ଅଭିଶାପ

ଆକାଶରୁ ସେଦିନ କୁଆପଥର ବଦଳରେ ପଥର ଖସିଲା । ସେଗୁଡ଼ିକ ପୁଣି ବାଛିବାଛି ଖରାପ ଲୋକଙ୍କ କୁଡ଼ିଆ ସବୁ ଭାଙ୍ଗିଲା । ସବୁଠୁ ବଡ଼ ପଥର ଆସି ମୋ ଉପରେ ପଡ଼ନ୍ତେ ମୁଁ ପଡ଼ିଗଲି । ତଥାପି ‘ମୁଁ’. . . ସବୁଠୁ ଖରାପ ଲୋକଟା ବଞ୍ଚିଗଲି । ଲୋକେ କହିଲେ ; ଆହା, ଶଳାଟା ବଞ୍ଚିବାର ଅଭିଶାପ ପାଇଛି !

ଯନ୍ତ୍ରଣା

ସେଦିନ ବାଟରେ ଯାଉଯାଉ ଭୁଲ୍’ର ଦେବୀଙ୍କ ସହ ଭେଟ ହେଲା । କିଏ ଜଣେ ସମସ୍ତଙ୍କୁ ଜୋର୍ରେ ଡାକି କହିଦେଲା; “ହେଇରେ, ଦେଖ, ଦେଖ, ଭୁଲ୍’ର ଦେବୀ ଯାଉଛି ।” ଏତକ ଶୁଣି ସଭିଏଁ ମିଶି ଟେକାପଥର ଫୋପାଡ଼ିବାରେ ଲାଗନ୍ତେ, ସେ ମୁହଁ ଫେରେଇ ନୀରବ ରହି ଓଲଟା ଦିଗରେ ଚାଲିଗଲେ । ଦେହରୁ ଧାରଧାର ରକ୍ତ ଝରୁଥାଏ, ତଥାପି ମୁହଁରେ ତାଙ୍କର ଯନ୍ତ୍ରଣାର ଚିହ୍ନ ଟିକେ ନଥିଲା । ମୁଁ ତଟସ୍ଥ ହୋଇ ଚାହିଁ ରହିଥାଏ । ମାଆ ଆସି କହିଲା, “ଦେଖିଲୁ ତ . . . ଅତ୍ୟଧିକ ଯନ୍ତ୍ରଣାର ରୂପ କେମିତି ?”

ଇର୍ଷ୍ୟା

ତା’ଠାରୁ ଷୋଳଶହ ଶଇଁତିରିଶ କିଲୋମିଟର ଦୂରରେ ଥିବାବେଳେ ମୁଁ ତାକୁ ପ୍ରଥମ ଥର ଦେଖିଲି । ସେତେବେଳକୁ ମୋତେ ବାଇଶି ବର୍ଷ ଛ’ମାସ ତିନି ଦିନ।
ଆମ ୟୁନିଭର୍ସିଟି ହଷ୍ଟେଲ୍ରୁ ବାପାପାଖକୁ ଆସିଥିବା ଗୋଟେ ଫୋନ୍ବାଟେ ଘରଭିତରକୁ ମେଞ୍ଚେ ମାଈ କଳାଭଅଁର ବତାସ ପବନରେ ଶୁଖିଲାପତ୍ର ଉଡ଼ିବା ପରି ଧସେଇ ପଶିଆସିଲେ । ସେମାନେ ପୁଣି ବାଛିବାଛି ଗୋରା ଝିଅମାନଙ୍କୁ ଘେରିଯାଇ ଘାଇଲା ମାଇଲା କରି ପକାଇଲେ ସତ କାହାକୁ କାମୁଡ଼ିଲେନି । ଦଳ ଭିତରୁ ତିନି ଚାରୋଟି ବାହାରି ଆସି କିନ୍ତୁ ମୋତେ ଫୋଡ଼ି ଦେଇଗଲେ । ମୁଁ ଖଣ୍ଡିଆ ଖାବରା ହୋଇ ପାଖ ଘରେ ମାଆ ରୁମ ୍ର େ ପଶି ଭିତରୁ କବାଟ ବନ୍ଦ କରିଦେଲି।
ମାଆକୁ ବାହାର ଘଟଣା ହାତ ଠାରି ଝରକା କାଚ ବାଟେ ଦେଖେଇଦେଲି । ସେ ଥରୁଟେ ଅନେଇ ଦେଇ ପଚାରିଲା, “ ତୁ କ'ଣ ଏମାନଙ୍କୁ ଆଗରୁ କେବେ ଭେଟି ନଥିଲୁ ?” ମୁଁ ମୁଣ୍ଡ ହଲେଇ ନାହିଁ କରିବାରୁ ସେ କହିଲା, “ଏମାନେ ପରା ଇର୍ଷ୍ୟା ।”

ଅଲୌକିକ

ଦାଢିଆ ନନା ଆଜି ଢେର ୍ ଦିନପରେ ମୋ ସହ କଥା ହେଲେ । କହିଲେ ; “ଜାଣିଛୁ, ମୁଁ ଆଜି ତୁମ ଆମ୍ବବାଡ଼ି ଦେଇ ଆସିବା ବେଳେ ଅଜବ କଥାଟେ ଦେଖିଲି । କିଛି ଦିନ ତଳେ ତୋତେ କିଛି ପଇସା ଧାର୍ ମାଗିବାକୁ ଯୋଉ ଡୁବି, ତବଲା ଦୁଇଜଣ ଆସିଥିଲେ ମନେଅଛି?
ତୁ ସେମାନଙ୍କ ରହିବା ଲାଗି ଆମ୍ବଗଛରେ ବସା ବି ତିଆରି କରି ଦେଇଥିଲୁ ବେଶି ବଦାନ୍ୟତା ଦେଖାଇ। ସେ ଦିହେଁ ଏବେ ଢୋଲକୁ ମତେଇ ଗଛର ସବୁ ଆମ୍ବକୁ ଛିଡେ଼ଇ ବିକି ଦେଇଛନ୍ତି । ତୁମ ଆମ୍ବ ଗଛରେ ଏବେ ଖାଲି ବାଇଡଙ୍କ ଫଳିଛନ୍ତି , ବାଇଡଙ୍କ। ”
ମୁଁ ଆଚକା ହୋଇ ୟେ କେମିତି ସମ୍ଭବ ଭାବିବା ବେଳକୁ ସେ କହିଲେ , “ମୁଁ ବି କେତେ ପ୍ରକାରର ଅଲୌକିକ ଘଟଣାସବୁ ଶୁଣିଥିଲି , ହେଲେ ସତସତିକା ଅଲୌକିକ ଘଟଣା ଏଇ ପ୍ରଥମ ଥର ଦେଖିଲି।”

ଚାଲାକି

ଆକାଶରେ ସେଦିନ ଗୋଟେ ବିକଳା ମେଘ ନଥାନ୍ତି । ସଫା ନୀଳ ଆକାଶ ତଳେ ଭର୍ତ୍ତି ହେଇଥାନ୍ତି ଚଢେଇ , ଠେକୁଆ , ଭାଲୁ , ହାତୀ , ଫୁଲ ଆଦି ଭିନ୍ନ ଆକାର ନେଇ ଥିବା ଖଣ୍ଡଖଣ୍ଡ ଧୋବ ଫରଫର ମେଘ । ସେଥିରୁ ଦୁଇଚାରି ଖଣ୍ଡ ଭାଙ୍ଗିଆମ ଘର ପାଖ ବାବୁଙ୍କ ଅଗଣାରେ ଖସି ପଡ଼ିଲେ ଯେ ବାବୁଙ୍କ ଘରବାଡ଼ି ସବୁ ଧୂଆଁରେ ଭର୍ତ୍ତି ହୋଇଗଲା ।
ତାଙ୍କ ଘରେ ମୋ ବ୍ରାହ୍ମଣୀ ବଡଭଉଣୀ ସିଙ୍କା ଆଉ ତା ବୈଷ୍ଣବ ସାଙ୍ଗ ବିଙ୍କା ଚାକରାଣୀ ଥାଆନ୍ତି । ମୁଁ ଛାତ ଉପରୁ ଠିଆ ହୋଇ ଦେଖିଲି ଦୁହେଁ ବାବୁଙ୍କ ରୁମ୍ ଭିତରକୁ ଗୋଟେ ନଡ଼ିଆ ଦିଟା ଲେମ୍ବୁ ଆଉ ଏଗାରଟା ଲିମ୍ବମଞ୍ଜି ବାଟରୁ ଉଠେଇ ନେଇ ପଶିଗଲେ । ଏପଟେ ମାଲିକାଣୀ ଦିଛୁଆଙ୍କୁ ନେଇ ଫୁଲଗଛ ଆଉ ହଜାରେ ସରିକି ଫଳଚାରା ସବୁକୁ ପ୍ରାଣପଣେ ବଞ୍ଚେଇବାରେ ଲାଗିଥାଆନ୍ତି । ପଚିଶ ୍ ମ ିନିଟ୍ ଭିତରେ ଶହେ ସରିକି ବାଦଲ ୍ର ଧୂଆଁରୁ ଗଛଲତା ସଭିଙ୍କୁ ବଞ୍ଚେଇ ନିଜେ ଧୂଆଁର ପ୍ରକୋପରେ ଅସୁସ୍ଥ ହୋଇ ଖେଁ ଖେଁ କାଶି ମାଲିକାଣୀ ଫେରିଲା ବେଳକୁ ବାବୁ ଚିତ୍କାର ଛାଡ଼ି ଡାକିଲେ ତିନିହିଁଙ୍କୁ । କହିଲେ, “ଏ ଦୁଇଜଣ ପରିବେଶ ସାରା ଯୁଆଡ଼ୁ ଯାହା ପାଇଲେ ଗୋଟେଇ ରକ୍ଷା କଲେ . . . . . . . . . ତୁମେ ସବୁ କୁଆଡେ ମରୁଥିଲ କି . . . .?” ଆଉ କ’ଣ ସବୁ କହିଲେ ଯେ , ମୋତେ କିନ୍ତୁ କିଛି ଶୁଭିଲାନି । କିଛି ସମୟ ପରେ ଦେଖିଲା ବେଳକୁ ମାଲିକାଣୀ ଛୁଆଦି’ଟାଙ୍କୁ ସାଙ୍ଗରେ ଧରି ପୁଟୁଳା ଗୋଟେ କାନ୍ଧରେ ପକେଇ ଗେଟ୍ ବାହାରକୁ ବାହାରିଗଲେ । ସିଙ୍କା, ବିଙ୍କା ସେତେବେଳ ଯାଏ ବାବୁଙ୍କ ପାଖରେ ବସି ଗପୁ ଥାଆନ୍ତି । ମୁଁ ସିଙ୍କା ନାନୀକୁ ଫୋନ ୍ କରି ଏ କ’ଣ ସବୁ ହଉଚି ପଚାରିଲାରୁ ସେ କହିଲା, “ତୁ ପିଲାଟା ବୁଝିପାରିବୁନି । ଏଇଟା ହେଲା ଚାଲାକି । ମନ ଭିତରେ ଯଦି କେଉଁଠି କେବେ ନିଜ ଭବିଷ୍ୟତ କଥା ଭାବି ଅସୁରକ୍ଷିତ ଲାଗେ , ତେବେ ଏମିତି କିଛି ଗୋଟେ କରି ନିଜ ଆସନଟା ଜମେଇକି ଚକାମାଡି ବସିଯିବାକୁ ହୁଏ , ଆଉ ଅସଲି ମାଲିକକୁ ତଡ଼ି ଦେବାକୁ ହୁଏ ।”

