୍କୁ । ମାତ୍ର ୨୦୦୦ ଟଙ୍କାରେ ବିଲାତ ଯିବା କ’ଣ ସମ୍ଭବ? ବାପା ତାଙ୍କର ସେତେବେଳକୁ ଇହଧାମ ଛାଡ଼ି ସାରିଥା’ନ୍ତି । ଚିହ୍ନା ପରିଚୟରେ ବି ଆଉ ସେମିତି ଜଣେ କେହି ନଥା’ନ୍ତି ସାହାଯ୍ୟ କରିବାକୁ । ତେଣୁ ୟାସିନ୍ ସାହେବଙ୍କ ଠାରୁ ମନ ଦୁଃଖରେ ଫେରିଆସିଲେ କାନୁନଗୋ । ବିଲାତ ଯାଇ ଉଚ୍ଚଶିକ୍ଷା ପାଇବାର ଇଚ୍ଛା ତାଙ୍କର ଇଚ୍ଛାରେ ହିଁ ରହିଗଲା ।

୧୯୩୪ରେ ତେଣୁ ସବୁଦିନ ପାଇଁ ଓଡ଼ିଶା ଫେରିଆସିଲେ ଗୋପାଳ କାନୁନଗୋ । ଓଡ଼ିଶାରେ କିନ୍ତୁ କଳା ଶିକ୍ଷକତା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା ସେତେବେଳେ। ବର୍ଷେ ପରେ ତାଙ୍କର ‘ଦୋଳଯାତ୍ରା’ ଚିତ୍ରଟି ନିଖିଳଭାରତ କଳା ପ୍ରଦର୍ଶନୀରେ ଲାହୋର ଠାରେ ପ୍ରଦର୍ଶିତ ହେଲା । ଏହାର କିଛି ଦିନ ପରେ ଚିନସୁରାରେ ଅନୁଷ୍ଠିତ କଳାପ୍ରଦର୍ଶନୀରେ ତୈଳଚିତ୍ର ବିଭାଗରେ ଭୁଦୃଶ୍ୟ ଚିତ୍ରଣରେ ତାଙ୍କୁ ପୁରସ୍କାର ମିଳିଲା । ପୁରସ୍କାର ଓ ସମ୍ମାନର କ୍ରମ ଜାରି ରହିଥିଲା ଜୀବନ ସାରା ।

ଗୋପାଳ କାନୁନଗୋ ପ୍ରଥମେ କଳା ଶିକ୍ଷକ ଭାବରେ ବାଲେଶ୍ୱରରେ ଯୋଗ ଦେଇ ପରେ ପରେ ସମ୍ବଲପୁର, ବରହମପୁର, କଟକ ଓ ପୁରୀର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରିଥିଲେ । ଶିକ୍ଷକ ଜୀବନର ନାନା ଘାତ ପ୍ରତିଘାତ ଭିତରେ କିନ୍ତୁ ସେ ଶିଶୁମାନଙ୍କର ସ୍ୱଚ୍ଛନ୍ଦ ଆତ୍ମପ୍ରକାଶ ପାଇଁ ଅନେକ ପ୍ରୟାସ କରିଥିଲେ । ଚିତ୍ରରେ ଶିଶୁମାନଙ୍କର ସ୍ୱାଧିନତା ଓ ବର୍ଣ୍ଣାନୁରଞ୍ଜନ ତାଙ୍କୁ ସବୁବେଳେ ମୁଗ୍ଧ କରେ । ପିଲାଙ୍କ ଚିତ୍ରରେ ଥିବା ସରସତା, ଅନାବିଳତା, ସ୍ୱଚ୍ଛନ୍ଦତା ତାଙ୍କୁ ଅଭିଭୂତ କରେ, ଠିକ୍ ଯେମିତି ତାଙ୍କୁ ଅଭିଭୂତ କରେ ପ୍ରିମିଟିଭ୍ ଆର୍ଟ । ଶିଶୁ ଓ କିଶୋରମାନଙ୍କର ଅନେକ ହସ୍ତାଙ୍କିତ ଚିତ୍ର ଓ ନକସା ସଂଗ୍ରହ କରିଥିଲେ ସେ । ମାନସିଂହଙ୍କ ସମ୍ପାଦିତ ‘ଶଂଖ’ ପତ୍ରିକାରେ ଏ ସମ୍ପର୍କିତ ନାନା କଥା ଲେଖିଥିଲେବି । କାନୁନଗୋ ବୁଝିଥିଲେ, ଶିଶୁଟିଏ ଭାଷାରେ ଲେଖିଲେ ହୁଏତ ସହସ୍ର ଭୁଲ୍ କରେ କିନ୍ତୁ ଚିତ୍ର ପରି ସାର୍ବଜନୀନ ଭାଷାରେ ତା’ର ଭୁଲ୍ ହୁଏ ଅଳ୍ପ ଓ ସେ ନିଜ ଧାରଣାକୁ ସମଗ୍ର ଭାବେ ଓ ସହଜରେ ଉପସ୍ଥାପିତ ବି କରିପାରେ ଚିତ୍ରରେ । ଶିଶୁମାନେ ଯେ ଅନ୍ୟମାନଙ୍କ ପରି ଶିଳ୍ପୀ, ସେ କଥାକୁ ସେ ସମସ୍ତଙ୍କ ଆଗରେ ଖୋଲାଖୋଲି କହିଛନ୍ତି । କିନ୍ତୁ ତାଙ୍କର ଏଇ ନୂଆ ପ୍ରଚେଷ୍ଟା ପାଇଁ ପୁରସ୍କାର ବଦଳରେ ଅଶ୍ରଦ୍ଧା ବେଶୀ ମିଳିଛି ସବୁବେଳେ ।

ଏବେ କିନ୍ତୁ ସରକାର ସମସ୍ତ ବିଷୟରେ ଆର୍ଟ ଇଣ୍ଟିଗ୍ରେସନ୍ ବାଧ୍ୟତା ମୂଳକ ବୋଲି ବିଦ୍ୟାଳୟ ମାନଙ୍କୁ ଚିଠି ପଠେଇ ଜଣେଇ ଦେବା ସହ ତାକୁ ଏଇ ୨୦୨୧ ଶିକ୍ଷାବର୍ଷରୁ ହିଁ କାର୍ଯ୍ୟକାରୀ କରିବାକୁ କହିଦେଇଛନ୍ତି । ଶିଶୁ-ଚିତ୍ର-ବୋଧଗମ୍ୟତା ଭିତରେ ଯେଉଁ ସରୁ ଖିଅଟେ ଥିବା କଥା ପ୍ରାୟ ୭୦ ବର୍ଷ ତଳେ ଗୋପାଳ କାନୁନଗୋ କହି ଅସୂୟାର ଶିକାର ହୋଇଥିଲେ, ସେଇ କଥା ଆଜି ସରକାର କହିବା ପରେ ସମସ୍ତେ ତାକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ବିଦ୍ୟାଳୟରେ ଶିଶୁ ଓ ତାଙ୍କର ଚିତ୍ରକୁ ପ୍ରମୁଖତା ଦେଇ ସମସ୍ତଙ୍କର ଅଶ୍ରଦ୍ଧାର ପାତ୍ର ପାଲଟିଥିବା କାନୁନଗୋ ଯେ ଜଣେ ଦୂରଦ୍ରଷ୍ଠା ଥିଲେ, ସେକଥା ଆଜି ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ ।

ଜଣେ କଳା ଶିକ୍ଷକ ଭାବରେ ଶିଶୁ ଚିତ୍ରାବଳୀ ସମ୍ପର୍କରେ ଗୋପାଳ କାନୁନଗୋ ହିଁ ପ୍ରଥମେ ନାନା ଚିତ୍ର (ଶିଶୁ କଳା) ମୁଦ୍ରଣ କରାଇଥିଲେ । ସମ୍ବଲପୁର ସ୍କୁଲ୍ ର ପତ୍ରିକାରେ ପିଲାମାନଙ୍କର ଚିତ୍ର ବି ଛପେଇଥିଲେ, ଯାହା ଦେଖି ଶିକ୍ଷା ବିଭାଗର ସମସ୍ତେ କାନୁନଗୋଙ୍କୁ ପ୍ରଶଂସା କରିଥିଲେ । ପ୍ରାଚୀନ ଉତ୍କଳୀୟ ଗୌରବର ଯେଉଁ ବିରାଟ ପ୍ରଦର୍ଶନୀ ଉତ୍କଳ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଆୟୋଜନ କରିଥିଲେ, ସେଥିରେ ମଧ୍ୟ ସେ ଶିଶୁକଳା ଉପରେ ଗୋଟିଏ କ୍ଷୁଦ୍ର ପ୍ରଦର୍ଶନୀ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଦ୍ୱାରା ମୁଦ୍ରିତ ତାଙ୍କର ପୁସ୍ତକ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଉପହାର ଦିଆଯାଇଥିଲା । ବିଶ୍ୱରେ ସଦ୍ଭାବ ଓ ମୈତ୍ରୀ ପ୍ରତିଷ୍ଠା କରିବାରେ କଳା ସମର୍ଥ, ଏହା ହିଁ ଥିଲା ତାଙ୍କ ‘ବିଶ୍ୱମୈତ୍ରୀ ପାଇଁ କଳାର ଦାନ’ ପୁସ୍ତକର ସାରମର୍ମ ।

ତାଙ୍କ କଥାରେ; ‘ଯାହା କଳାରେ ପ୍ରକାଶ ପାଇପାରେନା ତାହା ପ୍ରକାଶିତ ହୁଏ ଭାଷାରେ, ଜୀବନରେ ଯାହା ଅସମାପ୍ତ ତାହା ସମାପ୍ତ ପାଏ କଳାରେ ।’ ସେଇଥିପାଇଁ ସେ ଲେଖନ୍ତି । ଜଣେ ଲେଖକ ହିସାବରେ ‘କଳାର ବିଚାର’, ‘ବିଶ୍ୱମୈତ୍ରୀ ପାଇଁ କଳାର ଦାନ’, ‘ପ୍ରତିଭା ପ୍ରଣୟ’, ‘କାଳିଦାସଙ୍କ ମେଘଦୂତ’ ଓ ଓମର ଖୟାମ ଙ୍କ ‘ରୁବାୟତ’ର ଓଡ଼ିଆ ଅନୁବାଦ, ‘ପ୍ରଥମ ସର୍ଗ’, ଓ ‘ଉତ୍କଳର ଚିତ୍ରକଳା’ ପ୍ରଭୃତି ପୁସ୍ତକ କଳା ଓ ସାହିତ୍ୟ ଜଗତ ପାଇଁ ତାଙ୍କର ଅନବଦ୍ୟ ଉପହାର । ‘ରୁବାୟତ’ର ଅଳଙ୍କରଣ ମଧ୍ୟ ସେ ନିଜେ କରିଥିଲେ । ଏତଦ୍ ବ୍ୟତୀତ ତାଙ୍କର ଅନେକ କଳା ସମ୍ପର୍କିତ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ନିୟମିତ ପ୍ରକାଶିତହୋଇଥିଲା ।

ଗୋପାଳ କାନୁନଗୋଙ୍କର ‘କଳାର ବିଚାର’ ବହିଟି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୫୫ରେ ପ୍ରକାଶିତ ହୋଇଥିଲା । ୧୬୧ ପୃଷ୍ଠାର ଏହି ବହିଟି ଓଡିଶା ମାଟିରେ ଏକ ଅଭିନବ ପ୍ରୟାସ ଥିଲା । ବହିର ମୁଖବନ୍ଧ ଲେଖିଥିଲେ କଲିକତା କଳା ବିଦ୍ୟାଳୟର ତତ୍କାଳୀକ ଅଧ୍ୟକ୍ଷ ରମେନ୍ଦ୍ର ଚକ୍ରବର୍ତ୍ତୀ । ୧୯୬୪ ରେ ଓଡ଼ିଶା ଲଳିତକଳା ଏକାଡେମୀଙ୍କ ଦ୍ୱାରା ‘ଉତ୍କଳର ଚିତ୍ରକଳା’ ବହିଟି ପ୍ରକାଶିତ ହୋଇଥିଲା । ଯେଉଁଥିରେ ଭାରତୀୟ ଓ ଉତ୍କଳୀୟ ଚିତ୍ର ପରମ୍ପରା ସହ ଚିତ୍ର ରଚନାର ଅନେକ ଭାବ ଓ ବିଭବ ସମ୍ପର୍କରେ ଲେଖାମାନ ପ୍ରକାଶିତ ହୋଇଥିଲା । ପୁସ୍ତକରେ କାନୁକଗୋ କତିପୟ ପ୍ରମୁଖ ଓଡ଼ିଆ ଚିତ୍ରଶିଳ୍ପୀ ମାନଙ୍କ ବିଷୟରେ ସମ୍ୟକ୍ ସୂଚନାମାନ ଦେଇଥିଲେ । ବଡ ଦଃଖର କଥା ଆଜି ସେସବୁ ବହି ଆଉ ବଜାରରେ ମିଳୁ ନାହିଁ । ଓଡ଼ିଶାର କଳାର ପ୍ରଚାର-ପ୍ରସାର ଦାୟିତ୍ୱ ନେଇଥିବା ରାଜ୍ୟ ଲଳିତକଳା ଏକାଡେମୀ ଏନେଇ ସମ୍ପୂର୍ଣ୍ଣ ନୀରବ । ରାଜ୍ୟ ଲଳିତକଳା ଏକାଡେମୀ ଗୋପାଳ କାନୁନଗୋଙ୍କ ଚିତ୍ରକଳା ସମ୍ପର୍କିତ ପତ୍ର ପତ୍ରିକାରେ ପ୍ରକାଶିତ ପ୍ରବନ୍ଧମାନଙ୍କୁ ପୁନଃର୍ରୁଦ୍ଧାର କରି ସଙ୍କଳିତ କରିବା ସହ ‘କଳାର ବିଚାର’ ଓ ‘ଉକ୍ରଳର ଚିତ୍ରକଳା’ ବହି ଦୁଇକୁ ପୁନଃ ପ୍ରକାଶ କରିବା ଉଚିତ୍ ହୁଅନ୍ତା ।

ଶିଳ୍ପୀ ଗୋପାଳ କାନୁନଗୋଙ୍କର ହୃଦୟ ଖୁବ୍ ଦରଦୀ ଥିଲା । ଯେତିକି ଦରଦୀ ଶିଳ୍ପୀ ଥିଲେ ସେତିକି ଦରଦୀ ମଣିଷ ମଧ୍ୟ ଥିଲେ ସେ । ସାଧାରଣ ଜୀବନର ଦୃଶ୍ୟମାନ ସବୁବେଳେ ତାଙ୍କ ଉପରେ ଗଭୀର ପ୍ରଭାବ ପକାଏ । ଚିତ୍ରରେ ସେ ଆଙ୍କିପକାନ୍ତି ସେସବୁକୁ । କୃଷକ, କୋଇଲାଖଣି, ବୋଝେଇ ଶଗଡ଼, ରିକସାବାଲା, ଦାରିଦ୍ର୍ୟ ପୀଡିତ ମୋଚି ଆଦି ଚିତ୍ର ଭିତରେ ଫୁଟି ଉଠେ ଗରିବ ମେହେନତୀ ମଣିଷ ମାନଙ୍କ ପାଇଁ ଗଭୀର ସମବେଦନା । ଏପଟେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଅଜ୍ଞାତରେ ଅପଚରା ହୋଇ ପଡ଼ି ରହିଥିବା ବହୁ ଶିଳ୍ପୀଙ୍କ ପାଇଁ ବ୍ୟଥିତ ହୋଇପଡେ଼ ତାଙ୍କ ହୃଦୟ । ତେଣୁ ପାରମ୍ପରିକ ଶିଳ୍ପୀ ମାନଙ୍କୁ ଖୋଜି ଲୋଡି ସେମାନଙ୍କର ପରିଚୟ ସହ ତାଙ୍କ ଖୋଦିତ ପ୍ରତିମାର ପ୍ରତିଲିପି ସରକାରଙ୍କୁ ପଠାଇ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦେବା ନିମନ୍ତେ ଆବେଦନ କରିବସନ୍ତି ସେ । ତାଙ୍କ ଦ୍ୱାରା ଯେତକ ସମ୍ଭବ ସବୁମତେ ସେତକ ସାହାଯ୍ୟ ସେ ନିଶ୍ଚୟ କରନ୍ତି । ବିମ୍ବାଧର ବର୍ମାଙ୍କ ଅନ୍ତେ ଯେତେବେଳେ ସମସ୍ତେ ନିଜ ନିଜର ଦୁଃଖ ଜାହିର କରୁଥିଲେ ସେ କହିଥିଲେ, ‘ଏବେ ଝୁରିଲେ କ’ଣ ହେବ? ବଞ୍ଚିଲା ବେଳେ ତ କେହି ପଚାରିଲନି ।’

ଆଧୁନିକ ଶିଳ୍ପୀମାନଙ୍କର ପ୍ରତିମାଶିଳ୍ପ ଗବେଷଣା କାର୍ଯ୍ୟରେ ମଧ୍ୟ କାନୁନଗୋ ଭାରତ ସରକାରଙ୍କ ଦ୍ୱାରା ନିୟୋଜିତ ହୋଇଥିଲେ । ଭାରତ ସରକାରଙ୍କ ଅଧୀନରେ ରିସର୍ଚ୍ଚ କରି ଓଡ଼ିଶାର ଖୋଦନ ଓ ପ୍ରତିମା ଶିଳ୍ପର ପରାକାଷ୍ଠା ବିଷୟରେ ରିପୋର୍ଟ ଦେବାର କାର୍ଯ୍ୟଟି ମଧ୍ୟ କରିଥିଲେ କାନୁନଗୋ । ସ୍କୁଲ୍ ଜୀବନରେ ମାଟିରେ ସରସ୍ୱତୀ, ଗଣେଷ ଅନେକ ତ ତିଆରି କରିଥିଲେ, ପରେ ପୁଣି ଥରେ ଏହି ଗବେଷଣା ଅବସରରେ ବୀର, କରୁଣ, ବୀଭତ୍ସ ରସର ରୂପାୟିତ ମୂର୍ତ୍ତି, ନୃତ୍ୟ, ଗୀତ, ବାଦ୍ୟକାର ମୂର୍ତ୍ତି ମଧ୍ୟରେ ସେ ଦେଖିଲେ ଅତୀତର ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି, ଅସରନ୍ତି ପ୍ରକାଶଭଙ୍ଗୀ ।

ପ୍ରାଚୀନ ଚିତ୍ର ଓ ଭାସ୍କର୍ଯ୍ୟ ପ୍ରତି ତାଙ୍କର ଥିବା ଆଗ୍ରହ ପାଇଁ ହିଁ ସେ ସର୍ବପ୍ରଥମେ ଉତ୍କଳର ପ୍ରାଚୀନତମ ସୀତାବିଞ୍ଝିର ଚିତ୍ରସମ୍ପଦ ରାବଣଛାୟା ଫ୍ରେସ୍କୋକୁ ନକଲ କରି ତା’ର ମୌଳିକତା ଓ ସୌନ୍ଦର୍ଯ୍ୟକୁ ଦୁନିଆ ଆଗରେ ଉପସ୍ଥାପିତ କରିଥିଲେ । ଭାରତ ସରକାରଙ୍କ ଦ୍ୱାରା କଲିକତାରେ ଆୟୋଜିତ ନିଖିଳଭାରତ କଳା ସମ୍ମିଳନୀରେ ଉତ୍କଳର ପ୍ରତିନିଧି ହିସାବରେ ଯୋଗ ଦେଇ ସୀତାବିଞ୍ଝି ର ଭିତ୍ତିଚିତ୍ର ପ୍ରତି ସେ ଆଗ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇଥିଲେ । ସମ୍ମିଳନୀରେ ବଙ୍ଗ ଗଭର୍ଣ୍ଣରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଫେରିବା ପରେ କେନ୍ଦୁଝର ଗଡ଼ ପାଖରେ ଥିବା ସୀତାବିଞ୍ଝି ପାହାଡ଼ର ଭିତ୍ତିଚିତ୍ର ପୁଣି ଥରେ ଦେଖିବାକୁ ଯାଇଥିଲେ ଓ ଭିତ୍ତିଚିତ୍ରର ଗୋଟିଏ ପ୍ରାଥମିକ ନକଲ ତିଆରି କରି ଉତ୍କଳର ଭିତ୍ତିଚିତ୍ର ଶୀର୍ଷକରେ ଏକ ପ୍ରବନ୍ଧ ଲେଖି ‘ଅମୃତବଜାର’ ପତ୍ରିକାରେ ମଧ୍ୟ ପ୍ରକାଶ କରାଇଥିଲେ । ଉତ୍କଳରେଯେଅଜନ୍ତାରସମକକ୍ଷଛବିଅଛି,ତାହାସର୍ବସମକ୍ଷରେପ୍ରମାଣିତକରିଗୋପାଳକାନୁନଗୋହିଁଉତ୍କଳୀୟମାନଙ୍କପାଇଁଏଗୌରବରଅଧ୍ୟାୟକୁଉନ୍ମୋଚନକରିଥିଲେ।ଆମ ମାନଙ୍କ ଉଦାସୀନତା ପାଇଁ ଆଜି ରାବଣଛାୟା ଫ୍ରେସ୍କୋ ପ୍ରାୟ ଲିଭିଆସିଲାଣି । କାନୁନଗୋ ଆଙ୍କିଥିବା ନକଲ ଛବିରେ ହିଁ ଆଗକୁ ରାବଣଛାୟା ଫ୍ରେସ୍କୋ ବଂଚିରହିବ ହୁଏତ ।

ଗୋପାଳ କାନୁନଗୋ ଓଡ଼ିଶାର ସର୍ବପ୍ରଥମ ଶିଳ୍ପୀ ଯିଏ ଭୂଦୃଶ୍ୟ ଚିତ୍ରଣରେ ସର୍ବ ପ୍ରଥମେ ଆଭାସବାଦ ବା ଇମ୍ପ୍ରେସନିଜିମ୍ ର ସୂଚନା ଦେଇଥିଲେ । ପ୍ରସିଦ୍ଧ ଫରାସୀ ଆଭାସବାଦୀ ଶିଳ୍ପୀ ସୁରା ଙ୍କ ପରି ଦୃଶ୍ୟ ଭିତରେ ଥିବା ବିଷୟବସ୍ତୁ ମାନଙ୍କର ରଚନା କରୁଥିଲେ କାନୁନଗୋ । ପ୍ରଥମେ ମେଞ୍ଚା ମେଞ୍ଚା ରଙ୍ଗର ବିନ୍ଦୁ... ବିନ୍ଦୁରୁ ବିସ୍ତୃତି...ଆଉ ସେଇ ବିସ୍ତୃତି ଭିତରେ ଗୋଟି ଗୋଟି କରି ସଂରଚନା ସବୁ । କେତେବେଳ ତୂଳୀ ଅବା କେତେବେଳେ ସ୍ପେଚୁଲାରେ ରଙ୍ଗ ନେଇ ଭୂମି, ବୃକ୍ଷ ଓ ଅନ୍ୟାନ୍ୟ ରୂପ ଅଙ୍କନ ଭିତରେ ଏକ ସାମଗ୍ରୀକ ଛନ୍ଦର ରଚନା ହେଉଥିଲା ଛବିରେ । ପାଖରୁ ଏହି ଚିତ୍ର ସବୁ ବୋଳା ହୋଇଥିବା ରଙ୍ଗ ମେଞ୍ଚାଏ ପରି ଦେଖାଯାଉଥିଲେ ମଧ୍ୟ ଦୂରରୁ କିନ୍ତୁ ପ୍ରକୃତ ଦୃଶ୍ୟ ସହିତ ଥିବା ସାଦୃଶ୍ୟ ସ୍ପଷ୍ଟ ବାରି ହୋଇପଡେ଼ । ରଙ୍ଗର ଏପରି ବ୍ୟବହାରକୁ ଏମ୍ପାଷ୍ଟୋ କୁହାଯାଏ । ତାଙ୍କ ଲେଖାରୁ ବୁଝିହୁଏ, ସେ ଏମିତି ଜଣେ ଶିଳ୍ପୀ ଥିଲେ ଯିଏ ଆକାଶ ଓ ଧରଣୀର ଚିତ୍ରଟିଏ ଆଙ୍କିବା ଭିତରେ ଆକାଶର ବ୍ୟାପ୍ତି ଓ ଧରଣୀର ବିସ୍ତୃତି ଯେମିତି ମନରେ ପ୍ରଶସ୍ତ ଭାବ ସଞ୍ଚାର କରିବ ସେ ସମ୍ପର୍କରେ ସଚେତନ ଥିଲେ ।

