ନିଷିଦ୍ଧ ପଲ୍ଲୀକନ୍ୟା

ଏ ତ ଏମିତି ଏକ ନିଷିଦ୍ଧ ଇଲାକା
ଯେଉଁଠି କେବେ ହଁ ଶୁଣିବାକୁ ମିଳେନା ,
ନା ଖୁସିରେ ନା ଦୁଃଖରେ
ନା ଅନାବନା ଆଉ କେଉଁ
ଇଚ୍ଛା ଅବା ଅନିଚ୍ଛାରେ ।
ୟେ ତ ଏମିତି ଏକ ଅଜବ ଦେଶ ;
ଯେଉଁଠି ଫୁଲ ତୋଳିବା ମନା ,
ପ୍ରଜାପତି ଧରିବା ମନା ,
ସ୍ଵପ୍ନ ଦେଖିବା ମନା ,
ସ୍ଵପ୍ନ ବାଣ୍ଟିବା ବି ମନା |
ଏଠି ରଙ୍ଗ ଖେଳିବା ମନା ,
ଗପିବା ମନା,
ନ ଗପିବା ବି ମନା ,
ମନା ବି ପ୍ରେମ, ହୃଦୟର ବିନିମୟ ।
ଏଠି ଗତି ହିଁ ଦୁର୍ଗତିର ପରିଚୟ ,
କାହାକୁ ଆପଣେଇ ନେବାଟା ଅସଂଭ୍ରମତା ,
ସଂପର୍କର ସେତୁ ସବୁ ନୀଚ ମାନସିକତା
ଆଉ , ନାରୀର ସ୍ବାଭାବିକ ଅନାବିଳତା
ଚରମ ଅପରିଣାମଦର୍ଶିତା |
ଏଠି ସତ ହେଉ କି ମିଛ ହେଉ
କାହା ମୁହଁରେ କିଛିଟା ଉତ୍ତର
ଅସଭ୍ୟତା ପୁଣି ବି ନିଷ୍ଠୁର ,
ଜୋର୍ କରି ଚାପି ଦେଇ ସେଚ୍ଛା ସ୍ବାଧୀନତା
ଆଉ ଫାଙ୍କା ନୈତିକତାରେ ବଂଚିବା
ବୁଝିହୁଏ ନାହିଁ
ଜୀବନର କି ଅବା ବାସ୍ତବତା !!
ତେବେ ଠିକ୍ ଅଛି,
ଏବେ ପୋଛି ଦିଅ -
ମୋ ଆଖି ସାମ୍ନାର ସବୁ ସୌନ୍ଦର୍ଯ୍ୟ,
ଲିଭେଇ ଦିଅ ଶୀତ ସକାଳର ଘାସରୁ
ଯେତେ ସବୁ କାକର କଣା,
ଫୁଲ କଢ଼ିର ପାଖୁଡ଼ା ଚିରି
ଭଅଁରର ସ୍ପର୍ଶ ଆଗରୁ
କାଢ଼ିନିଅ ନିଭୃତ ମଧୁ ,
ଜଳ ତରଙ୍ଗରୁ ସୌନ୍ଦର୍ଯ୍ୟ, ସ୍ପନ୍ଦନ,
ବୃକ୍ଷ ଶାଖାର ଫାଙ୍କରୁ, କଇଁ ପାଖୁଡ଼ାରୁ
ଅଲଗା କରିଦିଅ ଜହ୍ନ ଆଲୁଅକୁ,
କଦମ୍ବ ଫୁଲରୁ ଅଲଗା କରିଦିଅ ବର୍ଷା
ବନ୍ଦ କରିଦିଅ-
ପ୍ରେମ ପ୍ଲାବନର ଚିରସ୍ରୋତା ଜାହ୍ନବୀକୁ
ଝରେ ଯାହା ଅବିରତ ଅମରାବତୀରୁ ।
ତେବେ ,
ଆଉ ନାହିଁ ମୋର କିଛି ପ୍ରତିବାଦ ।
ବଞ୍ଚିଯିବି ମୁଁ ଏସବୁ ବିନା ,
ସବୁ ହେଉ ଜଡ଼ବତ୍ ନିଥର, ନିସ୍ପନ୍ଦ
ଯେତେ ପାରି ସେତେ ଏବେ
କରିପାର ମନା ।।