ମାମଲା

ପରୀ ରାଇଜର ସୃଷ୍ଟି ସମୟରୁ ସେଠାରେ ଫୁଟୁଥିବା ଇଟିମା ଜାତିର ଫୁଲଙ୍କ ସହ କିଛିଦିନ ତଳେ ନୂଆ କରି ଧସେଇ ପଶିଥିବା କିଛି ଶ୍ରମିକ ପ୍ରଜାପତିଙ୍କର ଝଗଡା ହେଲା।
ଶାନ୍ତିପ୍ରିୟ ଇଟିମା ପ୍ରଜାତିର ଫୁଲ ନିଜ ଜାଗା ବଦଳାଇ ଚୁପ୍ ହୋଇଗଲେ ଯଦିଓ , ଅଝଡା ପ୍ରଜାପତି ଗୁଡ଼ାକ କିନ୍ତୁ ସେମିତି ଫଡ଼ଫଡ଼ ହଉଥା’ନ୍ତି । ହେଲେ ଘଟଣା ସେତେବେଳେ ମଜାଦାର ମୋଡ଼ ନେଲା ଯେତେବେଳେ ଜଣା ପଡିଲା ଦୁଇ ହଜାର ମାଇଲ୍ ଦୂରରେ ଗୋଟେ ଅପନ୍ତରାରେ ରହୁଥିବା କୁକୁର ଗୋଷ୍ଠୀ ଏଇ ମାମଲାର ବିଚାର କରିବା ପାଇଁ ସଭା ଆୟୋଜନ କରିବାର ନିଷ୍ପତ୍ତି ନେଲେ । ଅଥଚ୍ ଏ ବିଷୟରେ ଫୁଲ କି ପ୍ରଜାପତି ସହ କଥା ହେବାର ସାହସ ନ ଥିଲା କାହାର । ତେଣୁ ଖୋଜିଲୋଡ଼ି କୁଆଡେ଼ ନିଜ ଅପନ୍ତରାରେ ରହୁଥିବା ସଁବାଳୁଆକୁ କାଠଗଡ଼ାର ଆସାମୀ କରି ଡାକିଲେ ପ୍ରଜାପତିର ସିଏ ଡ୍ୟାସ୍ ବୋଲି । ଯାହା ସଁବାଳୁଆ କହେ ।

ଦାନା

ଉତ୍ତରାଖଣ୍ଡର ସେ ବଡ଼ ନଈକୁ ଶିଖେଇ ବୁଝେଇ ନିଜ ବୁଦ୍ଧିମତା ଆଉ ଗାଡ଼ିଏ ବହି ପଢାର ପ୍ରମାଣ ଦେଇ ବାହା ହୋଇଗଲା ଆମ ଦଳିତବଂଶର ପ୍ରଥମ ଇଞ୍ଜିନିୟର ଝିଅ । କିଛିଦିନ ପରେ ସମୁଦ୍ର ମୁହାଁନଈରୁ ଶାଖାନଦୀ ସବୁକୁ କ’ଣ କେମିତି କରି ବଡ଼ ଡ୍ୟାମ୍ କରି ନଈକୁ ବନେ୍ଧଇ ଦେଲା ବି। ନଈ ବନ୍ଧବାଡ଼ ଭାଙ୍ଗି ଶାଖା ନଈଙ୍କ ସହ ମିଶିବାକୁ ବ୍ୟାକୁଳ ହେବା ଆରମ୍ଭ କଲେ ଇଞ୍ଜିନିୟର ସ୍ତ୍ରୀ ଗୋଟେ ଦୁଇଟା ଗେଟ୍ ଖୋଲି ଘଡ଼ିଏ ମିଶିବାକୁ ଛାଡି ଦିଏ ସ୍ୱାମୀକୁ।
ସେଦିନ ମୋର ଜଣେ ସାଙ୍ଗ ପାଖରେ ତା’ ସ୍ତ୍ରୀ ଭିତରେ ତଥାପି ଟିକେ ବୋକା , ସରଳ ଗୁଣ ଅଛି ବୋଲି ନଈ କହୁଥିଲା । ଦୂରରୁ ତାଙ୍କ କଥା ଶୁଣୁଥିବା ଆଉ ଗୋଟେ ବକୁରା ସାଙ୍ଗ ଦଉଡ଼ି ଯାଇ ନଈ କାନରେ ତା ଇଞ୍ଜିନିୟର ସ୍ତ୍ରୀ ଶାଖାନଈଙ୍କୁ ଦାନା କରି ତା ଦୁର୍ବଳତାର ଫାଇଦା ଉଠାଉଛି ବୋଲି ଫୁସ୍ଫୁସ ୍ କରି କହିଦେଇ ଫେରି ଆସିଲା । ସଞ୍ଜ ବୁଡ଼ିଯାଇଥିଲା ବୋଲି ଆମେ ସେଦିନ ଫେରି ଆସିଲୁ। ନଈ କି ତା’ଇଞ୍ଜିନିୟର ସ୍ତ୍ରୀ’ର ଖବର ଆମେ ତାପରେ ଭୁଲି ଯାଇଥିଲୁ। ନ’ବର୍ଷ ପରେ କାଲି ନ୍ୟୁଜ୍ ରେ ଦେଖିଲି ଯେ, ନଈ କୁଆଡେ଼ ଏଥର ବାଧା ବନ୍ଧନ ନ ମାନି ସବୁ ନିୟମ ଭାଙ୍ଗି ମୁକୁଳି ଆସିଛି ଡ୍ୟାମ୍ ବନ୍ଧ ପାରେଇ। ଆଉ ଉଜାଣି ବହୁଛି ସମୁଦ୍ର ଆଡେ଼।

ପରଚର୍ଚ୍ଚା

ଆକାଶରେ ପଡ଼ିଥିବା ବିଜୁଳି ଗାରର ବାଁ ପଟେ ରହୁଥିବା ସଂସାରୀ ତାରାମାନଙ୍କର ଡାହାଣ ପଟେ ରହୁଥିବା ସାଧକ ତାରାମାନଙ୍କ ପାଖରେ କିଛି କାମ ନ ଥାଏ । ସେମାନେ ଦିନସାରା ନିଜନିଜ କାମ ସାରି ପଡେ଼ାଶୀଙ୍କ ସହ ସୁଖଦୁଃଖ ହଉହଉ ଥକ୍କା ମରିଗଲେ ଘଡ଼ିଏ ରାତି ବେଳକୁ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁ ଥାଆନ୍ତି ।
ଠିକ୍ ରାତି ଘଡ଼ିଏ ପରେ କିନ୍ତୁ ମେଳି ଜମିବା ଆରମ୍ଭ ହୁଏ ସାଧକ ତାରାମାନଙ୍କର । ଦିନସାରା ଯିଏ ଯେଉଁଠି ଯାହା ଦେଖିଥାଆନ୍ତି , ଚର ଲଗେଇ ଯାହା ଦୁଃଖସୁଖ କଥା ସମସ୍ତଙ୍କ ଅଗୋଚରରେ ଗୋଟେଇ ଥାଆନ୍ତି ସେ ସବୁକୁ ନେଇଚାଲେ ଘମାଘୋଟ ଆଲୋଚନା । ଜହ୍ନମାମୁଁ ଆଉ ପାହାନ୍ତି ତାରା ପରି ବଡ଼ ଦେଖାଯାଉଥିବା କିଛି ତାରାଙ୍କ ସହ ସପ୍ତର୍ଷି ମଣ୍ଡଳ ପରି ଭେକ ସଜେଇ ବସିଥିବା କିଛି ତାରା ଏହାର ସଭାପତି ତ୍ୱ କରନ୍ତି।
ମୁଁ ସେଦିନ ଉଲକା ସାଙ୍ଗରେ ନିଜ ଅସ୍ତିତ୍ୱ ଖୋଜିବାକୁ ଆସୁଥିବା ବେଳେ ସେଆଡେ଼ କ’ଣ ହେଉଛି ଟିକେ ଦେଖିବାକୁ ଚାହିଁବାରୁ ଉଲକା ମୋ ହାତ ଧରି ସଟାଙ୍ଗ ୍ କରି ଟାଣିଆଣି କହିଲା, “ଧେତ୍, ତୋତେ ପାରି ହେବନି । ସେଆଡେ ଅନାନା ତୁଚ୍ଛଜୀବ। ତୁ ନିଜକୁ ଜାଣିବାର ତୁଚ୍ଛ କାମ କରୁଛୁ ବୋଲି କ’ଣ ଭୁଲି ଯାଉଛୁ ? ସେମାନେ କିନ୍ତୁ ରାତି ଅନିଦ୍ରା ରହି କେମିତି ଅନ୍ୟମାନଙ୍କ ବିଷୟରେ ଚର୍ଚ୍ଚା କରୁଛନ୍ତି ଦେଖ । ପାପପୂଣ୍ୟର ଫଇସଲା କରିବାର ନିକିତି ବି ଗୋଟାଏ ଲେଖାଁ ହାତରେ ଧରିଛନ୍ତି । ପୂଣ୍ୟବାନ୍ , ପୂଣ୍ୟବତୀର ସାର୍ଟିଫିକେଟ୍ ଦିଆହେଉ ନ ହେଉ; ପାପୀର ସାର୍ଟିଫିକେଟ୍ ଟା କୁ ଛପେଇ ରାତାରାତି ସବୁଆଡେ ଲଗେଇବାକୁ ହେବ ଯେ! ଏଥିରୁ କୁଆଡେ଼ ଖାଦ୍ୟ ମିଳୁଛି ତାଙ୍କ ମୁଣ୍ଡକୁ । ତୁ କ’ଣ ସେମାନଙ୍କ ପରି ହୋଇପାରିବୁ ?ସେଥିପାଇଁ ସାଧନା ଦରକାର ଧନ , ସାଧନା ।”