ଇମ୍ପ୍ରେସନିଜିମ୍ ସହ କ୍ୟୁବିଜିମ୍ ଶୈଳୀରେ ମଧ୍ୟ କାନୁନଗୋ ଚିତ୍ର ଆଙ୍କିଛନ୍ତି । କ୍ୟୁବିଜିମ୍ ଶୈଳୀରେ ଅଙ୍କିତ ତାଙ୍କ ଚିତ୍ରର ସାମଞ୍ଜସ୍ୟ ଗଗନେନ୍ଦ୍ର ଠାକୁରଙ୍କ ଚିତ୍ର ସହିତ ରହିଛି ବୋଲି ମନେହୁଏ । ଗଗନେନ୍ଦ୍ର ଠାକୁର ହିଁ ଭାରତରେ ପ୍ରଥମକରି ନିଜସ୍ୱ ଧାରାରେ କ୍ୟୁବିଜିମ୍ ବା ଘନବାଦର ପରୀକ୍ଷା କରିଥିଲେ । ଓଡ଼ିଶାରେ କାନୁନଗୋ ଘନବାଦର ପ୍ରାଥମିକ ପରୀକ୍ଷା କରିଥିଲେ ମଧ୍ୟ ପରେ ଅଜିତ କେଶରୀ ରାୟ ତାକୁ ଆଗକୁ ନେଇଥିଲେ । ‘ପ୍ରେମ ଓ ପ୍ରତିମା’, ‘ମୃତ୍ୟୁସୁରା’ ଆଦି କ୍ୟୁବିଜିମ୍ ଶୈଳୀରେ ଅଙ୍କିତ ଚିତ୍ର କେତୋଟି କାନୁନଗୋଙ୍କର ରହିଛି । ଜୀବନ ଦର୍ଶନର ଗୁଢ଼ ରହସ୍ୟକୁ ଚିତ୍ରରେ ପ୍ରକାଶ କରିଛନ୍ତି ଶିଳ୍ପୀ । ତାଙ୍କ ଶବ୍ଦରେ, ‘ଜୀବନର ସୁରା ପିଇ ଯେ ବିଭୋର ହୋଇଛି, ସେ ମୃତ୍ୟୁସୁରାକୁ ନିର୍ଭୀକ ଭାବରେ ଗ୍ରହଣ କରୁ ।’ ଅତ୍ୟାଧୁନିକ ଚିତ୍ର ରଚନା ଦିଗରେ ଏହା ତାଙ୍କର ପ୍ରଥମ ପଦକ୍ଷେପ । ବର୍ତ୍ତମାନ କରୋନା ପରିପ୍ରେକ୍ଷୀରେ କେତେ ସତ ନଲାଗୁଛି ସତେ ତାଙ୍କର ଏ ଜୀବନ ଓ ମୃତ୍ୟୁର ଦର୍ଶନ! ଆଜିର ଶିଳ୍ପୀମାନଙ୍କ କାର୍ଯ୍ୟରେ ହୁଏତ ନିପୁଣତା ଅଛି କିନ୍ତୁ କାହିଁ ଏ ଗଭୀରତା? କେଉଁଠି ଅଛି ଜୀବନର ସ୍ପନ୍ଦନ ଅବା ମୃତ୍ୟୁକୁ ଗ୍ରହଣ କରିବାର ଆହ୍ୱାନ?

ଗୋପାଳ କାନୁନଗୋଙ୍କର ଜଳରଙ୍ଗରେ ଅଙ୍କିତ ‘ନବବସନ୍ତ’ ଚିତ୍ରଟି ଖୁବ୍ ପ୍ରସିଦ୍ଧ ଓ ଲୋକପ୍ରିୟ । ପରିତ୍ୟକ୍ତ ଆଦିବାସୀ ଜୀବନର ବାସ୍ତବତା, ଅରଣ୍ୟ ଶୋଭାର ଐନ୍ଦ୍ରଜାଲିକ ରହସ୍ୟ, ପ୍ରସ୍ଫୁଟିତ ପୁଷ୍ପ ଗଭାରେ ଦେବାକୁ ଉଦ୍ୟତ ପ୍ରାପ୍ତଯୌବନା ରମଣୀ ଭିତରେ ଯେଉଁ ସମନ୍ୱୟ ଓ ସଙ୍ଗତି ପରିଦୃଷ୍ଟ ହୋଇଛି ତାହା ହିଁ ଦେଖିବାର କଥା । ଶିଳ୍ପୀଙ୍କ ମତରେ; ‘ଚିତ୍ରରେ ଅଙ୍କିତ ରମଣୀ ହୁଏତ ପ୍ରୌଢ଼ାବସ୍ଥାରେ ପଦାର୍ପଣ କରିଥିବ, କିନ୍ତୁ ଚିତ୍ରସ୍ଥିତ ସୁଷମା କାଳକୁ ପ୍ରତାରଣା କରି ଅକ୍ଷୁର୍ଣ୍ଣ ରହିଛି । ସମୟକୁ ଏମିତି ପ୍ରତିହତ କରିପାରେ ବୋଲି କୁହାଯାଏ କଳା ଅମର ।’ ତାଙ୍କ ପ୍ରସିଦ୍ଧ ‘ଅଶୋକ ଓ ଉପଗୁପ୍ତ’ ଜଳରଙ୍ଗର ଛବିରେ ପରମ କାରୁଣିକ ବୁଦ୍ଧଙ୍କର କରୁଣା ବିଷୟରେ ଅଶୋକଙ୍କୁ ଉପଦେଶ ଦେଉଛନ୍ତି ଉପଗୁପ୍ତ ।

କାନୁନଗୋଙ୍କର ‘ବୋଇତବନ୍ଦାଣ’ ଚିତ୍ରରେ ବହୁ ନରନାରୀଙ୍କର ଚମତ୍କାର ପରିପାଟୀ, ପ୍ରାଚୀନ ବେଶଭୂଷା, ନୌକା, ପାଲ, ବନ୍ଦର, ଚିତା ଓ ସର୍ବୋପରି କର୍ମତତ୍ପରତାର ପରିକଳ୍ପନା ରହିଛି । ଏହି ଚିତ୍ର ଓ ଶିଳ୍ପୀଙ୍କର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ମୋଚି, ବଢେଇ, କୁମ୍ଭାର, ଦୁଗ୍ଧ ଦୋହନ, ଯୋଗୀର କେନ୍ଦରା ଆଦି ପ୍ରକାଶିତ ସ୍କେଚ୍ ଗୁଡ଼ିକରୁ ସେ କର୍ମର ଗୌରବ ପ୍ରତି କେତେ ଗୁରୁତ୍ୱ ଦେଉଥିଲେ ତାହା ସ୍ପଷ୍ଟ ଜଣାପଡେ଼ । ପ୍ରାଚୀନ ଉତ୍କଳର ବର୍ହିବାଣିଜ୍ୟକୁ ମନେ ପକାଇ ଦେଉଥିବା ଏହି ଚିତ୍ରଟିକୁ ନିଖିଳ ବଙ୍ଗ ସାହିତ୍ୟ ସମ୍ମିଳନୀରୁ ଓଡ଼ିଶାର ଗଭର୍ଣ୍ଣର କିଣି ଆଣିଥିଲେ । ଛବିଟି ଓଡ଼ିଶା ରାଜଭବନରେ ରହିଛି ।

୧୯୪୭ ମସିହାରେ ନିଖିଳ ଉତ୍କଳ ଚିତ୍ର ପ୍ରଦର୍ଶନୀରେ ଶିଳ୍ପୀ ନିଜର ରେଖାଚିତ୍ର ମାନଙ୍କ ନିମନ୍ତେ ପ୍ରଥମ ପୁରସ୍କାର ପାଇଥିଲେ । ଅଧିକାଂଶ ରେଖାଚିତ୍ର ତାଙ୍କର କର୍ମମୟ ଜୀବନର ପରିପ୍ରକାଶ । ପୌରାଣିକ ଚରିତ୍ର ଅପେକ୍ଷା କୃଷକ ଓ ଶ୍ରମିକ ଜୀବନର ଶ୍ରମ ଗୌରବ ତାଙ୍କୁ ଅଧିକ ଅନୁପ୍ରାଣିତ କରିଛି । ଏତଦ୍ ବ୍ୟତୀତ ଅନେକଙ୍କର ସ୍କେଚ୍ ମଧ୍ୟ ସେ ଆଙ୍କିଛନ୍ତି । ଜନସେବକ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, କବି ବୈକୁଣ୍ଠନାଥ, ସାହିତି୍ୟକ ବଳଭଦ୍ର ବହିଦାର, କବି ରାଧାମୋହନ ଗଡ଼ନାୟକ, ଅନନ୍ତ ପ୍ରସାଦ ପଣ୍ଡା, କଥାଶିଳ୍ପୀ ନିତ୍ୟାନନ୍ଦଙ୍କସମେତ ଦେଶର ବହୁ ଲବ୍ଧପ୍ରତିଷ୍ଠିତ କବି, ଲେଖକ, ଜନସେବକମାନଙ୍କର ସ୍କେଚ୍ ଖୁବ୍ କମ୍ ଭିତରେ ଆଙ୍କିବା ଭିତରେ କେବଳ ସାଦୃଶ୍ୟ ନୁହେଁ ସେମାନଙ୍କ ପ୍ରକୃତ ଚରିତ୍ରର ପ୍ରତିଫଳନ କରି ନିଜ ଉତ୍କର୍ଷତା ପ୍ରତିପାଦିତ କରିଯାଇଛନ୍ତି । ରେଖାଚିତ୍ର, ସ୍କେଚ୍ ବ୍ୟତୀତ ସେ ବିଜ୍ଞାପନ ମଧ୍ୟ ଆଙ୍କିଛନ୍ତି ଓ ସେଥିଲାଗି ପୁରସ୍କାର ବି ପାଇଛନ୍ତି । ଯାନବାହନ ଯୋଗାଣ ବିଭାଗର ବିଜ୍ଞାପନ ଚିତ୍ର ଆଙ୍କି ସ୍ମାରକ ଚିତ୍ରଣରେ ପ୍ରଥମ ପୁରସ୍କାର ମିଳିଥିଲା ତାଙ୍କୁ । ସର୍ବୋଦୟ ନିମନ୍ତେ ତାଙ୍କ ଅଙ୍କିତ ‘ପୁରାଣପାଠ’, ‘ଅଭିମନ୍ୟୁ’, ‘ଜୟଦେବ’ ଓ ‘ପଦ୍ମା’ ଏବଂ ‘ଚୀନ୍ ଦରବାରରେ ପ୍ରାଜ୍ଞ’ ଆଦି ବଡ଼ ବଡ଼ ଜଳରଙ୍ଗର ଚିତ୍ରଗୁଡ଼ିକ ରାଜଭବନ ଓ ଅନ୍ୟାନ୍ୟ ସରକାରୀ ଦପ୍ତରରେ ଏବେବି ରହିଛି । କାନୁନଗୋ ପ୍ରାଚୀନକାଳର ପଦ୍ମାବତୀ–ଜୟଦେବଙ୍କର ପାଣିଗ୍ରହଣ, ଚନ୍ଦ୍ରଶେଖର ସାମନ୍ତସିଂହଙ୍କ ନକ୍ଷତ୍ରଗଣନାକୁ ରୂପ ଦେବା ସହ ରୂପ ଦେଇଛନ୍ତି ବି ତାଙ୍କ ସମୟର ଦୋଳଯାତ୍ରାକୁ । ଉତ୍କଳର ସର୍ବପ୍ରାଚୀନ ଫ୍ରେସ୍କୋ ରାବଣଛାୟାକୁ ନକଲ କରିବା ସହ ସେ ସମୟର ଭାଗବତ ଟୁଙ୍ଗିରେ ଭାଗବତ ପାଠକୁ ବି ଚିତ୍ରିତ କରିଛନ୍ତି । ଅତୀତ-ବର୍ତ୍ତମାନ ଭିତରେ ସେ ଏକ ଅଦ୍ଭୁତ ସମନ୍ୱୟ ରଖିଛନ୍ତି ସବୁବେଳେ । ଅତୀତ ଓ ବର୍ତ୍ତମାନ ଉଭୟକୁ ନେଇ ବର୍ଣ୍ଣମୟ ହୋଇଉଠିଛି ତାଙ୍କ ଚିତ୍ର ଜଗତ । ଉଭୟକୁ ନିରେଖି ଚାହିଁଛନ୍ତି ଓ ରଙ୍ଗ ତୂଳୀରେ ରୂପ ଦେଇଛନ୍ତି ।

ନଗର ଓ ପଲ୍ଲୀ ଉଭୟରେ ରୂପର ସନ୍ଧାନ କରିବାକୁ ମନ ତାଙ୍କର ବ୍ୟାକୁଳ ହୋଇଛି ସବୁବେଳେ । ପଲ୍ଲୀ ଜୀବନର ନଈ, ବିଲ, ବଣ, ନଈକୂଳର ଧାଡ଼ି ଧାଡ଼ି ତାଳଗଛ, ଚଷାପୁଅ, ଗଉଡ଼, ଭାଗବତ ଟୁଙ୍ଗି ସବୁ ତାଙ୍କ ମନରେ ଗଭୀର ରେଖାପାତ କରିଛି । ଗାଁ ଭୂଇଁରେ ରଙ୍ଗର ସମାରୋହ, ଛାଇ-ଆଲୁଅର ଖେଳ, କୌତୁକ, ଧାଡ଼ି ଧାଡ଼ି ଘର ଉପରେ ଆଲୁଅର ପ୍ରତିଫଳନ, ଗାଁ ର ଭଙ୍ଗା କାନ୍ଥ, ନଡ଼ିଆ ଗଛର ଛାଇ, ଜଳରାଶିର ଚାଞ୍ଚଲ୍ୟ ଓ ଅଦ୍ଭୁତ ବର୍ଣ୍ଣବୈଭବର ସେଇ ଅନିର୍ବଚନୀୟ ସୌନ୍ଦର୍ଯ୍ୟ ସବୁ ପରେ ରୂପାୟିତ ହୋଇଛି ଶିଳ୍ପୀଙ୍କର ଚିତ୍ରରେ । ଗାଁର ଧାଡ଼ି ଧାଡ଼ି ଘର ଭିତରେ ଯେଉଁ ଜାଗାଟିରେ ନଡ଼ିଆ ଗଛର ପତ୍ର ସବୁ ଛାଇ ଆଲୁଅର ଖେଳ ଖେଳନ୍ତି ସେଇ ଜାଗାଟିକୁ ସେ ଅନେକ ଥର ଖୋଜିଛନ୍ତି । ବିଭିନ୍ନ ଜାଗାରେ ବହୁବାର ଠିଆ ହୋଇ ଠିକ୍ ସେହି ଜାଗାଟିକୁ ବାଛିବାକୁ ଚେଷ୍ଟା କରିଛନ୍ତି । ଶେଷରେ ପାଇଛନ୍ତି ବି । ବାଲ୍ୟ କାଳର ସ୍ମୃତି ସମ୍ବଳିତ ସେଇ ଚିତ୍ରଟିକୁ ଖୁବ୍ ସରାଗରେ ଆଙ୍କିଛନ୍ତି ଥରେ । କିନ୍ତୁ ସେଇ ଚିତ୍ରଟିକୁ ଏଇ ଦେଶରେ କେହି ପ୍ରଶଂସା କରନ୍ତିନି ବୋଲି ତାଙ୍କ ମନ ଭିତରେ କେଉଁଠି ଠାଏ ଦୁଃଖ ରହିଯାଇଥିଲା । ଛବିଟି କିନ୍ତୁ ୧୯୩୪ ରେ ବାର୍ଷିକ କଳା ପ୍ରଦର୍ଶନୀ କଲିକତାରେ ଓ ଚିନସୁରାରେ ପୁରସ୍କୃତ ହୋଇଥିଲା । ଏତକରୁ ସେ ବୁଝିଥିଲେ, “ପ୍ରକୃତିର ସମ୍ମୁଖୀନ ହୋଇ ଉଜ୍ଜ୍ୱଳ ବର୍ଣ୍ଣବିନ୍ୟାସକୁ ଧରିବା ପାଇଁ ଯତ୍ନ କରିବାରେ ଯେଉଁ ଆନନ୍ଦ ଅଛି – କକ୍ଷ ମଧ୍ୟରେ ଆବଦ୍ଧ ହୋଇ ଚିତ୍ରାଙ୍କନ କରିବାରେ ସେ ଆନନ୍ଦ ମିଳିପାରିବ ନାହିଁ । ବୋଧହୁଏ ଏଇ କାରଣରୁ ଫ୍ରାନ୍ସର ଇମ୍ପ୍ରେସନିଷ୍ଟ୍ ମାନେ ଷ୍ଟୁଡିଓ ଛାଡ଼ି ପଦାକୁ ବାହାରି ଆସିଲେ ପ୍ରକୃତିର ସତ୍ୟ ନିକଟକୁ ।”

ପୁରସ୍କାର ଓ ପଦବୀ ସବୁବେଳେ ମିଳିଥିଲା ଶିଳ୍ପୀ ଗୋପାଳ କାନୁନଗୋଙ୍କୁ । ଜଣେ ଶିଳ୍ପୀ, ଅନିସନ୍ଧିତ୍ସୁ ଓ ଦରଦୀ ମଣିଷ ହୋଇଥିବା କାରଣରୁ ସେ ଏ ଅବସର ସବୁର ଭରପୁର ବିନିଯୋଗ କରିଥିଲେ । ଚିତ୍ର ଶିକ୍ଷକ ହୋଇ ପିଲାମାନଙ୍କର ଉତ୍ତରଣ ପାଇଁ ଯଥାସମ୍ଭବ ପ୍ରଚେଷ୍ଟା କରିଥିଲେ; ଆୟୋଜିତ କରିଥିଲେ ପ୍ରଦର୍ଶନୀ, କରିଥିଲେ ବି ଚିତ୍ର ଓ ପତ୍ରିକା ପ୍ରକାଶନ । ଓଡ଼ିଶା ଲଳିତକଳା ଆକାଡେମିର ପ୍ରଥମ ଉପ ସଭାପତି ଭାବରେ ଆୟୋଜିତ କରିଥିଲେ ପାରମ୍ପରିକ ଲୋକକଳା ପ୍ରଦର୍ଶନୀ(୧୯୭୦) ଓ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ(୧୯୬୧), ଦେଇଥିଲେ ପୁରସ୍କାର ଓ ସମ୍ମାନ କେତେ ନା କେତେ ଶିଳ୍ପୀଙ୍କୁ, କଣ୍ଟେମ୍ପରାରୀ ଆର୍ଟ ଗ୍ୟାଲେରୀର ସ୍ଥାପନା କରିଥିଲେ ରାଜ୍ୟ ସଂଗ୍ରାହଳୟରେ, ଲେଖିଥିଲେ ବି ସାଂସ୍କୃତିକ ଜୀବନ ଉପରେ । ଏମିତି କେତେ ନା କେତେ ଅସରନ୍ତି କାମର ତାଲିକା... । ଆଜି ଆମେ ଯେଉଁ ପରିଚିତ ଓଡ଼ିଶା ଲଳିତକଳା ଆକାଡେମି ର ଲୋଗୋ ଦେଖୁଛନ୍ତି, ସେଇଟିକୁ ବି ଗୋପାଳ କାନୁନଗୋ ତିଆରି କରିଥିଲେ । ଓଡ଼ିଶାର ମନ୍ଦିରରେ ବହୁଳ ବ୍ୟବହୃତ ସିଂହ ଓ ହାତୀ ଭାସ୍କର୍ଯ୍ୟର ଅଙ୍କନ ଶୈଳୀକୁ ବ୍ୟବହାର କରି ସେଇ ଚମତ୍କାର ଡିଜାଇନ୍ ଟି ପ୍ରସ୍ତୁତ କରିଥିଲେ ସେ ।

ସମସ୍ତଙ୍କ ପାଇଁ ସବୁବେଳେ ଚିନ୍ତା କରୁଥିବା ଏହି ମହାନ୍ ଚିତ୍ରଶିଳ୍ପୀ ୧୩ ମାର୍ଚ୍ଚ, ୧୯୭୧ରେ ଭୁବନେଶ୍ୱର ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଶାର କଳା ପାଇଁ ସାରା ଜୀବନକୁ ଉତ୍ସର୍ଗ କରିଥିଲେ ମଧ୍ୟ ପ୍ରତିବଦଳରେ ରାଜ୍ୟ ତାଙ୍କୁ କିଛି ଫେରାଇ ପାରିନି । ନା ତାଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ଖଣ୍ଡେ ଅଛି ନା ଅଛି ତାଙ୍କ ଚିତ୍ରକଳା ସମ୍ପର୍କରେ କିଛି ଆଲୋଚନା । ଏକଦା ଓଡ଼ିଶା ମାଟିରେ ଏମତି ଜଣେ ଶିଳ୍ପୀ ଥିଲେ, ଏକଥା ଅନେକ ଆଜି ଜାଣିବି ନାହଁନ୍ତି ।

ଜହ୍ନମାମୁଁ ସାହିତ୍ୟର ପ୍ରସଙ୍ଗ ନା ବିଜ୍ଞାନର ପ୍ରସଙ୍ଗ

ମୁଁ ଯେବେ ବି ସେଠିକୁ ଯାଏ ପିଲାଏ ଅନେଇ ରହିଥାଆନ୍ତି ତାଙ୍କ ସହ କିଛି ସମୟ ବିତେଇବି ବୋଲି। ଅଳ୍ପ କେ‌ଇ ଘଣ୍ଟାରେ ତାଙ୍କ ମନ ଭରେନି, କିଛି ଦିନ ରହିବାକୁ ହୁଏ ମୋତେ। ଅନ୍ତତଃ ୧୫, ୨୦ ଦିନ କି ମାସେ। ମୁଁ କେବେ ବି ପୂର୍ବରୁ କିଛି ବିଧିବଦ୍ଧ ଯୋଜନା କରିନଥାଏ, ସେମାନଙ୍କ ଆଗ୍ରହକୁ କେବଳ ବାଟ କଢେଇନିଏ। ବିଗତ ଛଅ ବର୍ଷ ହେଲା ମୁଁ ସେଠାରେ ବିକଳ୍ପ ଶିକ୍ଷଣର ପ୍ରୟୋଗ ପାଇଁ କାମ କରିଆସୁଥିଲେ ବି ସବୁବେଳେ ସମୟ ଦେଇପାରେନି। ପିଲାଙ୍କ ସହ ମିଶି ତାଙ୍କ ଅନୁସାରେ ଯୋଜନାଟିଏ ସିନା ମୁଁ ପ୍ରସ୍ତୁତ କରିଦିଏ, କାର୍ଯ୍ୟକାରୀ କରନ୍ତି କିନ୍ତୁ ସେଠାକାର ଶିକ୍ଷକମାନେ। ଯେତେ ଯାହା ପଦ୍ଧତିଗତ ପରିବର୍ତ୍ତନ କଲେ ବି ଜଣେ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ‘ପିଲାଏ କିଛି ଜାଣନ୍ତି ନାହିଁ ତାଙ୍କୁ ଘୋରି ପିଆଇଦେବା ଦରକାର’ ଧାରଣା ଭିତରୁ ମୁକୁଳିବାକୁ ଚାହାନ୍ତି ନାହିଁ। ମୁଁ ରହିବା ଦିନ ତକ ଶିଖେଇ ଶିଖେଇ ଅଣନିଶ୍ୱାସୀ କରିପକାଉଥିବା ସେଇ ଶିକ୍ଷକମାନଙ୍କ ଦାଉରୁ ମୁକ୍ତି ମିଳେ ବୋଲି ପିଲାଙ୍କ ଖୁସି କହିଲେ ନସରେ।