ସବୁ ଅଛି କିଛି ନାହିଁ

"ଆଜିଟା ଶୋଇପଡ଼,
କାଲି ସକାଳକୁ ଉଠି ଖୋଜିବୁ ଅର୍ଥ"
କହିଲା ରାଜା ।
"ଜୀବନକୁ ଜାଣିବୁ ତ
ରାଜପ୍ରସାଦ ଛାଡ଼ି
ବାହାରି ଯା
ଅଗନା ଅଗନି ବନସ୍ଥ ଆଡ଼େ"
କହିଲେ ରାଜମାତା।
ରାଣୀର କିନ୍ତୁ ଇଚ୍ଛାକଲା ହସିବାକୁ
ଏଇ ମୁହୂର୍ତ୍ତରେ,
ଇଚ୍ଛା ହେଲା-
ନାଚିବାକୁ ଗାଇବାକୁ ଖେଳିବାକୁ
ଏଇ ରାତି ଅଧରେ,
ଅନର୍ଗଳ ଗପିବାକୁ ମନ ହେଲା
ଏଇ ପହରରେ ... ।
ତେଣୁ ମୋ ଠୁ ମୋ ପ୍ରିୟ ଡେଣା ଦିଇଟା
ଉଧାର ନେଇ ଉଡ଼ିଗଲା ସେ
ଆଜିର ସବୁ ଟ୍ରେନ୍ ଯାଇ ସାରିବା ପରେ
ଏକା ଏକା ଉଜାଗର ଥିବା
ଶୂନ୍ୟ ଷ୍ଟେସନ୍‌ ଆଡ଼େ,
ଆଉ ମୁଁ ଡେଣାହୀନ ପଙ୍ଗୁ
ବସି ରହିଲି
ଶୁଖିଲା କାଠଗଣ୍ଡି ଉପରେ ଉଠିଥିବା
ଛତୁ ଗଛର ଛାଇ ତଳେ ।

ଏକଲା ଝିଅ

ଆଖିରେ ମୋର
ଲୁହ ବୁନ୍ଦା ହୋଇ
ରହିଯାଇଛି ମୋ ମାଆ;
ଯିଏ ଦିନର
ସବୁ ଓଳି, ସବୁ ପହରରେ
ଠପ୍ ଠପ୍ କରି ମାଟିକୁ ଛୁଏଁ,
ପୁଣି ମାଟିରୁ ବାସ୍ନା ହୋଇ
ମୋତେ ଆଛନ୍ନ କରି
ପୁଣି ଆକାଶ ଆଡ଼କୁ ଧାଇଁ ପଳାଏ ।
ମୁଁ ଖୋଜି ହେଲା ବେଳକୁ
ସେ ଆଉ ନଥାଏ ....
ଆଉ ନଥାଏ .....!!!

ଶୂନ୍ୟ ସ୍ୱପ୍ନ

ଯେଉଁ ଆକାଶରେ ମେଘ ନାହିଁ ବୋଲି
ତୁ ଦିନେ ଚାଲିବୁନି କହୁଥିଲୁ
ପାଦରେ କାଳେ ଧୂଳି ଲାଗିଯିବ ବୋଲି ଡରୁଥିଲୁ
ସେଇ ଆକାଶ ଏବେ
ଶୋଷି ନେଇଛି
ସବୁ ମାଟିକୁ ପୃଥିବୀରୁ
ଆଉ ଫିଙ୍ଗି ଦେଇଛି
ଲୁଚେଇ ରଖିଥିବା ସବୁତକ ମେଘଙ୍କୁ
ସମୁଦ୍ରର ଲୁଣି ପାଣିରେ ।
ମେଘମାଳାଙ୍କୁ ଦେଖି -
ଲୁଣିଆ ପାଣିକୁ
ତୁ ଖୁସିରେ ଡେଇଁ ପଡ଼ିବା ପରେ
ନାଲି କଙ୍କଡ଼ା ସବୁ ଗାତରୁ ବାହାରି
ଧୂଳି ତକ ସଫା କରିବାରେ ଲାଗି ପଡ଼ିଛନ୍ତି
ବାଲି ଭର୍ତ୍ତି ବେଳାଭୁଇଁରେ ।