ବାପା

ଆକାଶ ତା’ ଦି’ କଡ଼ରେ ଦି’ ଦିଇଟା ଅଲଗା ଜୀବନକୁ ଫି’ଦିନ ଦେଖୁଛି । ଗୋଟେ ପଟେ ସୂର୍ଯ୍ୟ, ଯିଏ ବ୍ୟାକୁଳ ହୋଇ ପୃଥିବୀସାରା ବିଚ୍ଛିନ୍ନ ହୋଇପଡିଥିବା ତା’ ଶିଶୁ ଜଳକଣାମାନଙ୍କୁ ଶୋଷି ନେଇ କେତେ ବ୍ୟାକୁଳତାରେ ତା’ ଆକାଶ ପରି ବିରାଟ ଛାତିରେ ସାଇତି ରଖୁଛି । ଅନ୍ୟପଟେ ଅଲାଜୁକ ବାଦଲ , ଯିଏ ତା’ ଛାତି ଭିତରେ ସାଇତି ହୋଇ ରହିବାକୁ ଚାହୁଁଥିବା ଜଳଧାରା ମାନଙ୍କୁ ପ୍ରତି ମୁହୂର୍ତ୍ତରେ ଅପମାନିତ କରି ଠେଲି ଫିଙ୍ଗି ଦେଉଛି ପୃଥିବୀ ଉପରକୁ । ସେମାନେ କୁଆଡେ ତା’ ମହାନ ୍ ହେବା ବାଟରେ କଣ୍ଟା । ନିଜର ବିଜୟଧ୍ୱଜା ଚିରଦିନ ବଜାୟ ରଖିବ ବୋଲି ସେ ଘଡ଼ଘଡ଼ି ଶବ୍ଦରେ ସାରା ଦୁନିଆ ସାମ୍ନାରେ ଚିଲ୍ଲେଇ ଚିଲ୍ଲେଇ କହୁଛି ନିଜ ସନ୍ତାନମାନଙ୍କ ନାଆଁରେ କଳଙ୍କ କାହାଣୀ । ଆଉ ବିଜୁଳି ଆଲୁଅରେ ଦେଖାଉଛି ଜଳଧାରାମାନଙ୍କୁ ଖଣ୍ଡବିଖଣ୍ଡିତ କରି ନିକ୍ଷେପ କରିବା ପରର ବିକୃତ ସ୍ୱରୂପ। ଆକାଶ ମଝିରେ ଠିଆ . . . . ଏପଟେ ସୂର୍ଯ୍ୟର ହୃଦୟ ସାଜିତ ସେପଟେ ବାଦଲକୁ ଅଣନିଃଶ୍ୱାସୀ କରିଦେଉଥିବା ତା’ ଛାତିର କଣ୍ଟାସାଜି।

ଖୁସି

ପାଣ୍ଡରାର ଘର କେଶୁରା ଘରଠୁ ଅଳ୍ପ କେଇ କୋଶବାଟ । ହେଲେ ପାଣ୍ଡରି ରହେ ପାରାଦ୍ୱୀପ ବନ୍ଦରଠୁ ଦଶ ଯୋଜନ ଦୂରରେ । ପାଣ୍ଡରି ସମୁଦ୍ର ପାଖେ ରହିଛି ବୋଲି, ଖୋଲା ପବନ ଖାଇବାକୁ ପାଉଛି ବୋଲି ହିଁ ଖୁସିରେ ଅଛି’ ବୋଲି ସମସ୍ତେ ଭାବୁଥିଲେ । ହେଲେ ଯେଉଁଦିନ ପାଣ୍ଡରି ଖବର ପାଇଲା ପାଣ୍ଡରା ଗୋଟେ ବଡ଼ ଝଙ୍କାଳିଆ ଆମ୍ବ ଗଛରେ ସୁନ୍ଦର ବସାଟିଏ କରି ଆରାମରେ ଅଛି, ସେଦିନ ପାଣ୍ଡରିର ମୁହଁର ରଙ୍ଗ ବଦଳିଗଲା । ତା ଫେଣ୍ଡେରା ମୁହଁକୁ ଦେଖି ସମସ୍ତେ ବୁଝିଗଲେ ଯେ, ପାଣ୍ଡରା ସେପଟେ ଭୁବନେଶ୍ୱରର ଧୂଳିଧୂଆଁରେ ଛାଟିପିଟି ହେବା ଖବର ପାଇ ପାଣ୍ଡରି ଏଯାଏଁ ଖୁସିରେ ଥିଲା । ସେଇଥିଲାଗି ସିନା ପାଣ୍ଡରା ଖୁସିରେ ରହିବା ଖବର ଶୁଣି ତା ମୁହଁଟା ଏମିତି ଶେତା ପଡିଗଲା ।
ସେଇ ଦିନର ଘଟଣା ପରଠୁ ପାଣ୍ଡରି ଆଉ ତା’ ଆଖପାଖରେ ରହୁଥିବା ସବୁ ବିରାଡି ବୈଷ୍ଣବଙ୍କ ଖୁସିର ରହସ୍ୟଟା ସାଇବେରିଆରୁ ଶୀତ ଦିନ କଟେଇବାକୁ ଆସିଥିବା ସବୁ ଚଢେଇମାନେ ବି ବୁଝିଗଲେ ।

ପବିତ୍ରତା?

“ମୋ ପାଖରେ ମା’ ଅଛି ” କହିଲା ଘର ଡିହ ଉପରେ ରହୁଥିବା ରାଧାଚୂଡ଼ା । କୃଷ୍ଣଚୂଡ଼ା, ପଳାଶ, ସିମିଳି ଆଦି ଗଛମାନେ ଟାଙ୍ଗରା ବିଲ ମଝିରେ ଧୂ ଧୂ ଖରାରେ ନାଲି ରଙ୍ଗର ଚମକ ବିଛେଇ କହିଲେ , ଆମ ପାଖରେ ତମଠୁ ନେଇଥିବା ମା’ ଦେହର କିଛି କିଛି ଅଂଶ ଅଛି । ଅଛି ବୋଲି ତ ଆମପାଖେ ଏ ଚମତ୍କାର ରଙ୍ଗର ବର୍ଷା । ରାଧାଚୂଡ଼ା ବି ସ୍ୱୀକାର କଲା ସେମାନଙ୍କ କଥା । ଆଉ ଖୁସିରେ କହିଲା ;“ମୋ ମା’ ଆଧାର ହୋଇ ରହିଛି ବୋଲି ସିନା ଏତେ ସୌନ୍ଦର୍ଯ୍ୟ ଭରପୁର ସବୁଠି ।” ହେଲେ ପଳାଶ, କୃଷ୍ଣଚୁଡ଼ା, ସିମିଳି ଯେବେଠୁ ମା’ ଅଛି ତ ଡର କାହାକୁ ଭାବି ଖୁସିରେ ରହିଲେ ସେବେଠୁ ରାଧାଚୁଡ଼ାର ମନଭାରି ଦୁଃଖ । କିଛିଦିନ ତଳେ ଭୀଷଣ ଝଡବାତ୍ୟାରେ ସେମାନଙ୍କର ଡାଳ କିଛି ଭାଙ୍ଗି ଗଲାରୁ ରାଧାଚୁଡ଼ା କହିଲା,“ମା’ଟା ପୁରାପୁରି ମୋର । ତା ଅରିଜିନାଲ୍ ଶରୀରଟା ମାଟି ହୋଇ ମୋରି ଡିହରେ ହିଁ ଅଛି । ତୁମେ ଗୁଡ଼ାକ ପାପୀ । ଯଦି ମା’ ତୁମ କଥା ଶୁଣୁ, ତୁମ ସହ ରହୁ, ତୁମ କଥା ବୁଝୁ ବୋଲି ଚାହୁଁଛ, ତା ହେଲେ ତୁମ ସମସ୍ତଙ୍କୁ ଏଇ ଡିହ ଉପରକୁ ପଳେଇ ଆସିବାକୁ ହେବ । ଏଇ ଡିହରେ ଯିଏ ସବୁ ଅଛନ୍ତି ସେମାନେ ସମସ୍ତେ ପବିତ୍ର।” ମା’ ସର୍ବବ୍ୟାପୀ ନୁହେଁ କି ସବୁଠି ତା ଆଧାର ରହି ପାରିବନି ବୋଲି ଏଇ ପ୍ରଥମ ଥର ନିଜ ମୁହଁରେ କହି ପକାଇଲା ରାଧାଚୁଡ଼ା ।
ଏମିତି କହି ନିଜ କଥାର ନିଜେ ବିରୋଧ କରୁଛି ଓ ନିଜ ମା’ର ଅସ୍ତିତ୍ୱକୁ ନିଜେ ଅସ୍ୱୀକାର କରୁଛି ବୋଲି ସବୁ ଚୁପ୍ ଚାପ ୍ ରହୁଥିବା ଚିନ୍ତାଶୀଳ ଗଛ ଯେତେବେଳେ କଥା ହେଲେ ରାଧାଚୁଡ଼ା ଗାଲେଇକି ନ ଶୁଣିଲା ପରି ରହିଗଲା । ଆଉ ନିଜକଥାକୁ ଠିକ୍ ପ୍ରମାଣିତ କରିବାକୁ ଆମେ ସବୁ ପବିତ୍ର ଆତ୍ମା ଖୋଦ ୍ ମା’ପାଖରେ ନେଶି ହୋଇ ରହିଛୁ ବୋଲି ଶୁଆ ପରି ଘୋଷି ଚାଲିଲା।