ଦୁଇ ଦିନ ପୂର୍ବରୁ ଟିକିଏ ଭିନ୍ନ ପ୍ରକାରର ଚାଲିଥିଲା କ୍ଲାସ । ସକାଳ ସାଢ଼େ ସାତରେ ବଡ଼ ସାନ ସମସ୍ତେ ଏକାଠି ହେଉଥିଲେ ଆଠଟା ରୁମ ଥିବା ଗୋଟେ ଗୋଲାକାର ବିଲଡିଙ୍ଗ ରେ । ‘କ’ ଦଳ ମୋ ସାଙ୍ଗରେ ପଡିଆକୁ ଆସ ବା ‘ଖ’ ଦଳ ମୋ ପାଖକୁ ଆସ କହି ଡାକିନିଅନ୍ତି ବଡ଼ମାନେ । ସେତେବେଳେ ସମୁଦାୟ ଚାରୋଟି ଦଳରେ ବିଭକ୍ତ କରାଯାଇଥିଲା ପିଲାଙ୍କୁ । ମୁଁ ସେଦିନ ଦୁଇଟି ଦଳର ପିଲାଙ୍କୁ ମୋ ପାଖକୁ ଆସିବାକୁ କହିଲି । ସେମାନେ ଖୁସି ହୋଇ ଦଉଡି ଆସି ମୋ ଚାରିପାଖେ ମହୁ ମାଛି ପରି ଘେରିଯାଇ ପଚାରିଲେ, “ତୁ ସତରେ ଆମ କ୍ଲାସ୍ ନେବୁ ତ? ମୁଁ ‘ହଁ’ ଭରିଲାରୁ ଦଉଡ଼ାଦଉଡ଼ି କରି ଯାଇ ନିଜ ବହି ଖାତା ଧରି ମୋ ପାଖକୁ ଫେରି ଆସିଲେ ।

ଦୁଇଟି ଦଳର ପିଲାମିଶି ହେଲେ ସମୁଦାୟ ବାଇଶି ଜଣ । ସେମାନଙ୍କର ବୟସ ପୁଣି ଆଠରୁ ତେର ବର୍ଷ ଯାଏଁ । ଭାରତରେ ପ୍ରଚଳିତ ଗତାନୁଗତିକ ଶିକ୍ଷା ବ୍ୟବସ୍ଥା ଅନୁସାରେ ସେମାନେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପଢୁଥିବା ପିଲା । ଅର୍ଥାତ୍ ଛଅଟି ଶ୍ରେଣୀର ପିଲା ପାଖାପାଖି ଏକାଠି ବସିଲେ ।

ମୁଁ ଓ ମୋର ଜଣେ ସହଯୋଗୀ ଶିକ୍ଷକ ଏବଂ ସମସ୍ତ ପିଲା ଗୋଲ କରି ବସିଗଲୁ ବିଲଡିଙ୍ଗ୍ ମଝିରେ ଥିବା ସେଇ ଖୋଲା ପ୍ରାଙ୍ଗଣ ଚାରିକଡରେ । ପ୍ରଥମେ କିଛି ଗୋଟେ ଖେଳ ଖେଳିବା ଲାଗି ପିଲାଙ୍କର ଆଗ୍ରହ ଦେଖି ମୁଁ ପଣ୍ଡିତ ଖେଳଟି ଆରମ୍ଭ କଲି । ଭାଷାର ମାଧ୍ୟମ କିନ୍ତୁ ଇଂରାଜୀ ଥିଲା ଖେଳର । (ପଣ୍ଡିତ ଖେଳର କେତୋଟି ନିୟମ ଥାଏ, ଯେମିତିକି ଖେଳରେ ଜଣେ ପଣ୍ଡିତେ ରହିବେ ଓ ସେ ଅନ୍ୟମାନଙ୍କୁ ପଣ୍ଡିତେ କହିଲେ ଅମୁକ କର କିମ୍ବା ସମୁକ କର କହି ନିର୍ଦ୍ଦେଶ ଦେବେ । ପଣ୍ଡିତେଙ୍କ ନିର୍ଦ୍ଦେଶ ଅକ୍ଷରେ ଅକ୍ଷରେ ଅଂଶଗ୍ରହଣକାରୀଙ୍କୁ ମାନିବାକୁ ପଡ଼ିବ । ଭୁଲ୍ ହେଲେ ଖେଳରୁ ବାହାରି ଯିବାକୁ ହେବ । ପଣ୍ଡିତେ କହିଲେ ବାଁ କାନ ଧର, ପଣ୍ଡିତେ କହିଲେ ଡାହାଣ ଆଖି ବନ୍ଦ କର, ଦୁଇ ହାତ ଉପରକୁ ଉଠାଅ । ଅଂଶଗ୍ରହଣକାରୀମାନେ ନିର୍ଦ୍ଦେଶ ମୁତାବକ ବାମ କାନ ଧରିଲେ,ଡାହାଣ ଆଖି ବନ୍ଦ କଲେ । କିନ୍ତୁ ଯେଉଁମାନେ ଉପରକୁ ଦୁଇ ହାତ ଉଠାଇଲେ ସେମାନେ ଖେଳରୁ ବାହାରି ଯିବେ । କାରଣ ଏହି ନିର୍ଦ୍ଦେଶ ପୂର୍ବରୁ ପଣ୍ଡିତେ କୁହାଯାଇନଥିଲା । ଏହାଛଡା ଖେଳାଉଥିବା ପଣ୍ଡିତେ ମଧ୍ୟ ମଝିରେ ମଝିରେ ନିଜ ନିର୍ଦ୍ଦେଶର ଓଲଟା କାମଟି କରି ଅଂଶଗ୍ରହଣକାରୀମାନଙ୍କୁ ଅସୁବିଧାରେ ବି ପକାଇ ଦିଅନ୍ତି । ପଣ୍ଡିତେ କହିଲେ ବାଁ କାନ ଧର କହି ନିଜେ ଡାହାଣ କାନ ଧରନ୍ତି । ତାଙ୍କ ଦେଖାଦେଖି ଡାହାଣ କାନ ଧରିଥିବା ଅଂଶଗ୍ରହଣକାରୀଙ୍କୁ ଖେଳରୁ ବାହାରି ଯିବାକୁ ହୁଏ ।

ସେଦିନ ଖେଳରେ ମୁଁ ପଣ୍ଡିତ ହୋଇ ଖେଳ ଆରମ୍ଭ କଲି । ମୋ ପରି ଆମ ଗାଁ ଗହଳର ପିଲାଏ ବି ଇଂରାଜୀ ଭାଷାକୁ ଏତେ ଭଲ ପାଆନ୍ତିନି, ଟିକେ ଡରନ୍ତି । ଶିକ୍ଷକ, ଅଭିଭାବକ ଓ ସମାଜ ଆମ ଭିତରେ କେଉଁଠି ଠାଏ ପିଲାଦିନରୁ ଇଂରାଜୀ ଜାଣିବା ନିହାତି ଜରୁରୀ ବୋଲି ଭର୍ତ୍ତି କରିଦେଇଛନ୍ତି । ସେମାନେ ହୁଏତ ଭୁଲି ଯାଇଥାଆନ୍ତି, ପିଲାମାନଙ୍କୁ ଯାହା କରିବାକୁ କୁହାଯାଏ ସେମାନେ(ଏକ୍ସଟ୍ରୋଭର୍ଟ ହୋଇଥିଲେ) ତାହାର ଠିକ୍ ଓଲଟା କରନ୍ତି ନହେଲେ ଆଦୌକରନ୍ତି ନାହିଁ ନଚେତ୍ (ଇଣ୍ଟ୍ରୋଭର୍ଟ( ହୋଇଥିଲେ) ଶିଖିବାକୁ ଚେଷ୍ଟା କରୁ କରୁ ଡରିବା ଆରମ୍ଭ କରନ୍ତି । ଏସବୁ ସାଙ୍ଗକୁ ଇଂରାଜୀ ଶିକ୍ଷାର ମାନ ଓ ବିଦେଶୀ ଭାଷା କହିବାର ଆବଶ୍ୟକୀୟ ପରିବେଶ ଅଭାବକୁ ଅଣଦେଖା କରି ଭଲ ଇଂରାଜୀ କହିବା ଓ ଲେଖିବା ପାଇଁ ବାଧ୍ୟବାଧକତା ବପିଲାଙ୍କ ମନରେ ଭାଷା ପ୍ରତି ସ୍ୱତଃ ଭୟ ଓ ବିରକ୍ତି ତିଆରି କରିଛି ।)ତେଣୁ ସେଦିନ ଇଂରାଜୀ ଭାଷା ପ୍ରତି ଉଦାସୀନ ଏହି ପିଲାମାନଙ୍କୁମୁଁleft କହିଲା ବେଳକୁ କିଏ right ବୁଝୁଥାଏ ତ କିଏ right ବେଳେ left। ଖେଳଟିରେ ମୁଁ କେବଳ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଚିହ୍ନାଇବାକୁ ସୂଚନା ଦେଉଥାଏ । thigh, knee କି upper lipର ସୂଚନା ଦେବାବେଳେ କିଏ ୟାକୁ ତାକୁ ଅନାଉଥାଏ ତ କିଏ ଦ୍ୱନ୍ଦରେ କିଛି କରିନପାରି ଠିଆ ହୋଇ ଯାଉଥାଏ । ଆଉ କିଏ ମୁଁ ଭୁଲ୍ ଭାଲ୍ କରି ଦେଖାଉ ଥିବା ସୂଚନା ଗୁଡିକୁ ଦେଖି ଭୁଲ୍ କରିପକାଉଥାଏ । ସବୁଠୁ ଖୁସିର କଥାଟି ହେଲା, ଶେଷ ଯାଏଁ ଯେଉଁ ପିଲାଟି ସବୁ ସୂଚନାକୁ ଠିକ୍ ଠିକ୍ ଭାବେ ଦର୍ଶାଇ ରହିଥିଲା, ସେ ଥିଲା ସବୁଠୁ ସାନ ଏଜ୍ ଗ୍ରୁପ୍ ର ଅର୍ଥାତ୍ ଆଠ ବର୍ଷର ଜାନ୍ ।

ଖେଳ ସରୁସରୁ କିଛି ପିଲା ଝରକା ବାଟେ ବାହାରକୁ ଅନେଇଥିବାର ଦେଖି ପଚାରିଲି; “କଣ ସବୁ ଦିଶୁଛି କି ବାହାରେ?” ସମସ୍ତେ ଏକସଙ୍ଗେ କହିଉଠିଲେ; “ଘାସ, ସବୁଜ ଗଛ, ବଡ ବଡ ଗଛ, ବୁଦା ଗଛ, ଇତ୍ୟାଦି”। ଏବଂ ନିଜ ନିଜ ଭିତରେ ଟଣାଓଟରା ଲାଗିସାରି ସବା ଶେଷରେ ମୋତେ ଏକାସଙ୍ଗେ ଯେଉଁଟା କହିଲେ ସେଇଟା ଥିଲା “ସବୁଜ ଗଛ”। ମୋର ପରବର୍ତ୍ତୀ ପ୍ରଶ୍ନ ଥିଲା “ଆମର ଯେମିତି parts of body କୁ ଚିହ୍ନାଇଲ ଗଛର ବି କଣ ସେମିତି ଅଛି?” ସମସ୍ତେ ଜୋରରେ ‘ହଁ’ ବୋଲି କହିଲାରୁ ଆମେ ସମସ୍ତେ ସେଇ ଗୋଲରେ ବସି ଗୋଟିଏ ଲେଖାଏଁ ଗଛର ଅଙ୍ଗପ୍ରତ୍ୟଙ୍ଗ ନାଁ କହିଚାଲିଲୁ । ଜଣେ କହିଥବା ଶବ୍ଦକୁ କେହି ପୁନରାବୃତ୍ତି କରୁନଥାନ୍ତି । କେହି ଯଦି ଭୁଲ୍‌ରେ ବି ପୁନରାବୃତ୍ତି କରିଦେଉଥାଏ, ଅନ୍ୟମାନେ “ଏଇଟା ସରିଛି” କହି ଚିଲ୍ଲାଉଥାନ୍ତି । ତେଣୁ ମୋତେ ଆଉ ଖେଳର ନିୟମଟେ ତିଆରି କରି “ଏଇ ସବୁ କଥା ହେବନି” ବୋଲି କହିବାକୁ ପଡ଼ିଲାନି । ଗଛ ବିଷୟରେ କଥା କହିବାର ଏହି ଅବସରଟି ପାଇବା ଭିତରେ ଶବ୍ଦ ବିଷୟରେ କିଛି ଧାରଣା ଆସିଗଲା ସମସ୍ତଙ୍କର।ଏଥର ସମସ୍ତେ ସାଙ୍ଗ ହୋଇ ବସିଗଲୁ ଗଛ ସମ୍ପର୍କିତ ଶବ୍ଦ ସବୁ ଲେଖିବାରେ, ଦଶ ମିନିଟ୍ ଭିତରେ ସର୍ବାଧିକ ଏକାଅଶୀଟି ଶବ୍ଦ ଯାଏଁ ପିଲାଏ ଲେଖିଥିଲେ । କେତେ ଶବ୍ଦ ଲେଖିଲେ ସେଇଟା ଯେତେ ଗୁରୁତ୍ୱପୂର୍ଣ୍ଣ ନଥିଲା, ତାଙ୍କର ଆଗ୍ରହରେ ଲାଗିରହିବାଟା ସେତେ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଲେଖିସାରିବା ପରେ ଆରମ୍ଭ ହେଲାନିଜ ଲେଖାକୁ ପଢିବାର ପର୍ଯ୍ୟାୟ।ନିଜେ ଲେଖିଥିବା କଥାଟିକୁ ନିଜେ ଯେମିତି ପଢିହୁଏ ଅନ୍ୟ ଜଣେ ସେମିତି ପଢିପାରେନି । କେତେବେଳେ ନିଜେ ଲେଖିଥିବା ଶବ୍ଦଟି ଅଚିହ୍ନା ଲାଗେ ବୋଲି ପଢିବାରେ ଭୁଲଭାଲ ହୋଇଯାଏ ତ କେତେବେଳେ ଅପରିଚିତ ଥିବା ଶବ୍ଦ ହାବୁଡରେ ପଡିଲେ ବି ଠିକ୍ କରି ପଢି ହୋଇଯାଏ । ଅନେକ ସମୟରେ ମୁଁ ଦେଖିଛି ଗୋଟିଏ ପିଲା ସବୁତକ ଶବ୍ଦର ବନାନ ଭୁଲ୍ (ଆମ ହିସାବରେ) ଲେଖିଥିଲେ ବି ଖୁବ୍ ସହଜରେ ଆମ ବୁଝିବା ପରି ପଢିଦେଇପାରେ । ଆଉ କିଏ ପଢିଲେ ହୁଏତ ସେଥିରୁ କିଛି ବି ବୁଝିପାରିବନି । ଶିକ୍ଷକଙ୍କ ହାତରେ ଯଦି ସେଇ ଖାତାଟି ପଡ଼େ ତେବେ ଖାତା ସାରା ନାଲି ଗାର ଭର୍ତ୍ତି ହେବା ସାର ହେବ । ଆଉ ନମ୍ବର ଯଦି ଦିଆଯାଉଥାଏ ତେବେ ତାକୁ ନାଲି କାଳିରେ ଜକଜକ ଦିଶୁଥିବା ବଡ଼ ଶୂନଟିଏ ମିଳିବ । ମୁଁ ଏଇ ପଦ୍ଧତିଟିକୁ ଗ୍ରହଣ କରିପାରେନି । ତେଣୁ ପଢିବା ଦାୟିତ୍ୱ ସେଇମାନଙ୍କ ହାତରେ ଦେଇ ତାଙ୍କ ଆତ୍ମବିଶ୍ୱାସ ବଢେଇବାର ଏଇ ସୁଯୋଗଟିକୁ ମୁଁ ହାତଛଡା କରିନଥିଲି ।

ପ୍ରଥମ ଛଅ ଜଣ ପିଲା ନିଜ ନିଜ ଶବ୍ଦ ସବୁ ପଢିବା ବେଳେ ଅନ୍ୟମାନେ କେଉଁ ଶବ୍ଦଗୁଡିକ ଗଛ ସଂପର୍କିତ ନୁହେଁ ବା କେଉଁଗୁଡିକ ପୁନରାବୃତ୍ତି ହୋଇଯାଉଛି ସେଗୁଡିକ କହିଦେଉଥିଲେ । ତେଣୁ ଏ କାମଟି ବି ବେଶ୍ଆଗ୍ରହୋଦ୍ଦୀପକ ଭାବେ ଚାଲିଥିଲା । ତିନି ଜଣ ପିଲା, ଯେଉଁମାନେ ସବୁବେଳେ ଭଲ କୁହନ୍ତି, ପଢନ୍ତି, ଲେଖନ୍ତି ବୋଲି ନାଁ ଡାକ ଓ ସେଇମାନେ ହିଁ ଅଧିକ ଜାଣିଛନ୍ତି ବୋଲି ମନେମନେ ଭାବନ୍ତି (ଶିକ୍ଷକ ମାନଙ୍କ କୃପାରୁ) ସେଇମାନେ ହିଁ ବେଶୀ ଆଗ୍ରହରେ ତ୍ରୁଟିଗୁଡିକ ବାଛିବାରେ ଲାଗିପଡିଲେ; ଯଦିଓ ସେମାନେ ମାତ୍ର ତିରିଶରୁ ଚାଳିଶି ଭିତରେ ଶବ୍ଦ ଲେଖିଥିଲେ। ସେଦିନ ସବୁଠୁ ଅଧିକ ଶବ୍ଦ ଲେଖିଥିବା ପିଲାଟି ସବୁଠୁ ବଡ଼ ଶ୍ରେଣୀର ପିଲା, ସେ କିନ୍ତୁ ନିଜ ବିଦ୍ୟାଳୟ କି ବାପା-ମାଆଙ୍କ ନାଁ ବି ଠିକ୍‌ରେ ଲେଖିପାରେନି ବୋଲି ଶିକ୍ଷକ ମାନଙ୍କର ସବୁବେଳେ ତା ନାଁ ରେ ଅଭିଯୋଗ। ସ୍ଥିର ହୋଇ କ୍ଲାସରେ ବି ସେ କେବେ ବସେନି । ସେଦିନର କଥା କିନ୍ତୁ ଶିକ୍ଷକମାନଙ୍କ ସବୁ ଅଭିଯୋଗକୁ ଭୁଲ୍ ପ୍ରମାଣିତ କରିଥିଲା।

ପଢା ସରିବା ପରେ ଆମେ ସମସ୍ତେ ତିନୋଟି ଦଳରେ ଭାଗ ହୋଇଗଲୁ । ପଚାଶରୁ ଅଧିକ ଶବ୍ଦ ଲେଖିଥିବା ପିଲାଙ୍କୁ (ଛଅ ଜଣ) ନେଇ ପ୍ରଥମ ଦଳ, ୪୦ରୁ ୫୦ ଭିତରେ ଶବ୍ଦ ଲେଖିଥିବା ପିଲାଙ୍କୁ (ନଅ ଜଣ) ନେଇ ଦ୍ୱିତୀୟ ଦଳ ଓ ତିରିଶରୁ ଚାଳିଶି ଶବ୍ଦ ଲେଖିଥିବା ପିଲାଙ୍କୁ (ସାତ ଜଣ) ନେଇ ତୃତୀୟ ଦଳର ଗଠନ ହେଲା । ଦଳ ସବୁବେଳେ ପିଲାମାନଙ୍କ ପରଫରମାନ୍ସ ଆଧାରରେ ହେବା ଉଚିତ୍ ବୋଲି ମୋର ବିଶ୍ୱାସ। ଏହା ପୁଣି ସ୍ଥାୟୀ ନହୋଇ ସମୟକୁ ସମୟ ପରଫରମାନ୍ସ ଅନୁସାରେ ବଦଳିବା ବି ଦରକାର। ବୟସ, ଶ୍ରେଣୀ କି ମାର୍କ-ଗ୍ରେଡ୍ ଅନୁସାରେ ଲମ୍ବା ସମୟ ପାଇଁ ଯେଉଁ ବିଭାଜନ ଆମ ଶିକ୍ଷା ବ୍ୟବସ୍ଥା ତିଆରି କରେ ତାହା ଜଣଙ୍କର ମୌଳିକ ଆଗ୍ରହରେ ବାଧା ଦେବା ସହ ଅଗ୍ରଗତି କରିବାର ବାଟ ରୋକେ, ନୂଆ କିଛି କରିବାର ସମ୍ଭାବନାକୁ ବି ମାରିଦିଏ।

ପିଲାଙ୍କୁ କିଛି ସୂଚନା ନଦେଇ A4 ସାଇଜ୍‌ର କାଗଜ, କୁନି କୁନିପାଣି ରଙ୍ଗ ଡବାରେ ଅଠା, କଇଁଚି ଆଦି ବାଣ୍ଟିଦେଲି।ଏତକ ପାଇଯାଇ ସେମାନେ ଚିଲାଇଲେ ଚିତ୍ର କରିବେ ବୋଲି । ମୁଁ “କି ପ୍ରକାର ଚିତ୍ର ଆଙ୍କିବ” ବୋଲି ପଚାରିବାରୁ ସେମାନେ “ଗଛ” ବୋଲି କହିଲେ, ମୁଁ ପ୍ରସ୍ତାବ ଦେଲି, “ଚିତ୍ର ତ ସବୁବେଳେ କରୁଛ, ଆଜି ବି ତୁମେ କହିବା ଅନୁସାରେ ଗଛ ଚିତ୍ର ହିଁ ଆଙ୍କିବ । ସେଗୁଡିକୁ ବିଭିନ୍ନ ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ମଝିରେ ଆଙ୍କିଲେ କେମିତି ହୁଅନ୍ତା?” ସମସ୍ତେ ଖୁସିରେ ହଁ ଭରିଲେ । ପିଲାଙ୍କର ମତାମତ ଓ ମୋ ସହ ଆଲୋଚନା ପରେ ଆମେ ସ୍ଥିର କଲୁ ଯେ, A4 ସାଇଜ୍ କାଗଜଟିରେ ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଗୁଡିକ ଏମିତି ଆଙ୍କିବୁ, ଯେମିତି କି ଖାଲି ବି ଜାଗା ଆଉ ବଳିପଡିବନି । ଏବଂ ଚିତ୍ର ସାରି ରଙ୍ଗ ଦେବା ପରେ ଏହି shape ଗୁଡିକୁ କଇଁଚିରେ କାଟି ଅନ୍ୟ ଗୋଟିଏ କାଗଜରେ ଏମିତି ଭାବରେ ଲଗାଇବୁ ଯେ କେଉଁଠି ବି ଦ୍ୱିତୀୟ କାଗଜଟିର ଧଳା ଅଂଶ ଦେଖାଯିବନି ।

ଏତକ କଥା ସ୍ଥିର କରିସାରି ବଡ-ସାନ ସଭିଏଁ ଲାଗିପଡିଲୁ ଚିତ୍ର ଆଙ୍କିବାରେ । ସାନ ପିଲାମାନେ ତାଙ୍କଠୁ ଟିକେ ବଡପିଲାଙ୍କର ଓ ବଡମାନେ ମଧ୍ୟ ସାନମାନଙ୍କର ସହଯୋଗ ନେଉଥାନ୍ତି ମଝିରେ ମଝିରେ କେତେବେଳେ ବର୍ଗକ୍ଷେତ୍ର ବା ତ୍ରିଭୁଜକୁ ସ୍କେଲର ମାପିବେ ବୋଲି ତ କେତେବେଳେ ସବୁଗୁଡିକୁ କଇଁଚିରେ କାଟିଦେଇସାରି ଅନ୍ୟ କାଗଜରେ ଲଗାଇବେ କେମିତି ଜାଣିନପାରି ।

ସମସ୍ତଙ୍କ ହାତରେ ସ୍କେଲ୍, ପେନ୍‌ସିଲ୍, ରବର ଥାଏ । ଆଉ କେତେଜଣ ସେଟ୍‌ସ ସ୍କୋୟାର ପକାଇ ଖୁବ୍ ସହଜରେ ଆଙ୍କିଦେଉଥାନ୍ତି ତ୍ରିଭୁଜ, ସ୍କେଲରେ ବାହୁଗୁଡିକ ମାପି ଲେଖୁଥାଆନ୍ତି ବି ସମସ୍ତେ । ମାପଚୁପ ସାରି ସମସ୍ତେ ଲାଗିପଡିଲେ ଗଛ ଆଙ୍କିବାରେ । କେତେଜଣ ପଚାରିଲେ ସବୁ କଣ ଏକା ପ୍ରକାରର ଗଛ (ବର, ଓସ୍ତ, ଜାମୁ, ଆକାଶି) ଆଙ୍କିବୁ?

