ଗୋଟିଏ ଅନୁଷ୍ଠାନ ଯେତେବେଳେ ବ୍ୟକ୍ତିକୁ ଗିଳିପକାଇ "ସତ୍ୟ"(!) ଓ "ଆଦର୍ଶ"(!)କୁ ନିଜ ସମ୍ପତ୍ତି ବୋଲି ଜାହିର୍ କରିବାକୁ ଆରମ୍ଭ କରେ, ଠିକ୍ ସେତିକିବେଳେ ହିଁ ଅସଲି "ସତ୍ୟ"ର ମୃତ୍ୟୁ ଘଟେ ।
ଜୀବନ ଗୋଟେ ଅଡ଼ୁଆ ସୂତାର ଗଣ୍ଠି । ତାକୁ ଯେତେ ଖୋଲିବାକୁ ଚେଷ୍ଟା କରାଯାଏ, ସେ ସେତେ ବେଶୀ ବେଶୀ ଗଣ୍ଠି ପଡ଼ି ପଡ଼ି ଯାଏ । କିନ୍ତୁ କେମିତି କେବେ କେଉଁଠି ଥରେ ଗୋଟେ ସୂତା ଏପଟ୍ ସେପଟ୍ ହୋଇଗଲେ ସବୁ ଗଣ୍ଠି ଆପେ ଆପେ ଖୋଲିଯାଏ ।
ଭିତରର ଠିକଣାଟି ନମିଳିବା ଯାଏ ବାହାରେ ବାହାରେ ଧାଁ ଦଉଡ଼ ଲାଗି ରହିଥାଏ ସିନା, ଅସଲ ଠିକଣାଟି ମିଳେନି ।
ମଣିଷଟିଏକୁ ସନ୍ତୁଷ୍ଟ କରିବାକୁ ଯେତେ ଯାହା କଲେ ବି ସବୁବେଳେ ଅସନ୍ତୁଷ୍ଟ ହେବା ପାଖରେ ହିଁ କଥାଟି ସରେ । କାରଣ, ମଣିଷକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବାଟା ହିଁ ଆଉ ଜଣେ ମଣିଷର ସବୁଠୁ ବଡ଼ ବୋକାମି , ପାଗଳାମୀ ଏବଂ ଏକ ଅପଚେଷ୍ଟା ।
କିଛି ଦେଇପାରିବାକୁ ଅସମର୍ଥ ମଣିଷ ହିଁ ଅନେକ କିଛି ପାଇବାର ଅଧିକାର ଦାବି କରିବସେ।
ଚ଼ାଲିବାକୁ ଅନେକ ଲମ୍ବା ବାଟ ପଡ଼ିଛି । ପଡ଼ି ଉଠି ଅଟକି ଥକ୍କା ମାରି ଚାଲିଲେ ସମୟ ଅଣ୍ଟିବନି ପତାକା ଖୁଣ୍ଟ ପାଖେ ପହଞ୍ଚିବାକୁ ଦ୍ୱିତୀୟ ଶ୍ରେଣୀ ବହିର ଠେକୁଆ ପରି ।