ସହାବସ୍ଥାନ

ସେଦିନ ଶୋଇବାକୁ ଗଲାବେଳେ ମୁଁ ସାନଭାଇକୁ ଆଲୁଅ ଲିଭେଇବାକୁ କହିଲାରୁ, ସେ ପଚାରିଲା “ଆଲୋକକୁ ତୋର ଏତେ ଘୃଣା କାହିଁକି ଯେ ?” ମୁଁ କହିଲି “ଆଲୋକ ମୋତେ ବଞ୍ଚିବାର ସୁଯୋଗ ଦିଏ, କିନ୍ତୁ ଅନ୍ଧକାର ମୋତେ ବଞ୍ଚି ରହିବାକୁ ପ୍ରେରିତ କରେ । ପୂର୍ଣ୍ଣିମାର ଆଲୋକରେ ପୃଥିବୀର ସୌନ୍ଦର୍ଯ୍ୟ ଦେଖି ମୋର ତୃଷ୍ଣା ମେଣ୍ଟି ଯାଏ ସତ କିନ୍ତୁ ଅମାବାସ୍ୟାର ଅନ୍ଧକାର ମୋ ଭିତରେ ତୃଷ୍ଣା ଜଗାଏ , ମୋତେ ଆକର୍ଷିତ କରେ।”
ସେ କହିଲା, “ଏଇ ନେ ତୋ ଅନ୍ଧାର, ଆଲୁଅ ଲିଭାଇ ଦେଲି ଏଥର । ତୁ ସେଇ ଅନ୍ଧାରରେ ବଞ୍ଚିଥା । ମୁଁ କିନ୍ତୁ ପତଙ୍ଗ ପରି ଆଲୋକ ପ୍ରତି ତୀବ୍ର ଆକର୍ଷିତ ।” ମୁଁ କହିଲି “ମୋର କିନ୍ତୁ ପତଙ୍ଗ ପରି ଆଲୁଆରେ ପୋଡ଼ି ହେବାର ନାହିଁ ବାବା । ମୁଁ ଅନ୍ଧକାରକୁ ଭଲପାଉଥିବା ଗୋଟେ ଜୁଳୁଜୁଳିଆ ପୋକ, ଆଲୋକକୁ ସାଙ୍ଗରେ ନେଇ ଚିରଦିନ ଉଭୟଙ୍କର ସହାବସ୍ଥାନକୁ ଜାହିର ୍ କରୁଥିବି । ମୋ ଲାଗି ଅନ୍ଧାର ଅଛି ବୋଲି ଆଲୋକ ସୁନ୍ଦର ନୁହେଁ, କି ଆଲୋକ ଆସିବ ବୋଲି ଅନ୍ଧକାରକୁ ରହିବାକୁ ହେବ ସତ ନୁହେଁ । କ’ଣ ବୁଝିଲୁ ଏଥର ?”

ସତ

ଆକାଶର ତାରାମାନେ ପାହାନ୍ତି ପହରରେ ଗଙ୍ଗଶିଉଳୀ ପରି ଝରି ପଡ଼ିବା ବେଳେ ସକାଳର ଘାସ ଉପରେ ବିଛେଇ ପଡିଥିବା କାକର ବିନ୍ଦୁମାନେ ଚଢେଇ ପରି ଡେଣା ଲଗେଇ ଉଡ଼ିଗଲେ ଆକାଶ ଆାଡ଼କୁ ।
ମୁଁ ବିଶ୍ୱାସ ଅବିଶ୍ୱାସର ଦୋ ଛକିରେ ଠିଆହୋଇ ତାଙ୍କୁ ନିରେଖି ଦେଖୁଦେଖୁ ପବନ ମୋ କାନପାଖେ ଥିର ୍ କରି କହିଲା, “କ’ଣ ଏତେ ଭାବୁଛୁ ? ଯାହା ଦେଖୁଛୁ ସବୁ ସତ।ତାରାମାନଙ୍କର ଭୂଇଁ ପ୍ରତି ଆକର୍ଷଣ ସତ, ସତ ବି କାକରର ଆକାଶରେ ଉଡ଼ିବାର ସ୍ୱପ୍ନ । ତେଣୁ ଏଠି ସବୁ ସମ୍ଭବ ।”

ମାଲିକାଣୀ

ଘରର କେହି ନ ହେଉ ପଛେ, ପିଢାରେ କିନ୍ତୁ କାଉଟିଏ ବି ବସେଇବାକୁ ଦେବନି ବୋଲି ମନେମନେ ପଣ କରି କାମ କରିବା ବାହାନାରେ ବ୍ରାହ୍ମଣୀ ସିନିଆ ଘରେ ପଶିଲା । ବର୍ଷବର୍ଷ ଧରି ୨୫ ବର୍ଷ ଯାଏ କାଉଟିଏକୁ ବି ପିଢା ଉପରେ ବସି ରହିବାକୁ ନ ଦେବାରେ ସିଦ୍ଧହସ୍ତ ହେବାପରେ ଯାଇ ସେ ଜଣଜଣ କରି ମାଲିକଙ୍କ ପରିବାରର ସବୁ ଲୋକଙ୍କୁ ବାହାର କରିଦେଲା।
ସମସ୍ତେ ତାଜ୍ୱାଳାରେ ଅତିଷ୍ଠ ହୋଇ ଘରଛାଡ଼ି ଚାଲିଗଲା ପରେ ସେ ଏବେ ନିଜକୁ ଘରର ମାଲିକାଣି ବୋଲି ଚାରିଆଡେ଼ କହି ବୁଲୁଛି । ଘରକୁ କାଳେ କେତେବେଳେ କିଏ ଫେରି ଆସିପାରେ ବୋଲି ଦୁଆର ମୁହଁରେ ଲମ୍ବା ବାଡ଼ିଟିଏ ଧରି ଜଗି ବସିଛି। ଅବେଳ ସବେଳରେ ମାଲିକଙ୍କର କେହି କୁଣିଆ ମଇତ୍ର ବାଟରେ ଯାଉଯାଉ ଅଚାନକ୍ ଆସିଗଲେ “ଘର ଜଗିଛି ପରା”କହି ଦେଇ ଆଉ ଧରାଛୁଆଁ ନ’ଦେଇ ଲୁଚି ପଡ଼ୁଛି । ସେମାନେ ନିଜ ଲୋକ କାହାକୁ ନ’ପାଇ ଫେରିଗଲା ପରେ ଆଶ୍ୱସ୍ତ ହୋଇ ଗୋଟେ ଲମ୍ବା ଦୀର୍ଘ ଶ୍ୱାସ ପକାଇ “ଯାହା ହେଉ ଆଉ ଗୋଟେ କଣ୍ଟା ଗଲା”କହି ମାଲିକାଣି ହେବା ଖୁସିରେ ଗାଁଲୋକଙ୍କ ଆଗରେ ଓଠ ବଙ୍କେଇ ଟିକେ ହସିଦେଇ ଆତ୍ମଗର୍ବରେ ମୁହଁମୋଡ଼ି ଘରେ ଗଳିଯାଉଛି ।
ସେ ଏବେ ମାଲିକାଣି ପରା! ହସିବନି ?

ସର୍ବଗିଳା

ବୟସ ବେଶୀ ନ ହେଲେ ବି ଦେହର ଚାରି ପାଞ୍ଚଟା ଅଙ୍ଗ ଅଚଳ, ଚମ ଧୁଡୁଧୁଡୁ । ତଥାପି ସେ ନିଲତା ଚିରକାଳ ବଞ୍ଚିରହିବ ବୋଲି ସ୍ଥିର ନିଶ୍ଚିତ। ସେଥିପାଇଁ ଫୁଲଫଳ ଭର୍ତ୍ତି କୋଳିଗଛଟାର ଫଳ, ଫୁଲ ସମେତ ଗଛକୁ କୋରିକୋରି ଖାଇ ଶେଷ କରିବା ପରେ ଏବେ ମଞ୍ଜିତକ ସାଇତି ରଖିଛି।
ବର୍ଷାଦିନ ଆସୁ ନଆସୁ,ଅସରା ଏ ବର୍ଷା ହେଇଗଲେ ବି ଅଥୟ ହୋଇ ଦଉଡି ଯାଇ ସାର, ଖତ ଦେଇ ପୋତି ପକାଉଛି ମଞ୍ଜି । ଗଛଗୁଡାକ ଶୀଘ୍ରଶୀଘ୍ର ବଢି ଫଳ ଧରିଲେ ସିନା ସେ ଖାଇବ। ପୁଣି ମଞ୍ଜି ଗୋଟେଇ ରଖି ଗଛ କରିବ ଆଉ ଫଳ ଖାଇବ। ଏମିତି ଅନାଦି କାଳ ଯାଏ ଚାଲିବ ବୋଲି ସେ ଆଗତୁରା ଅତି କମ ୍ରେ ହଜାରେ ବର୍ଷିଆ ଗୋଟେ ଯୋଜନା କରି ରଖିଛି । ଭୋକ ତା’ର ଖୁବ ୍ବେଶୀ।