ଏମିତି ହେଲେ ତ ସବୁ ଚିତ୍ର ଏକା ଭଳି ଦିଶିବ, କିଛି ଜଣାପଡିବନି । “ତେବେ ଅଲଗା କଣ କରିପାରିବ ଭାବୁଛ?” ବୋଲି ପଚାରିଦେଇ ମୁଁ ରହିଗଲି । ସେମାନେ ପନ୍ଦର କୋଡିଏ ମିନିଟ୍ ଧରି ଭିନ୍ନ ଭିନ୍ନ ପ୍ରକାରର ଗଛ ବିଷୟରେ କଥାହେଲେ, ତାଙ୍କ ଅନୁସାରେ; ବିଭିନ୍ନ ପ୍ରକାରର ଘାସ ଜାତୀୟ ଗଛ (ଦୁବ, ମୁଥା, ଫୁଲ ଥିବା ଘାସ) କାହ୍ନା, ହଳଦି, ସପର କୋଚ, ସଚ୍ଚିଦାନନ୍ଦ, ଗୁଜୁରାତି ଆଦି ଗଛ ସପରକୋଚ, ଆମ୍ୱ ଅଦା ଆଦି ଗଛ ନଡିଆ, ତାଳ, ଗୁଆ ଆଦି ଗଛ ଲେମନ୍ ଗ୍ରାସ୍ପରି ବୁଦା ଗଛ, କାନ କୋଳି, ବଇଁଚ ଆଦି କଣ୍ଟା ଗଛ ସପ୍ତଫେଣୀ, ନାଗଫେଣୀ, କିଆ ଆଦି କାକ୍ଟସ୍ ଓହଳ ଥିବା ଗଛ, ଜାମୁ, ଆକାଶି, ଝାଉଁ, ଉଇକେଲ୍ ପଟାସ, ଆମ୍ୱ ଆଦି ଡେଙ୍ଗା ଗଛ । ରାଧାତମାଳ, ଗୁଡୁମାରୀ ଆଦି ଲତା ଗଛ । ସବୁ ଗଛଗୁଡିକ ନିଜ ପରିବେଶରୁ ଠିଆ ହୋଇ ଆଖି ବୁଲେଇ ଆଣିଲେ ତାଙ୍କୁ ଦିଶୁଥିଲା । ତେଣୁ ଏହି ପରିଚିତ ଗଛମାନଙ୍କୁ ଆଧାର କରି ସେମାନେ ଚିତ୍ର ଆଙ୍କିଲେ ।

ପ୍ରଥମ ଦଳର ପିଲାମାନଙ୍କୁ ଚିତ୍ର ଆଙ୍କିବା ଲାଗି ରଙ୍ଗବେରଙ୍ଗ କାଗଜ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ସାଦାକାଗଜ ଦିଆ ଯାଇଥିଲା, ଯେଉଁଟିକୁ ନିଜେ ରଙ୍ଗ କରିବା ପରେ ସେମାନେ ଚିତ୍ର ଆଙ୍କିଥିଲେ । ଏହାଦ୍ୱାରା ଯେଉଁ ପିଲାମାନେ ଜାଣି ଜାଣି ଅବହେଳା କରି କାମଟିକୁ ଡେରିରେ କରନ୍ତି ସେମାନଙ୍କୁ ଆଗ୍ରହୀ କରାଇବା ଥିଲା ଲକ୍ଷ୍ୟ।

ସବୁଠୁ ମଜାର କଥା ଥିଲା, ତ୍ରିଭୁଜ, ଚତୁର୍ଭୁଜ ଆଦିରେ ଗଛ ଆଙ୍କିସାରି କଇଁଚିରେ ସେସବୁକୁ କାଟି ଅଲଗା କରି ଅନ୍ୟ କାଗଜରେ ଲଗାଇବାକୁ ଯିବା ବେଳେ କାଗଜଟି ସିନା ଭର୍ତ୍ତି ହୋଇଯାଉଥିଲା ଯଥାକଥେ, ଏପଟେ ଚିତ୍ର କିନ୍ତୁ ବଳିପଡୁଥାଏ । ଏକା ମାପର କାଗଜଟି ଅନ୍ୟ କାଗଜଟିରେ ନ ଧରିବାର ଦେଖି କେହି କେହି ଆଶ୍ଚର୍ଯ୍ୟ ମଧ୍ୟ ହେଉଥାଆନ୍ତି । କିଛି ପିଲା କିନ୍ତୁ ଏହି କୋଲାଜ୍ କାମଟିକୁ ଖୁବ୍ ସହଜରେ କମ୍ ସମୟରେ କରିଦେଉଥାନ୍ତି । ସବୁଠୁ ଆଗ ଅଠାରେ ଚିତ୍ର ଲଗେଇସାରି ତାର ବାରୋଟି ଯାକ ଚିତ୍ର ଗୋଟିଏ ଚିତ୍ର ପରି ଦିଶିବାରୁ ମନମାରି ବସିଥିବା କ କୁ ଦେଖି ତା ପାଖପିଲା ସବୁ ଚିତ୍ରରେ ବର୍ଡର୍ଦେଇଦେବାକୁ କହିଲାରୁ ସେ ଖୁସି ହୋଇଗଲା । ଚିତ୍ରଗୁଡିକ ବି ଏଥର ସୁନ୍ଦର ବାରି ହୋଇପଡିଲେ । ତା ଦେଖା ଦେଖି ସମସ୍ତେ ସ୍କେଚ୍ ଧରି ବର୍ଡର୍କରିବାରେ ଲାଗିପଡିଲେ ।

ଏଥର ତୃତୀୟ ଦଳକୁ ଯାଇଥିବା ଓ ଖୁବ୍ ଆଗ୍ରହରେ ବେଶୀ ଶବ୍ଦ ଲେଖିଥିବା ପିଲାମାନଙ୍କର ତ୍ରୁଟି ବାଛୁଥିବା ‘ତ’, ‘ର’, ଓ ‘ଜ’ ହିଁ ସବା ଆଗ ନିଜ କାମ ସାରିଥିଲେ । ‘ର’ ସବୁଠୁ ଆଗ ନିଜ କାମ ସାରି ଅନ୍ୟ ପିଲାମାନଙ୍କ କାମ ଗୁଡିକୁ ସଂଗ୍ରହ କରି ଫାଇଲ୍‌ରେ ରଖିବା କାମଟି ବି ଖୁବ୍ ସୁନ୍ଦର ଭାବେ ସମ୍ପନ୍ନ କରିଥିଲା ।

୭.୩୦ରୁ ୧୨.୦୦ ହୋଇଯାଇଥାଏ ଏ ଭିତରେ । କେହି ବି ବାହାରକୁ ଯିବାକୁ ବାହାରିନଥାନ୍ତି । ପାଣି ତ ପାଖରେ ଥାଏ ସମସ୍ତଙ୍କର । ଟିଫିନ୍ ଆଣି ମୁଁ ସେଇଠି ହିଁ ବାଣ୍ଟିଦେଇଥାଏ । କିଏ କେତେବେଳେ ଏକ ପାଇଁ ଯାଇଥାଆନ୍ତି ତ ଗୋଟିଏ ମିନିଟ୍ ଭିତରେ ଫେରିଆସି ଲାଗିପଡିଥାନ୍ତି କାମରେ । ଏମିତି ସରିଗଲା ପ୍ରଥମ କ୍ଲାସ; ଯେଉଁଥିରେ ସମସ୍ତଙ୍କର ଆଗ୍ରହ ଓ ଭିନ୍ନ ଭିନ୍ନ କାମରେ ଲାଗିରହିବା ହିଁ ମୋତେ ସବୁଠୁ ବେଶୀ ଉତ୍ସାହିତ କରିଥିଲା ।

କ୍ଲାସ ସରିବା ଆଗରୁ ପରଦିନ ପାଇଁ ଗଛକୁ ନେଇ କ’ଣ କରିବା ବୋଲି କେହି ଜଣେ ପଚାରିଲାରୁ ସମସ୍ତେ ସେ ବିଷୟରେ ଆଲୋଚନା କଲୁ । ଗଛକୁ କେନ୍ଦ୍ରରେ ରଖି କିଛି ଲେଖା ଲେଖିବୁ ବୋଲି ସ୍ଥିର ହେଲା । କେଉଁଠି ନା କେଉଁଠି ପ୍ରତିଯୋଗୀତାର ଭାବଟିଏ ତିଆରି ହୋଇଯାଇଛି ବୋଲି ଭିନ୍ନ ଭିନ୍ନ ପ୍ରକାରର ଲେଖା ପାଇଁ କିଛି ନିର୍ଦ୍ଦିଷ୍ଟ ନମ୍ବର ସେମାନଙ୍କୁ ଦିଆଯିବା ଦରକାର ବୋଲି ପିଲାଏ ଚାହିଁଲେ । ମୁଁ ଆରମ୍ଭରୁ ସେମାନଙ୍କ ଆଗ୍ରହରେ ବନ୍ଧ ପକେଇବିନି ବୋଲି ରାଜି ହୋଇଗଲି ତାଙ୍କ କଥାରେ। ଏଇ ଯେମିତି:
ଇଂରାଜୀ କବିତା ପାଇଁ୪୦ ମାର୍କ, ୨୦ଟି ଇଂରାଜୀ ଶବ୍ଦ ପାଇଁ୫ ମାର୍କ, ୫୦ଟି ଓଡିଆ ଶବ୍ଦ ପାଇଁ୫ ମାର୍କ, ଧନ୍ଦା ପାଇଁ୫ ମାର୍କ, ପହଳି ପାଇଁ୫ ମାର୍କ, ଗପ ପାଇଁ୨୦ ମାର୍କ, କବିତା ପାଇଁ୨୦ ମାର୍କ। ସର୍ବମୋଟ ୧୦୦ ମାର୍କ।

ଏହି ସାତ ପ୍ରକାର କାମ ଭିତରୁ ନିଶ୍ଚିତ ଭାବେ ସମସ୍ତେ ପାଞ୍ଚୋଟି ବିଭାଗକୁ ଛୁଇଁବୁ ବୋଲି ସ୍ଥିର କରିବା ସହ ଅଧିକ ଭଲ ଲାଗୁଥିବା ବା ଭଲ କରିପାରୁଥିବା ବିଭାଗଟିରେ ଦୁଇ, ତିନୋଟି ଅଧିକ କାମ କରି ୧୦୦ ମାର୍କର କାମ ପୁରା କରି ଆଣିବୁ ବୋଲି ସମସ୍ତେ ନିଷ୍ପତ୍ତି ନେଲୁ । ମେଳ ଭାଙ୍ଗି ଫେରିବା ବେଳକୁ ତୁ ବି କରିକି ଆଣିଥିବୁ , ଆମେ ମାର୍କ ଦେବୁ କହି ମୋତେ ସବୁ ପିଲା ଘେରିଗଲେ।

ପରଦିନ ସକାଳେ ମୋ ସମେତ ଯେଉଁ ସାତ ଜଣ ପିଲା ପୁରା ୧୦୦ ମାର୍କର କାମ କରିସାରିଥିଲୁ ନିଜ ନିଜ ଲେଖା ପଢିଲୁ ଓ ଅନ୍ୟମାନେ ଶୁଣିଲେ । ପିଲାଏ ବେଶୀ ଧନ୍ଦା ଓ ପହଳି ଲେଖିଥିଲେ । ଆମ ଲେଖା ଶୁଣିସାରିବା ପରେ ଯେଉଁମାନେ ଲେଖି ସାରିନଥିଲେ ସେମାନେ ବାକିଆ କାମ ସାରିବାରେ ଲାଗିପଡିଲେ । ଆଉ ଆମେ ଆଠ ଜଣ (ଗତକାଲି ୨ୟ ଓ ୩ୟ ଗ୍ରୁପ୍‌ରେ ଥିବା ପିଲା ଓ ଆଠ ବର୍ଷର ସେ ଝିଅଟି) ଚାଲିଲୁ ଇଣ୍ଟର୍‌ନେଟ୍‌ରୁ ଖୋଜି ଗଛ ସଂପର୍କିତ କିଛି ଭିଡିଓ ଦେଖିବାକୁ । ପ୍ରାୟ ଚାରୋଟି କାର୍ଯ୍ୟକ୍ରମ ଆମେ ଦେଖିଲୁ ।

ପ୍ରଥମଟି ଗୋଟିଏ କ୍ଷୁଦ୍ର ସିନେମା ଥିଲା, ଯେଉଁଥିରେ ଗଛ ଆମକୁ କେତେ ସାହାଯ୍ୟ କରୁଛି ଦର୍ଶାଯାଇଥିଲା । ଗୋଟିଏ କଲୋନୀ ଭିତରେ ଥିବା ଶହେ ବର୍ଷର ପୁରୁଣା ଗଛଟିକୁ ପୁରୁଖା ଲୋକମାନେ କାଟିବାକୁ ଯିବା ବେଳେ, ତାଙ୍କରି ପିଲାମାନେ ପ୍ରତିବନ୍ଧକ ସାଜି ଠିଆ ହୋଇଛନ୍ତି । ନିଜ ଖେଳର ସାଥି ଗଛଟିକୁ ଛାଡିବାକୁ ଚାହିଁନାହାନ୍ତି ସେମାନେ । ଅନେକ ଉପାୟ ଅବଲମ୍ୱନ କରି ଶେଷରେ ଗଛର ଆବଶ୍ୟକତା କଥା ନିଜ ବାପାମାଆଙ୍କୁ ବୁଝାଇବାକୁ ସମର୍ଥ ହୋଇଛନ୍ତି ପିଲାଏ। ଫିଲ୍ମଟି ହିନ୍ଦୀରେ ଥିଲା । ପିଲାଏ ସଂପୂର୍ଣ୍ଣ ଭାବରେ ହିନ୍ଦୀ ଶିଖିନଥିଲେ ମଧ୍ୟ ସବୁ କଥାକୁ ଏତେ ଏକାଗ୍ରତାର ସହ ଦେଖୁଥିଲେ ଯେ ସେ କାଳେ ବୁଝିପାରୁନଥିବେ କଥାଟି ମୁଁ ପୁରା ଭୁଲିଯାଇଥିଲି ।

ଦ୍ୱିତୀୟ କାର୍ଯ୍ୟକ୍ରମଟି ଆଗାମୀ ଦିନରେ ଅମ୍ଳଜାନର ଅଭାବକୁ ନେଇ ଇଂରାଜୀ ଭାଷାରେ ଛୋଟ ଡକ୍ୟୁମେଣ୍ଟାରୀଟିଏ ଥିଲା । ଘର ଭିତରୁ ବାହାରିବା ମାତ୍ରେ ଦୂର୍ଷିତ ପରିବେଶ ଯୋଗୁଁ ଲୋକ କେମିତି oxygen mask କିଣି ବ୍ୟବହାର କରୁଛନ୍ତି ସେଇଠୁ ଆରମ୍ଭ ହୋଇଥିଲା କଥା । କିନ୍ତୁ କିଛି ବର୍ଷ ପରେ ଲୋକେ ନିଜର ସମସ୍ତ ଅର୍ଥ ଦେଇଦେଲେ ବି oxygen mask ମିଳୁନଥିଲା । ଏଇ ଯେଉଁ ଅମ୍ଳଜାନ ବିହୀନ ପୃଥିବୀରେ ଆମେ କେମିତି ରହିବାର ପ୍ରଶ୍ନଟି ପାଖେ ଅଟକିଥିଲୁ ସମସ୍ତେ । ପିଲାଏ ଇଂରାଜୀ କହିବାରେ ଓ ଶୁଣି ବୁଝିବାରେ ଆଗରୁ ଜାଣିବା ପରେ ବି ସେ ବୁଝିଲେ କି ନାହିଁ ମୁଁ ସେଇ ମୁହୂର୍ତ୍ତରେ ହଠାତ୍ ପଚାରି ତାଙ୍କ ଗମ୍ଭୀରତା ଓ ବୋଧଗମ୍ୟତା ଉପରେ ଠପ୍ ଲଗାଇବାକୁ ଚାହୁଁନଥିଲି ବୋଲି ଆମେ ତା ପର ଭିଡିଓ ଦୁଇଟି ଦେଖିଲୁ । ଗୋଟିଏ ଥିଲା “ନା କାଟୋ ମୁଝେ, ବଡା ଦୁଖ୍‌ତା ହେ” ନାମକ ହିନ୍ଦୀ ଗୀତ ଓ ଅନ୍ୟଟି ପ୍ରକୃତିରୁ ଆମେ କଣ କଣ ସବୁ ଶିଖୁ ଉପରେ ଗୋଟିଏ ଛୋଟ କବିତା ।

ଏତକ ସରୁସରୁ ସେମାନଙ୍କର ଗଦାଏ ପ୍ରଶ୍ନ ଓ ଯୋଜନା ମୋ ଆଗରେ ଥାକ ମରା ହୋଇଗଲେ । ଏଇ ଯେମିତି;
ଆମର ଆବଶ୍ୟକତା ଯେଉଁ ଜାଗାରେ ନାହିଁ, ଆମେ ସେଠାରୁ ଗଛ କାଟିବା କାହିଁକି?
ବଡମାନେ କଣ ଠିକ୍ ଭୁଲ୍ ଜାଣିପାରୁନାହାନ୍ତି କି?
Oxygen mask ପିନ୍ଧିବା ସମୟ ଆସିବା ଆଗରୁ ଆମେମାନେ ଚେଷ୍ଟା କରି କଣ କିଛି କରିପାରିବାନି?
ମାଟିଠୁ ଧୈର୍ଯ୍ୟ, ପର୍ବତଠୁ ଶୀର୍ଷ ଉଠାଇ ଚାଲିବା, ଆକାଶଠୁ ବିସ୍ତୃତି, ସାଗରଠୁ ମନର ଗଭୀରତା ପରି ଏତେ କଥା ଶିଖିବା ଲାଗି ଥାଉ ଥାଉ ଆମେ ବହି ପଢି, ଘୋଷି ଏତେ ସମୟ କାହିଁକି ନଷ୍ଟ କରୁଛନ୍ତି? ଗଛକୁ କଣ ସତରେ କଷ୍ଟ ହୁଏ?

ସେମାନଙ୍କର ପ୍ରଶ୍ନ “ଭାଷା ତାଙ୍କ ବୁଝିବାରେ ବାଧକ ହୋଇନି” କଥାଟିକୁ ମୋତେ ବେଶ୍ ବୁଝେଇଦେଲା । ଅଥଚ ସେମାନେ ବର୍ଷ ବର୍ଷ ଧରି ଇଂରାଜୀ ଲେଖିପାରୁନାହାନ୍ତି, ଟ୍ରାନ୍ସଲେସନ କରିପାରୁନାହାନ୍ତି ବୋଲି ଘରେ, ଟ୍ୟୁସନ ସାରଙ୍କ ପାଖେ ମାଡ ଖାଇଖାଇ ଯନ୍ତ୍ରଣା ତ ଯାହା ପାଇଛନ୍ତି, ଇଂରାଜୀକୁ ଡରିବାର ବୋନସ୍ ବି ପାଇସାରିଛନ୍ତି ଏ ଭିତରେ।

ପ୍ରଶ୍ନ ପରେ ନିଜେ ନିଜେ ଏବର୍ଷ କେତେ ଲେଖାଏଁ ଗଛ ଲଗାଇବେ ତାର ବି ଗୋଟିଏ ତାଲିକା କରିଦେଲେ । କିଏ ୨୫୦, ୩୦୦ତ କିଏ ୫୦୦ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ତାଙ୍କର ସଂଖ୍ୟା ଶୁଣି । ସମସ୍ତଙ୍କ କିନ୍ତୁ ମୁହଁ ଖୁବ୍ ଗମ୍ଭୀର ଥିଲା ଏସବୁ କଥାବାର୍ତ୍ତା ହେଉଥିବା ବେଳେ । ତା ଭିତରେ କେହି ଜଣେ କହିଲା, “ଆମେ ଚାଲ ଗଛ ବିଷୟରେ ଗୋଟିଏ ନାଟକ ଲେଖିବା ।” ଅନେକ କଥା ଆଗରୁ ଜାଣିଥିଲେ ଯଦିଓ ନୂଆ କଥା କିଛି ସେଥିରେ ଯୋଡି ହୋଇଯାଇଥିଲା ଏଥର । ସେମାନଙ୍କର ଆଗ୍ରହ ଦେଖି ମୁଁ ନାଟକ ଲେଖିବା ପାଇଁ ତାଙ୍କୁ ଛାଡିଦେଇ ଅନ୍ୟ ପିଲାଙ୍କ ପାଖକୁ ଆସିଲି । ମୋର ସହଯୋଗୀ ଶିକ୍ଷକ ନିଜ ଲେଖା ସାରିବା ପରେ ଜଣକ କାମ ସାରୁଥିବା ପିଲାଙ୍କର ଲେଖାଗୁଡ଼ିକ ଶୁଣୁଥାନ୍ତି । ପଢିସାରିଥିବା ପିଲାଙ୍କୁ ନେଇ ଦ୍ୱିତୀୟ ଗ୍ରୁପ୍ ତିଆରି କରି ନିଜ ନିଜର ଲେଖାଗୁଡ଼ିକୁ ସୁନ୍ଦର ଅକ୍ଷରରେ ଟିପିଦେବାକୁ ସାଦା କାଗଜ ଦେଲି ।

ଦିନ ୧୨ଟା ବେଳକୁ ପ୍ରଥମ ଗ୍ରୁପ୍‌ର ପିଲାମାନେ ତୃତୀୟ ଦୃଶ୍ୟ ଯାଏ ଲେଖିସାରିଥାନ୍ତି । ଅନ୍ୟ ପିଲାଙ୍କୁ ଦେଖି ନିଜ ଲେଖାଗୁଡ଼ିକ ବି ଅଳ୍ପ ସମୟରେ ଉଠାଇ ଦେଇଥାନ୍ତି କାଗଜକୁ ରଂଗବେରଙ୍ଗ ଅକ୍ଷରରେ । ପ୍ରଥମ ଜଳର ପିଲାଙ୍କ ସହ ବାକିତକ ନାଟକ କ’ଣ ଲେଖାଯିବ ଆଲୋଚ଼ନା କରୁକରୁ ସମୟ ସରିଗଲା ।