ମାଆ-ଝିଅ

“ତୁ ଜାଣିଛୁ ନା-
ତୋର କିଛି ହେଇଗଲେ
ଆକାଶ ଛିଡ଼ି ପଡ଼ିବ ମୋ ଉପରେ,
ଯେଉଁ ମାଟିର ମାୟାରେ ପଡ଼ିଛି କେଇଦିନ ହେଲା
ସେ ବି ଖସିଯିବ ପାଦ ତଳୁ,
ମରୁ ମରୁ ଲତା ହୋଇ ତୋ ଉପରେ ମାତି
ଯେଉଁ କେଇଟା ପତ୍ର କଅଁଳେଇଛି ଏଇ କେଇ ଦିନ ହେଲା
ସେ ତ ମରିବେ ନିଶ୍ଚୟ,
ବାସହରା ହୋଇଯିବି ମୁଁ
ମରିଯିବ ବି ଆମ ହସ-ଖେଳ-ଲୁହ
ଆଉ ସ୍ୱପ୍ନର ଗଛ ।
ସତ କହୁଛି ଲୋ ଝିଅ,
ତୁ ବୁଝୁନୁ କାହିଁକି...
ତୋ ବିନା ଏ ଶୂନ୍ୟ ପୃଥିବୀରେ
ମୁଁ ଘଡ଼ିଏ ବି ରହିବିନି, ରହିପାରିବିନି ।”
ଡାକ୍ତରଙ୍କ କଥା ମାନୁନଥିବା ଅମାନିଆ ଝିଅକୁ
କାନ୍ଦି କାନ୍ଦି କହିଲା ମାଆ ।
ଝିଅ କହିଲା;
“ମୋର କିଛି ହେବନି ଲୋ ମାଆ
ଦରକାର ପଡ଼ିଲେ ଦିନାକେତେ ଲାଗିପାତି
ଛୁ ମନ୍ତର କରି ଉଡେ଼ଇଦେବି ସବୁ ରୋଗ ବଇରାଗ
ଚାଲିବା ଠୁ ଆରମ୍ଭ କରି
ଅଅସନ-ବ୍ୟାୟାମ-ପ୍ରାଣାୟାମ-ସୂର୍ଯ୍ୟ ନମସ୍କାର
ଓବୁ କରିବି,
କରିବି ବି ଧ୍ୟାନ, ରେକି, ଓଁ ଉଚ୍ଚାରଣ
ପଢ଼ିବି ମହାମୃତ୍ୟୁଞ୍ଜୟ ମନ୍ତ୍ର,
ତୁ କିନ୍ତୁ କାନ୍ଦନା ଆଉ
ଏତେ ବିକଳ ହୋଇ ମୋ ପାଇଁ,
ଓଠ ଥରେଇ ନାକକୁ ଲାଲ୍ କରି ଆଖିରୁ ତୋର
ଗଙ୍ଗା ଯମୁନା ବହିବା ବେଳକୁ
ମୋ ଛାତି ଭିତରଟା ମନ୍ଥି ଯାଉଛି ।
ମୁଁ କହିଲିନା ତୋତେ-
ତୋ ଆଖି ଆଗରେ କେବେ
ମୁଁ ବିଛଣାରେ ପଡ଼ିଯିବିନି କି ମରିବିନି,
ଗଛ ହୋଇ ସେମିତି ଠିଆ ହୋଇଥିବି ତୋ ପାଖେ,
ବଞ୍ଚେଇ ରଖିଥିବି ଆମ ସବୁ ସ୍ୱପ୍ନ,
ଆକାଶକୁ ଛୁଇଁବାର ଆମ ଯୋଜନାକୁ ବି
କେବେ କହିବିନି କାହା ପାଖେ ।”

ସୁଅ ମୁହଁରେ ପତର

ବନ୍ୟା ନଈ ପାଣିର ସୁଅରେ
ପତର ପରି ଭାସିଗଲା ମୋ ସମୟ ସବୁ
ଝଟାକ୍ କରି,
ଉୁଁ କେତେବେଳେ ସୁଅ କାଟି ତ
କେତେବେଳେ ନଈବନ୍ଧରୁ ସୂତା ଖଣ୍ଡେ ପକେଇ
ପତ୍ରକୁ ଗୋଟେଇ ଆଣିବାକୁ ଚେଷ୍ଟା କଲି ଯେ ପାରିଲିନି –
ହାରିଗଲି ।
ପାରିଲିନି ବୋଲି
ନିଜକୁ ଧିକ୍କାରିଲି ରାତିରାତି,
ମୋତେ ଦେଖି
ଆମ ଘର ପାଖ ନଡ଼ିଆ ଗଛରେ ରହୁଥିବା
ଧଳା ପେଚା କହିଲା,
“ଏଥର ଆଉ ବହିଯିବନି ତୋ ପତ୍ର
ନଈ ସୁଅରେ,
ହେଉ ପଛେ ଯେତେ ଅନ୍ଧାର
ସୁଅ ଯେତେ ପ୍ରଖର,
ମୁଁ ଖୋଜି ଆଣି ଫେରେଇଦେବି
ତୋତେ ତୋ ପତ୍ର,
ସମୟ ଆଉ ଆଡ଼ ପକେଇ
ଅଟକେଇ ରଖିବନି ତୋ ଚଲାପଥ ।”