ରଙ୍ଗ

ହାତ ଗଣତି କେଇ ଜଣ ବଡମାନଙ୍କର ରଙ୍ଗକୁ ବୁଝିବାର ବୟସ ପାରି ହୋଇଯାଇଥିଲା ବୋଲି ବାକି ସମସ୍ତଙ୍କୁ ସେଠି ରଙ୍ଗ ଖେଳିବା ମନା, ରଙ୍ଗ ଭରା କଥା କହିବା ମନା । ସେ ନିଷେଧକୁ ଭାଙ୍ଗି ପାରିଲୁନି ବୋଲି ଆମେ ସମସ୍ତେ ସେଦିନ ମାଟିକୁ ରଙ୍ଗ ଭାବି ଦେହସାରା ବୋଳି ହୋଇ ଖୁବ ୍ ଖେଳିଲୁ । ତଥାପି କାହାରି ମନ ବୋଧ ହେଲା ନାହିଁ । ଆମ ଭିତରୁ କେଇ ଜଣ ହସିକୁଦି ଡେଉଁଡେଉଁ ରଙ୍ଗ ଖୋଜିବାକୁ ବାହାରିଗଲୁ । ଅକାଶକୁ ମାଗିଲୁ ନୀଳରଙ୍ଗ ତ ଉଦୟ ସୂର୍ଯ୍ୟକୁ ମାଗିଲୁ କମଳା ରଙ୍ଗ। ଗଛଲତାଙ୍କୁ ମାଗିଲୁ ସବୁଜରଙ୍ଗ। ଲାଲ ୍ ରଙ୍ଗ ଆଖପାଖରେ କେଉଁଠି ମିଳିଲାନି ବୋଲି ତାକୁ ଖୋଜୁଖୋଜୁ କେଉଁଗୋଟେ ଅଜଣା ରାସ୍ତାରେ ହଜିଗଲୁ । ହଜିବାରୁ ହିଁ କିଛି ଖୋଜି ପାଇବାର ଆଶା ଜାଗି ଉଠିଲା ।
ସେ ଅଚିହ୍ନା ରାସ୍ତାର ଦୁଇ ପାଖରେ ବସନ୍ତର ସ୍ପର୍ଶରେ କିଛି ଗଛଲତାରେ କଅଁଳିଆ ସବୁଜ ପତ୍ର ଆସିବା ଆରମ୍ଭ କରିଥିଲେ ତ ଆଉ କିଛି ଗଛ ତଥାପି ଶୁଖିଲା ପତ୍ରରେ ଘୋଡେଇ ହୋଇ ରହିଥିଲେ । ଠିକ୍ ସେତିକିବେଳେ ସାମ୍ନାରେ ଶୁଖିଲା ପତ୍ରଫାଙ୍କରୁ ଦିଶିଲା ପଥର ଦେହରୁ ବାହାରିଥିବା ଉଜ୍ଜ୍ୱଳ ଲାଲ୍ ରଙ୍ଗର ପତ୍ରରେ ଭର୍ତ୍ତି ଗୋଟିଏ ବିଶାଳଗଛ ।ଆଖପାଖର ଲୋକଙ୍କୁ ପଚାରିବାରୁ ଗଛଟିର ନାଁ ଜିଳ ବୋଲି କହିଲେ। ସେଇଠି ସେଇ ଗଛପାଖରେ ଆମେ ସମସ୍ତେ ସବୁ ନିଷେଧକୁ ଭାଙ୍ଗି ସେ ଅଦ୍ଭୁତ ସୁନ୍ଦର ରଙ୍ଗରେ ଭିଜିଗଲୁ । ରଙ୍ଗର ସୁନ୍ଦରତାରେ ଭରିଗଲା ହୃଦୟତ ଉଜ୍ଜ୍ୱଳତାରେ ଜାଗି ଉଠିଲା ଆଶା।

ନିଦ

ନିଦର କୁଆଡେ ଡେଣା ଅଛି ବୋଲି ମୁଁ କେଉଁଠୁ ଠାଏ ଶୁଣିଥିଲି। ହେଲେ କିଛିଦିନ ତଳେ ଅଧ ରାତିରେ କାହାକୁ କିଛି ନ କହି ମୋ ପରି ପିଲାପାଖରୁ ବି ସେଯେତେବେଳେ ଫୁର୍କିନା ଉଡିଗଲା ସେତେବେଳେ ମୋ ପାଖରେ ବିଶ୍ୱାସ ନ କରିବାର ଆଉ ଚାରା ନ ଥିଲା । ତାକୁ ଦିନାକେତେ ଅଣନିଶ୍ୱାସୀ ହୋଇ ତିନିଲୋକର ପୋଲିସ୍ ଲଗାଇ ଖୋଜିବା ପରେ ବି ସେ ମିଳିଲାନି।
କିଛିଦିନ ତଳେ ଜୀବନ ଶଗଡ ଟିକେ ଆଗେଇବା ଲାଗି ରାସ୍ତା ଫର୍ଚ୍ଚା ଦିଶିବାରୁ , ସେଦିନ ଦିପହରଟାରେ ଆକାଶ ଆଡୁ ଆସି ଧଡାସ ୍ କରି ଅଗଣା ଖଟିଆଟା ଉପରେ ପଡିଲା । ଦିନା କେତେ ଖାଇପିଇ ମଉଜ କରି ବେଶ୍ ଆରାମରେ ରହିଲା । ହେଲେ ପ୍ରକୃତି ଦାଉରୁ ଯେଉଁଦିନ ଫର୍ଚ୍ଚା ଦିଶୁଥିବା ବାଟଟା ଟିକେ ଟିକେ ଅନ୍ଧାରିଆ ଦିଶିବା ଆରମ୍ଭ କଲା ଆଉ ଜୀବନ ଗାଡି ଆଗକୁ ଯିବା ଆଶାଟା ମରି ମାରି ଶୁଖିଶାଙ୍କୁଡି ଗଲା, ସେଇ ଦିନଠୁ ଏ ନିଦଟା ବି ଛୁଚମ୍ପଟ ଦେଇଯାଇଛି ଯେ ଯାଇଛି। ଆଉ ଧରାଛୁଆଁ ଦଉନି।

ସୁନାବୋହୂ-୧

ସୁନାବୋହୂର ଶାଶୁ କୁଆାଡେ ସବୁଦିନ ଅଧାକିଲୋ ଛେନା ଖାଉଥିଲା । ଏମିତି ଅନେକ ଦିନ ଧରି ଖାଇବା ପରେ ଦିନେ ସୁନାବୋହୂ ଆଖିରେ ପଡିଲା । ସେ ଛେନା ଆଣୁଥିବା ତା ଲୋକକୁ କହିଲା- ହଇହୋ! ତମେ କାହିଁକି ସବୁଦିନେ ଛେନା ଆଣୁଛ ଯେ ? ତମ ମାଆ ପରା ଏସବୁ ଖାଇ ପାରନ୍ତିନି । ଛେନା ଖାଇଲେ ତାଙ୍କୁ ଓକାଳ ଉଠାଏ ବୋଲି ତୁମେ କଣ ଜାଣିନ ? ସେ ତ ଏଗୁଡା ଖାଆନ୍ତିନି, କିଏ ଖାଏ କେଜାଣି? ପୁଅ ସବୁ ଶୁଣି ଅଶୁଣା ରହିଲା । ତାପର ଦିନ ବି ଛେନା ଆଣି ମାଆକୁ ଦେଲା । ସୁନାବୋହୂର ଶାଶୁ କିନ୍ତୁ ସେଇ ଦିନଠୁ ମୁହଁ ଫେରେଇ ନେଲା ଛେନାରୁ ।
ଆଜି- କାଲି ଶାଶୁ ଆଉ ପୁଅକୁ କିଛି କୁହେନି । ପୁଅ ବି ବଜାରରୁ ଫେରିବାବେଳେ ଆଉ ଛେନା ନେଇ ଆସେନି । ସୁନାବୋହୂ ବି ଏବେ ଆଉ ଯାହା କହୁ ପଛକେ, ମାନିବାକୁ ପଡିବ. . . ଛେନା ନେଇ କିନ୍ତୁ ଆଉ ଅଭିଯୋଗ କରେନି।

ସୁନାବୋହୂ-୨

ସୁନାବୋହୂ ତା’ ଶାଶୁକୁ ନେଇ ବାପଘରକୁ ଯାଇଥିଲା । ତା ଶାଶୁର ଗହଣାଗାଣ୍ଠି କି ସ୍ୱାମୀ ନାହିଁ ବୋଲି ତା ହାତ ବେକ ସବୁବେଳେ ଫୁଙ୍ଗୁଳା । ସାତ ସାତଟା ରୋଜଗାରିଆ ପୁଅ କିନ୍ତୁ ଅଛନ୍ତି । ସେଥିପାଇଁ ମାଆ ବେକରେ ତୁଳସୀମାଳା ଗୋଟିଏ ପଡିଥାଏ ସବୁବେଳେ । ସୁନାବୋହୂ ନିଜ ବାପଘରକୁ ଶାଶୁକୁ ସାଙ୍ଗରେ ନେବ ବୋଲି ହାତରେ ମୁଦି ପିନ୍ଧେଇ ଦେଇଥିଲା ଆଉ ସୁନାବୋହୂର ସ୍ୱାମୀ ନିଜ ବେକରୁ ସୁନାହାର କାଢି ତା ମାଆକୁ ଦେଇଥିଲା।
ବାପଘରୁ ଫେରନ୍ତେ ସୁନାବୋହୂ କହିଲା, “ମାଆ! ସମସ୍ତେ ଫେରିନାହାନ୍ତି ବୋଲି ହାର, ମୁଦି କଣ ଫେରେଇବନି କି?” ଶାଶୁ କହିଲା, ପୁତୁରା ବାହାଘରଟା ଆଉ ଦି ଦିନପରେ ଅଛି. . . ପିନ୍ଧି ପଳେଇ ଯାଇଥାନ୍ତି ଆଉ । କଥା ନ ସରୁଣୁ ସୁନାବୋହୂ ସକେଇ ହୋଇ କହିଲା, “ଯାହା ଘରକୁ ଯିବ, ତାଙ୍କୁ କହୁନ ଗହଣା ଦେବେ।“ ବୋହୂର କଥା ସରିବା ଆଗରୁ ଶାଶୁ ହାର, ମୁଦି ଖୋଲି ଟେବୁଲ୍ ଉପରେ ଥୋଇ ଦେଇଥିଲା। ସେଇଦିନରୁ ଆଜିଯାଏ ସୁନାବୋହୂର ଶାଶୁ ଆଉ ସାତପୁଅର ମାଆର ହାତ,ବେକ ସବୁବେଳେ ଫୁଙ୍ଗୁଳା।