ଏ ତ ଗଲା ମାତ୍ର ଦୁଇଦିନର କଥା ଗଛ ଉପରେ ଆମେ ପ୍ରାୟ ଆହୁରି ୩୦,୪୦ ଦିନ ଜାଣିଲୁ । ଏଥର ଶିଖିବାର ଅନେକ ଯୋଜନା ପିଲା ନିଜେ କରି ପକାଉଥାନ୍ତି । ସେ ମାସଟେ ଭିତରେ ଆମେ ଅନେକ କାର୍ଯ୍ୟକ୍ରମ କରିଛୁ । ଯାହା ଶିଖିଛୁ ସେସବୁ ଆମର ଧାରଣାକୁ ଟିକେ ସ୍ପଷ୍ଟ କରିବାକୁ ଏଠାରେ ଲେଖୁଛି ।
 ପରିବେଶରେ ଥିବା ଭିନ୍ନଭିନ୍ନ ପ୍ରକାର ଗଛର ବିଭାଗୀକରଣ ଓ ଗଣନା
 ଏଯାବତ୍ ଶୁଣିଥିବା ଗଛ ସଂପର୍କତ ସବୁ ଗପକୁ ସଂଗ୍ରହ କରି ଲେଖିବା
 ପାଠାଗାରରେ ଥିବା ହଜାର ହଜାର ବହି ଭିତରୁ ଗଛ ସଂପର୍କତ କଥାର ସଂଗ୍ରହ ।
 ଔଷଧିୟ ବୃକ୍ଷର ତାଲିକା କରିବା ସହ ତାର ପ୍ରୟୋଗ ବିଧି ।
 ଓଡ଼ିଆ,ହିନ୍ଦୀ,ଇଂରାଜୀ,ସଂସ୍କୃତରେ ଗଛର ବିଭିନ୍ନ ଅଂଗ ପ୍ରତ୍ୟଙ୍ଗ ର ନାଁ ଜାଣିବା
 ଗଛ, ପତ୍ର, ଡାଳ,ଫୁଲର ଉଚ୍ଚତା ମୋଟେଇ ବ୍ୟବଧାନ ମାପିବା ସହ ବିଭିନ୍ନ ପ୍ରକାର ହିସାବ ନିକାସ ଖେଳ ଖେଳିବା
 ବିଭିନ୍ନ ଗଛର ପତ୍ର ସଂଗ୍ରହ କରି ତା ଉପରେ ରବର ଘଷି ସେମାନଙ୍କର textureକୁ ନିଜ ଖାତାକୁ ଉଠାଇବା
 ଶହ ଶହ ଗପ, କବିତା,ଧନ୍ଦା,ପହଳି,ନାଟକ ପ୍ରବନ୍ଧ, ଆତ୍ମକାହାଣୀ ଆଦି ଲେଖିବା ।
 ବିଭିନ୍ନ ଜଳବାୟୁରେ ହେଉଥିବା ଗଛପତ୍ରର ପ୍ରକାର ଭେଦ ଜାଣିବା ।
 ନିର୍ଦ୍ଧିଷ୍ଟ ଗୋଟିଏ ଗଛର ପ୍ରତିଦିନ ହେଉଥିବା ପରିବର୍ତ୍ତନକୁ ନଜର କରିବା (ପତ୍ରର ଆକାର ,ରଂଗ ଠୁ ଆରମ୍ଭ କରି ଫୁଲର କଢ଼ ଓ ଫୁଟିଥିବା ଫୁଲ ଯାଏ ସବୁ ।)
 ଅତୀତରୁ ଏଯାଏଁ ଆଦିମାନବ ଠୁ ଆରମ୍ଭ କରି ମଣିଷ ଯାଏ ଗଛଠୁ ନେଉଥିବା ସାହାଯ୍ୟର କାହାଣୀ ସଂଗ୍ରହ ।
 ଗଛରୁ ନଷ୍ଟ ହୋଇଯାଉଥିବା ଜିନିଷରୁ ହସ୍ତକର୍ମ କରିବା
 ଗଛ ଚ଼ଢା ଗଛରେ ଝୁଲିବା ଗଛ ଲଗେଇବା ପରି କାମ
 ଏଥିସହିତ ଆହୁରି ଅନେକ ଛୋଟ ବଡ଼ କାମ ଯାହା ଖୁବ୍ ଆଗ୍ରହରେ ସ୍ୱତଃସ୍ଫୁର୍ତ୍ତତା ସହ ପିଲାମାନେ କରୁଥିଲେ ।

ପ୍ରାୟ ୨୦, ୩୦ ଦିନ ପରେ ହଠାତ୍ ଦିନେ ‘ର’ କହିଲା “ଆରେ, ଆମେ ଗଛ ବିଷୟରେ ଜାଣୁଜାଣୁ ଅଙ୍କ ଇଂରାଜୀ ବିଜ୍ଞାନ,ସାମାଜିକ,ସଂସ୍କୃତ, ଓଡ଼ିଆ, ଡ୍ରଇଁ, ହସ୍ତକର୍ମ,ଗୀତ,ସାଧାରଣଜ୍ଞାନ, ନାଚ, ଡ଼୍ରିଲ୍ ଖେଳ ସବୁ ଶିଖିସାରିଲେଣିତ ।“

ସମସ୍ତେ ଗୋଟିଏ ମୁହୂର୍ତ୍ତ ଲାଗି କାବା ହୋଇ ଅନେଇଲେ ଓ ପରେ ଜୋର୍ ପାଟିରେ ହସିଲେ, ମୋତେ ବି ଖୁସି ଲାଗିଲା । ମନେ ପଡ଼ିଗଲା ଏମିତି ପ୍ରୟୋଗଟିଏ ଆରମ୍ଭ କରିଥିବାର କାରଣ ।

କିଛିଦିନ ତଳେ ଦଳେ ଶିକ୍ଷାବିତ୍ ବସି କିଛି ନୂଆ କରିବାର ଚ଼ିନ୍ତା ନେଇ ସମନ୍ୱିତ ପୁସ୍ତକ ତିଆରି କରିବାର ଯୋଜନା କରି କିଛି ବହି ତିଆରି କରିଥିଲେ, ଯେଉଁଥିରେ ବହି ଗୁଡ଼ିକରେ କେଉଁ କଥାଟିକୁ ସମନ୍ୱିତକରାଯାଇଛି ମୁଁ ଅଧମ ବୁଝିପାରିନଥିଲି । ଅନେକ ଥର ପୃଷ୍ଟା ପୃଷ୍ଟା କରି ଓଲଟାଇ ମୁଁ ବହିଟିକୁ ପଢ଼ିଥିଲି। ଗୋଟିଏ ବହି ଭିତରେ (ଗଣିତ,ଇଂରାଜୀକୁ ବାଦ୍ ଦେଇ)ସାହିତ୍ୟ,ବିଜ୍ଞାନ,ସାମାଜିକର ଏହି ଏହି ବିଷୟ ସବୁ ଅଛି ବୋଲି ଲେଖାଯାଇଥାଏ।କେଉଁଠି ବିଷୟ ସହ ଅଭ୍ୟାସ କାର୍ଯ୍ୟର ସଂପର୍କ ନଥାଏ ତକେଉଁଠି ଆକ୍ଟିଭିଟିନାଆଁରେ ଓ ତଥାକଥିତ ଅଭ୍ୟାସକାର୍ଯ୍ୟମାନ। ଅନେକ ଗୁଡ଼ିଏ ତଥ୍ୟ ଭର୍ତ୍ତି ହୋଇ କେଉଁଠି ବିଷୟଟେ ନିଜ ଧାରଣାକୁ ସ୍ପଷ୍ଟ କରିବାରେ ଅକ୍ଷମ ତ କେଉଁଠି ଖୁବ୍ କମ୍ ବିଷୟରେ ପିଲାଙ୍କ ଲାଗି ବ୍ୟାକରଣର କ୍ଲିଷ୍ଟ ଧାରଣା ଗୁଡ଼ିକର ଅବତାରଣା । ଯେଉଁଠି ପିଲାଭିତରେ ଏକାଗ୍ରତା ବଢାଇବା ନିହାତି ଆବଶ୍ୟକ ସେଠି ପରସ୍ପର ଭିତରେ ସଂପର୍କ ନଥିବା ବିଭିନ୍ନ ପ୍ରକାରର ପ୍ରଶ୍ନ ମାନଙ୍କର ଭିଡ଼ । ମୋ ଭିତରେ ବି ସମନ୍ୱିତଶିକ୍ଷଣ କଣ, କାହିଁକି,କେମିତି, କେବେଠୁ ପରି ଅନେକ ପ୍ରଶ୍ନର ଭିଡ଼କୁ ସଫା କରିବାକୁ ଯାଇ ବିଭିନ୍ନ ବହି ଓ ଇଣ୍ଟରନେଟ୍ ଖୋଜିଲି । ନିଜର ଧାରଣା ଓ ଖୋଜି ପାଇଥିବା କଥାଗୁଡ଼ିକର ସାରାଂଶ ନିମ୍ନମତ୍ତେ।

କ’ଣ
 ଅନେକ ବିଷୟରେ ସମଷ୍ଟି (କେତେବେଳେ ବହି ବିଷୟ ତ କେତେବେଳେ ବୟସ ନହେଲେ ଦକ୍ଷତା)
 ପ୍ରକଳ୍ପ ଉପରେ ପ୍ରାଧାନ୍ୟ
 Text bookରୁ ବାହାରୁ ବି ଜାଣିବାର ଅବସର ଗୋଟାଇବା
 ବିଭିନ୍ନ ଧାରଣା ମଧ୍ୟରେ ସଂପର୍କ ।
 ପାଠ୍ୟକ୍ରମର ବିଭିନ୍ନତାକୁ ସଂଯୋଗ କରେ ।

କାହିଁକି
 ଶିଖିବାକୁ ଅର୍ଥପୂର୍ଣ୍ଣ କରେ ।
 ମଣିଷର ମସ୍ତିଷ୍କ କେମିତି କାର୍ଯ୍ୟକରେ ତାହାକୁ ଆଇନା ପରି ଦେଖାଇଦିଏ ।
 ଅନେକ ପ୍ରକାର ଶିକ୍ଷଣ ଶୈଳୀକୁ ଅନ୍ତର୍ଭୁକ୍ତ କରେ ।
 ଶିକ୍ଷଣରେ ବ୍ୟାପ୍ତି ଓ ଗଭୀରତା ଆଣିବାରେ ସାହାଯ୍ୟ କରେ ।
 ବୋଧଗମ୍ୟତା ବଢାଇବା ସହ ସାଧାରଣ ଧାରଣା ଗୁଡ଼ିକରେ ପ୍ରୟୋଗିକତା ବଢ଼ାଏ ।
 ଦୈନିନ୍ଦିନ ଅସୁବିଧାଗୁଡ଼ିକ ସମାଧାନ କରିବାକୁ ଲାଗି ଦରକାର ତଥ୍ୟଗୁଡ଼ିକୁ ଚ଼ିହ୍ନଟ କରିବା ସହ ଜଣାଇ ଦେଇ ପାରେ ।
 ନିଷ୍ପତ୍ତି ନେବାର ଦକ୍ଷତା ସହ ତୁଳନାତ୍ମକ ଓ ସୃଜନାତ୍ମକ ଭାବନାର କ୍ଷମତା ବୃଦ୍ଧି କରେ ।
 ପାରସ୍ପରିକ ଶିକ୍ଷଣର ଅବସର ମିଳିବା ସହ ଶିକ୍ଷାର୍ଥୀ ହିସାବରେ ନିଜପ୍ରତି ସମାଜର ଜଣେ ସକ୍ରିୟ କର୍ମା ହିସାବରେ ମନୋଭାବର ପରିବର୍ତ୍ତନ ଘଟେ ।
 ପ୍ରେରଣା ବଢ଼େ ।
 ସକାରାତ୍ମକ,ଗ୍ରହଣଶୀଳତା,ଯୁକ୍ତିଶୀଳ,ବିଶ୍ଲେଷଣ,ପର୍ଯ୍ୟବେକ୍ଷଣ ଆଦି ଦକ୍ଷତାକୁ ବଢ଼ାଇବା ନିମନ୍ତେ ଏହା ଏକ ଫଳପ୍ରଦ ପଦ୍ଧତି
 ଜୀବନବ୍ୟାପୀ ଶିକ୍ଷଣକୁ ଉତ୍ସାହିତ କରେ ।
 ପ୍ରକୃତ ଜୀବନରେ ଅନୁଭୂତି କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରାଏ ।
 ବିଷୟର ଗଭୀର ବୋଧଗମ୍ୟତା ଆଣିଦିଏ ।

ଏଥର ସମନ୍ୱିତ ଶିକ୍ଷଣ କଣ ଓ କାହିଁକିର ଧାରଣା ଆହୁରି ସ୍ପଷ୍ଟ ହେଲା । ବିଷୟ,ଦକ୍ଷତା,ଧାରଣା,ସମୟ, ପିଲା,ଶିକ୍ଷକ,ପାଠ୍ୟକ୍ରମ ଆଦି କ୍ଷେତ୍ରରେ ସମନ୍ୱୟ କରିବାର ପ୍ରଣାଳୀ ଭିନ୍ନ ହେବ ନିଶ୍ଚିୟ । ମୋର ଏଇ ଧାରଣା ବା ବୁଝାମଣାକୁ ଆଧାର କରି ଗଛ ଉପରେ ଏଇ ଛୋଟ ପ୍ରୟାସଟି ଆରମ୍ଭ ହୋଇଥିଲା । ଯେଉଁଥିରେ ସବୁଗୁଡ଼ିକ ଏକସଙ୍ଗେ ସମନ୍ୱିତ ହୋଇପାରୁଛି କି ନାହିଁ ମୁଁ ଦେଖିଥିଲି।ଅର୍ଥାତ୍ ବିଭିନ୍ନ ବୟସର ପିଲା ଏକାଠି ବସି ଗଛକୁ ସାମଗ୍ରୀକ ଭାବେ ଜାଣିବାର ଅବସର ତିଆରି କରିଥିଲି। ଗଛକୁ କେବଳ ବିଜ୍ଞାନ, ସାମାଜିକ କି ଗଣିତ ବିଷୟର ଅଂଶ ଭାବେ ନୁହେଁ ପୂର୍ଣ୍ଣାଙ୍ଗ ଭାବେ ଜାଣିଥିଲୁ। ଭୁଲି ଯାଇଥିଲୁ ଆମ ଶିକ୍ଷା ବ୍ୟବସ୍ଥା ବିଭିନ୍ନ ବହି ନାଁ ରେ ସୃଷ୍ଟି କରିଥିବା ବିଭାଗୀକରଣକୁ। ସତ କହିବାକୁ ଗଲେ ଏସବୁର ଆବଶ୍ୟକତା ହିଁ ପଡ଼ି ନଥିଲା।ଏହି ଘଟଣା ପରେ ପରେ ଗୋଟିଏ ସମନ୍ୱିତ ପାଠ୍ୟପୁସ୍ତକ କୁ ପାଞ୍ଚ ଛଅ ମାସ ପଢ଼ାଇସାରିଥିବା ଶିକ୍ଷକମାନେ ଏକାଠି ହୋଇଥିଲେ ରାଜ୍ୟ ମୂଖ୍ୟ କେନ୍ଦ୍ରରେ। ସେଠି ସେମାନଙ୍କର ଅଭିଯୋଗ ଥିଲା,

 ନିର୍ଦ୍ଧିଷ୍ଟ ଶ୍ରେଣୀ ଓ ସମୟ ପାଇଁ ବହି ଗୁଡ଼ିକ ତିଆରି ହୋଇନି,
 ଶିକ୍ଷକ ଶିକ୍ଷାର୍ଥୀ ଅନୁପାତରେ ଅସୁବିଧା। ଉଦାହରଣ ୩୪ଜଣ ୫ବର୍ଷର ପିଲାଙ୍କ ଲାଗି ଜଣେ ଶିକ୍ଷକକୁ ୩୫ମିନିଟ୍ଆ ସାତୋଟ୍ କ୍ଲାସ ଲଗାତର ନେବାକୁ ହେଉଛି । ତେଣୁ ଅସୁବିଧା ହେଉଛି ।)
 ବହି ସିନା ଗୋଟିଏ ହେଲେ ଖାତା କେତୋଟି ହେବ ?
 ଗୋଟିଏ ବିଷୟରେ ବିଜ୍ଞାନ ଅଂଶ ବିଜ୍ଞାନ ଶିକ୍ଷକ,ଗଣିତ ଅଂଶ ଗଣିତ ଶିକ୍ଷକ,ସାହିତ୍ୟ,ଆଦି ଅଂଶକୁ ଭିନ୍ନ ବିନ୍ନ ଶିକ୍ଷକଙ୍କୁ ତ ପଢାଇବାକୁ ହେବ । ତେବେ ଖାତା କିଏ ଦେଖିବ ? (୧ ନମ୍ୱର ପ୍ରଶ୍ନ ଇଂରାଜୀ ସାର୍ ୨ ନମ୍ୱର ପ୍ରଶ୍ନ ଗଣିତ ସାର୍ ଦେଖିବେ କି ?)
 ଅଭିଭାବକ ପଚାରୁଛନ୍ତି କେଉଁ ନମ୍ୱର ପ୍ରଶ୍ନ କେଉଁ ଖାତାରେ ହେବ ?
 କ୍ରମାନୁସାରେ ବିଷୟବସ୍ତୁସବୁ ନାହିଁ ।
 ବେଶୀ ଗୃହପାଠ ନାହିଁ ଯାହା ବି ଅଛି ସେଥିରେ ଶିକ୍ଷକ କି ଅଭିଭାବକ କେହି ଖୁସି ହୋଇପାରୁନାହାନ୍ତି ।
 ଧାରଣା ଓ ବିଷୟରେ ପୁନରାବୃତ୍ତି ହୋଇଛି ।
 ଲେଖିବା କାମ କମ୍ ଅଛି ।
 ଗଣିତ ଓ ଓଡ଼ିଆରେ କମ୍ ପାଠ ଅଛି ।
 ପରୀକ୍ଷା କେମିତି କରିବୁ ?
 ଟ୍ୟୁସନ୍ ସାର୍ ପଢ଼ାଇ ପାରୁନାହାନ୍ତି ।

ଏହିସବୁ ଆଲୋଚନା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବହି ଉପରେ ଥିଲା। ଆମ ଶିକ୍ଷକମାନେ ବହି ତିଆରି କରିଥିବା ଶିକ୍ଷାବିତ୍ ମାନଙ୍କ ସହ ଆଲୋଚନା କରୁଥିଲେ। ଏଥିରୁ ଆମ ଲକ୍ଷ୍ୟ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ନା ଜୀବନ ପାଇଁ ପ୍ରସ୍ତୁତ କରିବା ତାହା ନିଶ୍ଚୟ ବୁଝିହେଉଥିବ । ମୋର ଜଣେ ବନ୍ଧୁ ଏଥିରେ ସାମିଲ୍ ଥିବାରୁ କାର୍ଯ୍ୟକ୍ରମଟିକୁ କେବଳ ଦେଖିବାକୁ ଡାକିଥିଲେ। ତେଣୁ ମୁଁ ସେତକ କରି ତାଙ୍କୁ ନିଜର ମତାମତ ଜଣା‌ଇ ଫେରିଆସିଥିଲି। ଭାରତରେ ବିକଳ୍ପ ଶିକ୍ଷାର ପ୍ରୟୋଗ କେବଳ ନିଜେ କରୁଛନ୍ତି ବୋଲି ଦାବି କରୁଥିବା ସେହି ସଙ୍ଗଠନର ଜ୍ଞାନୀମାନଙ୍କୁ କିଛି କହିବା ମୋର ଧୃଷ୍ଟତା ହେବ ବୋଲି ମୋତେ ଚୁପ୍ ରହିବାକୁ ହେଲା।

ମୋର ବିଶ୍ୱାସ ପିଲା ନିଜ ଉଦ୍ଦେଶ୍ୟ କଣ ଜାଣିଛି; ଆମେ ହୁଏତ ତାକୁ ତା ରାସ୍ତାରୁ ବାଟ ଭୁଲେଇ ଦେଉଛନ୍ତି । କିନ୍ତୁ ଏ ବିଷୟ, ବହି, ସମନ୍ୱିତ ପାଠ୍ୟ ପୁସ୍ତକ ତିଆରି କରିବାର ଉଦ୍ଦେଶ୍ୟ କଣ ଜ୍ଞାନୀ ବୋଲେଇ ହୋଇ ସିଂହାସନରେ ବସିଥିବା ଆମେ ବଡ଼ମାନେ ଜାଣିଛନ୍ତି ତ ? ଏ ବିଷୟରେ ଏକ ଦୃଢ଼ ଓ ସଂପୂର୍ଣ୍ଣ ବୁଝାମଣା ଆଣିବା ପରେ ଅନେକ ପ୍ରୟୋଗକୁ ଦେଖିବା ପରେ ଆମେ ଏ କାର୍ଯ୍ୟଟି କରୁଛନ୍ତି ତ ?

ଥରେ ଟିକେ ସମସ୍ତେ ନିଜ ପିଲାବେଳକୁ ମନେପକାଇବା ପିଲାବେଳେ ମାଙ୍କଡ଼ର ପିଠା ଭାଗ କରି ଖାଇବା ଗପ ବୁଢ଼ୀମା କହିବା ବେଳେ ଗପର ବିଷୟବସ୍ତୁ ଗଣିତ ବୋଲି ଓ ଗପଟି ସାହିତ୍ୟ ବୋଲି ଭାଗ କରୁନଥିଲା ଆମ୍ୱ ଡ଼ାଳରେ ବସିଥିବା ହଳଦୀବସନ୍ତର ରଂଗ ଦେଖି ଖୁସିହୋଇ ଯାଉଥିବା ମନ ମୋର ତାର ଉଡ଼ିବା ଦେଖି ସେ କେମିତି ଉଡ଼ିପାରୁଛି ବୋଲି ପ୍ରଶ୍ନଟି ବିଜ୍ଞାନର ଭାବି ପଚାରିବା ଭୁଲୁନଥିଲା । ସାଇକେଲ୍‌ର ଚକ ଘରଘର ଗାଡ଼ିଯାଉଥିବା ବେଳେ ସାଇକେଲର ଚ଼କାରେ ପଶି ସର୍‌ସର୍ ଗଡ଼ାଇ ଦେ ଗୀତ ଗାଇବା ସହିତ ତାଳ ଖାଇସାରି ତାକୁ ଗାଡ଼ିକରି ଚ଼ଲାଇବାର ପ୍ରବୃତ୍ତିଟି ବିଜ୍ଞାନର ଅନ୍ତର୍ଭୁକ୍ତ ବୋଲି ରୋକି ହେଉ ନଥିଲା ମାଆ କୋଳରେ କି ନାନୀ କାଖେଇ ଜହ୍ନମାମୁଁଙ୍କୁ ଦେଖେଇ କ୍ଷୀର ସର ଓ ଚ଼ୁଡ଼ାଛତୁଆ ଖୁଆଇଦେବା ବେଳେ ଗାଉଥିବା ଗୀତ ବାରମ୍ୱାର ଶୁଣିବା ପରେ ଜହ୍ନରେ ଥିବା ଦାଗଟି କାହିଁକି ବୋଲି ପ୍ରଶ୍ନଟି ଆସିବା ବନ୍ଦ ହେଉନଥିଲା ।

ମୁଁ ଭାବୁଛି ମୋ ପରି ସମସ୍ତଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ଏଇଆ ଘଟିଥିବ। ତେବେ ବିଷୟର ଭିନ୍ନତା, ପାଠ୍ୟକ୍ରମ-ପାଠ୍ୟଖସଡ଼ାର ଭିନ୍ନତା ଆସିଲା କେଉଁଠୁ ? ଯେଉଁମାନେ ଭିନ୍ନତା ଆଣିଲେ ସେମାନେ ଯଦି ବିଭିନ୍ନତା ଆବଶ୍ୟକ ବୋଲି ଭାବୁଛନ୍ତି ତେବେ ଗପ ଶୁଣି ଶୋଇଯାଉଥିବା ନିଜ ପିଲା ଯେତେବେଳେ ପ୍ରଶ୍ନ ପଚାରୁଛି ତାର ସେ ପ୍ରସଙ୍ଗକୁ ଏବେ ବିଜ୍ଞାନ ସମୟ ନୁହେଁ କହି ବନ୍ଦ କରିପାରୁନାହାନ୍ତି କାହିଁକି ? ଯେଉଁମାନେ ସମନ୍ୱିତ କହି ଏହି ଅଧ୍ୟାୟରେ ଗଣିତର ମିଶାଣ ଫେଡ଼ାଣ ଶିଖିବ, ସାହିତ୍ୟର ପଢ଼ିବା ଓ ବ୍ୟାକରଣ ଶିଖିବ ବୋଲି କାର୍ଯ୍ୟ ଦେଇଛନ୍ତି ସେମାନେ ଆପଣାର ଜୀବନକୁ ବ୍ୟାକରଣ ଓ ଗଣିତ ଅନୁସାରେ ବିଭାଗୀକରଣ କରୁନାହାନ୍ତି କାହିଁକି ?