ସୁନାବୋହୂ-୩

ଗତକାଲି ଜାଗର ଥିଲା ବୋଲି ସୁନାବୋହୂର ସ୍ୱାମୀ ତା ମାଆ ପାଇଁ ଫଳମୂଳ, ମିଠାଇ କିଣି ବଜାରରୁ ଆଣିଥିଲା । ଶାଶୁ ତା’ର ଜାଗର ଦୀପ ଜାଳି ଖାଇପିଇ ଶୋଇଲା ବେଳକୁ ରାତି ଦୁଇ।
ସକାଳୁ ଉଠନ୍ତେ ସୁନାବୋହୂ ଆଡା ପକେଇଲା ପରି ସାମ୍ନାରେ ଠିଆ ହୋଇଗଲା । ଶାଶୁକୁ ଦେଖୁ ଦେଖୁ ଗେହ୍ଲେଇ ହୋଇ ପଚାରିଲା ; କାଲି ଏତେ ସବୁ ଜିନିଷ ଆସିଥିଲା କଣ କଲ ? ଖାଇଦେଲ ? କେମିତି ଖାଇଲ ଯେ ? ଏତେ ସବୁ ଜିନିଷ, ଖାଇ ପାରିବାର କଥା ତ ନୁହେଁ । ମୁଁ ଜାଣେ ଯେ ତମେ କଣ କରିଥିବ !
ଶାଶୁ ସୁନାବୋହୂ ମୁହଁକୁ ଥରେ ଚାହିଁଲା, ଆଉ ଥରେ ଦି ହାତ ଦୂରରେ ବସିଥିବା ତା ପୁଅର ମୁହଁକୁ ।

ସୁନାବୋହୂ-୪

ସୁନାବୋହୂକୁ ଶାଶୁ ଭାରି ଭଲପାଏ । ତା’ କାମଦାମ କରିବାକୁ ଶାଶୁ ସବୁବେଳେ ଆଗଭର । ଦିନସାରା ତା’ରି ପାଖରେ ଏପଟ ୍ସେପଟ୍ ହୁଏ, ତା’ରି ପାଖରେ ଖାଏ । ସୁନାବୋହୂର ଛଅ ଯାଆ ବୋଲି ଶାଶୁ ସୁନାବୋହୂ ପାଖେ ଖାଏ, ବାକି ସଭିଙ୍କ ପାଖକୁ ଶୋଇବାକୁ ଯାଏ।
ସେଦିନ ଶାଶୁ କହିଲା, “ମୁଁ ଆଉ ଏତେ ବେଶୀ ଏପଟ୍ ସେପଟ ୍ ହୋଇପାରୁନି ତ, ଖାଇ ସାରିଲା ପରେ ଖାଲି ରାତି ଘଡିକଟା ଏଇଟି ଟିକେ ଶୋଇ ପଡନ୍ତି । ସୁନାବୋହୂ ଶାଶୁ ପଟିଆ ହୋଇ କହିଲା, “ତୁମେ କିଛି ବୁଝୁନ । ତୁମେ ଯଦି ସେପଟକୁ ଆଉ ନ ଯାଇ ଏଇଠି ଶୋଇବ , ତାଙ୍କର ସବୁ ମୁହଁ ପଢିଯିବନି ? ନୁହେଁ ମାଆ ?” ଶାଶୁ ଆଉ କହିବ ବା କ’ଣ ? ସେଇ ଦିନଠୁ ସେ ଆଉ ସୁନାବୋହୂ ପାଖେ ଶୋଇବାକୁ ଜିଦ ୍ କରେନି । ହାତଗୋଡ ଭାଙ୍ଗି ଚାଲି ନ ପାରୁଥିଲେ ବି ଛୋଟେଇ ଛୋଟେଇ ଖଣ୍ଡେ ଦୂର ଯାଏ ଶୋଇବାକୁ ।

ସୁନାବୋହୂ-୫

ସେଦିନ ମାଆକୁ ଭଲପାଉଥିବା ପୁଅଟେ ସହ ଭେଟ ହେଲା । ତା’ର ଭାରି ଇଚ୍ଛା ତା’ମାଆର ସବୁ କଷ୍ଟ ଦୂର କରିବାକୁ; ଖାଇବା, ପିଇବା, ଦେହପା, ଆଶା ସବୁକିଛି । ମୋତେ ପଚାରିଲା, ମାଆ କେମିତି ଖୁସି ହେବ କହିଲୁ ? ମୁଁ କହିଲି, ସେଦିନ ମୋ ହାତରୁ ମୁଦି ନେବ ବୋଲି ଟାଣୁଥିଲା । ଆଉ ଏମିଟେସନ୍ ହାର ଗୋଟେ ମାଗୁଥିଲା । କିଣି ଦେଉନୁ, ହୁଏତ ଖୁସି ହୋଇଯିବ।
ସେଦିନର ବର୍ଷେ ପରେ ପୁଣି ଭେଟ ହେଲା । ଆଉ ସେ କାନ୍ଦିକାନ୍ଦି କହିଲା , ଜାଣିଛୁ . . . ମାଆ ଚାଲିଗଲା । କାଲି ତା’ର ଏଗାର । ତୁ ଆସିବୁ । ତୋତେ ସେ ଭାରି ଭଲପାଉଥିଲା । ମୁଁ ଯାଇଥିଲି । ଦୁଇ ହଜାର ଲୋକଙ୍କ ଖିଆପିଆ. . . ସତସଙ୍ଗ. . . ମାଇକି. . . କେତେ ଥାଟବାଟ । ସେ ପଚାରିଲା, ସବୁ ଭଲ ତ? ନ ହେଲେ ମାଆ ଶାନ୍ତି ପାଇବନି। ମୁଁ କହିଲି, ଏଇ ଖର୍ଚ୍ଚରୁ କିଛି ବାଦ୍ ଦେଇ ମାଆ ପାଇଁ ଗୋଟେ ହାର ଆଉ ମୁଦିଟେ କରି ଦେଇଥିଲେ ହୋଇନଥାନ୍ତା ?ସେ ଅବାକ୍ ହୋଇ ମୋତେ ଚାହିଁଲା । ମୁଁ ଆଉ ପଛକୁ ନ ଚାହିଁ ଫେରି ଆସିଲି।
ସେଇ ଘଟଣା ପରଠୁ ମୁଁ ଆଉ କାହାରି ମାଆ କାମକୁ ଯାଏନି ।

ମୁକ୍ତି

ଆଷାଢ଼ ଆକାଶରୁ ବର୍ଷାବିନ୍ଦୁ ହୋଇ ଝରି ପଡ଼ିଲେ ମେଞ୍ଚେ ଖୁସି। ମେଘମୁକ୍ତ ହେବାର ଇଚ୍ଛାରେ ଖସି ପଡ଼ିଥିବା ସେ ଖୁସିମାନଙ୍କୁ ଆଞ୍ଜୁଳାରେ ଗୋଟେଇ ନେଇ ମାଆ ମୋର ଉଡ଼େଇ ଦେଲା ଅସୀମ ଦିଗବଳୟ ଆଡ଼େ । ମୁକ୍ତିର ଆନନ୍ଦରେ ବିଭୋର ହୋଇ ସେମାନେ ଏଥର ଡେଣା ଲଗେଇ, ସବୁ ବାଧା ବନ୍ଧନକୁ ପଛରେ ପକାଇ ଉଡ଼ିଗଲେ ଆପଣା ଆପଣା ସ୍ଵପ୍ନର ଇଲାକା ଆଡ଼େ ।

ଜନ୍ମଲଗ୍ନ

ମୁଁ ସବୁବେଳେ ମୋ ଜନ୍ମ ମୁହୂର୍ତ୍ତଟିକୁ ମନେପକାଇ ଅଭିସମ୍ପାତ ଦିଏ ବୋଲି କକା ମୋର କୁହେ ଏଇଟା କୁଆଡ଼େ ମୋର ପ୍ରଥମ ମଣିଷ ଜନ୍ମ I ସେଇଥିପାଇଁ ସିନାଏତେ ରୋଷ ମୋର ଜୀବନ ଉପରେ ।
ମୁଁ କିନ୍ତୁ ସ୍ଥିର ନିଶ୍ଚିତ ଯେ, "ଏ ଜୀବନଟା କେବେବି ମୋ ଇଚ୍ଛାର ଜୀବନ ନୁହେଁ । ମୁଁ ଜାଣିଶୁଣି ଜନ୍ମ ହେବାକୁ ଚାହିଁନି କେବେ । ୟେ ଖାଲି ଗୋଟେ ପ୍ରକ୍ରିୟା l ଆଉ ମୁଁ ସେ ପ୍ରକ୍ରିୟାର ଗୋଟେ ଉତ୍ପାଦ ମାତ୍ର।"
ଏକଥା ଶୁଣି କକା ମୋର ହସେ। ଆଉ ପୁଣି ଥରେ ମୋଟା ଚଷମାଟିକୁ ଆଖିରେ ଲଗାଇ ଦେଇ, ମସିଆ ପଡ଼ି ଯାଇଥିବା ଥଳିରୁ ମୋ ଜନ୍ମ ପତ୍ରିକାଟିକୁ କାଢ଼ି ଦେଖେ। ମନେ ମନେ କ'ଣ ଗୁଡ଼ାଏ ହିସାବ ନିକାଶ ବି କରେ । ଯେତେହେଲେ ଏ ଖଣ୍ଡମଣ୍ଡଳର ସେ ନାଆଁକରା ଜ୍ୟୋତିଷ ଯେ !