ପ୍ରଶ୍ନଗୁଡ଼ିକ ମନରେ ରହି ଦ୍ୱନ୍ଦ ବଢ଼ାଉଛନ୍ତି ବୋଲି ମୁଁ ସେମାନଙ୍କର ବୋଝ ସହିନପାରି ପଚାରିଦେଲି । କିନ୍ତୁ ତଥାପି ଯେଉଁ କେତେଜଣ ଜୀବନଟା ସମନ୍ୱିତ ବୋଲି ଜାଣିଛନ୍ତି, ପିଲାବେଳଠୁ ସାମଗ୍ରୀକ ଭାବେ ଦୁନିଆକୁ ଦେଖିଛନ୍ତି ଓ ଜୀବନବ୍ୟାପୀ ଏହି ସମନ୍ୱିତ ସାମଗ୍ରୀକତା ରହିପାରିବ ବୋଲି ବିଶ୍ୱାସ ରଖିଛନ୍ତି,ସେମାନେ ନିଶ୍ଚିୟ ପିଲାଟି ଠାରୁ ହିଁ ଖିଅଟିଏ ପାଇଯିବେ ଶିକ୍ଷଣ ଲାଗି । ଯାହାକୁ ଆଧାର କରି ଜୀବନର ପାହାଚ ପରେ ପାହାଚ ଚଢ଼ି ହେବ, ଶିକ୍ଷଣର ପଦ୍ଧତି ହିଡ଼ ସବୁ ଡ଼େଇଁ ହେବ । ସର୍ବୋପରି ଏଇ ଭିତରେ ପିଲାଟି ଜୀବନକୁ ଓ ଶିଖିବାକୁ ଭଲପାଇବା ଶିଖିଯିବ ବୋଲି ମୋର ବିଶ୍ୱାସ ।

ଲକ୍ଷ୍ୟ

ଲକ୍ଷ୍ୟ ସବୁଠି ସବୁବେଳେ ଆଗରୁ ନିର୍ଦ୍ଧାରିତ ହୋଇ ରହିଥାଏ । ସେ ଲକ୍ଷ୍ୟଟି ତୁମ ନିଜସ୍ୱ ହେବା ନିହାତି ଆବଶ୍ୟକ ନୁହେଁ । ଯେ କେହି ବି ତୁମ ପାଇଁ ଲକ୍ଷ୍ୟଟିଏ ନିର୍ଦ୍ଧାରଣ କରିଦେଇପାରେ । ପିଲାବେଳେ ଘରେ ବାପାମାଆଙ୍କ ଠାରୁ ଆରମ୍ଭ କରି କକା, ମାମୁଁ, ମଉସା, ପିଉସା ପର୍ଯ୍ୟନ୍ତ, ଆଉ ବିଦ୍ୟାଳୟରେ ମାଳି ଠାରୁ ଆରମ୍ଭ କରି ରୋଷେୟା, ଅତିଥି ଅଭ୍ୟାଗତ, ପାଠ ପଢ଼ା ସାରି ବଡ଼ ଚାକିରି କରୁଥିବା ପୁରାତନ ଛାତ୍ର ଏବଂ ଶିକ୍ଷକ ପର୍ଯ୍ୟନ୍ତ ଆଉ ବଡ଼ ହେବା ପରେ ନେତା, ବକ୍ତା ସମସ୍ତେ ବାରମ୍ବାର ଶିଖେଇ ଆସିଛନ୍ତି ଯେ, ଆମକୁ ଏଇ ଜୀବନକୁ ଭଲରେ ବଞ୍ଚିବା ପାଇଁ ହେଲେ କିଛି ଗୋଟେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସ୍ଥିର କରିବାକୁ ହେବ । ଲକ୍ଷ୍ୟହୀନ ଜୀବନର କିଛି ଅର୍ଥ ନାହିଁ । ଯଦିଓ ଆମ ପାଇଁ ଏଇ ଲକ୍ଷ୍ୟଟି ସବୁବେଳେ ସେଇ ବାହାରିଆ ଲୋକମାନେ ହିଁ ସ୍ଥିର କରି ଥାଆନ୍ତି । ଖୁବ୍ ଯୋଜନାବଦ୍ଧ ଭାବରେ ଆମ ପିଲାଦିନରୁ ଆମ ମନ ଭିତରେ ଏଇ ଲକ୍ଷ୍ୟ ସମ୍ପର୍କିତ ଅବଧାରଣାଟି ତିଆରି କରି ରୋପଣ କରିଦିଆଯାଇଥାଏ ।

ସମସ୍ତଙ୍କର ସବୁବେଳେ ତୁମ ପାଇଁ କିଛିନା କିଛି ଉପଦେଶ ଥାଏ । ସଫଳ ଜୀବନ ବଞ୍ଚିବାର ମାର୍ଗଦର୍ଶନର ଇଲମ ଥାଏ । ଏମିତିକି ମାତ୍ର ଦୁଇ ଦିନ ତଳେ ଚୋରା ମାଲ୍ ବିକ୍ରି କରି ସେକେଣ୍ଡ ହେଣ୍ଡ କାର୍ କିଣିଥିବା ତୁମ ପଡ଼ିଶା ଘରର ୨୨,୨୩ ବର୍ଷର ପିଲାଟି ବି ଠିକ୍ କରିପାରେ ତୁମେ ସ୍ୱଚ୍ଛନ୍ଦରେ ବଞ୍ଚିବା ପାଇଁ କେତେ ରୋଜଗାର କରିବା ଉଚିତ । ଠିକ୍ ଯେମିତି କରୋନା କାଳରେ କୌଣସି ନିୟମ ନମାନି ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧିତ କରୁଥିବା ରାଜନେତା ବି ଠିକ୍ କରିଦେଇପାରେ ତୁମେ କେଉଁଠି କେମିତି ମାସ୍କ ପିନ୍ଧି ରହିଲେ ବଞ୍ଚେଇପାରିବ ଆପଣା ଜୀବନ । ଶୁଣିଲେ ଲାଗେ, ଆହାଃ! ଆମ ଜୀବନ ପାଇଁ କେତେ ବ୍ୟସ୍ତ ସତରେ ବାବୁମାନେ!

ସ୍କୁଲ୍ ରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ଆଗରୁ ଆମ ହାତରେ ବିଧିବଦ୍ଧ ସିଲାବସ୍ ଗୋଟିଏ ଧରେଇ ଦିଆଯାଏ ସବୁବେଳେ । ପଢି, ଘୋଷି ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଯେତିକି ଆବଶ୍ୟକ, ବାସ୍ ସେତିକି ତଥ୍ୟ ଥାଏ ସେଥିରେ । ଶିକ୍ଷା ନିୟାମକ ମାନଙ୍କ ମତରେ, ତମକୁ ସେସବୁ ଭଲ ଲାଗିବା କିଛି ଜରୁରୀ ନୁହେଁ । ଜରୁରୀ ନୁହେଁ ସେସବୁ ତୁମ ଜୀବନରେ କିଛି କାମରେ ଆସିବା । ଠିକ୍ ଯେମିତି ଏବେ ଆମ ଦେଶରେ ଜରୁରୀ ନୁହେଁ ସ୍ୱାସ୍ଥ୍ୟ ବିଷୟକ ସବୁ ସଠିକ୍ ତଥ୍ୟ ଜାଣିବା ବା ସୁସ୍ଥରେ କି ଖୁସିରେ ବଞ୍ଚିବା । ଜ୍ଞାନୀ ହେବା ତ ଆଦୌ ଜରୁରୀ ନୁହେଁ ରାଜନେତାଙ୍କ ମତରେ । ପରୀକ୍ଷା ଆଗରୁ ସମ୍ଭାବ୍ୟ ପ୍ରଶ୍ନ ମାନଙ୍କର ଲମ୍ବା ତାଲିକା ବି ଧରେଇ ଦିଆଯାଏ, ଯେମିତି ବର୍ଷେ ପୂର୍ବରୁ ଆମ ହାତରେ ଧରେଇ ଦିଆ ଯାଇଥିଲା କରୋନାରୁ ବର୍ତ୍ତି ରହିବାର ବିଧିବିଧାନ । ପୁରା ବହି ତ ବର୍ଷ ସାରା ପଢ଼ା ହେଲା, ଆମେ ସମସ୍ତ ନିୟମ ମାନି ଘରେ ରହିଲେ ବି ପୁରା ବର୍ଷ । ଏବେ ସେସବୁ ଆଉ କ’ଣ ଦରକାର ଯେ! ଦରକାର କେବଳ ୧୦୦ ରୁ ୧୦୦ ମାର୍କ ରଖିବା । ମାର୍କ ତୁମକୁ ରଖିବାକୁ ହେବ । କରୋନା ଲଢ଼େଇରେ ତୁମକୁ ଜିତିବାକୁ ହେବ । ତୁମେ ସଫଳ ହେବା ପାଇଁ ଆଉ ଯେଉଁମାନଙ୍କର ଭୂମିକା ଅଛି ସେମାନେ ତାଙ୍କ କାର୍ଯ୍ୟ କରୁଛନ୍ତି କି ନାହିଁ ସେସବୁ କେହି ବୁଝିବେନି । ବୁଝିବା ପାଇଁ କାହାର ସମୟ ବି ନାହିଁ । ତାଙ୍କ ହାତରେ ଅନେକ ବଡ଼ ବଡ଼ କାମ । ସବୁଠାରୁ ବଡ଼ କଥା ହେଲା ତୁମେ ଏସବୁ ନେଇ ପ୍ରଶ୍ନବି କରିପାରିବନି । ସେ ଅଧିକାର ତୁମର ନାହିଁ । ଆଗରୁ ବୁଝାଇ ଦିଆଯାଇଛି ବଡ଼ ଲୋକଙ୍କୁ ଉତ୍ତର ନାହିଁ ।

ଲକ୍ଷ୍ୟ ଆଉ ଯୋଜନା ସବୁଠି ମୁଖ୍ୟ । କେଉଁ ପ୍ରକାରର କାମ କଲେ କେଉଁ ପ୍ରକାରର ଫଳ ମିଳିବ ସେ ସମ୍ପର୍କରେ ମଧ୍ୟ ପିଲାବେଳ ଠାରୁ ଆମକୁ ବେଶ୍ ପ୍ରଶିକ୍ଷିତ କରାଯାଇଛି । ସବୁବେଳେ ଆମକୁ ମନଦେଇ ପାଠ ପଢ଼ିବାକୁ କୁହାଯାଏ । କାରଣ ଭଲ ପାଠ ପଢ଼ି ବେଶୀ ନମ୍ବର ରଖିଲେ ଭଲ ଚାକିରି ମିଳିବ, ଭଲ ଚାକିରିରୁ ଭଲ ଦରମା । ଆଉ ଭଲ ଦରମା ରୁ ବାକି ଜୀବନ ଭଲରେ ବିତିବାର ନିଶ୍ଚିନ୍ତତା ।

ମେସିନ୍ ଭଳି ପୋ୍ରଗ୍ରାମିଙ୍ଗ କରାଯାଇଛି ଆମକୁ । ଅଧିକ କିଛି ଭାବି ହେଉନି । ତେଣୁ ବଞ୍ଚି ରହିବା ପାଇଁ ଓ ସମାଜରେ ତିଷ୍ଠି ରହିବା ପାଇଁ ଯାହା ଯାହା କରିବା ଆବଶ୍ୟକ ସେସବୁ ଆମେ ଅଣନିଶ୍ୱାସୀ ହୋଇ କରୁଛୁ । ଲାଗୁଛି ‘ଯଦି’ ଆଉ ‘ତାହେଲେ’ର ଅଛିଣ୍ଡା ସର୍ତ୍ତର ଚକ୍ର ଭିତରେ କେବଳ ଆମମାନଙ୍କ ଜୀବନ ଯେମିତି ଘୁରି ବୁଲୁଛି । ଯଦି ତୁମେ ଅଧିକ ପଢ଼ିବ, ତାହେଲେ ତୁମେ ଅଧିକ ରୋଜଗାର କରିବ.... ଯଦି ତୁମେ ଅଧିକ ଖେଳିବ, ତାହେଲେ ତୁମ ଜୀବନ ନଷ୍ଟ ହୋଇଯିବ.... ଯଦି ତୁମେ ବିଜ୍ଞାନ ନ ପଢି କଳା ପଢ଼ିବ, ତାହେଲେ ତୁମ ଭବିଷ୍ୟତ ଅନ୍ଧକାର ହୋଇଯିବ.... ଯଦି ତୁମେ ବାପା ମାଆଙ୍କ କଥା ମାନିବ, ତାହେଲେ ସେମାନେ ତୁମକୁ ବେଶୀ ଭଲ ପାଇବେ.... ଯଦି ତୁମେ ଭଲରେ ଖାଇବ, ତାହେଲେ ତୁମେ ସୁସ୍ଥ ରହିବ.... ଯଦି ତୁମେ ଅନ୍ୟମାନଙ୍କୁ ଭଲପାଇବ, ତାହେଲେ ସେମାନେ ମଧ୍ୟ ପ୍ରତିବଦଳରେ ତୁମକୁ ଭଲପାଇବେ.... ଯଦି ତୁମେ ନିରାମିଷ ଖାଇବ, ତାହେଲେ ତୁମେ ଶାନ୍ତ ହେବ.... ଯଦି ତୁମେ ସୋମବାର ପାଳିବ, ତାହେଲେ ତୁମେ ଭଲ ବର ପାଇବ.... ଯଦି ତୁମେ ଗୁରୁବାର ମାନିବ, ତାହେଲେ ତୁମ ଉପରେ ଲକ୍ଷ୍ମୀ ପ୍ରସନ୍ନ ରହିବେ ଓ ତୁମେ ଧନୀ ହେବ.... ଯଦି ତୁମେ ପିଲା ଜନ୍ମ କରିବ, ତାହେଲେ ମା’ହୋଇ ତୁମ ନାରୀ ଜୀବନ ସାର୍ଥକ ହେବ.... ପୁଅ ଜନ୍ମ କଲେ ପୁତ୍ ନାମକ ନର୍କରୁ ଉଦ୍ଧାର ହେବ, ଯଦି ତୁମେ ଯାବତୀୟ ଅମେଳ ଓ ଯାତନା ସତ୍ତ୍ୱେ ସ୍ତ୍ରୀ/ସ୍ୱାମୀ ପାଖରେ ପଡିରହିବ, ତାହେଲେ ତୁମକୁ ଆଉ କେହି ଚରିତ୍ରହୀନ କହିବେନି.... ଯଦି ତୁମେ ବିଦେଶରେ ଚାକିରି କରିବ ତାହେଲେ ତୁମ ବାପା ମାଆଙ୍କର ନାଁ ହେବ.... ଯଦି ତୁମେ ସରକାରଙ୍କ ସପକ୍ଷରେ କହିବ ତେବେ ତୁମକୁ ସବୁପ୍ରକାର ସୁବିଧା ସୁଯୋଗ ମିଳିବ, ଜେଲ୍ ହେବନି.... ଇତ୍ୟାଦି, ଇତ୍ୟାଦି ।

ପିଲାବେଳଠୁ କ’ଣ କରିବାକୁ ହେବ ଆଉ କ’ଣ ନକରିବାକୁ ହେବ, ସେସବୁ ବି ଆମକୁ ବେଶ୍ ଭଲ କରି ଶିଖା ଯାଇଛି । ସତେ ଯେମିତି ଭଲ-ମନ୍ଦର ସେଇ ତାଲିକାଟି ସ୍ୱୟଂ ଭଗବାନ ନିଜେ ପ୍ରସ୍ତୁତ କରିଛନ୍ତି ଆଉ ସେଇଟା ଜାତି, ଧର୍ମ, ବର୍ଣ୍ଣ, ପ୍ରକାର, ଗୁଣ, ସାମର୍ଥ୍ୟ, ବିଶେଷତ୍ୱ, ଦକ୍ଷତା ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ବୋଲି ବି ନିଦେ୍ର୍ଧଶ ଦେଇଛନ୍ତି । ସବୁଗୁଡାକୁ ଗୋଟି ଗୋଟି ମାନିନେବାକୁ ହେବ । ଏଥିରେ ଟିକେ ମାତ୍ର ବ୍ୟତିକ୍ରମ ହେଲେ ଆକାଶଟା ସିଧା ଧରାରେ ଖସିପଡିବ ପରା!

ପ୍ରକୃତରେ ଦେଖିବାକୁ ଗଲେ ଉଦ୍ଦେଶ୍ୟମୂଳକ ଜୀବନ ବଞ୍ଚିବାର ଅସଲ ଲାଭ କେବଳ ସେଇମାନଙ୍କୁ ମିଳେ ଯେଉଁମାନେ ଆମମାନଙ୍କ ପାଇଁ ଉଦ୍ଦେଶ୍ୟ ଗୁଡିକୁ ଖଞ୍ଜି ଦେଇଥାଆନ୍ତି ।

ଆମ ଲକ୍ଷ୍ୟ ଯଦି ଭଗବାନଙ୍କୁ ସେବା କରିବା ହୁଏ, ତାହେଲେ ଧର୍ମଗୁରୁ ମାନେ ଲାଭ ପାଆନ୍ତି । ଆମ ଲକ୍ଷ୍ୟ ଯଦି ଦେଶର ସେବା କରିବା ହୁଏ, ତାହେଲେ ରାଜନେତା ମାନେ ଲାଭବାନ୍ ହୁଅନ୍ତି । ଆମ ଲକ୍ଷ୍ୟ ଯଦି ସ୍ୱଚ୍ଛନ୍ଦରେ ଜୀବନ ଯାପନ କରିବା ହୁଏ, ତାହେଲେ ଉପଭୋକ୍ତା କମ୍ପାନୀମାନେ ଉପକୃତ ହୁଅନ୍ତି । ଆମ ଲକ୍ଷ୍ୟ ଯଦି ସରଳ ଭାବରେ ବଞ୍ଚିବା ହୁଏ, ତାହେଲେ ସାଧୁମାନେ ଉପକୃତ ହୁଅନ୍ତି । ଆମ ଲକ୍ଷ୍ୟ ଯଦି ସମସ୍ତଙ୍କୁ ଭଲପାଇବା ହୁଏ, ତାହେଲେ ଶତ୍ରୁମାନେ ଲାଭବାନ୍ ହୁଅନ୍ତି । ଆମ ଲକ୍ଷ୍ୟ ଯଦି ସମସ୍ତଙ୍କୁ କ୍ଷମା କରିବା ହୁଏ, ତାହେଲେ କୁଟିଳ ଲୋକମାନେ ଫାଇଦାରେ ରହନ୍ତି । ଏମିତି ଲମ୍ବି ଚାଲେ ଲାଭଖୋର୍ ମାନଙ୍କର ତାଲିକା ।

ପ୍ରତି ମୁହୂର୍ତ୍ତରେ କଉଠି ନା କଉଠି କିଏ ଜଣେ ଜଗି ବସିଥାଏ ଆମ ଲକ୍ଷ୍ୟର ଡୋରକୁ ହାତରେ ଧରି ଫାନ୍ଦରେ ପକେଇବାକୁ । ଆମ ବେକରେ ‘ଲକ୍ଷ୍ୟ’ ଆଉ ‘ଉଦ୍ଦେଶ୍ୟ’ର ପଘା ପକେଇ ଡୋରଟିକୁ ନିଜ ଅକ୍ତିଆର୍ ରେ ରଖିଥିବା ମଣିଷମାନେ କିନ୍ତୁ ବେଶ୍ ଭଲକରି ଜାଣନ୍ତି ଏସବୁର କିଛି ଅର୍ଥ ନାହିଁ ବୋଲି । ଆମେ କିନ୍ତୁ ତାଙ୍କ କଥାକୁ ଏମିତି ଗଣ୍ଠି କରି ଧରିଥାଆନ୍ତି ଯେ, ଜୀବନଟା ଆମର ଗୋଟିଏ ଧାରାରେ ପଡିଯାଇଥାଏ । ଲକ୍ଷ୍ୟକୁ ଆମେ ଏମିତି ମୁଠେଇ ଧରିଥାଆନ୍ତି ଯେ, ଅନ୍ୟ କିଛି କରିବାର ଆବଶ୍ୟକତା ଯଦି କେବେ ପଡିଯାଏ କରୋନା ପରି ଅସମୟରେ ତେବେ ଅନ୍ଧାର ଦିଶେ ଚାରିଦିଗ । ଭାଙ୍ଗି ପଡେ ସବୁକିଛି । ବାଟ ମିଳେନି, ଅସହ୍ୟ ଲାଗେ । ଯାହା ଭାବିଥିଲେ ତାହା ହେଇପାରୁନି ବୋଲି ବ୍ୟସ୍ତ ଲାଗେ । ଜୀବନର କିଛି ମୂଲ୍ୟ ନାହିଁ ବୋଲି ମନେହୁଏ । ଡିପ୍ରେସନ୍, ଏନଜାଇଟି, ସୁଇସାଇଡାଲ୍ ଟେଣ୍ଡେନ୍ସି ସବୁ ବଢି ବଢି ଯାଏ । ଯାହା ନିତି ପ୍ରତି ବଢିଚାଲିଛି ଓ ଘଟିଚାଲିଛି ଏଇ କରୋନା ଆସିବା ପରେ । ଆମ ପାଇଁ ଉଦ୍ଦେଶ୍ୟ ତିଆରି କରିଥିବା ସିଆଣିଆ ମାନଙ୍କର କିନ୍ତୁ କିଛି ହୁଏନି । ସେମାନେ ବେଶ୍ ଆନନ୍ଦରେ ସମୟ ସହ ତାଳ ଦେଇ ବାଟଚାଲୁଥାନ୍ତି ।

ଆମେ ତେବେ କେଉଁ ଦିନ ଆଉ ଦୁଝିବା ଯେ ନିଜ ଜୀବନ ନିଜର ବୋଲି? ଧର୍ମ, ପରମ୍ପରା ବଡ଼ ଆଉ ଆମ ଜୀବନ ତୁଚ୍ଛ ବୋଲି ସେମାନେ ମୁହଁ ଖୋଲି କହି ସାରିଲା ପରେ ବି କ’ଣ ଆମର ଆହୁରି ବୁଝିବା ବାକି ରହିଯାଇଛି?