ଲଢେଇ

୩୦ ବର୍ଷ ଧରି ଗୁରୁକୂଳରେ ରହୁଥିବା ମୋ ପ୍ରିୟ ଶିକ୍ଷକ ଜଣଙ୍କ ତାଙ୍କ ଉପରେ ହେଉଥିବା ସବୁ ଅତ୍ୟାଚାରକୁ ସହିଯାଆନ୍ତି । ଛାତ୍ରମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ବି ନିଜେ ପିଠି ଦେଖାଇ ଦିଅନ୍ତି । କିନ୍ତୁ ପ୍ରତିବାଦ କେବେ କରନ୍ତିନି କି ସତ୍ୟ ପାଇଁ ଲଢେଇ କରନ୍ତନି ।
ଅତ୍ୟାଚାର କରୁଥିବା ମୁରବୀ ଜଣକ ଆରମ୍ଭରୁ ତାଙ୍କୁ ବୁଝେଇ ଦେଇଥିଲେ ଯେ, “ଯାହା ବି ସମସ୍ୟା ଆସିବ ଭଗବାନଙ୍କୁ ଜଣାଇବ । ସେ ହିଁ କେବଳ ସବୁକିଛିର ସମାଧାନ କରିପାରିବେ ।” ମୋ ଶିକ୍ଷକ ବି ଏତେ ଦିନ ସରଳ ବିଶ୍ୱାସର ସହ ସେଇଆ କରିଆସୁଥିଲେ । ଛାତ୍ରଙ୍କ ଦୁଃଖ କଥା ଲେଖି ଭଗବାନଙ୍କୁ ଜଣେଇ ଆସୁଥିଲେ ।
ସହିବାର ସୀମା ଅତିକ୍ରମ କରିବାରୁ ସେଦିନ ସେ ଯାଇ ମୁରବୀଙ୍କୁ ପଚାରିଲେ, “ଭଗବାନ ଯଦି ସବୁ ସମସ୍ୟାର ସମାଧାନ କରିବେ ତେବେ ଆପଣ ସବୁ କଥାରେ ଦଣ୍ଡବିଧାନ କରୁଛନ୍ତି କାହିଁକି? ଭଗବାନଙ୍କୁ କାହିଁକି ଜଣାଉନାହାନ୍ତି?” ଯେଉଁଦିନ ଏ ପ୍ରଶ୍ନଟି ସେ ପଚାରିଲେ ସେଦିନ ଗୋଟେ ଜୋରଦାର୍ ଲଢେଇ ହେଲା । ଆଉ ମୋ ଶିକ୍ଷକଙ୍କର ଶିକ୍ଷକ ପଦବୀଟି ବି ଚାଲିଗଲା ।
ସେଇଦିନ ସେ ପ୍ରଥମ ଥର ପାଇଁ ବୁଝିଲେ ଯେ, ଏସବୁ ଫମ୍ପା ଆଦର୍ଶର କଥା କେବଳ ଅଧିନସ୍ଥ ମାନଙ୍କ ପାଇଁ, ଭକ୍ତ ମାନଙ୍କ ପାଇଁ, ସରଳ ମାନଙ୍କ ପାଇଁ, ଖଟୁଥିବା ଲୋକ ମାନଙ୍କ ପାଇଁ । ଉଚ୍ଚପଦସ୍ଥ ସିଆଣିଆ ମାନଙ୍କୁ ପ୍ରଶ୍ନ ପଚାରିବା ଏଠି ସବୁବେଳେ ମନା ।
ସେଇଥିପାଇଁ କୁହାଯାଏ ନିଜ ଅଧିକାର ପାଇଁ ଲଢେଇ କରିବାକୁ ଭଲ ସମୟର ଅପେକ୍ଷା କରିବା ସବୁଠୁ ବଡ ବୋକାମୀ । ନିଜ ଲଢେଇକୁ ତୁରନ୍ତ ବାଛିବାକୁ ହେବ ।

ଲୋଭ – ୧

ମୋ ବାପାର ଛାଈ ଦେଖିଲେ କି ଦିନକୁ ଦିନ ବଢି ଚାଲିଥିବା ଆମ କୋଠା ଘରମାନଙ୍କୁ ଦେଖିଲେ ତାଙ୍କର ନାହି ଡିଏଁ । ବାର ଦୁଆର ବୁଲି ଔଷଧବାଲାଙ୍କ ଔଷଧ ବିକୁଥିବା ଆମ ଘର ପାଖ ଚଷା ସାହିର ପୁଅ ଆଉ ତା’ର ବାପା ମୋ ଭାଇର ଘର ଛାଡିବା ସୁଯୋଗ ନେଇ ଆମ ଘରେ ଏକା ଥିବା ମୋ ବାପା ପାଖକୁ ଏବେ ଫି’ ଦିନ୍ ଆସୁଛନ୍ତି । ଅଖିମୁଠି ନବାକୁ ଗାଆଁରେ ବିଶୁଆଏ ଜମି ନାହିଁ ବୋଲି ବାପାଠୁ ଧପେଇ ଜମି କିଛି ନବାକୁ କରୋନାରେ ବି ଯିବା ଆସିବା ଦିନେ ବନ୍ଦ ନାହିଁ ତାଙ୍କର । ଜମିଜମା ହାତେଇବା କଥା ମନରେ ରଖି, ସଲାସୁତୁରା ପରେ ଏବେ କୁଆଡେ ନୂଆ କରି ଗୁମାସ୍ତାଗିରି କାମଟା ବାପାଠୁ ହାତକୁ ନେଇଛନ୍ତି । ସେଥିରେ କଣ କମ୍ ଲାଭ?

ଲୋଭ – ୨

ବୈତରଣୀ ନଦୀ କୂଳରେ ୧୦୦ ଏକର ପୈତୃକ ସମ୍ପତ୍ତି ଥିବା ଭାଇର ସାଙ୍ଗ ମୋର ରାଜଧାନୀରେ ଆସି ଦୋକାନ ସାଙ୍ଗରେ କାହିଁରେ କେତେ ବେପାର କରି ଲକ୍ଷ ଲକ୍ଷ ରୋଜଗାର କରୁଛି । ବ୍ରାହ୍ମଣ ଘରର ପୁଅ ତ ଜମି ଅକ୍ତିଆର୍ କରିବାର ଲୋଭ ବହୁତ । ଭାଇର ସାଙ୍ଗ ହେଲେ ବି ଛୁଆବେଳ ଠୁ ମୋ ଭାଇ ଉପରେ ତା’ର ଭାରି ଇର୍ଷ୍ୟା । ଏବେ ଭାଇ ମୋର ଘରେ ନାହିଁ ଶୁଣି ସେ କୁଆଡେ ମୋ ବାପାର ଧରମ ପୁଅ ହେଇଛି । କରୋନାରେ ବି ମାସକୁ ଛଅ ଥର ରାଜଧାନୀରୁ ମୋ ବାପାକୁ ଭେଟିବାକୁ ଯାଉଛି । ବେପାରୀ ପୁଅର ଗଣିତ ଭଲ । ବେଶୀ କିଛି ନହେଲେ ବି ୧୦୦ ଏକର ସାଙ୍ଗରେ ଆଉ ୫ଏକର ଜମି ତ ଯୋଡିପାରିବ!

ଲୋଭ – ୩

ସାଙ୍ଗରେ ମିଶି ବେପାର କରିବା କହି ୧୨ ବର୍ଷ ତଳେ ଭାଇଠୁ ମୋର ୪୦,୦୦୦ଟଙ୍କା ନେଇ ସାଙ୍ଗ ତା’ର ଗୋଟେ କମ୍ପାନୀ ଆରମ୍ଭ କଲା । ଦିନା କେତେ ସରଳିଆ କାମିକା ଭାଇକୁ ମୋର ନିର୍ଧୁମ୍ ଖଟେଇଲା ବି । ଦିନକୁ ଦିନ ଘରେ କାମ ବଢିବାରୁ ଭାଇ ଟିକେ କମ୍ପାନୀ ଯିବା କମେଇଦେଲା ପରେ ସେ ଆଉ ଧରାଛୁଆଁ ଦେଲାନି କି ଆମ ଘର ଆଡେ ଆସିଲାନି । ମୂଳ ପଇସା ଛାଡ, ଭାଇ ଯେତିକି କାମ କରିଥିଲା ସେତିକି ପଇସା ବି ଦେଲାନି । ଏବେ କିନ୍ତୁ ସେ ଆମ ଘର ଆଡେ ସପ୍ତାହକୁ ଥରେ ନିହାତି ଆସୁଛି । କରୋନାରେ ବି ଯିବା ଆସିବା ବନ୍ଦ ନାହିଁ । ବିଲେଇ କପାଳକୁ ଶିକା ଛିଡିଛି ଜାଣ । ଘରେ ଆମର ବାପ-ପୁଅର ପାଟିତୁଣ୍ଡଟା ଲାଗି ରହିଲେ ସିନା ତାକୁ ଆଉ ଭାଇକୁ ପଇସା ପତ୍ର କିଛି ଫେରେଇବାକୁ ପଡିବନି । ବ୍ରାହ୍ମଣ ଘରର ବେପାରୀ ପୁଅ ପାଇଁ ୪୦,୦୦୦ ଛାଡ, ୪ଟଙ୍କା ବି କ’ଣ କମ୍ କଥା କି?

ଲୋଭ – ୪

ଡାକି ଡାକି ଥକି ଗଲେ ବି “ଆମ ଘରର ହଜାରେ ଟେନସନ୍, ବେପାରରୁ ଫାଙ୍କା ମିଳୁନି, କାମ ବହୁତ, ପଇସା କିନ୍ତୁ କମ୍” କହି ୨,୪ ବର୍ଷରେ ଥରେ ଆସୁଥିବା ମୋ ଭାଇର କାଚରା ଦୋକାନୀ ସାଙ୍ଗ ଏବେ ନିଇତି ଆମ ଘରକୁ ଆସୁଛି । କରୋନାରେ ବି ଯିବା ଆସିବା ଦିନେ ବନ୍ଦ ନାହିଁ । ଭାଇ ତ ଘର ଛାଡି ଏବେ ଭୁବନେଶ୍ୱରରେ । ଗାଆଁରେ ଏଡେ ବଡ ଜମିଦାରୀ ସମ୍ଭାଳିବାକୁ ବାପା ଏକା । ଆଜି କାଲି କୁଆଡେ ବେପାରରେ ତା’ର ବେଶ୍ ଲାଭ ହେଉଛି । ହୁଅନ୍ତାନି କି? ଆଜିକାଲି ମୋ ବାପାକୁ ସାହାଯ୍ୟ କରିବା ତା’ ଦାୟିତ୍ୱ କହି ବାପା ପାଖରୁ ଆମ ଜମିଦାରୀରୁ ଖଜଣା ଆଦାୟ କରିବା କାମଟା ନେଇଛି ଯେ!

ଲୋଭ – ୫

ରାଜଧାନୀର ବିଶ୍ୱବିଦ୍ୟାଳୟରେ ବହୁତ ପାଠ ପଢିସାରି ଭଲ ଜମିଜମା ଥିବା ଏକୋଇର ବଳା ବିଶିକେଶନ ଶେଷକୁ ଗାଁରେ ରହି ଟ୍ରକ୍ ବେପାର କରେ । ଦରକାର ନ ପଡିଲେ ବି ସେ ଉପରେ ପଡି ଜମିଜମା ବିକାବିକି କି ଦାନଧର୍ମ କରିବା ବିଷୟରେ ମୋ ବାପାକୁ ବୁଦ୍ଧି ଦିଏ । ବାପା ତା’ କଥାରେ ପଡି କକା, ମାମୁଁ କି ଘରଲୋକ କାହାକୁ କିଛି ନ ଜଣେଇ ସମସ୍ତଙ୍କୁ ଲୁଚେଇ ଜମିଜମା କାମ ରଫାଦଫା କରିଦିଏ । ତେଣୁ ଆମ ଘରର ସବୁ କାଗଜ ପତ୍ରରେ ସେ ସାକ୍ଷୀ ପଡି ଦସ୍ତଖତ କରିବାଟା ଥୟ । ବାପାର ସେ ମୁଖ୍ୟ ପରାମର୍ଶଦାତା । ପରାମର୍ଶ ବାବଦକୁ କି କ’ଣ ଏଇ ଚାରି ବର୍ଷ ତଳେ ମୋ ବାପାଠୁ ୫ ଲକ୍ଷ ଟଙ୍କା ନେଇ ବେପାରରେ ଲଗେଇଛି ଯେ ଏଯାଏଁ ଫେରାଇବା ନାଁ ଧରୁନି । ଏସବୁ ସାଙ୍ଗକୁ ମୋ ଜେଜେ ଗରିବ ଛୁଆଙ୍କୁ ମାଗଣାରେ ପଢେଇବା ପାଇଁ ଆରମ୍ଭ କରିଥିବା ଶିକ୍ଷାକେନ୍ଦ୍ରର ବଡ ପଦବୀଟା ବି ମୋ ଭାଇ ପଳେଇ ଆସିବା ପରେ ସେ ହାତେଇଛି । ଏତେ ପାଠଶାଠ ପଢି ଶେଷରେ ବେପାରୀ ହେବାର ଲଜ୍ଜ୍ୟା ଭୁଲିବାକୁ ଆଉ ବୁଦ୍ଧିଜୀବି ବୋଲେଇ ହବାର ଆତ୍ମବଡିମା ପୁରା କରିବାକୁ ୟେ କ’ଣ କମ୍ ବଡ ସୁଯୋଗ?

ଲୋଭ – ୬

୫୦୦ ଟଙ୍କାରେ ୫ ବର୍ଷ ଧରି ବେସରକାରୀ ଚାକିରୀରେ ବେଠି ଖଟିବା ପରେ ଶେଷକୁ ଅଳପେଇକିଆ ମାଷ୍ଟର ଚାକିରି ଗୋଟେ ପାଇ ତେଲି ଘର ପୁଅ ଭାରି ଖୁସି । ନିଜ ପୁଅକୁ ବୈଜ୍ଞାନିକ କରି ଆଡିଶା ପଡିଶା ଲୋକଙ୍କୁ ଦେଖେଇ ହେବ ଭାବି ତା’ ପଛରେ ଲାଗିପାତି ‘ପଢ ପଢ’ କହି ଏତେ ମାନସିକ ନିର୍ଯ୍ୟାତନା ଦେଲା ଯେ ପୁଅଟା ଶେଷରେ ଅସୁସ୍ଥ ହୋଇ ଘରେ ବସିଲା । ସେଇଥିପାଇଁ ସାରେ ଏବେ ଲାଗି ପାତି ବାକି ସବୁ ପିଲାଙ୍କର ବି ଡିଗ୍ରୀ, ପରସେଂଟେଜ୍, ଭଲ ମାର୍କ ଦରକାର କହି’ ମାରିପିଟି ଧୁମ୍ ପାଠ ଘୋଷେଇବାରେ ଲାଗିଛନ୍ତି । ତେଣୁ ଆମେ ଭାଇ-ଭଉଣୀ ଘର ଛାଡିବା ପରେ ଆମ ଘରେ ଯେଉଁ ବିକଳ୍ପ ଶିକ୍ଷାର ପ୍ରୟୋଗ ଚାଲିଥିଲା ସେଠି ସେ ବାପାକୁ ଶିକ୍ଷାରେ ସାହାଯ୍ୟ କରିବ କହି ପଶିଛି । ସେଠି ତ ଜମି-ଜମା, ଘର-ଦ୍ୱାର, ଶହ ଶହ ପିଲା ସବୁ ଅଛି । କିଛି କରିବାକୁ ପଡିବନି । ଶାଶୁ କଷ୍ଟ ପାଇଥାଏ ବୋଲି ବୋହୂକୁ ଯନ୍ତ୍ରଣା ଦେବା ପରି ସେ ବି ଏବେ ନୂଆ କରି ବୋହୂରୁ ଶାଶୁ ସାଜିଛି । ବିଶ୍ୱରେ ଆଗରୁ ମଣିଷଙ୍କ ଭିତରେ ୪ ପ୍ରତିଶତ ସ୍ୟାଡିଷ୍ଟିକ୍ ପ୍ଲେଜର୍ ରହୁଥିବା ବେଳେ ଏବେ ତାହା ବଢି ଶତକଡା ୨୦ରେ ପହଂଚିଲାଣି । ସେସବୁ ଖୋଜୁଥିବା ମଣିଷଙ୍କ ପାଇଁ ତ ଏଠି ୧୦୦ପ୍ରତିଶତ ସୁବିଧା ଅଛି । ଏମିତି ସୁଯୋଗ କ’ଣ ଛାଡିହେବ?

ସରଳତା

ଅନେକ ଦିନ ଧରି ମୁନିବର ଆଦେଶ ମାତ୍ରକେ ସବୁ କାମ କରିଯାଉଥିବା ସରଳ ମଣିଷଟି “ଅସମ୍ଭବ” ଶବ୍ଦ କ’ଣ ଜାଣିନଥିଲା । ସେଇଥିପାଇଁ, ମୁନିବ ତାକୁ ଘରୁ ବାହାର କରିଦେବା ପରେ ସେ ଖୁବ୍ ସହଜରେ ସବୁ କାମକୁ ସହଜରେ “ସମ୍ଭବ” କରିପାରିଲା । କମ୍ପାନୀର ମାଲିକ ହେବା ବି.....
ସରଳ ମାନଙ୍କୁ ବୋକା ବନେଇବାକୁ ଚାହୁଁଥିବା ମଣିଷମାନେ ଯେଉଁଠି ଥାଆନ୍ତି ସେଇଠି ହିଁ ଅଟକି ରହନ୍ତି ସବୁବେଳେ । ସରଳ ମଣିଷଟି କିନ୍ତୁ ଆଗକୁ ମାଡିଯାଏ.. ଆଗକୁ ବଢିଯାଏ..

ଜନ୍ମ-ମୃତ୍ୟୁ

ଜୀବନ ଉପରେ ତା’ର ଭାରି ବିରାଗ । ସେ ସବୁବେଳେ ଭାବେ ମରିଗଲେ ଖୁବ୍ ଭଲ ହୁଅନ୍ତା । କିନ୍ତୁ ପୁଣି କାଳେ ଜନ୍ମ ନେବାକୁ ପଡିପାରେ’ ଭାବିଲେ ଡରରେ ସେ ଶିହରି ଯାଏ । ‘ଜୀବନ ଯେମିତି ଚାଲୁଛି ସେମିତି ଚାଲୁଥାଉ’ ବୋଲି ଭାବି ମରିବାର ଇଚ୍ଛାଟିକୁ ସେ ସେଇଠି ରଫାଦଫା କରିଦିଏ ।

ବିଶ୍ୱାସ

ପୁରୁଣା ପ୍ରେମିକ ସହ ଶେଷ ଦେଖା ହେବାର ପାଂଚ ବର୍ଷ ପରେ ଯାଇ ସୁଧା ନିଜ ସ୍ୱାମୀକୁ ପଚାରିଲା, “ତୁମେ ମୋତେ ବିଶ୍ୱାସ କରନି କାହିଁକି?” ସୁଧାର ସ୍ୱାମୀ ନିଜର ଦୁଇ ପ୍ରେମିକାଙ୍କୁ ସେଇ ଏକା କଥାଟିକୁ ମେସେଜ୍ କରୁକରୁ ଉତ୍ତର ଦେଲା, “ମୁଁ ତୁମ ଅତୀତର କଥା ସବୁକୁ ଭୁଲିବାକୁ ଚେଷ୍ଟା ତ କରୁଛି ନା! ଏସବୁ କଥା କଣ ସହଜରେ ଭୁଲିବାର?”

ଏକୁଟିଆ

କରୋନାର ଦିନଟିଏ ଆଗରୁ ମୁଁ ଘରକୁ ଫେରିଲି । ବର୍ଷଟିଏ ଆଗରୁ ଖାଲି ହାତରେ ଘରୁ ରାଗି ମୁଁ ବୋକି କଥାକୁହା ଶିଖିନଥିବା ଝିଅଟା ଏକୁଟିଆ ସାରା ପୃଥିବୀ ବୁଲିବାକୁ ବାହାରି ଯାଇଥିଲି ଯେ ଯାଇଥିଲି । ଅଥଚ୍ ପୁରା ବର୍ଷଟାଏ ପରେ ଘରକୁ ଫେରି ପ୍ରଥମ ଥର ପାଇଁ ମୋତେ ଏକୁଟିଆ ଲାଗିଲା ।

ଡେଣା

ମୁଁ ଯେଉଁଦିନ ଡେଣା ବିକିବାକୁ ବାହାରିଲି ସେଦିନ ମୋ ଘର ଆଗରେ ହଜାରେ ସରିକି ଲୋକଙ୍କର ଧାଡି ଲାଗିଗଲା । ସମସ୍ତେ ଜାଣିଥିଲେ, ମୁଁ ସବୁଦିନ ରାତିରେ ସ୍ୱପ୍ନରେ ଡେଣା ଲଗେଇ ରାସ୍ତା ଉପରୁ ହାତେ ଉଚ୍ଚରେ ଉଡୁଉଡୁ ହୁଂଚୁକା ମାରି ମେଘ ଯାଏଁ ଉଡିଯାଏ ବୋଲି ।