ମୁରଲୀଧର ଟାଲି

ପ୍ରବେଶିକା ପରୀକ୍ଷାରେ ପିଲାଟି ତା’ ଇଷ୍ଟଦେବୀ ମା’ ସମଲେଇଙ୍କୁ ପ୍ରଣାମ କରି ଛବି ଆଙ୍କିଲା । ପରଦିନ ଯେତେବେଳେ ପ୍ରବେଶିକା ପାସ୍ କରିଥିବା ପିଲାଙ୍କ ତାଲିକା ବାହାରିଲା, ସେତେବେଳେ ସେଇ ଧୋତି ପିନ୍ଧା ପିଲାଟିର ନାଁ ସବା ଉପରେ ଲେଖା ଯାଇଥିଲା ।ଲେଖା ଯାଇଥିଲା ଶ୍ରୀ ମୁରଲୀଧର ଟାଲି ।

ମୁରଲୀଧରଙ୍କର ଜନ୍ମ ହୋଇଥିଲା ସମ୍ବଲପୁରର ମହାନ୍ତିପଡ଼ା ଠାରେ ୧୯୧୮ମସିହା ଅକ୍ଟୋବର ୨୨ ତାରିଖରେ । ବାପାଙ୍କ ନାଁ ରଘୁନାଥ ଟାଲି ଆଉ ମା ଙ୍କ ନାଁ ବିଷ୍ଣୁପ୍ରିୟା । କୁହାଯାଏ ମୁରଲୀଧରଙ୍କ ପୂର୍ବପୁରୁଷ ଏକଦା ବିରଜା କ୍ଷେତ୍ର ଯାଜପୁରରୁ ସମ୍ବଲପୁର ରାଜାଙ୍କ କରଣ କାମ ତୁଲାଇବାକୁ ସମ୍ବଲପୁର ଯାଇଥିଲେ । ସେଇଠି ରାଜା ତାଙ୍କ ପରିବାରକୁ ଟାଲି ଉପାଧି ଦେଇଥିଲେ ।

ମୁରଲୀଧର ପିଲାଦିନରୁ ଭଲ ପାଠ ପଢୁଥିଲେ ଓ ଭଲ ଛବି ଆଙ୍କୁଥିଲେ । ସୁନ୍ଦର ମୂର୍ତ୍ତି ବି ଗଢ଼ୁଥିଲେ । ସେତେବେଳେ ଓଡ଼ିଶାରେ କଳାଶିକ୍ଷା ପାଇଁ କିଛି ବି ସୁଯୋଗ ନଥିଲା । କଳାଶିକ୍ଷା ପାଇଁ କଲିକତା ଯିବାକୁ ହେଉଥିଲା ।

ମୁରଲୀଧର କଲିକତା କଳା ବିଦ୍ୟାଳୟରେ ନାମ ସିନା ଲେଖାଇ ଦେଲେ, ହେଲେ ରହିବା ପାଇଁ ଜାଗା କାହିଁ? କଲିକତାରେ ଓଡ଼ିଆ ଲୋକଙ୍କ ପାଇଁ ଶସ୍ତାରେ ରହିବା ଓ ଖାଇବା ଲାଗି କିଛି ଉତ୍ସାହୀ ଓଡ଼ିଆ ଯୁବକ “ଓଡ଼ିଶା ହୋମ୍” ନାମରେ ହଷ୍ଟେଲ୍ ଖୋଲିଥା’ନ୍ତି ସେ ସମୟରେ । ସେଇଠି ରହିଲେ ମୁରଲୀଧର ।

କଳା ବିଦ୍ୟାଳୟରେ ସେତେବେଳେ ପାଞ୍ଚବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ଓ ପରେ ପୋଷ୍ଟ ଡିପ୍ଲୋମା ଦୁଇ ବର୍ଷ ଥାଏ । ମୁରଲୀଧର କଳା ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ହାଭେଲ୍ ଓ ଅବନୀନ୍ଦ୍ରନାଥଙ୍କ ସ୍ୱଦେଶୀ ଧାରା କଣଠେସା ହେଇସାରି ପୁଉଣି ଥରେ ୟୁରୋପୀୟ ଧାରା ମୁଣ୍ଡ ଟେକିଲାଣି । ମୁରଲୀଧର ପାଶ୍ଚାତ୍ୟ ଧାରାରେ ଜଳରଙ୍ଗ, ତୈଳରଙ୍ଗ, ମଡେଲ୍ ଷ୍ଟଡି, ଡ୍ରଇଁ ଓ ସ୍କେଚିଂ ଆଦି ଶିକ୍ଷା କଲେ ।

ମୁରଲୀଧରଙ୍କ ପ୍ରତିଭା ଅସାଧାରଣ ଥିଲା । ସେଇଥିପାଇଁ ଅତୁଲ୍ ବୋଷ ଓ ଅଧ୍ୟାପକ ପ୍ରହଲ୍ଲାଦ କର୍ମକାର ତାଙ୍କୁ ସେମାନଙ୍କ ବ୍ୟକ୍ତିଗତ ଷ୍ଟୁଡିଓରେ କାମ କରିବାକୁ ସୁଯୋଗ ଦେଇଥିଲେ । ମୁରଲୀଧର କେବଳ ଜଳରଙ୍ଗ ଓ ତୈଳରଙ୍ଗ ରେ ପାରଙ୍ଗମ ନଥିଲେ, ସେ ଗ୍ରାଫିକ୍ କଳାରେ ମଧ୍ୟ ଖୁବ୍ ପାରଦର୍ଶିତା ଲାଭ କରିଥିଲେ । ମୁରଲୀଧରଙ୍କର ଅନେକ ପ୍ରିଣ୍ଟ ସେତେବେଳର ବିଖ୍ୟାତ ବଙ୍ଗୀୟ ପତ୍ରିକା “ଦେଶ୍”ରେ ମଧ୍ୟ ପ୍ରକାଶ ପାଇଥିଲା ।

ବିଖ୍ୟାତ ବଙ୍ଗୀୟ ଗ୍ରାଫିକ୍ ଶିଳ୍ପୀ ହରେନ୍ ଦାସ ମୁରଲୀଧରଙ୍କର ସହପାଠୀ ଥିଲେ । ଅଧ୍ୟକ୍ଷ ମୁକୁଲ୍ ଦେ, ରମେନ୍ଦ୍ରନାଥ ଚକ୍ରବର୍ତ୍ତୀ ଓ ମନୀନ୍ଦ୍ର ଭୂଷଣ ଆଦି ଗ୍ରାଫିକ୍ ବିଭାଗରେ ଧୂରୀଣ ଶିଳ୍ପୀ ଥିଲେ ।

କଲିକତାର ଏକାଡେମୀ ଅଫ୍ ଫାଇନ୍ ଆର୍ଟର ପ୍ରତିଷ୍ଠାତ୍ରୀ ଲେଡି ରାନୀ ମୁଖାର୍ଜୀଙ୍କର ଚିତ୍ରକଳା ପ୍ରତି ବିଶେଷ ଆଦର ଥିଲା । ନିଜେ ଚିତ୍ରକଳା ଶିକ୍ଷା କରିବା ପାଇଁ ସେ ଏକଦା ମୁକୁଲ୍ ଦେ’ଙ୍କୁ ଅନୁରୋଧ କରିଥିଲେ । ମୁକୁଲ୍ ଦେ ରାନୀ ମୁଖାର୍ଜୀଙ୍କୁ ବ୍ୟକ୍ତିଗତ ଭାବରେ କଳା ଶିକ୍ଷା ଦେବା ପାଇଁ ପଠାଇଥିଲେ ମୁରଲୀଧରଙ୍କୁ । କିଛି ମାସ ମୁରଲୀଧର ଲେଡି ରାନୀ ମୁଖାର୍ଜୀଙ୍କର ଘରୋଇ କଳା ଶିକ୍ଷକ ଥିଲେ । ଓ ସେଇ କାରଣରୁ ତାଙ୍କର କଲିକତାର ଅନେକ ବିଶିଷ୍ଟ ଲୋକଙ୍କ ସହ ପରିଚୟ ମଧ୍ୟ ହୋଇଥିଲା ।

କଲିକତା କଳା ବିଦ୍ୟାଳୟରେ ସାତ ବର୍ଷ ବିତାଇବା ପରେ ଅତୁଲ୍ ବୋଷ ଓ ପ୍ରହଲ୍ଲାଦ କର୍ମକାରଙ୍କ ଷ୍ଟୁଡିଓରେ ଆଉ ଦୁଇ ବର୍ଷ ବିତାଇଥିଲେ । ଏହିପରି ପୁରା ନଅ ବର୍ଷ ସେ କଲିକତାରେ ରହି ଶେଷରେ ଓଡ଼ିଶା ଫେରି ଆସିଥିଲେ ମୁରଲୀଧର ।

୧୯୪୪ରେ ମୁରଲୀଧରଙ୍କର ବିବାହ ହୋଇଥିଲା । ଏହା ପରେ ସେ ତାଙ୍କ ବନ୍ଧୁ ଶିଳ୍ପୀ ବିଭୂତି କାନୁନଗୋଙ୍କ ପରାମର୍ଶରେ କଟକ ଚାଲି ଆସିଥିଲେ । ଓଡ଼ିଶାରେ କଳାକୁ ପେଷା କରି ପେଟପାଟଣା କରିବା କାଠିକର ପାଠ । ଦୁଇ ବନ୍ଧୁ ଗୋଟେ କଳା ବିଦ୍ୟାଳୟର ରୂପରେଖ ପ୍ରସ୍ତୁତ କଲେ ଓ ଦରଘା ବଜାରରେ କଳା ବିଦ୍ୟାଳୟଟିଏ ପ୍ରତିଷ୍ଠା କଲେ । ସେପଟେ ବ୍ରହ୍ମପୁରର ଚିକଟି ପରିବାରର ଶରତଚନ୍ଦ୍ର ଦେବ ଲଣ୍ଡନରୁ ଚିତ୍ରକଳା ଶିକ୍ଷା କରିସାରି ବ୍ୟକ୍ତିଗତ ଉଦ୍ୟମରେ କଳା ବିଦ୍ୟାଳୟଟିଏ ଖୋଲିଲେ ଓ ମୁରଲୀଧରଙ୍କୁ ସେଠାରେ ଶିକ୍ଷକତା କରିବାକୁ ଅନୁରୋଧ କଲେ । ମୁରଲୀଧର କଟକରେ ସପରିବାର ରହୁଥିବାରୁ ଓ ନିଜେ ଏକ କଳା ବିଦ୍ୟାଳୟର ଅଂଶ ହୋଇଥିବାରୁ ପ୍ରତି ସପ୍ତାହରେ ମାତ୍ର ଦୁଇଦିନ ବ୍ରହ୍ମପୁର ଯାଇ ପିଲାମାନଙ୍କୁ କଳାଶିକ୍ଷା ଦେଉଥିଲେ ।

ଆର୍ଥିକ ଅନାଟନ ଓ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ କଟକ କଳା ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇ ସାରିଥାଏ । ସେଠି ସେମିତି କିଛି ଭବିଷ୍ୟତ ଆଶା ନଥିବାରୁ ମୁରଲୀଧର ୧୯୪୮ରେ ବୟନଶିଳ୍ପ ବିଭାଗର ଟେକ୍ସଟାଇଲ୍ ଡିଜାଇନର୍ ଭାବରେ ଯୋଗ ଦେଲେ । ଏହି ସମୟରେ ସେ ଓଡ଼ିଶାର ବୁଣାକାରମାନଙ୍କ ପାଇଁ ଅନେକ ଚମତ୍କାର ଉଚ୍ଚମାନର ଡିଜାଇନ୍ ମାନ ପ୍ରସ୍ତୁତ କରିଥିଲେ । ଫଳରେ ଓଡ଼ିଶାର ବୁଣାକାରମାନଙ୍କର ଅନେକ ଉନ୍ନତି ସାଧିତ ହୋଇଥିଲା ।

ନିଜର ନିଷ୍ଠା, କାର୍ଯ୍ୟ ଦକ୍ଷତା ଓ ମୌଳିକ କଳାପ୍ରାଣ ଯୋଗୁଁ ୧୯୫୭ ମସିହାରେ ଭାରତ ସରକାରଙ୍କର ବୟନ ଓ ହସ୍ତତନ୍ତ ବିଭାଗର ଉପନିର୍ଦ୍ଦେଶକ, ଡିଜାଇନ୍ ପଦବୀରେ ଯୋଗ ଦେଇ ୧୯୫୭ ପର୍ଯ୍ୟନ୍ତ କଲିକତା, ମାଡ୍ରାସ, ବନାରସ, ଇନ୍ଦୋର, ବମ୍ବେ ପ୍ରଭୃତି ସହରରେ କାମ କରି ଅବସର ନେବାର ଶେଷ ବର୍ଷକୁ ଭୁବନେଶ୍ୱର ବଦଳି ହୋଇ ଆସିଥିଲେ ସେ ।

ମୁରଲୀଧରଙ୍କର ତୈଳରଙ୍ଗ ଓ ଜଳରଙ୍ଗ ଉଭୟରେ ଅଦ୍ଭୁତ ପାରଦର୍ଶିତା ଥିଲା । ଓଡ଼ିଶାରେ ତାଙ୍କ ପରି ଆଲେଖ୍ୟ ଅଙ୍କନ କରିବା ଶିଳ୍ପୀ ବିରଳ । ୧୯୬୪-୬୫ରେ ବାରବାଟୀ ଷ୍ଟାଡିୟମ୍ ର କ୍ଲବ୍ ହାଉସ୍ ରେ ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ୧୬ଟି ତୈଳଚିତ୍ର ସେ ଆଙ୍କିଥିଲେ ।

ଇମ୍ଫା ସଂସ୍ଥାର ବର୍ଷିକିଆ କ୍ୟାଲେଣ୍ଡର୍ ପାଇଁ ସେ ଚମତ୍କାର କଳାକୃତିମାନ ପ୍ରସ୍ତୁତ କରିଥିଲେ । ଆଦିବାସୀଙ୍କ ଜୀବନ, ଓଡ଼ିଶାର ବରପୁତ୍ର ଓ ଶଙ୍କରାଚାର୍ଯ୍ୟଙ୍କ ଶ୍ଳୋକକୁ ଆଧାର କରି ସେ ତିନିଥର କ୍ୟାଲେଣ୍ଡର ପାଇଁ ଛବି ଆଙ୍କିଥିଲେ । ଏବେ ବି ଅନେକ ସ୍ଥାନରେ ଓଡ଼ିଶାର ସେଇ ବରପୁତ୍ର ମାନଙ୍କର ଇମ୍ଫା କ୍ୟଲେଣ୍ଡରର ଛବି ସବୁ ବନ୍ଧାଇ ହୋଇ କାନ୍ଥରେ ଝୁଲୁଥିବାର ଦେଖାଯାଏ ।

ମୁରଲୀଧର ଏକଦା ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଁ ଆଙ୍କିଥିବା ଆଦିକବି ସାରଳା ଦାସ ଓ ସନ୍ଥ କବି ଭୀମ ଭୋଇଙ୍କ ଆଲେଖ୍ୟ ଏବେ ସର୍ବତ୍ର ପ୍ରଚଳିତ । ଶିଳ୍ପୀର ମାନସପଟରୁ ସୃଷ୍ଟ ଏହିପରି ଆହୁରି କିଛି ଆଲେଖ୍ୟ ମଧ୍ୟ ଆଜି ଓଡ଼ିଆ ଲୋକଙ୍କ ସାମୂହିକ ସ୍ମୃତି ଭିତରେ ସ୍ଥାୟୀ ହୋଇସାରିଲାଣି ।

ଛାତ୍ର ଅବସ୍ଥାରୁ ମୁରଲୀଧର ଅନେକ ଚିତ୍ର ପ୍ରଦର୍ଶନୀରେ ଭାଗ ନେଇ ପ୍ରଶଂସିତ ହୋଇଛନ୍ତି ଏବଂ ପୁରସ୍କୃତ ବି ହୋଇଛନ୍ତି । ୧୯୪୪ରେ କଲିକତାର ଏକାଡେମୀ ଅଫ୍ ଫାଇନ୍ ଆର୍ଟସ୍ ପ୍ରଦର୍ଶନୀରେ ତାଙ୍କ ଛବି ପ୍ରଥମ ପୁରସ୍କାର ଲାଭ କରିଥିଲା । ତାପରେ ୧୯୪୫ରେ ମଧ୍ୟ ତାଙ୍କର “ମୋ ମା” ଶୀର୍ଷକ ଛବିଟି ସେଇଠି ସ୍ୱର୍ଣ୍ଣପଦକ ଲାଭ କରିଥିଲା ।

୧୯୬୧ରେ ପୁଉଣି ଥରେ ସେ ସେଇ ଏକାଡେମୀ ଅଫ୍ ଫାଇନ୍ ଆର୍ଟସ୍ ରେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ସେଇ ୧୯୬୧ରେ ମଧ୍ୟ ସେ ଓଡ଼ିଶା ଲଳିତକଳା ଏକାଡେମୀ ଆୟୋଜିତ କଳା ପ୍ରଦର୍ଶନୀରେ ପୁରସ୍କୃତ ହୋଇଥିଲେ । ୧୯୯୨ ମସିହାରେ କଳା ପ୍ରତି ତାଙ୍କର ଉତ୍ସର୍ଗୀକୃତ ଅବଦାନ ପାଇଁ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ତାଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ “ଧର୍ମପଦ” ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ବିଡ଼ମ୍ବନାର କଥାଟି ହେଲା, ମୁରଲୀଧର ପ୍ରଥମରୁ ବେସରକରୀ ଭାବରେ କଳାଶିକ୍ଷା ଦେଇ ଆସୁଥିଲେ ମଧ୍ୟ ଓଡ଼ିଶାର କୌଣସି କଳା ମହାବିଦ୍ୟାଳୟରେ ତାଙ୍କୁ ଅଧ୍ୟାପନା କରିବାର ସୁଯୋଗ ମିଳିନଥିଲା । ତଥାପି ଜୀବନର ଶେଷ ପର୍ଯ୍ୟନ୍ତ ସେ ଅବଶ୍ୟ ଇଚ୍ଛୁକ ଓ ଆଶାୟୀ କଳା ଶିକ୍ଷାର୍ଥୀ ମାନଙ୍କୁ କଳା ଶିକ୍ଷା ଦେଉଥିଲେ ।

ଜୀବନର ଶେଷ ପର୍ଯ୍ୟନ୍ତ ରଙ୍ଗ ତୁଳୀ ସାଙ୍ଗରେ ତାଙ୍କର ସମ୍ପର୍କ ଅତୁଟ ରହିଥିଲା । ଜୀବନ କାଳରେ ଓଡ଼ିଶା ଚିତ୍ରକଳା ରାଜ୍ୟରେ ସେ ଥିଲେ ଜଣେ ଜୀବନ୍ତ କିମ୍ବଦନ୍ତୀ । ଶେଷରେ ୨୪ ଡିସେମ୍ବର ୧୯୯୭ ମସିହାରେ ମୁରଲୀଧର ସଂସାର ମାୟାରୁ ମୁକ୍ତ ହୋଇ ଅନ୍ୟ ଏକ ଦୁନିଆଁ ଯାତ୍ରାରେ ସବୁଦିନ ପାଇଁ ବାହାରି ଯାଇଥିଲେ । ହଠାତ୍ ପଛରେ ପଡ଼ିରହିଯାଇଥିଲା ଫାଙ୍କା କ୍ୟାନଭାସ୍, ରଙ୍ଗ ଓ ତୁଳୀ ।

କଳାକାରର ମୃତ୍ୟୁ ହୁଏନି । ମୁରଲୀଧରଙ୍କ ଜନ୍ମ ଶତବାର୍ଷିକି ଏ ଭିତରେ ପାଳନ ହୋଇଯାଇଛି । ସେ ଏବେ ବି ଅଛନ୍ତି । ବଞ୍ଚିରହିଛନ୍ତ ତାଙ୍କ ହାତ ଅଙ୍କା ଛବିମାନଙ୍କ ଭିତରେ । ବଞ୍ଚିରହିଛନ୍ତ ପ୍ରତିଟି କଳାପ୍ରାଣ ଓଡ଼ିଆର ସ୍ମୃତିର ପୃଷ୍ଠାରେ ।

ଆଇଁସି ମନ୍ତର କାଇଁସି

କାହାର ଗୋଟେ ହାତ ମୁଦିକୁ ଆଉ କାହା ବାଡ଼ିର ଅମୃତଭଣ୍ଡା ଭିତରୁ ବାହାର କରୁଥିଲା । ସ୍କୁଲକୁ ଆସୁଥିବା ମ୍ୟାଜିସିଆନ୍ ବେଲୁନ୍ ଭିତରେ ଛୁଞ୍ଚି ଫୋଡୁଥିଲା, ଅନ୍ଧ ପୁଟୁଳି ବାନ୍ଧି ବ୍ଲାକବୋର୍ଡରେଅଧା ଚିତ୍ରକୁ ପୁରା କରୁଥିଲା। ବୋତଲ ଭିତରେ ପୁରେଇ ପାରୁଥିଲା ଅଣ୍ଡା ଆଉ ପାଟି ଭିତରୁ ବାହାର କରୁଥିଲା ଅସରନ୍ତି ରିବନ୍ । ଆମକୁ ସବୁଗୁଡା ଭଲଲାଗୁଥିଲା ଓ ଆମେ କିଛିଦିନ ଆମ ପ୍ରକାରେ ଅନେକ କୁହୁକ ମ୍ୟାଜିକ୍ ର ଖେଳ ଖେଳୁଥିଲୁ ।

ଭାରତରେ କୁହୁକ କିମିଆଁ ଖେଳର ଇତିହାସ ଖୁବ୍ ପ୍ରାଚୀନ । ପ୍ରାଚୀନ ଲୋକଗପ ଓ ସାହିତ୍ୟରେ ଯାଦୁକର ମାନଙ୍କର ବର୍ଣ୍ଣନା ରହିଛି । ଜଣାଯାଏ ୧୮୧୩ରେ ଜନୈକ ଇଂରେଜ ଜାହାଜର କ୍ୟାପଟେନ୍ କିଛି ଭାରତୀୟ ଯାଦୁକରଙ୍କୁ ୟୁରୋପ ନେଇଥିଲେ । ଭାରତର ପ୍ରମୁଖ ଯାଦୁକରମାନେ ମୁଖ୍ୟତଃ ପଶ୍ଚିମ ବଙ୍ଗଳା, କେରଳ, ଗୁଜୁରାଟ, କର୍ଣ୍ଣାଟକ, ମୁମ୍ବାଇ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶରୁ ଆସିଛନ୍ତି । ଭାରତରେ ଏଇ ବର୍ଷପୁରୁଣା ହାବୁ ବିଦ୍ୟାକୁ ଆଧୁନିକ ଢଙ୍ଗରେ ଲୋକଙ୍କ ଆଗକୁ ପ୍ରଥମ କରି ଆଣିଥିଲେ ପ୍ରତୁଲ ଚନ୍ଦ୍ର ସରକାର, ସଂକ୍ଷିପ୍ତରେ ପି.ସି.ସରକାର ।

୯ ଏପ୍ରିଲ୍ ୧୯୫୬ର କଥା । ବି.ବି.ସି ନିଜ ପପୁଲାର ସିରିଜ୍ ‘ପାନୋରମା’ର କାର୍ଯ୍ୟକ୍ରମରେ ଟିକେ ଅଦଳାବଦଳି କରି ଜଣେ ଭାରତୀୟ ମ୍ୟାଜିସିଆନଙ୍କୁ ୧୫ ମିନିଟ୍ ସମୟ ଦେଇଥାଏ କୁହୁକ ଖେଳ ଦେଖାଇବା ପାଇଁ । ଭାରତର ପ୍ରସିଦ୍ଧ ‘ହିନ୍ଦୁ ବାସ୍କେଟ୍ ଟ୍ରିକ୍’ର ରୂପାନ୍ତରଣ ଥିଲା ଏଇଟି । ମଣିଷକୁ ମୃତ ଓ ଜୀବନ୍ତ କରିପାରୁଥିବା ମ୍ୟାଜିକ୍ ର ମାୟାରେ କିଏ ବା ନ ପଡିବ! ଲାଇଭ୍ ଟି.ଭିରେ ହଜାର ହଜାର ଦର୍ଶକ ମ୍ୟାଜିକ୍ ଦେଖିବାକୁ ଅପେକ୍ଷା କରିଥାଆନ୍ତି । ଦେଖାଗଲା; ମ୍ୟାଜିସିଆନ୍ ଙ୍କ ସହକାରୀ ଜଣକ ଶୋଇ ଯାଉଛନ୍ତି, ସହକାରୀଙ୍କ ଉପରେ ଗୋଲାକାରରେ ଘୁରୁଛି ଗୋଟେ ଝୁଲନ୍ତା କରତ, ମ୍ୟାଜିସିଆନ୍ ସହକାରୀଙ୍କୁ ସମ୍ମୋହନ କରୁଛନ୍ତି, ତାପରେ ମେସିନ୍ ଦ୍ୱାରା ପରିଚାଳିତ କରତଟି ଧୀରେ ଧୀରେ ତଳକୁ ଆସି ସହକାରୀଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରିଚାଲିଛି । ଭୟ ଓ ଉଦବେଗରେ ଦର୍ଶକମାନେ ଅପେକ୍ଷା କରିଛନ୍ତି ଆଗକୁ କ’ଣ ହେବ ଦେଖିବାକୁ । ହଠାତ୍ କିନା ମେସିନ୍ ର ସୁଇଚ୍ ଅଫ୍ ହୋଇଗଲା, କରତ ଉଠିଗଲା ଉପରକୁ, ମ୍ୟାଜିସିଆନ୍ ସହକାରୀଙ୍କୁ ଡାକିଲେ, ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ କିଛି ପ୍ରତ୍ୟୁତ୍ତର ମିଳିଲାନି.. । ଏମିତି ଏକ ପରିସ୍ଥିତି ଦେଖି ପ୍ରସାରଣ ଅଧିକାରୀ ଫ୍ରେଡରିକ୍ ରିଚାର୍ଡ ଡିମ୍ବଲେବି କ୍ୟାମେରା ସାମ୍ନାକୁ ଆସି କାର୍ଯ୍ୟକ୍ରମ ସରିଗଲା ବୋଲି ଘୋଷଣା କଲେ । ସଙ୍ଗେ ସଙ୍ଗେ ଷ୍ଟୁଡିଓର ଫୋନ୍ ଘନଘନ ବାଜି ଉଠିଲା । ଗୋଟିଏ ପରେ ଗୋଟିଏ ବ୍ୟଗ୍ର ଦର୍ଶକଙ୍କର ଫୋନ୍ । ଏଇ ମାତ୍ର ଲାଇଭ୍ ଟି.ଭିରେ ସାରା ଦେଶର ଲୋକେ ଗୋଟେ ତରୁଣୀର ମୃତ୍ୟୁ / ହତ୍ୟା ଦେଖିଥାଆନ୍ତି ଯେ । ଆତଙ୍କିତ ନହେବେ ବା କେମିତି?

ସୋ ପରିଚାଳକଙ୍କର ଅଫିସିଆଲ୍ ମନ୍ତବ୍ୟ ଥିଲା ଯେ, ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଯାଇଥିଲା । ମ୍ୟାଜିସିଆନ୍ ଙ୍କୁ ଦିଆଯାଇଥିବା ସମୟ ସରିଯାଇଥିଲା ।କିନ୍ତୁ ଯେଉଁମାନେ ଏ ଚମତ୍କାର ମ୍ୟାଜିସିଆନ୍ ଙ୍କୁ ଚିହ୍ନିଥିଲେ ସେମାନେ ଜାଣିଥିଲେ ଯେ, ଏହା ସେଇ କୁହୁକ ବ୍ୟକ୍ତିତ୍ୱଙ୍କ ହାତସଫେଇର ପରାକାଷ୍ଠା । ସବୁ କିଛି ଯୋଜନାବଦ୍ଧ । ଯେଉଁ ଖେଳରେ ସମୟ ହିଁ ନିୟମ ଆଉ ଯେଉଁ ମଣିଷ ସମୟକୁ ବି ନିୟନ୍ତ୍ରଣ କରେ ସେ କେବେ ଖାଲି ଖାଲି ଭୁଲ୍ ବଶତଃ ସମୟ ସାରେନି । ସମୟକୁ ସରିଯିବାକୁ ଦେବା ବି ତାଙ୍କ ଲାଗି ସମୟ, ସମୟକୁ ଅଟକାଇ ରଖିବା ବି ତାଙ୍କ ପାଇଁ ସମୟ ।

ପରଦିନ ସମଗ୍ର ବ୍ରିଟେନ୍ ର ସବୁ ଗଣମାଧ୍ୟମର ହେଡଲାଇନ୍ ବିଗତ ରାତିରେ ଘଟିଥିବା ଅଭାବନୀୟ ଘଟଣା ଓ ଏଇ ମାତ୍ର କେଇ ଘଣ୍ଟା ତଳେ ଲାଇଭ୍ ଟି.ଭି ରେ ବିଶ୍ୱ ସାମ୍ନାରେ ଘଟିଥିବା ନୀରିହ ଝିଅର ହତ୍ୟା ବିଷୟକୁ ନେଇ ସରଗରମ ହୋଇଗଲେ । ଏସବୁ ଦେଖି ଅଫିସିଆଲି ସମସ୍ତଙ୍କୁ ଜଣାଇବାକୁ ହେଲା ଯେ, ସହାୟିକା ଜଣଙ୍କ (୧୭ ବର୍ଷିୟା ଦୀପ୍ତି ରାୟ) ମରି ନାହାଁନ୍ତି ବଞ୍ଚିଛନ୍ତି ଓ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଅଛନ୍ତି । ଏଇ ଘଟଣା ପରେ ପରେ ମ୍ୟାଜିସିଆନ୍ ଜଣଙ୍କର ଲୋକପ୍ରିୟତା ରାତାରାତି ଆକାଶ ଛୁଇଁଗଲା । ସେଇ ଧୁରନ୍ଧର ଜଣକ ଥିଲେ କୁହୁକ ଜଗତର ମହାରାଜା, ପ୍ରସିଦ୍ଧ ଓ ଲୋକପ୍ରିୟ ଯାଦୁକର ପି.ସି. ସରକାର । ଫାଦର ଅଫ୍ ମଡର୍ଣ୍ଣ ଇଣ୍ଡିଆନ୍ ମ୍ୟାଜିକ୍ ଭାବରେ ମଧ୍ୟ ସେ ଜଣାଶୁଣା ।

ପ୍ରତୁଲ ଚନ୍ଦ୍ର ସରକାର ୨୩ ଫେବୃୟାରୀ ୧୯୧୩ ରେ ବ୍ରିଟିଶ୍ ଇଣ୍ଡିଆର ମୟମନସିଂ ସ୍ଥିତ ଗୋଟେ ଛୋଟିଆ ଗାଁ ଟାଙ୍ଗେଲ୍ (ଏବେ ବାଂଲାଦେଶ ଅନ୍ତର୍ଗତ) ରେ ଜନ୍ମ ହୋଇଥିଲେ । ଖୁବ୍ କମ୍ ବୟସରୁ ସେ ସର୍କସ, ଥିଏଟର୍ ଆଦିରେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ପରେ ଘଟଣାକ୍ରମରେ ମଡର୍ଣ୍ଣ ମ୍ୟାଜିକ୍ ର ପାୟୋନିୟର ଗଣପତି ଚକ୍ରବର୍ତ୍ତୀଙ୍କ ପାଖରେ ମ୍ୟାଜିକ୍ ଶିଖିବାର ସୁଯୋଗ ତାଙ୍କୁ ମିଳିଥିଲା ।

୧୯୩୦ ବେଳକୁ ପି.ସି. ସରକାର ଭାରତରେ ପ୍ରସିଦ୍ଧ ଓ ଲୋକପ୍ରିୟ ତ ହୋଇସାରିଥିଲେ, କିନ୍ତୁ ୧୯୫୦-୬୦ ଦଶକ ବେଳକୁ ସେ ଆନ୍ତର୍ଜାତୀୟ ସ୍ତରରେ ଅପରାଜେୟ ହୋଇ ଛିଡ଼ା ହୋଇଥିଲେ । ସେ ଏମିତି ଏକ ସମୟରେ ଲଣ୍ଡନ ଓ ଜାପାନରେ ନିଜ ପତିଆରା ଦେଖାଇବା ଆରମ୍ଭ କରିଥିଲେ, ଯେତେବେଳେ ଭାରତ ଉପନିବେଶବାଦରୁ ମୁକ୍ତି ପାଇ ଧୀରେ ଧୀରେ ନିଜ ଗୋଡ଼ରେ ଚାଲିବା ଆରମ୍ଭ କରୁଥିଲା । ବିଦେଶରେ ସେତେବେଳେ ଭାରତୀୟମାନଙ୍କର ପରିଚୟ ଥିଲା ସାପୁଆକେଳା, ଗରିବ, ଭିକାରୀ, ଅଧାପାଠୁଆ, ଆଧାଲଙ୍ଗଳା ମଣିଷ ହିସାବରେ । କିନ୍ତୁ ଏଇ ବିଚକ୍ଷଣ ମ୍ୟାଜିସିଆନ୍ ଜଣକ ନିଜକୁ ଏମିତି ପ୍ରଦର୍ଶିତ କରିଥିଲେ ଯେ, ବିଦେଶୀମାନଙ୍କର ଭାରତୀୟମାନଙ୍କ ପ୍ରତି ଥିବା ଏଇ ଧାରଣା ସବୁ ଧୂଳିସାତ୍ ହୋଇଯାଇଥିଲା । ପି.ସି. ସରକାରଙ୍କର ପୋଷାକରେ ଗରିବି ନଥିଲା କି ନଥିଲା ତାଙ୍କର କଥାକୁହାରେ, ନଥିଲା ବି ତାଙ୍କ ପାରଦର୍ଶିତା ଓ ପ୍ରଦର୍ଶନରେ । ମଞ୍ଚ ଉପରେ ସେ ନିଜକୁ ଏମିତି ପେଶ୍ କରୁଥିଲେ ଯେ, ଦର୍ଶକଙ୍କୁ ମନେ ହେଉଥିଲା ସିଧାସଳଖ ରାଜପ୍ରାସାଦରୁ କେହି ଜଣେ ଭାରତୀୟ ରାଜା ମହାରାଜା ଅବା କୌଣସି ଆରବ୍ୟ ରଜନୀର ଛାତି ଚିରି ଓହ୍ଲେଇ ଆସୁଛି ଅଦ୍ଭୁତ ଯାଦୁକରଟିଏ । ସୁଦ୍ଧ ଓ ସ୍ପଷ୍ଟ ଭାରତୀୟ ଉଚ୍ଚାରଣରେ ସେ କହୁଥିଲେ ଇଂରାଜୀ।କିନ୍ତୁ ତାଙ୍କ ସ୍ୱରରେ ଭରି ରହୁଥିଲା ନିଜ ଦର୍ଶକମାନଙ୍କୁ ଏକ ଅଦ୍ଭୁତ କୁହୁକ ଦୁନିଆକୁ ନେଇଯିବାର ଆମନ୍ତ୍ରଣ । କୁହୁକ ନଗରୀର ଆମନ୍ତ୍ରଣକୁ କିଏ ବା ଏଡେ଼ଇ ପାରେ?

ତାଙ୍କର ‘ଇନ୍ଦ୍ରଜାଲ’ ବା ‘ଦ ମ୍ୟାଜିକ୍ ଅଫ୍ ଇଣ୍ଡିଆ’ ସୋ ରେ ସେ ଭାରତୀୟ କଳା କୌଶଳରେ ବାନ୍ଧି ରଖୁଥିଲେ ଦର୍ଶକଙ୍କୁ । ବାକ୍କେଟ୍ ଟ୍ରିକ୍ ରେ ଟିକେ ପରିବର୍ତ୍ତନ କରି ସେ କରୁଥିବା ‘ବନାରସର ମନ୍ଦିର’, ‘ଭାରତର ପାଣି’, ‘ଭାସମାନ ନାରୀ’, ‘ଏକ୍ସରେ ଦୃଷ୍ଟି’ ଆଦି ମ୍ୟାଜିକ୍ ଖୁବ୍ ଲୋକପ୍ରିୟ ଥିଲା ।

ଭାରତର ସାଂସ୍କୃତିକ ଦୂତ ଭାବରେ ପି.ସି. ସରକାର ସାରା ବିଶ୍ୱ ଭ୍ରମଣ କରିଛନ୍ତି । ଯାଇଛନ୍ତି ଆମେରିକା, ଯାଇଛନ୍ତି ଚିନ୍, ଅଷ୍ଟ୍ରେଲିଆ, ଜାପାନ, ରୁଷିଆ, କାହିଁରେ କେତେ ଦେଶ । ସବୁଠି ଭେଟିଛନ୍ତି ଅଡିଟୋରିଅମ୍ ଓ ପ୍ରେକ୍ଷାଳୟ ଭର୍ତ୍ତି ଦର୍ଶକଙ୍କୁ । ବିଶ୍ୱଯୁଦ୍ଧ ସମୟରେ ସେ ଆମେରିକୀୟ ସୈନ୍ୟମାନଙ୍କ ପାଇଁ ମ୍ୟାଜିକ୍ କରୁଥିଲେ ଓ ମ୍ୟାଜିକ୍ ମେଗାଜିନ୍ ମାନଙ୍କରେ ବିସ୍ତୃତ ସ୍ତମ୍ଭମାନ ମଧ୍ୟ ଲେଖୁଥିଲେ । ୧୯୩୨ରେ ଜାପାନରେ ହୋଇଥିବା ତାଙ୍କ ପ୍ରଥମ ସୋ’ର ଆୟୋଜନ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ନେତାଜୀ ସେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ସେଠାରେ ପାଣ୍ଠି ସଂଗ୍ରହରେ ଲାଗିଥିଲେ । ସେଠାରେ ବି ତାଙ୍କ ସୋ ହିଟ୍ ହୋଇଥିଲା । ୧୯୫୦ରେ ଚିକାଗୋରେ ଇଣ୍ଟରନ୍ୟାସନାଲ୍ ବ୍ରଦରହୁଡ୍ ଅଫ୍ ମ୍ୟାଜିସିଆନ୍ ଓ ଦ ସୋସାଇଟି ଅଫ୍ ଆମେରିକାନ୍ ମ୍ୟାଜିସିଆନ୍ କନଭେନସନ୍ ରେ ମଧ୍ୟ ପ୍ରଦର୍ଶନ କରିଥିଲେ ପି.ସି. ସରକାର । ଲୋକପ୍ରିୟତା ସହ ସେ ଗୋଟେଇଛନ୍ତି ଅନେକ ପୁରସ୍କାର । ତାଙ୍କୁ ଦୁଇ ଦୁଇଥର ମ୍ୟାଜିକ୍ କ୍ଷେତ୍ରରେ ନୋବେଲ୍ ପୁରସ୍କାର ବୋଲି କୁହାଯାଉଥିବା ସ୍ପିନକ୍ସ ଆୱାର୍ଡ ମିଳିଥିଲା; ଥରେ ୧୯୪୬ ଓ ଆଉ ଥରେ ୧୯୫୪ରେ । ୧୯୬୪ରେ ଭାରତ ସରକାରଙ୍କ ପଦ୍ମଶ୍ରୀ ମଧ୍ୟ ପାଇଥିଲେ ସେ । କଲିକତାରେ ‘ଯାଦୁସମ୍ରାଟ ପି.ସି. ସରକାର ସରଣୀ’ ନାମରେ ସଡ଼କଟିଏ ଅଛି । ୨୦୧୦ରେ ଇଣ୍ଡିଆନ୍ ପୋଷ୍ଟ ତାଙ୍କ ସମ୍ମାନରେ ଗୋଟିଏ ୫ ଟଙ୍କିଆ ଷ୍ଟାମ୍ପ ମଧ୍ୟ ଜାରି କରିଥିଲା ।

ଏତେ ଭଲ ଯାଦୁକରଙ୍କର କେହି ପ୍ରତିଦ୍ୱନ୍ଦୀ ନଥିଲେ ବା ସେ କେବେ ଅସୁବିଧାରେ ପଡିନଥିଲେ ବୋଲି ଭାବିବା ଭୁଲ୍ ହେବ । ୧୯୪୫ରେ ହିଟଲର୍ ଙ୍କର ପ୍ରିୟ ମ୍ୟାଜିସିଆନ୍ ହଲମଟ୍ ଏୱାଲ୍ଡ ସ୍କ୍ରାଇବର୍ ପି.ସି.ସରକାର ତାଙ୍କ କୌଶଳ ଚୋରାଇଛନ୍ତି ବୋଲି ଦୋଷାରୋପ କରିଥିଲେ । କିନ୍ତୁ ତାଙ୍କ ଦୋଷାରୋପର ଫଳ ଓଲଟା ଫଳିଲା । ଅନେକ ମ୍ୟାଜିସିଆନ୍ ପି.ସି. ସରକାରଙ୍କ ସପକ୍ଷରେ ରାଲି କଲେ ଓ ସ୍କ୍ରାଇବର୍ ନିଜର ମଞ୍ଚପରିଚୟର ନାମ ‘କଳାନାଗ’ ବି ଭାରତରୁ ଚୋରି କରିଛନ୍ତି ବୋଲି ମନେ ପକାଇଦେଲେ । ସ୍କ୍ରାଇବର୍ ‘କଳାନାଗ’ ନାଁ ରେ ନିଜକୁ ପରିଚିତ କରେଇଥିଲେ ମ୍ୟାଜିକ୍ ଜଗତରେ । ଏତଦ୍ ବ୍ୟତୀତ ନିଜ ଜାତୀୟତାକୁ ଲୁଚେଇବାକୁ ଚେଷ୍ଟା କରିବା ସହ ଯେଉଁ କୌଶଳ ପି.ସି.ସରକାର ଚୋରେଇବା କଥା ସ୍କ୍ରାଇବର୍ କହୁଛନ୍ତି ସେସବୁ ଭାରତୀୟ ମ୍ୟାଜିକ୍ କୌଶଳ ଓ ସେ ନିଜେ ହିଁ ସେସବୁ ଚୋରି କରିଛନ୍ତି ବୋଲି ଦର୍ଶେଇଦେଲେ ସମର୍ଥକମାନେ । ସବୁ ଏକଛତ୍ରବାଦୀ ଶାସକଙ୍କ ପାଖଲୋକମାନଙ୍କର ଅଖଣ୍ଡ ବିଶ୍ୱାସ ଯେ, ସେମାନେ ଏମିତି କିଛି ବି କହିଦେଇ ପାରେଇ ଯାଇପାରିବେ । କିନ୍ତୁ ସେମିତି କ’ଣ ହୁଏ?

୧୯୭୦ ବେଳକୁ ପି.ସି ସରକାରଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବା ଆରମ୍ଭ ହୋଇଥିଲା । ତଥାପି ୧୯୭୧ରେ ସେ ଡାକ୍ତରମାନଙ୍କ କଥା ନମାନି ‘ଇନ୍ଦ୍ରଜାଲ’ ସୋ ପ୍ରଦର୍ଶନ କରିବା ପାଇଁ ଜାପାନ ଚାଲିଗଲେ । ପ୍ରଦର୍ଶନ ସାରି ଆସାହିକୱା, ହୋକ୍କାଇଡୋ ମଞ୍ଚରୁ ଓହ୍ଲେଇବା ବେଳେ ୬ ଜାନୁୟାରୀ ୧୯୭୧ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରେ ପରେ ତାଙ୍କ ପୁଅ ପି. ସି ସରକାର ଜୁନିୟର ଓ ପି.ସି ସରକାର ୟଙ୍ଗ୍ ତାଙ୍କ କାର୍ଯ୍ୟକୁ ଆଗକୁ ନେଉଛନ୍ତି । ଏବେ ଏବେ ତାଙ୍କ ନାତିମାନେ ବି ସାମିଲ୍ ହେଲେଣି। ତାଙ୍କର ବଡପୁଅ ମାନିକ୍ ସରକାର ମଧ୍ୟ ଗୋଟେ ପରିଚିତ ନାମ । ୩ ପୁଅ, ଦୁଇ ଝିଅ ଇଲା ଓ ଗୀତା, ପତ୍ନୀ ବାସନ୍ତି ଦେବୀଙ୍କୁ ନେଇ ତାଙ୍କର ପରିବାର ।

ଭାରତୀୟ କୁହୁକ ବିଦ୍ୟାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସତ୍ତ୍ୱେ, ଜଣେ ସଫଳ ଓ ପ୍ରସିଦ୍ଧ ମଣିଷ ହୋଇଥିବା ସତ୍ତ୍ୱେ ବି ତାଙ୍କୁ ସବୁବେଳେ ଜଣେ ବାହାରର ମଣିଷ ହିସାବରେ ଦେଖାଯାଇଛି ଭାରତରେ । ଚଳିତ ବର୍ଷ ତାଙ୍କର ୫୦ତମ ମୃତ୍ୟୁ ବାର୍ଷିକି ଉପଲକ୍ଷେ ତାଙ୍କର ବଡ଼ ପୁଅ ଭାରତ ବଂଶୋଦ୍ଭବ ଆମେରିକୀୟ ଶିଳ୍ପୀ ଆନିମେଟରଓଲେଜର୍ ଆର୍ଟିଷ୍ଟ ମାନିକ ସରକାର ଲେଖିଛନ୍ତି ଯେ, ତାଙ୍କ ବାପାଙ୍କ ବ୍ୟକ୍ତିତ୍ୱର ଦୁଇଟି ଦିଗ ଥିଲା । “ଘର ଭିତରେ ସେ ଜଣେ ସାଦାସିଧା ମଣିଷ ଥିଲେ । ନିଜ ପରିବାରର ଯତ୍ନନେଉଥିଲେ; ବିଶେଷ କରି ମୋର ଓ ମୋର ୪ ଭାଇ ଭଉଣୀଙ୍କର । ଆମ ସହ ସେ ଖେଳୁଥିଲେ, ହସୁଥିଲେ, ମଜା କରୁଥିଲେ ସତ, କିନ୍ତୁ ଜଣେ କଠୋର ବାପା ବି ଥିଲେ, ଯିଏ ଆମ ପଢାପଢି ଓ ସ୍କୁଲ୍ ପାଠକୁ ନେଇ ବେଶ୍ ତାଗିଦା ବି କରୁଥିଲେ । ଏହା ବ୍ୟତୀତ ସେ ଥିଲେ ଦ ଗ୍ରେଟ୍ ପି.ସି ସରକାର, ଯାହାଙ୍କୁ ସାରା ବିଶ୍ୱ ଜଣେ ଯାଦୁକର ଭାବେ ଜାଣେ । ମଞ୍ଚ ଉପରେ ସେ ତାଙ୍କ ଚିରାଚରିତ ପୋଷାକ, ଉଜ୍ଜ୍ୱଳ ସେରୱାନୀ, ଅଳଙ୍କାର, ଲକେଟ୍, ଚମକଦାର କାନଫୁଲ, ପଗଡି, ରତ୍ନ ଆଦି ପିନ୍ଧି ମ୍ୟାଜିକ୍ ର ମହାରାଜା ଭାବରେ ନିଜର ମ୍ୟାଜିକ୍, ବିଶାଳ ମଞ୍ଚ, ପଣ ପଣ ସହାୟକ, ସଂଗୀତଜ୍ଞଙ୍କ ଭିତରେ ମଜ୍ଜି ରହି ସାରା ବିଶ୍ୱକୁ ସମ୍ମୋହିତ କରି ରଖୁଥିଲେ ।”

୨୦୧୮ରେ ପ୍ରକାଶିତ ହୋଇଥିବା ‘ଦ ମହାରାଜା ଅଫ୍ ମ୍ୟାଜିକ୍’ ପୁସ୍ତକର ରଚୟିତା ଓ ପି.ସି ସରକାରଙ୍କ ପୁଅ ଜୁନିଅର୍ ପି.ସି ସରକାର ସାରା ବିଶ୍ୱରେ କେମିତି ତାଙ୍କ ବାପାଙ୍କ ମ୍ୟାଜିକ୍ ଲିଗାସିର ପ୍ରଭାବ ରହିଛି ସେ ବିଷୟରେ ଲେଖିଛନ୍ତି । ସେ ଲେଖିଛନ୍ତି, “ଜାପାନରୁ ଯେତେବେଳେ ବାପାଙ୍କର ମରଶରୀର ଆସିଲା, ସେତେବେଳେ ରାତିରେ ବି ଲୋକେ ଆମ ଘର ଆଗରେ ରୁଣ୍ଡ ହୋଇଥାଆନ୍ତି ବାପା ଜୀବନ୍ତ ଫେରିଆସିବେ ବୋଲି ଦେଖିବାକୁ । ସେମାନଙ୍କୁ ଲାଗୁଥାଏ, ସବୁଥର ମ୍ୟାଜିକ୍ କଲାବେଳେ ଅଦୃଶ୍ୟ ହୋଇ“ମୁଁ ଏଇଠି ଅଛି” କହି ବାପା ଯେମିତି ପୁଣି ଉଭା ହୋଇଯାଆନ୍ତି ସାମ୍ନାରେ, ଏଥର ବି ସେମିତି ଫେରିଆସିବେ ।”

ମ୍ୟାଜିକ୍ ବି ସେମିତି ଚିଜଟାଏ । ହୋଇପାରୁନଥିବା କଥାଟି ବି ହୋଇପାରିବ ବୋଲି ପ୍ରତ୍ୟୟ ଦିଏ, ଅସମ୍ଭବ ଚିଜଟି ବି ସମ୍ଭବ ବୋଲି ମନେହୁଏ । ପିଲାବେଳେ ମ୍ୟାଜିକ୍ କରି ଖେଳନା ମିଳିଯିବ ବୋଲି, ପରୀକ୍ଷାରେ ଭଲ ମାର୍କ ରହିଯିବ ବୋଲି, ମୋର ଦି ଟା ଡେଣା ଲାଗିଯିବ ଆଉ ମୁଁ ଉଡିପାରିବି ବୋଲି ମୁଁ ସତରେ ବିଶ୍ୱାସ କରୁଥିଲି । ସତସତିକା ଲାଗୁଥିଲା କୁହୁକ ଦୁନିଆଁ । ହାତପାହାନ୍ତାର ନହେଲେ ବି ଅପହଞ୍ଚ ଲାଗୁନଥିଲା । ଏବେକାର ସମୟ ହୋଇଥିଲେ କିଏ ଜଣେ ମ୍ୟାଜିକ୍ କରି ବିଶ୍ୱରୁ କରୋନାକୁ ଉଭାନ୍ କରିଦିଅନ୍ତା ବୋଲି ଇଚ୍ଛା କରିଥାଆନ୍ତି ।